କୁଚିଣ୍ଡାର ସଫଳ ସେଓ ଚାଷୀ ଉମାକାନ୍ତ କଉଡ଼ିଙ୍କୁ ରାଜ୍ୟପାଳଙ୍କ ପ୍ରଶଂସା

ଓଡ଼ିଶାବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ଗ୍ରୀଷ୍ମ ଜଳବାୟୁରେ ବି ସମ୍ଭବ ଥଣ୍ଡା ଅଞ୍ଚଳରେ ଉତ୍ପାଦିତ ଚାଷ। ଆର୍ଦ୍ର ଭୂମିରେ ଫଳିଛି ପେନ୍ଥା ପେନ୍ଥା ସେଓ। ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି। ଗ୍ରୀଷ୍ମ ଜଳବାୟୁରେ ସେଓ ଚାଷ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗମ୍ଭାରୀମୁଣ୍ଡା ଗାଁର ଉମାକାନ୍ତ କଉଡ଼ି। ଚାକିରୀ ଛାଡ଼ି ସେଓ ଚାଷକୁ ଆପଣେଇଛନ୍ତି ଉମାକାନ୍ତ।

ଏହି ସଫଳତା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍। ଟ୍ବିଟ୍ ଯୋଗେ ଉକାମାନ୍ତଙ୍କୁ ପ୍ରଶଂସା କରିବା ସହ ତାଙ୍କ ଏହି ଉଦ୍ୟମ ସମଗ୍ର ଆଦିବାସୀ ସମ୍ପ୍ରଦାୟକୁ ଉଦ୍ୟାନକୃଷିର ଏକ ନୂଆ ଦିଶା ଦେବ ବୋଲି କହିଛନ୍ତି ରାଜ୍ୟପାଳ।

ସମ୍ବଲପୁର ଜିଲା ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତର ଏକ ଆଭ୍ୟନ୍ତରୀଣ ଗାଁ ହେଉଛି ଗମ୍ଭାରୀମୁଣ୍ଡା। ଆଦିବାସୀ ବହୁଳ ଏହି ଗାଁରେ ଉମାକାନ୍ତ କଉଡୀ ଏବଂ ତାଙ୍କ ଦୁଇ ଭାଇ ଟଙ୍କଧର ଓ ରଙ୍କଧର ସେଓ ଚାଷ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏଥିପାଇଁ ଗାଁର ଆନନ୍ଦ ନାଏକଙ୍କ ସହାୟତା ଲୋଡ଼ିଥିଲେ। ୟୁଟ୍ୟୁବ ସହାୟତାରେ ଚାଷର ପ୍ରଣାଳୀକୁ ଦେଖିବା ପରେ ଅନଲାଇନରେ ୫୦ ଗୋଟି ଚାରା ହିମାଚଳ ପ୍ରଦେଶରୁ ମଗାଇଥିଲେ ଉମାକାନ୍ତ। ଘରେ ସେଓ ଚାରା ପହଞ୍ଚିବା ପରେ ତିନି ଭାଇ ନିଜ ବଗିଚାରେ ରୋପଣ କରିଥିଲେ।

ଏହାପରେ ଚାରା ମଗାଇବା ଠାରୁ ଆରମ୍ଭ କରି ଗଛର ଯତ୍ନ ନେବା ଯାଏ ସବୁ ୟୁଟ୍ୟୁବ ସହାୟତାରେ ହିଁ କରିଛନ୍ତି। ଏବଂ ୧୭ ମାସ ପରେ ଗଛରେ ଫଳିଛି ପେନ୍ଥା ପେନ୍ଥା ସେଓ। ତେବେ କୁଚିଣ୍ଡା ଭଳି ଏକ ଅନୁନ୍ନତ ଅଞ୍ଚଳରେ ସଫଳତାର ସହ ସେଓ ଚାଷ ହୋଇଥିବାରୁ ପ୍ରତିଦିନ ଦେଖିବାକୁ ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ଭିଡ଼ ଜମୁଛି। କେବଳ ଜନସାଧାରଣ କି ଚାଷୀ ନୁହେଁ, ଏହି ସଫଳ ଚାଷର ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟ ଗହଳି ଲାଗୁଛି। ଉମାକାନ୍ତ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ। ୫ ବର୍ଷ ପରେ ଚାକିରୀ ଛାଡ଼ି ଗାଁକୁ ଚାଲି ଆସି କିଛି ନୂଆ କରିବା ପାଇଁ ଚାହିଁ ଥିଲେ। ଭାଇମାନଙ୍କ ସହ ଚାଷ କାର୍ଯ୍ୟରେ ମାତିବା ସହ ସେଓ ଚାଷ କରିବାକୁ ମନ୍ ବଲାଇଥିଲେ।

ୟୁଟ୍ୟୁବରେ ସେଓ ଚାଷ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଅନଲାଇନରେ ଚାରା ମଗାଇଥିଲେ। ହିମାଚଳ ପ୍ରଦେଶର ଏକ କୃଷିଭିତ୍ତିକ ସଂସ୍ଥାରୁ ଚାରା ପିଛା ୩୬୦ ଦରରେ ପ୍ରଥମେ ୫୦ଟି ଚାରା ମାଗାଇଥିଲେ ଉମାକାନ୍ତ। ଚାରା ଘରେ ପହଁଚିବା ପରେ ତାଙ୍କ ପୈତୃକ ଜମିରେ ରୋପଣ କରିଥିଲେ। ୫ ଫୁଟ ଦୂରତାରେ ମୋଟ ୫୦ଟି ଚାରା ରୋପଣ କରିଥିଲେ। ତେବେ ଚାରା ଯୋଗାଣ ସଂସ୍ଥା ୩ ବର୍ଷ ମଧ୍ୟରେ ଫଳ ହେବ ବୋଲି କୁହାଯାଇ ଥିଲେ ମଧ୍ୟ ମାତ୍ର ୧୭ ମାସ ମଧ୍ୟରେ ଗଛରେ ଫଳ ଧରି ସାରିଛି।

ଏନେଇ ସଫଳ ଚାଷୀ ଉମାକାନ୍ତ କହିଛନ୍ତି ଯେ, ଆସନ୍ତା ୩ ବର୍ଷ ମଧ୍ୟରେ ବ୍ୟବସାୟିକ ଦୃଷ୍ଟି କୋଣରୁ କ୍ଵିଣ୍ଟାଲ ହିସାବରେ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଏଥର ୮/୧୦ କିଗ୍ରା ଲେଖାଏଁ ଗଛରେ ଫଳ ଆସିଥିଲା। ଗଛରେ ସେଓ ଫଳିବା ଦେଖି ତିନି ଭାଇଙ୍କ ଉତ୍ସାହ ଆହୁରି ବୃଦ୍ଧି ପାଇଛି। ଆଗାମୀ ଦିନରେ ୫୦୦ ଗଛ ଲଗାଇ ସମ୍ପୂର୍ଣ୍ଣ ବ୍ୟବସାୟକୁ ଓହ୍ଲାଇବାକୁ କହିଛନ୍ତି ଉମାକାନ୍ତ। ତେବେ ପ୍ରୋତ୍ସାହନ ମିଳିଲେ ଉମାକାନ୍ତ ଆହୁରି ଆଗକୁ ଯାଇ ପାରିବେ ଏଥିରେ କୌଣସି ସନ୍ଦେହ ନାହିଁ।

Leave a Reply