ଅନୁଗୋଳରେ ନାଲକୋର ପ୍ରସ୍ତାବିତ ସ୍ମେଲ୍ଟର ସମ୍ପ୍ରସାରଣ

ବଡ଼ ଖବରଓଡ଼ିଶା

ବଲାଙ୍ଗିର/ଭୁବନେଶ୍ୱର, ଏନ୍ଏନ୍ ବ୍ୟୁରୋl ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ‘ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍’ (ନାଲକୋ), ଓଡ଼ିଶାର ଅନୁଗୋଳଠାରେ ପ୍ରସ୍ତାବିତ ‘ବ୍ରାଉନ୍‌ଫିଲ୍ଡ’ ସ୍ମେଲ୍ଟର ସମ୍ପ୍ରସାରଣ କାର୍ଯ୍ୟ ଗତିଶୀଳ ହୋଇଛି । ଏହି ପ୍ରକଳ୍ପ ମାଧ୍ୟମରେ କମ୍ପାନୀର ସ୍ମେଲ୍ଟିଂ କ୍ଷମତା ବାର୍ଷିକ ୦.୫ ନିୟୁତ ଟନ୍ ବୃଦ୍ଧି ପାଇବ, ଯାହା ଫଳରେ ବର୍ତ୍ତମାନର ୦.୪୬ ନିୟୁତ ଟନ୍ ବାର୍ଷିକ କ୍ଷମତା ଦ୍ୱିଗୁଣିତ ହୋଇ ପ୍ରାୟ ୧.୦ ନିୟୁତ ଟନ୍ ରେ ପହଞ୍ଚିବ । ଏଥିପାଇଁ ପ୍ରାୟ ୩୦,୦୦୦ କୋଟି ଟଙ୍କାର ନିବେଶକୁ ମଞ୍ଜୁରୀ ମିଳିସାରିଛି। ତେବେ ଏହାର କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ଆବଶ୍ୟକୀୟ ବୈଧାନିକ ଅନୁମୋଦନ, ରଣନୀତିକ ଭାଗୀଦାରି ଏବଂ ଅନ୍ୟାନ୍ୟ ସହାୟକ ପଦକ୍ଷେପଗୁଡ଼ିକ ପଯ୍ୟାୟକ୍ରମେ ସୁନିଶ୍ଚିତ କରାଯାଉଛି ।

ଅନୁଗୋଳରେ ପ୍ରସ୍ତାବିତ ସ୍ମେଲ୍ଟର ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଜମି ଅଧିଗ୍ରହଣ, କ୍ଷତିପୂରଣ ଏବଂ ପୁନର୍ବାସ ପ୍ରସଙ୍ଗକୁ ତ୍ୱରାନ୍ୱିତ କରିବା ପାଇଁ ପୁନର୍ବାସ ଏବଂ ପରିଧି ବିକାଶ ପରାମର୍ଶଦାତା କମିଟିର ବୈଠକ ମଧ୍ୟ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହା ବ୍ୟତୀତ, ନାଲକୋ ବିଶ୍ୱସ୍ତରୀୟ ପ୍ରମାଣିତ ଏବଂ ଶକ୍ତି-ଦକ୍ଷ ଆଲୁମିନିୟମ ଉତ୍ପାଦନ ପ୍ରକ୍ରିୟା ଗ୍ରହଣ କରିବା ସୁନିଶ୍ଚିତ କରି, ପ୍ରସ୍ତାବିତ ଅନୁଗୋଳ ସ୍ମେଲ୍ଟର ପ୍ଲାଣ୍ଟ ପାଇଁ ଏହାର ସ୍ମେଲ୍ଟିଂ ପ୍ରଯୁକ୍ତିବିଦ୍ୟା ଲାଇସେନ୍ସ ପାଇଁ ଏମିରେଟ୍ସ ଗ୍ଲୋବାଲ୍ ଆଲୁମିନିୟମ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷରିତ କରିଛି । ସମ୍ପ୍ରସାରଣ ପାଇଁ ଅତିରିକ୍ତ ୧୧୦୦ ମେଗାୱାଟ୍ବି ବିଦ୍ୟୁତ୍ ଆବଶ୍ୟକ ହେବ । ଏହି ଆବଶ୍ୟକତା ପୂରଣ ନିମନ୍ତେ ନାଲକୋ ପକ୍ଷରୁ ଏନଏଲସି ଇଣ୍ଡିଆ ଲିମିଟେଡ୍ ସହିତ ସହଭାଗୀତା ମାଧ୍ୟମରେ ୧୦୮୦ ମେଗାୱାଟ୍ କ୍ୟାପ୍ଟିଭ୍ ତାପଜ ବିଦ୍ୟୁତ୍ କେନ୍ଦ୍ର ସ୍ଥାପନ ପାଇଁ ଏକ ଯୁଗ୍ମ ଉଦ୍ୟୋଗ ସ୍ଥାପନ କରାଯିବ । ସ୍ଥାୟୀତ୍ୱ ଏବଂ ସ୍ୱଚ୍ଛ ଶକ୍ତି ପ୍ରତି ନିଜର ପ୍ରତିବଦ୍ଧତାକୁ ପ୍ରାଧାନ୍ୟ ଦେଇ, କମ୍ପାନୀ ପ୍ରକଳ୍ପ ଇକୋସିଷ୍ଟମରେ ୨୦୦ ରୁ ୨୫୦ ମେଗାୱାଟ୍ ନବୀକରଣୀୟ ଶକ୍ତିର ଉତ୍ପାଦନ ଦିଗରେ ମଧ୍ୟ ଯୋଜନା କରୁଛି ।

ଅନୁଗୋଳ ଠାରେ ୦.୫ ଏମଟିପିଏ କ୍ଷମତା ବିଶିଷ୍ଟ ଆଲୁମିନିୟମ୍ ସ୍ମେଲ୍ଟର ସମ୍ପ୍ରସାରଣ ପ୍ରକଳ୍ପକୁ ୨୦୩୦-୩୧ ମସିହା ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯାହା ନାଲକୋର ଧାତୁ ଉତ୍ପାଦନ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ । ଦାମନଯୋଡ଼ି ଠାରେ ୫ମ ଷ୍ଟ୍ରିମ୍ ଆଲୁମିନା ରିଫାଇନାରୀ ପ୍ରକଳ୍ପ ଏବଂ ଅନୁଗୋଳଠାରେ ସ୍ମେଲ୍ଟର ସମ୍ପ୍ରସାରଣ ପ୍ରକଳ୍ପ ଗୁଡ଼ିକ ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟର ସହଯୋଗରେ କାର୍ଯ୍ୟକାରୀ କରାଯାଉଛି । ଏହି ପ୍ରକଳ୍ପଗୁଡ଼ିକ ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଆଞ୍ଚଳିକ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି । ନିରନ୍ତର ନିବେଶ, ଦକ୍ଷତା ବିକାଶ ତଥା ଡାଉନଷ୍ଟ୍ରିମ୍ ଏବଂ ଅନୁଷଙ୍ଗିକ ଶିଳ୍ପଗୁଡ଼ିକର ପ୍ରୋତ୍ସାହନ ମାଧ୍ୟମରେ ଓଡ଼ିଶାର ଶିଳ୍ପ ବିକାଶ ପାଇଁ ନାଲକୋ ପ୍ରତିଶ୍ରୁତିବଦ୍ଧ ।

ଉଲ୍ଲେଖନୀୟ ଯେ, ପ୍ରସ୍ତାବିତ ଅନୁଗୋଳ ସ୍ମେଲ୍ଟରର ସମ୍ପ୍ରସାରିତ କ୍ଷମତା ଆବଶ୍ୟକତା ପୂରଣ କରିବା ପରେ ମଧ୍ୟ ଚଳିତ ୫ମ ଷ୍ଟ୍ରିମ୍ ରିଫାଇନାରୀର କାର୍ଯ୍ୟକ୍ଷମ ହେବା ଦ୍ୱାରା ଅତିରିକ୍ତ ଆଲୁମିନା ଉତ୍ପାଦନ ହେବ ବୋଲି ଆଶା କରାଯାଉଛି । ପ୍ରାଥମିକ ଭାବରେ ଅତିରିକ୍ତ ଆଲୁମିନା ରପ୍ତାନି କରାଯିବ, କିନ୍ତୁ ନାଲକୋ ଏହାର ଦୀର୍ଘକାଳୀନ ଅଭିବୃଦ୍ଧି ରଣନୀତିର ଅଂଶ ଭାବରେ ଗ୍ରୀନଫିଲ୍ଡ ଆଲୁମିନିୟମ ପ୍ରକଳ୍ପ ସ୍ଥାପନ ଏବଂ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ ​​କରିବା ପାଇଁ ସମଗ୍ର ଭାରତରେ ଉପଯୁକ୍ତ ସ୍ଥାନ ଅନୁସନ୍ଧାନ କରୁଛି । ଏହି ପରିପ୍ରେକ୍ଷୀରେ, ନାଲକୋ ଦେଶରେ ଏକ ନୂତନ ୦.୫ ଏମଟିପିଏ ଗ୍ରୀନଫିଲ୍ଡ ଆଲୁମିନିୟମ ସ୍ମେଲ୍ଟର ପ୍ରତିଷ୍ଠାର ମଧ୍ୟ ମୂଲ୍ୟାଙ୍କନ କରୁଛି, ଯାହାର ଲକ୍ଷ୍ୟ ଅତିରିକ୍ତ ଆଲୁମିନାକୁ ଆଲୁମିନିୟମରେ ରୂପାନ୍ତର କରି ଘରୋଇ ମୂଲ୍ୟ ଶୃଙ୍ଖଳାରେ ପ୍ରବେଶ କରାଇବା । ଏହି ରଣନୈତିକ ପଦକ୍ଷେପ ଭାରତ ସରକାରଙ୍କ ଘରୋଇ ଆଲୁମିନିୟମ ଉତ୍ପାଦନ ବୃଦ୍ଧି ଏବଂ ମୂଲ୍ୟ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାର ଦୃଷ୍ଟିକୋଣ ସହିତ ଜଡ଼ିତ । ଏହା ଭାରତର ଆଲୁମିନିୟମ ଶିଳ୍ପର ଅଭିବୃଦ୍ଧି ଏବଂ ପ୍ରତିଯୋଗିତାମୂଳକତାକୁ ସମର୍ଥନ କରିବା ସହିତ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ର ଜାତୀୟ ମିଶନ ପ୍ରତି ନାଲକୋ ର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ କରିବ ।