ସଂକଟରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ମିଡ଼ିଆ ଶିଳ୍ପ

ଓଡ଼ିଶାସମ୍ପାଦକୀୟ
ସଂକଟରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । କାରଣ ମିଡ଼ିଆ ଶିଳ୍ପର ମାଲିକ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ କୌଣସି ନା କୌଣସି ରାଜନୈତିକ ଦଳରେ ସଂପୃକ୍ତ  । କିଏ ବ୍ୟବସାୟିକ ଭିତ୍ତିରେ କରୁଛି ତ ଆଉ କିଏ ନିଜ ପ୍ରଚାର ପ୍ରସାର ପାଇଁ । ପୁଣି କେହି କେହି ରାଜନୈତିକ ସ୍ୱାର୍ଥ ଲାଗି ମିଡ଼ିଆକୁ ଢ଼ାଳ କରି ଖବର ପରିବେଷଣ କରୁଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏବେ କିଛି ମିଡ଼ିଆ ହାଇକମାଣ୍ଡକୁ ଖୁସି କରିବାରେ ଲାଗିଛନ୍ତି । ତାଙ୍କର ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମ ଓ ଲୋକାଭିମୁଖୀ ଯୋଜନା ସଂପର୍କରେ ଟିକନିକ ଖବରର ପ୍ରଚାର ପ୍ରସାର କରାଯାଉଥିବା ପରିଲକ୍ଷିତ ହେଉଛି । କେବଳ ଏତିକି ନୁହେଁ, ନିର୍ବାଚନ ସମୟରେ ଦଳୀୟ ପ୍ରଚାରକୁ ଅଧିକ ଶାଣିତ କରିବା ଲାଗି ଅଧିକାଂଶ ଗଣମାଧ୍ୟମକୁ ନିଜ ଅକ୍ତିଆରକୁ ଆଣିଛନ୍ତି । ଯେମିତିକି ଦଳୀୟ କାର୍ଯ୍ୟକ୍ରମ ହେଉ କି ହାଇକମାଣ୍ଡଙ୍କ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ଉତ୍ସବରେ କୌଣସି ବାଧା ନ ଉପୁଜିବ । ମନ୍ତ୍ରୀ, ସାଂସଦ, ନେତା, ପୋଲିସ ପ୍ରଶାସନ ସମସ୍ତେ ଏଥିରେ ଲାଗିଛନ୍ତି । ଯୋଜନାର ସଠିକ କାର୍ଯ୍ୟକାରୀ ହେଉ ଅବା ନ ହେଉ ସମସ୍ତ କଳ ପ୍ରଚାର ପ୍ରସାର ଉପରେ ଅଧିକ ଗୁରୁତ୍ୱ ଦେଉଛି । ସ୍ୱାସ୍ଥ୍ୟ, ଶିକ୍ଷା, ଚାଷୀ ଓ ଚାଷ ଜମିକୁ ପାଣି ଯୋଗାଇବା ଲାଗି ଜଳସେଚନ ସୁବିଧା ଆଦି ସଂପର୍କରେ ବହୁଳ ଭାବରେ ପ୍ରଚାର କରାଯାଉଛି । ବାସ୍ତବରେ ଜନସାଧାରଣ କି ଚାଷୀଙ୍କ ସ୍ୱାର୍ଥ ପୂରଣ ହେବା ଭଳି ସେମିତି କିଛି ଆଖିଦୃଷିଆ ପଦକ୍ଷେପ ନିଆଯାଉନଥିବା ମନେ ହେଉଛି । ଲୋକେ କୌଣସି ଯୋଜନାର ଫାଇଦା ପାଉନଥିବା ବେଳେ ଦଳୀୟ ନେତା ଓ କର୍ମୀମାନେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଉଛନ୍ତି । ଗରିବ ଲୋକଟିଏ ଛୋଟ କୁଡ଼ିଆଟିଏ ଲାଗି ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡୁଥିବା ବେଳେ ଧନୀ ଶ୍ରେଣୀର ଲୋକଙ୍କ ଘରେ ପହଞ୍ଚି ଯାଉଛି ସରକାରଙ୍କ ଏହି ଲୋକାଭିମୁଖୀ ଯୋଜନା । ତେବେ ଏନେଇ ମିଡ଼ିଆ କୌଣସି ଖବର ପରିବେଷଣ କରିବା ତ ଦୂରର କଥା ସେ ଉପରେ ଧ୍ୟାନ ବି ଦେଉନଥିବା ନଜିର ରହିଛି । ହେଲେ ଦଳର ହାଇକମାଣ୍ଡ ଘରୁ ବାହାରକୁ ବାହାରିଲେ କି ଚାନେଲରେ ବ୍ରେକିଂ ନ୍ୟୁଜ ଆରମ୍ଭ ହୋଇ ଯାଉଛି ।
ନିର୍ଭିକ ଖବର ତ ନୁହେଁ ମିଡ଼ିଆ ମ୍ୟାନେଜ୍ । ଶାସକ ଦଳ ଓ ପ୍ରଶାସନ କଳ ଏହାର ସୁବିନିଯୋଗ କରୁଛି । ତାଙ୍କ ସପକ୍ଷରେ ଖବର ପରିବେଷଣ ନ କଲେ ସମାଲୋଚନା ନ ହେଲେ ପରୋକ୍ଷରେ ଦିଆଯାଉଛି ଧମକଚମକ । କାରଣ କିଏ ନିଜେ ଖବର ପ୍ରକାଶନ ପାଇଁ ସଂସ୍ଥା ଖୋଲିଛି ତ ଆଉ କିଏ ଅର୍ଥ ଲଗାଇ ଅନ୍ୟଙ୍କ ଦ୍ୱାରା ମିଡ଼ିଆ ମ୍ୟାନେଜ କରୁଛି । ତେଣୁ ଏଭଳି ପରିସ୍ଥିତିରେ ଖବର ପ୍ରକାଶ ବା ପ୍ରସାରଣ ନିରପେକ୍ଷ, ସ୍ୱଚ୍ଛ ହେବ ବା କେମିତି । ମାଲିକଙ୍କୁ ସନ୍ତୁଷ୍ଟ କରିବା ଲାଗି ସଂପାଦକ, ସାମ୍ବାଦିକମାନେ ସେମିତିକା ଖବର ପରିବେଷଣ କରୁଛନ୍ତି । ଏବେ ସମ୍ବାଦପତ୍ରରେ ଆଉ ଦମଦାର, ରୋଚକ ଖବର ନାହିଁ । କେବଳ ସରକାରଙ୍କ ମୁଖ୍ୟପତ୍ର ଭାବେ ମିଡ଼ିଆ କାର୍ଯ୍ୟ ନିର୍ବାହ କରୁଛି । କାରଣ ସରକାରଙ୍କ ମନମୁତାବକ ଖବର ପ୍ରକାଶ ନ କଲେ ବିଜ୍ଞାପନ ଲିଷ୍ଟରୁ କଟିବା ଭୟ ରହିଛି । ତେଣୁ ବାଧ୍ୟ ହୋଇ ସମ୍ବାଦପତ୍ରର ମାଲିକମାନେ ସରକାରଙ୍କ ବିଭିନ୍ନ ଯୋଜନାକୁ ଅଯଥାରେ ଅଧିକ ପ୍ରଚାର ପ୍ରସାର କରୁଛନ୍ତି । ଫଳରେ କିଛି ସଚ୍ଚୋଟ ସାମ୍ବାଦିକ ଏଥିରୁ ବଳି ପଡ଼ିବା ସ୍ୱାଭାବିକ । ନଚେତ ସ୍ୱଇଚ୍ଛାରେ ମିଡ଼ିଆ ଛାଡ଼ି କିଛି ସାମ୍ବାଦିକ ଅନ୍ୟ ବେସରକାରୀ ସଂସ୍ଥା କିମ୍ବା ରାଜନୀତିକୁ ଯିବାକୁ ମନ ବଳାଉଛନ୍ତି । କିଏ ସରକାରୀ ଦଳରେ ତ ଆଉ କିଏ ବିରୋଧୀ ଦଳରେ ସାମିଲ ହେଉଛନ୍ତି । ପୁଣି କେହି କେହି ରାଜନୀତିକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ସବୁଜ ସଂକେତ ମିଳୁ ନାହିଁ । ଫଳରେ ନା ମିଡ଼ିଆରେ କାମ କରି ପାରୁଛନ୍ତି ନା ରାଜନୀତିରେ । ଏଭଳି ସ୍ଥିତିରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ସଂପାଦନ କରିବା ସେମାନଙ୍କ ପକ୍ଷେ ମୁସ୍କିଲ ହୋଇ ପଡୁଛି । ନିରୂପାୟ ହୋଇ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଚାର ପ୍ରସାର କରିବା ଛଡ଼ା ଅନ୍ୟ ଉପାୟ ନାହିଁ । କାଳେ ରାଜନୀତିରେ ପ୍ରବେଶ ସୁଯୋଗ ମିଳିଯିବ ସେନେଇ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ହେଲେ ରାଜନୀତିରେ ସଂପୂର୍ଣ୍ଣ ଅଜ୍ଞ ଥିବା ଏପରି ବ୍ୟକ୍ତିବିଶେଷ କେମିତି ଦଳୀୟ କାର୍ଯ୍ୟ କରି ଛାମୁକୁ ସନ୍ତୁଷ୍ଟ କରିବେ ତାହା ଭଗବାନଙ୍କୁ ଅଗୋଚର ।
ଏବେ ରାଜ୍ୟ ସରକାର ହେଉ କି କେନ୍ଦ୍ର ସରକାର ଉଭୟେ ମିଡ଼ିଆ ମ୍ୟାନେଜରେ ଧୁରନ୍ଧର । ଗଣମାଧ୍ୟମକୁ କେମିତି ନିଜ ଅକ୍ତିଆରରେ ରଖି ବ୍ୟବହାର କରାଯିବ ତାହା ସେମାନଙ୍କୁ ବେଶ ଜଣା । ଏପଟେ ଯିଏ ଯାହାର ବିଜ୍ଞାପନ ପାଇଲା ସେ ମିଡ଼ିଆ ତା କାର୍ଯ୍ୟକ୍ରମ ସେତିକି ଭାବରେ ପ୍ରଚାର ପ୍ରସାର କରିବାରେ ଲାଗିଛି । ଯୋଜନାରେ ବାସ୍ତବତା ଥାଉ କି ନ ଥାଉ ସେମାନେ ତାହା ଖୁବ ସୁନ୍ଦର ଢ଼ଙ୍ଗରେ ପରିବେଷଣ କରୁଥିବା ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ କିଛି ଗୋଷ୍ଠୀର ଲୋକେ ସରକାରଙ୍କ ସମର୍ଥନରେ ବିିଭିନ୍ନ ସକାରାତ୍ମକ ଖବର ପରିବେଷଣ କରୁଛନ୍ତି । ଏପରିକି କୌଣସି ମିଡ଼ିଆ ଯଦି ସରକାରଙ୍କ ବିରୁଦ୍ଧରେ ଖବର ପରିବେଷଣ କଲା ତାର ପ୍ରତିବାଦସ୍ୱରୂପ ସେମାନେ ଉକ୍ତ ମିଡ଼ିଆକୁ ଟାର୍ଗେଟ କରୁଛନ୍ତି । ଏଥିପାଇଁ ସରକାର ସେମାନଙ୍କୁ ଖୁଆଇ ପିଆଇ ପାଳି ପୋଷିଛି । ଯେମିତିକି ମାଲିକ ଉପରେ କେହି ଆକ୍ରମଣ କଲେ କୁୁକୁର ଦୌଡ଼ି ଯାଇ ରକ୍ଷା କରେ, ଠିକ ସେହିପରି ପୋଷା, ବିଶ୍ୱସ୍ତ ଦୁଇ ଗୋଡ଼ିଆ ପଶୁ । ଧିକ ଏମିତିକା ଲୋକଙ୍କୁ ଗଣମାଧ୍ୟମର ଭୂମିକାକୁ ଜଳାଞ୍ଜଳି ଦେଇ ନିଜ ସ୍ୱାର୍ଥସାଧନ ଲାଗି ଅନ୍ୟର ପୋଷା ପାଲଟି ଯାଉଛନ୍ତି । କାରଣ ସେମାନେ ସରକାରଙ୍କଠାରୁ ପ୍ରରୋକ୍ଷ କି ପ୍ରତ୍ୟକ୍ଷ ଭାବରେ ଅର୍ଥ ଉପାର୍ଜନ କରୁଛନ୍ତି । କିଏ ଅନୁବାଦ ନାଁରେ ଲକ୍ଷ ଲକ୍ଷ ଟଙ୍କା ଆଣୁଛି ତ ଆଉ କିଏ ଲୋକ ସଂସ୍କୃତି ଗବେଷଣା କରିବା ନାଁରେ । ପୁଣି କିଏ ବହି ପ୍ରକାଶନ କରି ଅଜସ୍ର ଟଙ୍କା ଉପାର୍ଜନ କରୁଛନ୍ତି । ଏଥିପାଇଁ ଦଳୀୟ ନେତା, ମନ୍ତ୍ରୀ ଓ ସାଂସଦ ଉକ୍ତ ବ୍ୟକ୍ତିଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରୁଛନ୍ତି ।
ସମସ୍ତଙ୍କୁ ଠକିବା ପରେ ଏବେ ଚାଷୀଙ୍କୁ ମୋହରା ବନା ଯାଉଛି । ଚାଷୀଙ୍କ ନାଁରେ ନିର୍ବାଚନୀ ବୈତରଣୀ ପାର ହେବାକୁ ସମସ୍ତ ରାଜନୈତିକ ଦଳ ଲାଗିଛନ୍ତି । କିଏ କହୁଛି ତାଙ୍କ ଦଳ ସରକାରକୁ ଆସିଲେ ଚାଷୀଙ୍କ ସମସ୍ତ ଋଣ ଛାଡ଼ କରି ଦିଆଯିବ । ପୁଣି କେହି କହୁଛି ଚାଷୀକୁ ବର୍ଷକୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ । ଏଥିସହ ଚାଷୀଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଯୋଜନା କରାଯାଉଛି । କାରଣ ହିନ୍ଦୀ ହାର୍ଟ ଲ୍ୟାଣ୍ଡ ଭଳି ଆଗାମୀ ନିର୍ବାଚନରେ ଚାଷୀ ହିଁ ନିର୍ବାଚନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ତେଣୁ ସମସ୍ତ ରାଜନୈତିକ ଦଳ ଏବେ ଚାଷୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଲାଗିଛନ୍ତି । ହେଲେ ପ୍ରକୃତରେ ଚାଷୀ କଣ ପାଇଦା ପାଉଛି । ଚାଷୀ ନାଁରେ ନେତାଏ ରାଜନୀତି କରି ନିଜେ ପ୍ରାଇସ, ପ୍ରେଷ୍ଟିଜ, ପେନସନ ପାଇ ଯାଉଛନ୍ତି । କିନ୍ତୁ ଚାଷୀର ଅବସ୍ଥାରେ କୌଣସି ପରିବର୍ତ୍ତନ ଆସୁ ନାହିଁ । ଏବେ ନିର୍ବାଚନ ଆସୁଥିବାରୁ ସମସ୍ତେ ଚାଷୀ କଥା ମନେ ପକାଉଛନ୍ତି । ନିର୍ବାଚନ ସରିଗଲେ କେହି ଆଉ ଚାଷୀଙ୍କ କଥା ମନେ ପଡ଼ିବ ନାହିଁ । ନେତା କଥା ଛାଡନ୍ତୁ, ଗଣମାଧ୍ୟମ ବି ପାସୋରି ଦିଏ ଅନ୍ନଦାତାଙ୍କୁ । ଚାଷୀଙ୍କ ଦୁର୍ଦ୍ଦଶା ସଂପର୍କରେ ଖବର ବା ପରିବେଷଣ କରିକ କେମିତି? ସିଏ ତ ସରକାରଙ୍କ ହାତବାରିସୀ ସାଜିଛି । ଯାହା ସେମାନେ କହିବେ ମିଡ଼ିଆ ତାହା ଅକ୍ଷରେ ଅକ୍ଷରେ କେବଳ ପାଳନ କରିବ । ତେଣୁ ମିଡ଼ିଆ ଏଥିରୁ ଦୂରେଇ ରହି ଜନସାଧାରଣଙ୍କ ହିତରେ ଖବର ପରିବେଷଣ କଲେ ସମାଜର ମଙ୍ଗଳ ହେବ ନିଶ୍ଚିତ ।

Leave a Reply