ପଶ୍ଚିମ ଓଡିଶାର ବିଜେପି ଯୋଦ୍ଧା: ତିନି ବଦଳିଲେ, ଦୁଇ ରିପିଟ୍

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ I ମେଣ୍ଟ ଅଙ୍କ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପରେ ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣା କରିଛି I ଓଡ଼ିଶାର ୨୧ ଆସନ ମଧ୍ୟରୁ ୧୮ ସାଂସଦ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଅବଶିଷ୍ଟ 3 ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ଚୂଡାନ୍ତ ହୋଇନି l ଏଥିସହ ପଶ୍ଚିମ ଓଡିଶାର ସମସ୍ତ ପାଞ୍ଚଟି ଯାକ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି I ପାଞ୍ଚ ପ୍ରାର୍ଥୀ ମଧ୍ୟରେ ଦୁଇ ମହିଳା ଅଛନ୍ତି I ସୁନ୍ଦରଗଡ଼ରେ ଗତ ଥରର ବିଜୟୀ ସାଂସଦ ଜୁଏଲ୍ ଓରାମ ଓ ବଲାଙ୍ଗିରରୁ ସଂଗୀତା ସିଂହଦେଓଙ୍କୁ ପୁଣି ଥରେ ଭରସା କରିଛି ଦଳ I ହେଲେ ସମ୍ବଲପୁରରେ ନୀତିଶ ଗଙ୍ଗଦେବଙ୍କ ଟିକେଟ କାଟି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଠାରୁ ଦଳ ପ୍ରାର୍ଥୀ କରିଛି I ଦୀର୍ଘ ଦିନ ହେଲା ଧର୍ମେନ୍ଦ୍ର ଏଠାରେ ନିର୍ବାଚନୀ କ୍ଷେତ୍ର ପ୍ରସ୍ତୁତ କରି ଆସୁଛନ୍ତି I

କେବଳ ସମ୍ବଲପୁର ନୁହଁ, ବରଗଡ଼ ଓ କଳାହାଣ୍ଡିରେ ମଧ୍ଯ ଟିକେଟ କାଟି ନୂଆ ଚେହେରାକୁ ସାମନାକୁ ଆଣିଛି I ସିଟିଂ ସାଂସଦ ସୁରେଶ ପୂଜାରୀଙ୍କ ଜାଗାରେ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବରଗଡ ଲୋକସଭା ପ୍ରାର୍ଥୀ କରିଛି ବିଜେପି I ସେପଟେ କଲାହାଣ୍ଡିରେ ସାଂସଦ ବସନ୍ତ ପଣ୍ଡାଙ୍କ ଟିକେଟ କାଟି ଜଣେ ମହିଳାଙ୍କୁ ମୈଦାନକୁ ଓହ୍ଲାଇଛି ଦଳ I ନବାଗତା ମାଳବିକା କିଶୋରୀ ଦେଓଙ୍କୁ ଏଠାରେ ଲୋକସଭା ପ୍ରାର୍ଥୀ କରିଛି ବିଜେପି I ଗତଥର ପଶ୍ଚିମ ଓଡିଶାର ସମସ୍ତ ପାଞ୍ଚଟି ଆସନରେ ବିଜେପି ବାଜିମାତ କରିଥିଲା I

ଏହାବାଦ କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ପୁରୀରୁ ସମ୍ବିତ ପାତ୍ର, କେନ୍ଦୁଝରରୁ ଅନନ୍ତ ନାୟକ, ମୟୂରଭଞ୍ଜରୁ ନବ ଚରଣ ମାଝୀ, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ରନାରାୟଣ ପାଣି, ନବରଙ୍ଗପୁରରୁ ବଳଭଦ୍ର ମାଝୀ, ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇ, ଆସ୍କାରୁ ଅନୀତା ଶୁଭଦର୍ଶିନୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ ଓ କୋରାପୁଟ ଲୋକସଭା ପାଇଁ କାଳେରାମ ମାଝୀଙ୍କୁ ପ୍ରାର୍ଥୀ କରିଛି ବିଜେପି I

Leave a Reply