‘ଜୀବନର ପଥ ପ୍ରଦର୍ଶକ ହେଉଛି ସାହିତ୍ୟ’: ଡ.ସୁଶୀଳ କୁମାର ବାଗ୍

ବ୍ୟକ୍ତି ଓ ବ୍ୟକ୍ତିତ୍ୱସାହିତ୍ୟ ଓ ସଂସ୍କୃତି
ସାଂପ୍ରତିକ ଓଡ଼ିଆ ସାହିତ୍ୟରେ ଡକ୍ଟର ସୁଶୀଳ କୁମାର ବାଗ୍ ଜଣେ ପରିଚିତ ଯୁବ ସାହିତ୍ୟିକ । ଛାତ୍ରାବସ୍ଥାରୁ ପ୍ରବନ୍ଧ, ସମାଲୋଚନା, ଗଳ୍ପ  ଓ ଫିଚର୍ ରଚନାରେ ସେ ଅଭିିନିବିଷ୍ଟ । ପେଶାରେ ସେ ସାମ୍ବାଦିକତା, କିନ୍ତୁ ନିଶା ତାଙ୍କର ସାହିତ୍ୟ ସାଧନା । ଡକ୍ଟର ବାଗ୍‌ଙ୍କ ରଚିତ ‘ନିର୍ମଳ ନିର୍ଝର’, ‘କବି ବ୍ରଜନାଥ ରଥ: କବି ଓ କବିତା’, ‘ସନ୍ଥ କବୀର ଓ ସ୍ୱଭାବକବି ଗଙ୍ଗାଧର ’, ‘ପଶ୍ଚିମ ଓଡ଼ିଶାର ଲୋକସଂସ୍କୃତି’, ‘ବସୁଧାର ବାସ୍ନା’  ପ୍ରଭୃତି ପୁସ୍ତକ ବେଶ୍ ପାଠକୀୟ ଆଦୃତି ଲାଭ କରିଛି । ଏହା ବ୍ୟତୀତ ତାଙ୍କ ଦ୍ୱାରା ସଂପାଦିତ ୫ ଖଣ୍ଡ ପୁସ୍ତକ ପ୍ରକାଶିତ । ଏହି ସବୁ ପୁସ୍ତକଗୁଡ଼ିକରେ ହିଁ ତାଙ୍କ ମୌଳିକ ପ୍ରତିଭାର ପରିଚୟ ସ୍ପଷ୍ଟ ବାରି ହୋଇପଡ଼େ । 
ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଭୁବନେଶ୍ୱର ପୁସ୍ତକ ମେଳା ସାହିତ୍ୟ ପୁରସ୍କାର’,  ‘କଥା ନବ ପ୍ରତିଭା ପୁରସ୍କାର’, ‘ଅଶୋକ ଚନ୍ଦନ ସ୍ମୃତି ସମ୍ମାନ’, ‘କୈଳାସ ଚନ୍ଦ୍ର ସିଂହ ଯୁବ ସାରସ୍ୱତ ସମ୍ମାନ’,  ‘କଣ୍ଡୁରୀ ଚରଣ ସ୍ମୃତି ସାହିତ୍ୟ ସମ୍ମାନ’, ‘ଗଙ୍ଗାଧର ସାହିତ୍ୟ ସମ୍ମାନ’, ‘କବିପୁତ୍ର ଭଗବାନ ମେହେର ସମ୍ମାନ’,  ‘ନିର୍ବାଣ ଯୁବ ପ୍ରତିଭା ସମ୍ମାନ’, ‘ଲେଖାଲେଖି ଯୁବ ଗାଳ୍ପିକ ପୁରସ୍କାର’ ପ୍ରଭୃତି ପୁରସ୍କାର ଓ ସମ୍ମାନରେ ସେ ସମ୍ମାନିତ । ଓଡ଼ିଶା ସାହିତ୍ୟ ଏକାଡେମୀ, ଉତ୍କଳ ସାହିତ୍ୟ ସମାଜ, ଗଙ୍ଗାଧର ସାହିତ୍ୟ ପରିଷଦ ଆଦି ଓଡ଼ିଶାର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ସେ ଜଡ଼ିତ । ଯୁବ ଲେଖକ ଡକ୍ଟର ସୁଶୀଳ କୁମାର ବାଗ୍‌ଙ୍କ ସୃଜନଶୀଳ ଜୀବନ ସଂପର୍କରେ ଜାଣିବା ପାଇଁ ତାଙ୍କ ସହ ଆଲୋଚନା  କରିଛନ୍ତି ଅଧ୍ୟାପକ ସତ୍ୟଜିତ ଦାସ ।
ଉପସ୍ଥାପନା: ଅଧ୍ୟାପକ ସତ୍ୟଜିତ ଦାସ
ପ୍ରଶ୍ନ : ଆପଣଙ୍କ ସୃଜନ ପ୍ରକ୍ରିୟାର ଆଦ୍ୟ ଅନୁଭବ ଓ ଅନୁଭୂତି କିିପରି? 
ଉତ୍ତର:  ବରପାଲି କଲେଜରେ ଯୁକ୍ତ ଦୁଇ ଶ୍ରେଣୀରେ ପଢ଼ିବା ସମୟରୁ ମୁଁ ସାହିତ୍ୟ ପ୍ରତି ଅଧିକ ଆକୃଷ୍ଟ ହୋଇଛି । ଆଉ ସେବେଠାରୁ ଲେଖାଲେଖି ଆରମ୍ଭ କରିଛି । ମୋର ପ୍ରଥମ ପ୍ରେମ ସାହିତ୍ୟ । ସାହିତ୍ୟ ହିଁ ମୋତେ ଜୀବନ ବଞ୍ଚିବା ପାଇଁ ପଥ ପ୍ରଦର୍ଶନ କରିଛି । ଅସହାୟ ସମୟରେ ସାହସ, ଶକ୍ତି ଓ ଧୈର୍ଯ୍ୟ ଦେଇଛି । ନିରାଶ ସମୟରେ ଆଶାର ଆଲୋକ ଦେଖାଇଛି । ଭାଙ୍ଗି ପଡୁଥିବା ମୁହୂର୍ତ୍ତରେ ଜୀବନକୁ ଗଢ଼ି ତୋଳିବା ପାଇଁ ପ୍ରେରଣା ଦେଇଛି ।
ପ୍ରଶ୍ନ : ଗୋଟିଏ ଦିଗରେ ସାହିତ୍ୟ ପ୍ରତି ପ୍ରଗାଢ଼ ଅନୁରକ୍ତି, ଅନ୍ୟ ଦିଗରେ ପେଶାରେ ସାମ୍ବାଦିକ; ଉଭୟ ମଧ୍ୟରେ କିପରି ସମନ୍ୱୟ ରଖିଥାନ୍ତି?
ଉତ୍ତର: ଜୀବନର ବାସ୍ତବତା, ଅନୁଭବ ଓ କଳ୍ପନା ଉପରେ ଆଧାରିତ ସାହିତ୍ୟ । ଆଉ ସାମ୍ବାଦିକତା ସଂପୂର୍ଣ୍ଣ ବାସ୍ତବତା ଉପରେ ନିର୍ଭରଶୀଳ । ଜଣେ ସାମ୍ବାଦିକ ଯାହା ଦେଖେ ଅବିକଳ ତାହା ଲେଖେ । କିନ୍ତୁ ଜଣେ ସାହିତ୍ୟିକ ସମାଜରେ ନିତ୍ୟ ଘଟୁଥିବା ଘଟଣାକୁ ଦେଖେ ସତ; କିନ୍ତୁ ସେସବୁକୁ ନିଜେ ହୃଦୟଙ୍ଗମ କରି ପ୍ରାଣର ବିପୁଳ ଆବେଗ ଦେଇ ତାକୁ ସାହିତ୍ୟରେ ରୂପାୟିତ କରେ । ତେବେ ଉଭୟ କାର୍ଯ୍ୟ ଭିତରେ ମୋତେ ସମନ୍ୱୟ ରଖିବାକୁ ପଡ଼େ । ମୁଁ ଯେତେବେଳେ ମୋର ବୃତ୍ତିଗତ କାମ କରେ ସେତେବେଳେ ମୁଁ ବାସ୍ତବତାକୁ ହିଁ ଅଧିକ ଗୁରୁତ୍ୱ ଦିଏ । ମୁଁ ଭାବପ୍ରବଣ ହୁଏ ନାହିଁ । ଯାହା ନିରାଟ ସତ ତାହାକୁ ହିଁ ମୂଳ ଆଧାର କରି ଖବର ପରିବେଷଣ କରେ । କିନ୍ତୁ ମୁଁ ଯେତେବେଳେ ଗପ, ଆଲୋଚନା କିମ୍ବା କୌଣସି ବିଷୟକୁ ନେଇ ଫିଚର୍ ଲେଖେ; ତେବେ ମୋର ବ୍ୟକ୍ତିଗତ ଅନୁଭବ, ଭାବାବେଗକୁ ଅଧିକ ଗୁରୁତ୍ୱ ଦିଏ । ସାମ୍ବାଦିକତାରେ ବ୍ୟକ୍ତିଗତ ମତ,ମନ୍ତବ୍ୟ ଦେବାର ସ୍ୱାଧୀନତା ନାହିଁ । ଯାହା ନିରାଟ ସତ ଓ ନିରପେକ୍ଷ ତାହା ହିଁ ଗ୍ରହଣୀୟ । ତେଣୁ ସାହିତ୍ୟ ଓ ସାମ୍ବାଦିକତା ଭିତରେ ମୋତେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପଡ଼ିଥାଏ ।
ପ୍ରଶ୍ନ : ଆପଣ କେତେକ ପତ୍ରପତ୍ରିକା ଓ ପୁସ୍ତକର ସଂପାଦକ ଭାବେ କାର୍ଯ୍ୟ କରିଛନ୍ତି । ଜଣେ ଭଲ ସଂପାଦକର କର୍ତ୍ତବ୍ୟ କଣ ହେବା ଉଚିତ ବୋଲି ଅନୁଭବ କରନ୍ତି?
ଉତ୍ତର: ନିଜ ଲେଖାଲେଖି କରିବା ଅପେକ୍ଷା, ସଂପାଦନା କାର୍ଯ୍ୟ ଅଧିକ କଷ୍ଟକର । ଜଣେ ଉତ୍ତମ ସଂପାଦକ ପଠନ ପ୍ରିୟ ହେବା ସହିତ ସବୁ ବିଷୟରେ ଜାଣିବାକୁ ଆଗ୍ରହ ଥିବା ଆବଶ୍ୟକ । କୌଣସି ପତ୍ରପତ୍ରିକା ବା ପୁସ୍ତକ ସଂପାଦନ ସମୟରେ ଲେଖକଙ୍କ ଲେଖା ବା ସାହିତ୍ୟ କୃତିର ମୂଳ ଲକ୍ଷ୍ୟ, ଲେଖକଙ୍କ ମୌଳିକ ଅନୁଭବ, ଭାବାବେଗକୁ ପ୍ରଥମେ ଉପଲବ୍ଧି କରିବା ଦରକାର । ଯଦି ଜଣେ ଲେଖକଙ୍କ ଲେଖାକୁ ଠିକ୍ ଭାବେ ନବୁଝି ସଂପାଦକ ତାହା ସଂପାଦନା କରିଥାନ୍ତି ; ତେବେ ଅନେକ ସମୟରେ ଲେଖାଟି କଦର୍ଯ୍ୟ ହୋଇଯାଇଥାଏ । ତେଣୁ କୌଣସି ପୁସ୍ତକ ବା ପତ୍ରିକା ସଂପାଦନା ସମୟରେ ଲେଖକଙ୍କ ଲେଖାଟିକୁ ମୁଁ ମନ ଦେଇ ପଢ଼େ । ଯଦି କୌଣସିଠାରେ ଅବୁଝା ରହିଲା, ତେବେ ସଂପୃକ୍ତ ଲେଖକଙ୍କ ସହିତ କଥାବାର୍ତ୍ତା କରି ସନ୍ଦେହ ଦୂର କରିଥାଏ । ବେଳେବେଳେ କେତେକ ଲେଖକଙ୍କ ଲେଖାରେ ତଥ୍ୟଗତ ଓ ବନାନ ତ୍ରୁଟି ଥାଏ । ସେ ସଂପର୍କରେ ମଧ୍ୟ ସଂପାଦକଙ୍କୁ ସଚେତନ ହୋଇ ତ୍ରୁଟି ସଂଶୋଧନ କରିବାକୁ ପଡ଼ିଥାଏ । ତେଣୁ ଜଣେ ସଂପାଦକଙ୍କୁ ଲେଖାଟିଏ ସଂପାଦନା କରିବାକୁ ହେଲେ ଲେଖକଙ୍କଠାରୁ ଅଧିକ ଚିନ୍ତା କରିବାକୁ ପଡ଼ିଥାଏ ।
ପ୍ରଶ୍ନ : ‘ଓଡ଼ିଶା ସାହିତ୍ୟ ଏକାଡେମୀ’ର ଆପଣ ଜଣେ ସମ୍ମାନିତ ସଦସ୍ୟ । ଓଡ଼ିଆ ସାହିତ୍ୟର ଉନ୍ନତି ପାଇଁ ଆପଣଙ୍କ ପରିକଳ୍ପନା ବିଷୟରେ କିଛି କୁହନ୍ତୁ ।
ଉତ୍ତର: ଓଡ଼ିଶା ସାହିତ୍ୟ ଏକାଡେମୀ ଏବେ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାରପ୍ରସାର ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛି । ସାହିତ୍ୟ ଏକାଡେମୀର ସଦସ୍ୟ ଭାବେ ସାଧାରଣ ପରିଷଦ ବୈଠକରେ ମୁଁ  ଓଡ଼ିଆ ସାହିତ୍ୟର ବିକାଶ ପାଇଁ ଅନେକ ଗଠନମୂଳକ ପ୍ରସ୍ତାବ ଦେଇଛି । ଏକାଡେମୀ ମାଧ୍ୟମରେ କିଭଳି ଓଡ଼ିଆ ସାହିତ୍ୟର ଲୋକପ୍ରିୟ ପୁସ୍ତକଗୁଡ଼ିକ ପାଠକମାନଙ୍କ ପାଖରେ ସହଜ ଓ ସୁଲଭ ମୂଲ୍ୟରେ ପହଞ୍ଚିପାରିବ, ଲୁପ୍ତପ୍ରାୟ ଲୋକଗୀତ, ଲୋକ କାହାଣୀର ସଂଗ୍ରହ ଓ ପ୍ରକାଶନ, ପୁରାଣ ସାହିତ୍ୟ କୃତିଗୁଡ଼ିକର ପୁନଃ ପ୍ରକାଶନ, ପୁସ୍ତକ ପଠନ ପ୍ରତି ଛାତ୍ରଛାତ୍ରୀ ଭିତରେ ଆଗ୍ରହ ସୃଷ୍ଟି କରିବା ପାଇଁ କର୍ମଶାଳାର ଆୟୋଜନ କରିବାର ଆବଶ୍ୟକତା ରହିଛି । କିଭଳି ଓଡ଼ିଆ ଭାଷା, ସାହିତ୍ୟର ଅଧିକରୁ ଅଧିକ ପ୍ରଚାରପ୍ରସାର ହୋଇପାରିବ ସେଥିପ୍ରତି ମୁଁ ସର୍ବଦା ସଚେତନ ଓ ଅଙ୍ଗୀକାରବଦ୍ଧ । ସାହିତ୍ୟକୁ ନେଇ ମୋର ଅନେକ ପରିକଳ୍ପନା ରହିଛି । ତେବେ ଏ ଦିଗରେ କେତେ ଦୂର ସଫଳ ହେବି ତାହା ଭବିଷ୍ୟତ ହିଁ କହିବ ।
ପ୍ରଶ୍ନ : ସୃଜନକର୍ମ ଏକ ଐଶ୍ୱରୀକ କଳା ବୋଲି ମନେ କରନ୍ତି? 
ଉତ୍ତର: ସୃଜନକର୍ମ ଏକ ଈଶ୍ୱରଦତ୍ତ ପ୍ରତିଭା । ତେବେ ଏଥିପାଇଁ ଆବଶ୍ୟକ ନିଷ୍ଠା ଓ ସାଧନା । କଠୋର ପରିଶ୍ରମ ଓ ଆନ୍ତରିକତା ବିନା କେହି କେବେ ସଫଳତା ପାଇନାହାନ୍ତି । ସୃଜନକର୍ମ ଏକ ନିରନ୍ତର ସାଧନା ।
ପ୍ରଶ୍ନ : ସାହିତ୍ୟର କେଉଁ ବିଭାଗଟି ଆପଣଙ୍କର ଅତିପ୍ରିୟ?
ଉତ୍ତର: ସାହିତ୍ୟର ପ୍ରତିଟି ବିଭାଗ ମୋ ପାଇଁ ଆକର୍ଷଣୀୟ । ସବୁ ବିଭାଗର ଅନୁଭବ ଓ ସ୍ୱାଦ ଅଲଗା ଅଲଗା । ତଥାପି କଥା ସାହିତ୍ୟ ପ୍ରତି ମୋର ଦୁର୍ବଳତା ଅଧିକ ।

Leave a Reply