ପୁଣି ୬ ମୁଣ୍ଡ ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି, କେଉଁ ଜିଲ୍ଲାରେ କେତେ ଜାଣନ୍ତୁ

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ରାଜ୍ୟରେ ଘାତକ ସାଜିଛି କରୋନା। ବ୍ୟାପକ ରୋଗୀ ସଂଖ୍ୟା ସହ ମୃତକ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ ଆଜି ଗୋଟିଏ ଦିନରେ ଓଡ଼ିଶାରେ ପୁଣି ୬ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏଥିସହ ରାଜ୍ୟରେ ମୋଟ ମୃତକ ସଂଖ୍ୟା ପହଞ୍ଚିଛି ୪୮ରେ। ତାସହ ୫୨୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।


ତେବେ ମୃତକ ୬ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩ ଜଣ ମୃତ୍ୟୁ ସହ ଜିଲ୍ଲାରେ ମୋଟ ମୃତକ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ସେହିପରି ଖୋର୍ଦ୍ଧା, ରାୟଗଡ଼ା ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ଲେଖାଏ ମୃତ୍ୟୁ ବରଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ପୁଣି ଜଣଙ୍କ ଜୀବନ ଯିବା ପରେ ଜିଲ୍ଲାରେ ମୋଟ ମୃତକ ସଂଖ୍ୟା ୮ରେ ପହଞ୍ଚିଛି। ତେବେ କଟକରେ ୫ ଜଣ ମରିଥିବା ବେଳେ ଅନୁଗୋଳ, ବରଗଡ଼, ଗଜପତି, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।


ଅନ୍ୟପଟେ ରାଜ୍ୟରେ ପୁଣି ୫୨୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ହେଲେ ସବୁଠାରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି ଗଞ୍ଜାମ ଜିଲ୍ଲାରେ। ସର୍ବାଧିକ ୨୧୫ ନୂଆ ରୋଗୀ ଚିହ୍ନଟ ସହ ଜିଲ୍ଲାରେ ମୋଟ ରୋଗୀ ସଂଖ୍ୟା ୨,୮୩୬କୁ ବୃଦ୍ଧି ପାଇଛି। ସେହିପରି ସୁନ୍ଦରଗଡରେ ୭୮, ଖୋର୍ଦ୍ଧାରେ ୫୦, ବାଲେଶ୍ଵର ୨୬, ଯାଜପୁର ୨୫, ବଲାଙ୍ଗିର ୨୧, ନୟାଗଡ ୧୮, କଟକ ୧୭, ପୁରୀ ୧୬, ମୟୂରଭଞ୍ଜ ୧୦, କେନ୍ଦୁଝର ୭, କୋରାପୁଟ ୬, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର ୫ ଲେଖାଏଁ, ଝାରସୁଗୁଡା, ନୂଆପଡ଼ା ଓ ଜଗତସିଂହପୁର ୪ ଲେଖାଏଁ, ଗଜପତି, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ୩ ଜଣ, ଭଦ୍ରକରେ ୨ ଏବଂ ଅନୁଗୋଳ, ବରଗଡ଼, ଢେଙ୍କାନାଳ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରେ ଜଣେ ଲେଖାଏଁ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।
ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଅନୁସାରେ ରାଜ୍ୟରେ ଏଯାଏଁ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪କୁ ବୃଦ୍ଧି ପାଇଛି। ସେଥି ମଧ୍ୟରୁ ୬,୭୦୩ ଜଣ ସୁସ୍ଥ ହୋଇଥିବା ବେଳେ ୩,୮୬୦ ଜଣ ସକ୍ରିୟ ରୋଗୀ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୮ ଛୁଇଁଛି। ହେଲେ ଆଉ ୧୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ବି ମହାମାରୀ କରୋନାରେ ସେମାନଙ୍କ ମୃତ୍ୟୁ ଘଟିନ ଥିବା ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।