୨୫-୨୬ରେ ଉତ୍ପାଦନ ଓ ବିକ୍ରୟ କ୍ଷେତ୍ରରେ ନାଲକୋର ସର୍ବକାଳୀନ ରେକର୍ଡ

ଓଡ଼ିଶାବଡ଼ ଖବରବ୍ୟବସାୟ

ଭୁବନେଶ୍ୱର, ଏନ୍ଏନ୍ ବ୍ୟୁରୋ l ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ଼ (ନାଲକୋ) ଆର୍ଥିକ ବର୍ଷ ୨୦୨୫-୨୬ରେ କମ୍ପାନୀର ସମସ୍ତ ପୂର୍ବ ରେକର୍ଡକୁ ଅତିକ୍ରମ କରି ଉତ୍ପାଦନ ଓ ବିକ୍ରୟ କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ଉତ୍ପାଦନ ଓ ବ୍ୟବସାୟର ବିଭିନ୍ନ ଦିଗରେ କମ୍ପାନୀ ଅଭୂତପୂର୍ବ ସଫଳତା ହାସଲ କରିଛି । କମ୍ପାନୀ ୭୭.୦୧ ଲକ୍ଷ ଟନ୍ ବକ୍ସାଇଟ୍ ଖନନ ଏବଂ ୭୭.୦୭ ଲକ୍ଷ ଟନ୍ ବକ୍ସାଇଟ୍ ପରିବହନର ରେକର୍ଡ କରିଛି l ସେହିପରି ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ ୨୩ ଲକ୍ଷ ଟନ୍ ଏବଂ କାଲସାଇଣ୍ଡ୍ ଆଲୁମିନା ଉତ୍ପାଦନ ୨୨.୭୫ ଲକ୍ଷ ଟନରେ ପହଞ୍ଚିଛି। କାଷ୍ଟ ଧାତୁ ଉତ୍ପାଦନ ୪.୭୨ ଲକ୍ଷ ଟନ୍ ରେକର୍ଡ କରାଯାଇଛି I ଏହା ସହିତ ସର୍ବାଧିକ ବିଦ୍ୟୁତ୍ ଉତ୍ପାଦନ ୬,୯୫୩ ମିଲିୟନ ୟୁନିଟ ଏବଂ କୋଇଲା ଉତ୍ପାଦନ ୪୦ ଲକ୍ଷ ଟନ୍ ରେକର୍ଡ କରାଯାଇଛି।

ବିକ୍ରୟ କ୍ଷେତ୍ରରେ ମଧ୍ୟ କମ୍ପାନୀ ଅଭୂତପୂର୍ବ ସଫଳତା ହାସଲ କରିଛି। ମୋଟ ଆଲୁମିନା ବିକ୍ରୟ ୧୪.୪୬ ଲକ୍ଷ ଟନ୍, ଘରୋଇ ଆଲୁମିନା ବିକ୍ରୟ ୧.୩୮ ଲକ୍ଷ ଟନ୍ ଏବଂ ଆଲୁମିନିୟମ ଧାତୁ ବିକ୍ରୟ ୪.୭୪ ଲକ୍ଷ ଟନ୍ ରେକର୍ଡ କରାଯାଇଛି, ଯେଉଁଥିରେ ସର୍ବାଧିକ ଘରୋଇ ଧାତୁ ବିକ୍ରୟ ୪.୬୧ ଲକ୍ଷ ଟନ୍ ଅନ୍ତର୍ଭୁକ୍ତ। ଉଲ୍ଲେଖଯୋଗ୍ୟ ଯେ, କମ୍ପାନୀ ପୂର୍ବ ବର୍ଷ ତୁଳନାରେ ବକ୍ସାଇଟ୍ ପରିବହନ କ୍ଷେତ୍ରରେ ୬.୧୩% ଅଭିବୃଦ୍ଧି ରେକର୍ଡ କରିଥିବାବେଳେ କାଲସାଇଣ୍ଡ ଆଲୁମିନା ଉତ୍ପାଦନରେ ୧୧.୧୬% ଏବଂ ଆଲୁମିନିୟମ କାଷ୍ଟ ଧାତୁ ଉତ୍ପାଦନରେ ପୂର୍ବ ବର୍ଷ ତୁଳନାରେ ୨.୬୧ % ବୃଦ୍ଧି ଘଟିଛି। ମୋଟ ଆଲୁମିନା ବିକ୍ରୟ ୩୦.୭୪ % ର ଏକ ଦୃଢ଼ ଅଭିବୃଦ୍ଧି ହାସଲ କରିଥିବାବେଳେ, ମୋଟ ଆଲୁମିନିୟମ ବିକ୍ରୟ ମଧ୍ୟ ପୂର୍ବ ବର୍ଷ ତୁଳନାରେ ୨.୮୨% ବୃଦ୍ଧି ପାଇଛି।

ନାଲକୋ ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ ବ୍ରିଜେନ୍ଦ୍ର ପ୍ରତାପ ସିଂହ ଅନୁଗୁଳରେ ଅନୁଷ୍ଠିତ ବାର୍ଷିକ ବ୍ୟବସାୟ ଯୋଜନା ରଣନୈତିକ ବୈଠକରେ କମ୍ପାନୀର ପ୍ରଦର୍ଶନ ସମୀକ୍ଷା କରିବା ସମୟରେ ସମଗ୍ର ନାଲକୋ ପରିବାର ଏବଂ ଅଂଶୀଦାରମାନଙ୍କୁ ସେମାନଙ୍କର ପ୍ରତିବଦ୍ଧତା ଏବଂ ସାମୂହିକ ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଏହି ସଫଳତା ଆମର କର୍ମଚାରୀମାନଙ୍କର ସମର୍ପଣ, ଶୃଙ୍ଖଳା ଏବଂ ସାମୂହିକ ଶକ୍ତିକୁ ପ୍ରତିଫଳିତ କରେ। ଆମେ ନିରନ୍ତର ଭାବରେ ଆମର ନିଜସ୍ୱ ମାନଦଣ୍ଡକୁ ଅତିକ୍ରମ କରିବାକୁ ଚେଷ୍ଟା କରିଛୁ, ଏବଂ ଏହି ମାଇଲଖୁଣ୍ଟ ସ୍ଥାୟୀ ବ୍ୟବସାୟ ଉତ୍କର୍ଷତା ଆଡ଼କୁ ଆମର ପଥକୁ ଆହୁରି ମଜବୁତ କରିବ”।

ଆଗାମୀ ଦିନଗୁଡ଼ିକରେ ଶ୍ରୀ ସିଂହ କମ୍ପାନୀର ନିରନ୍ତର ଅଭିବୃଦ୍ଧି ଏବଂ ନବସୃଜନ ପାଇଁ ରୋଡମ୍ୟାପ୍ ଉପରେ ଗୁରୁତ୍ୱାରୋପ କରିଥିଲେ। “ଭବିଷ୍ୟତର ଚାହିଦା ପୂରଣ କରିବା ପାଇଁ ଆମକୁ ଆମର କ୍ଷମତାକୁ ଉନ୍ନତ ଏବଂ ବିସ୍ତାର କରିବାକୁ ପଡିବ। ଆମର ପ୍ରଗତି ମେସିନ ଦକ୍ଷତା, ମାନବ ସମ୍ବଳ ଦକ୍ଷତା ଏବଂ ପ୍ରକ୍ରିୟା ଦକ୍ଷତାର ସୁଦୃଢ଼ୀକରଣ ଦ୍ୱାରା ସମ୍ଭବ ହୋଇପାରିବ। ଆମେ ଆଗକୁ ବଢ଼ିବା ସହିତ, ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ ଏବଂ ପରିବେଶ ସଂରକ୍ଷଣ ପଦକ୍ଷେପଗୁଡ଼ିକୁ ଆଗକୁ ବଢ଼ାଇବାକୁ ପଡିବ” ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଶ୍ରୀ ସିଂହ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ତଥା ଓଡ଼ିଶା ସରକାରଙ୍କ ନିରନ୍ତର ସହଯୋଗ ନିମନ୍ତେ କୃତଜ୍ଞତା ପ୍ରକାଶ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫ – ୨୬ରେ ରେକର୍ଡ ପ୍ରଦର୍ଶନ ସହିତ ନାଲକୋ ବିଶ୍ୱ ଆଲୁମିନିୟମ୍ ଶିଳ୍ପରେ ଏକ ପ୍ରମୁଖ ଉଦ୍ୟୋଗ ଭାବରେ ନିଜର ସ୍ଥିତିକୁ ପୁନଃ ସୁଦୃଢ଼ କରିବ ସହ, ସରକାରୀ କ୍ଷେତ୍ର ଉଦ୍ୟୋଗଗୁଡ଼ିକ ମଧ୍ୟରେ କାର୍ଯ୍ୟକ୍ଷମ ଉତ୍କର୍ଷତା ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି।

                            ଉତ୍ପାଦନ

ସର୍ବକାଳୀନ ସର୍ବାଧିକ ୭୭.୦୧ ଲକ୍ଷ ଟନ୍ ବକ୍ସାଇଟ ଉତ୍ତୋଳନ

ସର୍ବାଧିକ ୭୭.୦୭ ଲକ୍ଷ ଟନ୍ ବକ୍ସାଇଟ ପରିବହନ

ସର୍ବାଧିକ ୨୩ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ ଉତ୍ପାଦନ

ସର୍ବାଧିକ ୨୨.୭୫ ଲକ୍ଷ ଟନ୍ କାଲସାଇଣ୍ଡ ଆଲୁମିନା ଉତ୍ପାଦନ

ସର୍ବାଧିକ ୪.୭୨ ଲକ୍ଷ ଟନ୍ କାଷ୍ଟ ଧାତୁ ଉତ୍ପାଦନ

ସର୍ବାଧିକ ୬,୯୫୩ ଏମ.ୟୁ. ବିଦ୍ୟୁତ ଉତ୍ପାଦନ

ସର୍ବାଧିକ ୪୦ ଲକ୍ଷ ଟନ୍ କୋଇଲା ଉତ୍ପାଦନ

                      ବିକ୍ରୟ

ସର୍ବକାଳୀନ ସର୍ବାଧିକ ୧୪.୪୬ ଲକ୍ଷ ଟନ୍ ଆଲୁମିନା ବିକ୍ରୟ

ଘରୋଇ ବଜାରରେ ସର୍ବକାଳୀନ ସର୍ବାଧିକ ୧.୩୮ ଲକ୍ଷ ଟନ୍ ଆଲୁମିନା ବିକ୍ରୟ

ସର୍ବକାଳୀନ ସର୍ବାଧିକ ୪.୭୪ ଲକ୍ଷ ଟନ୍ ଆଲୁମିନିୟମ ଧାତୁ ବିକ୍ରୟ

ଘରୋଇ ବଜାରରେ ସର୍ବକାଳୀନ ସର୍ବାଧିକ ୪.୬୧ ଲକ୍ଷ ଟନ୍ ଆଲୁମିନିୟମ ଧାତୁ ବିକ୍ରୟ