‘ଅଧ୍ୟାପନା ଓ ସାହିତ୍ୟ ସର୍ଜନା ଉଭୟ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ’- ଅଧ୍ୟାପକ ସତ୍ୟଜିତ ଦାସ

ବ୍ୟକ୍ତି ଓ ବ୍ୟକ୍ତିତ୍ୱ
ଅଧ୍ୟାପକ ସତ୍ୟଜିତ ଦାସ ଜଣେ ଯୁବ ଲେଖକ ଭାବେ ପରିଚିତ। ଏକାଧାରରେ ସେ ଜଣେ ଯୁବ ସାହିତ୍ୟିକ, ସମାଜସେବୀ ଓ ଅଧ୍ୟାପକ। ସାହିତ୍ୟ ସର୍ଜନା, ଶିକ୍ଷାଦାନ ସହିତ ସମାଜସେବାମୂଳକ କାର୍ଯ୍ୟକ୍ରମ କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି।ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ତାଙ୍କର କବିତା, ପ୍ରବନ୍ଧ ବେଶ୍ ପାଠକୀୟ ଆଦୃତି ଲାଭ କରିଛି। ତାଙ୍କ ଲିଖିତ ‘ନାଟ୍ୟକାର ମଙ୍ଗଳୁ ଚରଣ ବିଶ୍ୱାଳ’ ପୁସ୍ତକ ଏକ ଉଚ୍ଚକୋଟୀର ପୁସ୍ତକ। ତାଙ୍କ ନେତୃତ୍ୱରେ ଐତିହାସିକ କୀର୍ତ୍ତି ରାଜିର ସଂରକ୍ଷଣ, ପତିତ ଜମିରେ ବୃକ୍ଷରୋପଣ, ପାଠାଗାରର ପ୍ରତିଷ୍ଠା, ରକ୍ତଦାନ ଶିବିର, ଶକ୍ତି ସଂରକ୍ଷଣ, ନିଶା ନିବାରଣ, ସ୍ୱଚ୍ଛ ଭାରତ ଅଭିଯାନ,ଶରୀର ଓ ଅଙ୍ଗଦାନ ଭଳି ଅନେକ ସାମାଜିକ ସଚେତନଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସେ ଅନେକ ଜାତୀୟସ୍ତରର ଏନ୍‌ଏସ୍‌ଏସ୍ ଶିବିରରେ ଯୋଗଦେଇ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି। ଜାତୀୟ ସେବା ଯୋଜନାରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାରୀ, ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଜାତୀୟ ସେବା ଯୋଜନା ବ୍ୟୁରୋ ପକ୍ଷରୁ ବିଶ୍ୱବିଦ୍ୟାଳୟସ୍ତରୀୟ ଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ତଥା ଅନେକ ଅନୁଷ୍ଠାନ ପକ୍ଷରୁ ସେ ପୁରସ୍କୃତ ଓ ସମ୍ମାନିତ। ଯୁବ ଲେଖକ ଅଧ୍ୟାପକ ସତ୍ୟଜିତ ଦାସଙ୍କ ହୋଇଥିବା ବାର୍ତ୍ତାଳାପ କିୟଦଂଶ ଆମେ ଉପସ୍ଥାପନ କରୁଛୁ ।
ପରିକଳ୍ପନା: ନବନୀତା
ସାକ୍ଷାତ: ଡକ୍ଟର ସୁଶୀଳ କୁମାର ବାଗ୍‌

ପ୍ରଶ୍ନ: ଆପଣ ସାହିତ୍ୟ ପ୍ରତି କିପରି ଆକୃଷ୍ଟ ହେଲେ? ଏହାପଛରେ କାହାର ପ୍ରେରଣା ରହିଛି?
ଉତ୍ତର: ସୃଜନକର୍ମର ପ୍ରାରମ୍ଭରେ ପକେଟରେ ଥିବା କାଗଜ ଟୁକୁରାରେ ହୃଦୟର ଅନୁଭବକୁ ବାନ୍ଧି ରଖିଥାଏ । ସେ ସବୁ ସାହିତ୍ୟ ପଦବାଚ୍ୟ କି’ ନୁହେଁ ମୁଁ କହିପାରିବି ନାହିଁ, କିନ୍ତୁ ଏହି କବିତା ପଙ୍‌କ୍ତି ସମସ୍ତଙ୍କୁ ଆମୋଦିତ କରିଥାଏ । ଛୋଟବେଳେ ଗାଁ ଦାଣ୍ଡରେ ଅନେକ ଗପ, କବିତା,ଭାଗବତ, ହରିମଂଶ, ରାମାୟଣ ତଥା ମହାଭାରତ ଆଦି ଶୁଣେ । ଏହା ମୋତେ ସୃଜନ ମନସ୍କ କରିଅଛି ।
ପ୍ରଶ୍ନ: ଆପଣ ବୃତ୍ତିରେ ଅଧ୍ୟାପକ । ତେବେ ସାହିତ୍ୟ ସର୍ଜନା ଓ ଅଧ୍ୟାପନା ଏଇ ଦୁଇଟି ମଧ୍ୟରୁ କେଉଁଟି ଆପଣଙ୍କୁ ଅଧିକ ଆତ୍ମତୃପ୍ତି ଦେଇଛି?
ଉତ୍ତର: ଅଧ୍ୟାପକ ଭାବେ ମୁଁ ଗର୍ବିତ । ହଜାର ହଜାର ଛାତ୍ରଛାତ୍ରୀମାନଙ୍କୁ ଗଢ଼ିବାର ଗୁରୁଦାୟିତ୍ୱ ଈଶ୍ୱର ମୋତେ ଦେଇଛନ୍ତି । ମୋର ଅନୁଭବ, ପୂର୍ବଜନ୍ମର ସ୍ୱୀକୃତ ଫଳ ସ୍ୱରୂପ ଅଧ୍ୟାପକ ଭାବେ କାର୍ଯ୍ୟରତ । ଅନ୍ୟ ଦିଗରେ ସାହିତ୍ୟ ସର୍ଜନା ଦ୍ୱାରା ମୁଁ ମାନସିକ ଶାନ୍ତି ଲାଭ କରିଥାଏ । ଅଧ୍ୟାପନା ଓ ସାହିତ୍ୟ ସର୍ଜନା ଉଭୟକୁ ଗୋଟିଏ ରୈଖିକ ପଥରେ ଦେଖିଥାଏ । ତେଣୁ ଉଭୟ କର୍ମରେ ଆତ୍ମତୃପ୍ତି ଲାଭ କରିଥାଏ ।
ପ୍ରଶ୍ନ: ‘ନାଟ୍ୟକାର ମଙ୍ଗଳୁ ଚରଣ ବିଶ୍ୱାଳ’ ପୁସ୍ତକରେ ଆପଣ ସାହିତ୍ୟ ସାଧକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ସାହିତ୍ୟର କେଉଁ ଦିଗ ପ୍ରତି ଅଧିକ ଆଲୋଚନା କରିଛନ୍ତି ।
ଉତ୍ତର: ଓଡ଼ିଆ ଓ ସମ୍ବଲପରୀ ସାହିତ୍ୟ କ୍ଷେତ୍ରରେ ମଙ୍ଗଳୁଚରଣ ବିଶ୍ୱାଳଙ୍କ ଅବଦାନ ସ୍ୱର୍ବସ୍ୱୀକୃତ । ତାଙ୍କର ଅମାୟିକ ବ୍ୟକ୍ତିତ୍ୱ ଓ ଲେଖନୀର ଅଭା, ମୋ ହୃଦୟକୁ ଆନ୍ଦୋଳିତ କରିଛି । ଲୋକଜୀବନ, ଲୋକସଂସ୍କୃତି, ପ୍ରଥା ଓ ପରମ୍ପରା ଉପରେ ତାଙ୍କର ସାହିତ୍ୟ ପର୍ଯ୍ୟବେସିତ । ବରେଣ୍ୟ ସାହିତ୍ୟ ସାଧକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ସାହିତ୍ୟ କୃତିଗୁଡ଼ିକର ପ୍ରତିଟି ବିଭାଗକୁ ଉପରେ ସଂକ୍ଷିପ୍ତରେ ହେଉ ପଛେ ଆଲୋଚନା କରିବାକୁ ପ୍ରୟାସ କରିଛି । ଏଭଳି ଜୀବନବାଦୀ ସାହିତ୍ୟିକଙ୍କ ଉପରେ କିଛି କାମ କରିଥିବାରୁ ମୁଁ ଧନ୍ୟ ମନେ କରୁଛି ।


ପ୍ରଶ୍ନ: ଆପଣ ଓଡ଼ିଶାର ଲୁପ୍ତପ୍ରାୟ ‘ପ୍ରବାଦ ପ୍ରବଚନ’ ସଂପର୍କରେ ଉଚ୍ଚତର ଗବେଷଣା କରୁଛନ୍ତି । ଏଭଳି ଏକ ବିଷୟ ସଂପର୍କରେ ଗବେଷଣା କରିବା ପାଇଁ କାହିଁକି ଆଗ୍ରହ ପ୍ରକାଶ କଲେ?
ଉତ୍ତର: ଲୋକସାହିତ୍ୟ ହେଉଛି ସଞ୍ଚରଣଶୀଳ କଳା । ଗୋଟିଏ ଜାତିର ଅସ୍ମିତା ଏଥିମଧ୍ୟରେ ଲୁଚିରହିଥାଏ । ବସ୍ତୁ କୈନ୍ଦ୍ରିକ ସମାଜରେ ଧୀରେ ଧୀରେ ବଦଳି ଯାଉଛି ଆମ ଜୀବନଚର୍ଯ୍ୟା । ଏଥିସହିତ ସମାଜରେ ପ୍ରଚଳିତ ଅନେକ ଲୋକସାହିତ୍ୟ ବିଲୁପ୍ତପ୍ରାୟ । ଏହାଥରେ ବିଲୁପ୍ତ ହେଲେ ସାହିତ୍ୟର ଏକ ଅମୂଲ୍ୟ ରତ୍ନ ସମାଜ ଗର୍ଭରୁ ଚିରଦିନ ପାଇଁ ବିଲୀନ ହୋଇଯିବ ।
ପ୍ରଶ୍ନ: ଆପଣ ଦୀର୍ଘ ବର୍ଷ ଧରି ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ସହିତ ଜଡ଼ିତ । ଆପଣଙ୍କ ନେତୃତ୍ୱରେ ଅନେକ ସେବାମୂଳକ କାର୍ଯ୍ୟ କରିଛନ୍ତି । ଜଣେ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରିବାର ଅନୁଭୂତି ସଂପର୍କରେ କିଛି କୁହନ୍ତୁ?
ଉତ୍ତର: ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ସମାଜସେବାରେ ଯୁବପିଢ଼ିଙ୍କୁ ବ୍ରତୀ କରିଥାଏ । ଜାତୀୟ ସେବା ଯୋଜନା, ଛାତ୍ରଛାତ୍ରୀମାନଙ୍କ ଭିତରେ ଜାତୀୟବାଦ, ସ୍ୱଦେଶ ପ୍ରୀତି, ଭ୍ରାତୃତ୍ୱବୋଧ ଓ ନିର୍ଭିକତା ପ୍ରଭୃତି ମାନବିକ ସଂପ୍ରତି ସ୍ଥାପନ କରିବା ସହିତ ଉନ୍ନତ ବ୍ୟକ୍ତିତ୍ୱ ସମ୍ପନ୍ନ ନାଗରିକ ରୂପେ ଗଢ଼ିବା ଲକ୍ଷ୍ୟରେ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ସ୍ତରୀୟ ଏନ୍‌.ଏସ୍‌.ଏସ୍‌. କାର୍ଯ୍ୟ କରୁଅଛି । ଯଥାର୍ଥରେ ରାଷ୍ଟ୍ର ନିର୍ମାଣରେ ଜାତୀୟ ସେବା ଯୋଜନାର ଭୂମିକା ଅନସ୍ୱୀକାର୍ଯ୍ୟ ।


ପ୍ରଶ୍ନ: ସାହିତ୍ୟ ସାଧନା, ଅଧ୍ୟାପନା ଓ ସ୍ୱେଚ୍ଛାସେବୀ କାର୍ଯ୍ୟ ଭିତରେ ଆପଣ କିଭଳି ସମନ୍ୱୟ ରକ୍ଷା କରନ୍ତି?
ଉତ୍ତର: ସାହିତ୍ୟ ସାଧନା, ଅଧ୍ୟାପନା ଓ ସେଚ୍ଛାସେବୀର ଆତ୍ମିକ ଅର୍ଥ ଓ ଆଭିମୁଖ୍ୟ ହେଉଛି ସମାଜର ମଙ୍ଗଳ ସାଧନା । ସମୟର ଆହ୍ୱାନରେ ଯେଉଁ କର୍ମର ଆବଶ୍ୟକତା ରହିଅଛି,ତଦନୁଯାୟୀ କାର୍ଯ୍ୟ କରିଥାଏ ।
ପ୍ରଶ୍ନ: ସାହିତ୍ୟକୁ ନେଇ ଆଗକୁ କ’ଣ ଯୋଜନା ରହିଛି?
ଉତ୍ତର: ଓଡ଼ିଶାର କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ସାଂସ୍କୃତିକ ଦିଗନ୍ତ ବେଶ୍ ସମୃଦ୍ଧ । ତଥାପି ଆମ ଭାଷା ପ୍ରତି ସାଧାରଣରେ ବିମୁଖତା ଚିନ୍ତନୀୟ । ଭାଷା ପ୍ରତି ଆମର ଅନୁରକ୍ତି ଓ ଆନ୍ତରିକତାର ଅଭାବ ହିଁ ଓଡ଼ିଆ ଭାଷାର ଉନ୍ନତିରେ ଅନ୍ତରାୟ । ଓଡ଼ିଆ ଭାଷା ଓ ସାହିତ୍ୟର ବିଭବ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରାଣତନ୍ତୀକୁ ସ୍ପର୍ଶ କରୁ ଓ ଏହା ବିଶ୍ୱଜନୀନତା ଲାଭ କରୁ, ଏହା ହିଁ ମୋର ସ୍ୱପ୍ନ ।

Leave a Reply