କଠିନ ଅଧ୍ୟବସାୟ ସଫଳତାର ଅସଲ ଚାବିକାଠି: ଅଧ୍ୟାପକ ଲମ୍ବୋଦର ପ୍ରଧାନ

ଓଡ଼ିଶାବଡ଼ ଖବରବ୍ୟକ୍ତି ଓ ବ୍ୟକ୍ତିତ୍ୱସ୍ପେଶାଲ

ଏନ୍ଏନ୍ ବ୍ୟୁରୋ। କଠିନ ଅଧ୍ୟବସାୟ ଓ ଦୃଢ଼ ଇଚ୍ଛାଶକ୍ତି ହେଉଛି ସଫଳତାର ଅସଲ ଚାବିକାଠି। ଏହି ମର୍ମକୁ ଅକ୍ଷରେ ଅକ୍ଷରେ ବୁଝିବା ସହ ସମୟର କେମିତି ସଦୁପଯୋଗ କରାଯାଏ ତାହା ପୋଲିସ କର୍ମଚାରୀ ଲମ୍ବୋଦର ପ୍ରଧାନଙ୍କୁ ଜଣା। ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସେ ଏବେ ପୋଲିସ କର୍ମଚାରୀରୁ ବନି ଯାଇଛନ୍ତି ସରକାରୀ ଅଧ୍ୟାପକ। ବଲାଙ୍ଗିର ଜିଲ୍ଲା ରିନବଚନ ଗାଁର ଲମ୍ବୋଦର ପ୍ରଧାନ ଦୀର୍ଘ ୧୭ ବର୍ଷ ଧରି କନଷ୍ଟେବଳ ଭାବରେ କାର୍ଯ୍ୟ କରି ଆସୁଥିଲେ। ଏପରିକି ଅନେକ ବର୍ଷ ହେଲା ସେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ ନିର୍ବାହ କରୁଥିଲେ। ହେଲେ ବିଧାୟକଙ୍କ ସୁରକ୍ଷା ଉପରେ ଧ୍ୟାନ ଦେଉ ଦେଉ ସେ ଏବେ ପାଲଟି ଯାଇଛନ୍ତି ଜଣେ ଲେକଚରର। କିନ୍ତୁ ଏବେ ବ୍ୟସ୍ତତା ଭିତରେ କେମିତି ସମୟ ବାହାର କରି ଅଧ୍ୟାପନା କରୁଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଅନ୍ୟମାନଙ୍କୁ ପ୍ରେରଣା ମଧ୍ୟ ଯୋଗାଇବା ନିଶ୍ଚିତ।

ବଲାଙ୍ଗିର ସହର ଠାରୁ ଅନତି ଦୂରେ ଅବସ୍ଥିତ ଅଖ୍ୟାତ ଗାଁ ରିନବଚନରେ ଲମ୍ବୋଦର ପ୍ରଧାନଙ୍କ ଜନ୍ମ। ପିଲାଟି ଦିନରୁ
ମେଧାବୀ ଛାତ୍ର ଥିଲେ ମଧ୍ୟ ପରିବାରର ଆର୍ଥିକ ପରିସ୍ଥିତି ଯୋଗୁ ଗତ ୨୦୦୬ ଡିସେମ୍ବର ୨୨ ତାରିଖରେ କନଷ୍ଟେବଳ ଚାକିରି ଆରମ୍ଭ କରିଥିଲେ ଲମ୍ବୋଦର। ପୋଲିସ ଚାକିରି କରୁଥିଲେ ସତ ହେଲେ ମନ ଭିତରେ ଘାରି ହେଉଥିଲା ଅଧ୍ୟାପକ ହେବାର ନିଶା। କର୍ଯ୍ୟବସ୍ତତା ମଧ୍ୟରେ ଅଧ୍ୟାପନା ଜାରି ରଖିବା ସହ ଗତ ୨୦୨୦ ମସିହାରେ ଓଡ଼ିଆରେ ଏମଏ ପାସ କରିଥିଲେ। ଏବଂ ତା ପରବର୍ଷ ଅର୍ଥାତ୍ ୨୦୨୧ ମସିହାରେ ନେଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏପରିକି ୨୦୨୨ରେ ଜେଆରଏଫ (ଜୁନିୟର ରିସର୍ଚ୍ଚ ଫେଲୋସିପ) ପାଇଥିଲେ ବି ପୋଲିସ ଚାକିରି ଯୋଗୁଁ ତାହା କରି ପାରିନଥିଲେ। ହେଲେ ଚଳିତ ବର୍ଷ ଓଡିଶା ଏସଏସବି ପରୀକ୍ଷାରେ ସଫଳ ହେବା ପରେ ଏବେ ସରକାରୀ ଅଧ୍ୟାପକ ହୋଇ ତାଙ୍କର ସ୍ବପ୍ନ ପୂରଣ ହୋଇଛି। ଏବଂ ପିଏସଓରୁ ସେ ସିଧା ବନି ଯାଇଛନ୍ତି ଅଧ୍ୟାପକ। କଠିନ ପରିଶ୍ରମ ଓ ଦୃଢ ମନୋବଳ ଯୋଗୁ ଏହି ସଫଳତା ମିଳିଥିବା କହିଛନ୍ତି ଲମ୍ବୋଦର ପ୍ରଧାନ।

ତେବେ ପିଲା ଦିନର ସ୍ବପ୍ନ ପୂରଣ କରିବା ପାଇଁ ତାଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା। ପୋଲିସ ଚାକିରିର ୧୭ ବର୍ଷ ପରେ ଏବେ ଶିକ୍ଷା ବିଭାଗରେ କାର୍ଯ୍ୟ ନିର୍ବାହ କରିବେ। ହେଲେ
ପୋଲିସ କନଷ୍ଟେବଳ ଚାକିରି ସମୟ ମଧ୍ୟରେ ସେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ପିଏସଓ ଭାବରେ ନିଯୁକ୍ତ ହୋଇଥିଲେ। ବ୍ୟସ୍ତ ବହୁଳ ସମୟରେ ଥାଇ ବି ପାଠପଢା ଜାରି ରଖିଥିଲେ। ଡ୍ୟୁଟି ସମୟ ଛାଡ଼ି ବାକି ସମୟରେ ପାଠପଢାରେ ହିଁ ଧ୍ୟାନ ଦେଉଥିଲେ। ଦୈନିକ ୧୨/୧୪ ଘଣ୍ଟା ସମୟ ପାଠପଢାରେ ଦେଉଥିଲେ। ଏପରିକି ପରୀକ୍ଷା ପ୍ରସ୍ତୁତି ପାଇଁ ଅନେକ ଦିନ ପରିବାରଠାରୁ ଦୂରେଇ ରହିଥିଲେ। ଏବଂ ସେହି ତ୍ୟାଗ ଓ ପରିଶ୍ରମ ଏବେ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି। କିନ୍ତୁ ଅଧ୍ୟାପକ ସାଜି ଅନ୍ୟମାନଙ୍କୁ ପଢ଼ାଇ ଶିକ୍ଷିତ କରିବା ହିଁ ତାଙ୍କର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ଲମ୍ବୋଦର ପ୍ରଧାନ। ଏପରିକି ଗରିବ ଓ ନିସହାୟ ପିଲାଙ୍କୁ ମାଗଣାରେ ଶିକ୍ଷା ଦେଇ ଭଲ ମଣିଷ ଗଢି ତୋଳିବେ ବୋଲି ସେ କହିଛନ୍ତି।

ସେପଟେ ଲମ୍ବୋଦର ପ୍ରଧାନଙ୍କ ଏହି ସଫଳତା ପାଇଁ ବେଶ ଖୁସି ବ୍ୟକ୍ତ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର। ଲମ୍ବୋଦର ସୁରକ୍ଷା ଦାୟିତ୍ୱରେ ଥିବା ବେଳେ ତାଙ୍କ ଶିକ୍ଷା ପ୍ରତି ଅହେତୁକ ଦୁର୍ବଳତାକୁ ମର୍ମେ ମର୍ମେ ଜାଣି ପାରିଥିଲେ ନରସିଂହ। ସାଥିରେ ଯେଉଁ କାର୍ଯ୍ୟକ୍ରମକୁ ଯାଉଥିଲେ ସେ ବହି ନେଇ ଯିବା ସହ ସମୟ ପାଇଲେ ସେଠି ପଢୁଥିଲେ ବୋଲି କହିଛନ୍ତି ନରସିଂହ ମିଶ୍ର। ତାଙ୍କର ସେହି ଅକ୍ଲାନ୍ତ ପରିଶ୍ରମ ଓ ଇଚ୍ଛାଶକ୍ତି ଯୋଗୁଁ ଆଜି ତାଙ୍କୁ ଏହି ସଫଳତା ମିଳିଛି। ତେବେ ବ୍ୟସ୍ତତା ମଧ୍ୟରେ ଲମ୍ବୋଦରଙ୍କ ଏଭଳି ସଫଳତା ହାସଲ କରିବା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି ବିଧାୟକ ନରସିଂହ ମିଶ୍ର। ସେପଟେ କିନ୍ତୁ ଲମ୍ବୋଦରଙ୍କ ଉଦ୍ଦେଶ୍ୟ ଭିନ୍ନ। ଅଧିକ ଅର୍ଥ ଉପାର୍ଜନ ପାଇଁ ନୁହଁ, ପିଲାଙ୍କୁ ଶିକ୍ଷିତ କରିବା ତାଙ୍କର ମୂଳ ଲକ୍ଷ୍ୟ। ଏବଂ ଗରିବ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରି ଭବିଷ୍ୟତ ଗଢି ତୋଳିବା। ଲମ୍ବୋଦର ତାଙ୍କ ଲକ୍ଷ୍ୟ ପଥରେ ସଫଳ ହୋଇ ଆହୁରି ଖ୍ୟାତି ଅର୍ଜନ କରନ୍ତୁ, ନବନୀତା ପରିବାର ପକ୍ଷରୁ ଭଗବାନଙ୍କ ଠାରେ ଏତିକି କାମନା।

Leave a Reply