ଲେଖିକା ପୂର୍ଣ୍ଣିମା ଲେଙ୍କାଙ୍କ କରୋନା ସମ୍ପର୍କିତ ସୁନ୍ଦର ଆଲେଖ୍ୟ ଚିନ୍ତାଧାରା, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ସନ୍ଧ୍ୟା ପ୍ରାୟ ୫.୧୫ ହେଇଥାଏ, ନିରନ୍ତର ଭାବେ କାହାର ପାଟି ଶୁଭୁ ଥାଏ। କିଏ ବୋଲି ଭାବି କବାଟ ଖୋଲି ଦେଖେ ସାହିର ତିନି ଚାରି ଜଣ ସ୍ତ୍ରୀ ଲୋକ ଆମ କବାଟ ପାଖେ ଛିଡ଼ା ହେଇ ଛନ୍ତି। ଯେମିତି କିଛି ଗୋଟେ ବଡ଼ ଅସୁବିଧା ହେଇ ଯାଇଛି ଗଭୀର ସମସ୍ୟାରେ ପଡି ଆସିଛନ୍ତି।

ମା ସେମାନଙ୍କୁ ଘରକୁ ଡ଼ାକି ବସେଇଲେ, ଲୋ ବସିବୁ ଆଉ କଣ, କଣ୍ ସବୁ ହେଲାଣି ତତେ ଜଣା ଅଛିକି ନାହିଁ ? ସୀତା ନାନା କହିଲେ । ବୋଉ କିଛି ବୁଝି ପାରୁ ନଥାଏ, ବାସ୍ ପ୍ରଶ୍ନବାଚୀ ହେଇ ଶୁଣୁ ଥାଏ। କଣ୍ ହେଇଚି କି ଖୁଡି, ଲୋ ଘର ବୁଡି ପାଣି ବେକେ ହେଲାଣି ଆଉ ତୁ କହୁଚୁ ତୁ କିଛି ଜାଣିନୁ, କହିଲା ସୀତା ନାନା।

ଶୁଣ ଭାଉଜ, “ସେ ସୁର ତେଲି ଘରୁ କ୍ଷୀର ଆଣିବା ବନ୍ଦ୍ କର ବୁଝିଲ,” କୁନି ଖୁଡି କହିଲେ , ମୋ ବୋଉ କୁ। କିଲୋ କୁନି କଣ୍ ହେଇଚି କହୁନ ଖୋଲିକି, କହିଲା ବୋଉ। ଜାଣିନ ଭାଉଜ ସୁର ତେଲି ଝିଅର ବର ଆସିଛି ଭୁବନେଶ୍ୱରରୁ, ମାସେ ହେଲା ଆସି ଘରେ ପଶିଚି ବୁଝିଲ। ତା ଗାଁରୁ ତାକୁ ତୋଡି ଦେଲେ ଆଉ ଏମାନେ ତାକୁ ଘରେ ପୁରେଇକି ରଖିଛନ୍ତି, ଆମ ସମସ୍ତଙ୍କୁ କରୋନା ଦେବେ ବୋଲି। ତୁମେ ତାଙ୍କଠୁ କ୍ଷୀର ଆଣିବା ବନ୍ଦ୍ କର ବୁଝିଲ, କହିଲେ କୁନି ଖୁଡି। କୁନି ଖୁଡି କଥା ସରି ନଥାଏ, ସୀତା ନାନା ଚିହିଁକି ଉଠିଲା, “ଆଲୋ ଗୋଟେ ପାଲା ଲୋଗେଇଚନ୍ତି”। ସାହି ଭାଇ ଯାଇ ଥାନାରେ ଏତେଲା ଦେଇଛନ୍ତି, ପୋଲିସ ଆସି ନେଇଯିବ ପୁରା ପରିବାରକୁ , ତେଣିକି ରାସ୍ତାକୁ ଆସିବେ ସେମାନେ।

ସତକୁ ସତ ସୀତା ନାନା କଥା ନ ସରୁଣୁ ଆସି ପହଁଚିଲା ପୋଲିସ ଗାଡି, କିଛି ସମୟ ପରେ ପୁରା ପରିବାରକୁ ନେଇକି ଚାଲି ଗଲା। ବାସ୍ ଖୋରାକ ମିଳିଗଲା, ସାହିର ସ୍ତ୍ରୀ ଲୋକକୁ ପୁଣି ଫୁସୁରୁ ଫାସୁରୁ ହେବାକୁ ।
ଆରମ୍ଭ କଲେ,
“କିଏ କହିଲା ତା ପରିବାରକୁ କରୋନା ହେଇଚି। କିଏ କହିଲା ପାପ କରିଛି କରୋନା ରୋଗୀକୁ ଲୁଚେଇ କି। କିଏ କହିଲା ତା ଦି’ ବର୍ଷ ପିଲାକୁ ବି କରୋନା ହେଇଚି। କିଏ କହିଲା ମାସେ ହେଲା ଅସିକି ଅଛି, କିଏ କହିଲା ଗୋଟେ ସପ୍ତାହ ହେଲା ଆସିକି ଅଛି। ସେମାନଙ୍କ କଥାରୁ କିଛି ବୁଝା ପଡୁ ନଥାଏ।

କଥା କିଛି ସମୟ ମଧ୍ୟରେ ନିଆଁ ଭଳି ଚାରି ଆଡେ ମାଡ଼ି ଗଲା। କିଏ କେତେ କଣ୍ କହିଲେ। ସୀତା ନାନା ଚିଲେଇ ଚିଲେଇ କହୁ ଥାଏ କାଲିଠୁ ତାଙ୍କ୍ ପରିବାରକୁ କୁହ ଆମ ସାହି ପାଇପରୁ ପାଣି ନେବନି କି ମିଳାମିଶା କରିବେନି, ଯିଏ ପାଣି ଦେବ୍ କି ସାହାଯ୍ୟ କରିବ ତାକୁ ନିଆଁ ପାଣି ବାସନ୍ଦ କରାଯିବ। ଏଇ କଥା ଏତିକିରେ ରହିଲା, ରାତି ସେତେବେଳକୁ ଅନେକ ଯିଏ ଯୁଆଡେ ଚାଲିଲେ ଶୋଇବାକୁ।

ତା ଆର ଦିନ ସୋମବାର ସକାଳୁ ସକାଳୁ ବାହାରି ପଡ଼ିଲି ଶିବ ମନ୍ଦିର ଯିବାକୁ। ହେଲେ, ମନ୍ଦିର ଯିବା ରାସ୍ତାକୁ ଆର ସାହି ଲୋକ ବନ୍ଦ୍ କରି ଦେଇଛନ୍ତି। ପଚରା ପୁଚୁରି କରୁ କରୁ ଜାଣିବାକୁ ପାଇଲି ଆମ ସାହିର ସମସ୍ତଙ୍କ ପାଇଁ ମନ୍ଦିର ବନ୍ଦ। କାରଣ, ଆମ ସାହିରେ କରୋନା ରୋଗୀ କାଲି ରାତି ଧରା ପଡ଼ିଛି।

କଣ କହିବି କଣ୍ ଯୁକ୍ତି କରିବି ଭାବି ଘରକୁ ଫେରି ଆସିଲି। ଆସିଲା ବେଳେ ଦେଖେ ସୀତା ନାନା ସୁର ତେଲି ଘରେ କାମ କରୁଥିବା ଛୁଆଟାକୁ ଯାହା ପାରୁଚି ଗାଳି କରୁଛି। କଣ୍ ହେଇଚି ବୁଝୁ ବୁଝୁ ଜାଣିଲି, ସୀତା ନାନାର ସଉଦା ଦୋକାନକୁ ସୁର ତେଲି ଘରେ କାମ କରୁଥିବା ପିଲାଟି ସଉଦା ପାଇଁ ଆସିଛି। ଓହୋ କି ଗାଳି, କି ଭାଷା “ଶେଷରେ ପାଣି ଗୋଟେ ମାଣ୍ଡିଆରେ ଆଣି ସୀତା ନାନା ଫିଙ୍ଗି ଦେଲା ସେ ଛୁଆ ଉପରକୁ”।

ସବୁ କଥାର ସୀମା ଥାଏ, ସୀତା ନାନା ସେତେବେଳେ ତା ସୀମା ଟପି ସାରିଥାଏ। ଏଇ କଣ କରୁଚୁ ସୀତା ନାନା ? ବୁଝୁଛି କାଲି ତାଙ୍କ ପରିବାରକୁ କିଛି ଲୋକ ଆଶିକି ନେଇକି ଯାଇଛନ୍ତି, କିନ୍ତୁ ଏଯାଏଁ ଜଣା ପଡିନି କି ସେମାନେ କରୋନା ରୋଗୀ। ମାନୁଛି ଆମେ ସଚେତନ ରହିବା ଆବଶ୍ୟକ ତା ମାନେ ନୁହଁ ଆମେ ଆମ ମାନବିକତା ହରେଇ ଦେବା। ତାଙ୍କ ପ୍ରତି ଥିବା ଆମ କର୍ତ୍ତବ୍ୟ ଭୁଲି ଯିବା, ସେମାନଙ୍କୁ ଆମ ସାହାଯ୍ୟ ସହାନୁଭୂତି ଦରକାର ନା କି ହତାଦର, ଛି ଛି କାର। ସେମାନେ କାଲି ହୁଏତ କରୋନାରୁ ବଂଚିକି ଫେରି ପାରନ୍ତି କିନ୍ତୁ ଆମର ବ୍ୟବହାର ତାଙ୍କୁ ଭିତରୁ ମାରି ଦେଇ ପାରେ। ନିଜେ ଥରେ ଭାବ ସୀତା ନାନା ଯଦି ଆମ ଭିତରୁ କାହାକୁ କରନା ହୁଏ ? କଣ୍ ଆମେ ମାନେ ସହି ପାରିବ, ଶୁଣି ପାରିବା ଏମିତି ମନ ଗଢା କାହାଣୀ ଆଉ ହତାଦର। ମୋ ସବୁ କଥା ସୀତା ନାନା ଶୁଣିଲା ଆଉ ଚୁପ୍ ଚାପ୍ ଚାଲି ଗଲା।
ଗଲା ବେଳେ ଗୁଣୁ ଗୁଣେଇ ହେଇ କହୁଥାଏ ପାଠ ପଢୁଛି ବୋଲି ବଡ଼ ସାନ ମାନୁ ନାହିଁ, ଯାହା ଆସୁଚି ମୁହଁକୁ କହି ଯାଉଛି। କିଏ ମୁହଁ ଲାଗିବ ଏଇ ଚଣ୍ଡୀ ସହ।
ମୁଁ ସବୁ ଶୁଣି ଚୁପ୍ ଚାପ୍ ଘରକୁ ଆସିଗଲି ଦି ପହରେ ଶୁଣିବାକୁ ପାଇଲି ତେଲି ଘର ପୁରା ପରିବାର ଘରକୁ ଆସିଯାଇଚନ୍ତି କାହାରି ପାଖରେ କରୋନାର ଲକ୍ଷଣ ନାହିଁ।

ସନ୍ଧ୍ୟାକୁ ଜାଣିବାକୁ ପାଇଲି ସୀତା ନାନା ସ୍ବାମୀ ମାନେ ହରି ଜେଜେଙ୍କ ପ୍ରବଳ ଥଣ୍ଡା ଆଉ ଛାତି ଯନ୍ତ୍ରଣା କାରଣରୁ ଆଶା କର୍ମୀ ନେଇକି ଯାଇଛନ୍ତି ଡାକ୍ତରଖାନା। ଯାଇକି ଦେଖି ତ ସୀତା ନାନା ଦଣ୍ଡ ପିଣ୍ଡାକୁ ଆଉଜି ବସିଛି କେହି ତା ପାଖକୁ ଯାଉନାହାନ୍ତି। ବିକଳ ହେଇ ସିଏ ସମସ୍ତଙ୍କୁ ଚାହୁଁ ଥାଏ, ହେଲେ କେହି ପଦେ କିଛି କହୁ ନଥାନ୍ତି, ବାସ୍ ସମସ୍ତଙ୍କ ମୁହଁରେ ହଜାରେ ପ୍ରଶ୍ନ। ମୁଁ ଯାଇ ତା ପାଖରେ ବସିଲି ,କଣ୍ ହେଲା କେଜାଣି ମୋତେ ଦେଖି ତା କାନ୍ଦ ବଢ଼ି ଗଲା, ଭୋ ଭୋ ହେଇ ରଡି ଛାଡ଼ିଲା। ମୁଁ କହିଲି କାନ୍ଦ ନି ଆମେ ସମସ୍ତେ ତ ସହ ଅଛୁ, କିଛି ବି ଦରକାର୍ ପଡ଼ିଲେ କହିବୁ, କିଛି ହେବନି, ଆଉ ଯଦି କିଛି ହଉଚି ତେବେ ତା ପାଇଁ ବ୍ୟବସ୍ଥା ବି ଅଛି କେତେ ଲୋକ ପୁଣି ଭଲ ହେଇକି ଫେରିଛନ୍ତି। ସିଏ ନୀରବ ରହି ମୁଣ୍ଡ ଟୁଙ୍ଗାରି ଦେଲା ବୋଧେ ସିଏ ବୁଝି ସାରିଥିଲା ସହାନୁଭୂତି ଆଉ ସହଯୋଗର ଅର୍ଥ କଣ ଆଉ ବିପଦ ବେଳେ ତାହା କେତେ ଆବଶ୍ୟକ ଜଣେ ରୋଗୀ ଆଉ ରୋଗୀର ପରିବାର ପାଇଁ।
କେନ୍ଦୁଝର