କଥାକାର ଅନୀଲ୍ ପାଢୀଙ୍କ ସହ ସ୍ଵତନ୍ତ୍ର ସାକ୍ଷାତକାର

ବ୍ୟକ୍ତି ଓ ବ୍ୟକ୍ତିତ୍ୱସାହିତ୍ୟ ଓ ସଂସ୍କୃତି

ଓଡିଆ ସାହିତ୍ୟରେ ଅନୀଲ୍ ପାଢୀଙ୍କର ରହିଛି ସ୍ବତନ୍ତ୍ର ପରିଚୟ। ଯଦିଓ ସେ ସାହିତ୍ୟର ବିଭିନ୍ନ ବିଭାଗରେ କଲମ ଚାଳନା କରି ପାରନ୍ତି କିନ୍ତୁ ଗଳ୍ପ, ଉପନ୍ୟାସରେ ସିଏ ଯେ ଅତି ପରିଚିତ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଚାଲନ୍ତୁ ଜାଣିବା ତାଙ୍କର ସାହିତ୍ୟ ସର୍ଜନା ଓ ଯୁବ ପିଢୀଙ୍କୁ କଣ ଉପଦେଶ ଦେଉଛନ୍ତି।
ପ୍ରସ୍ତୁତି: ନବନୀତା
କଥାବାର୍ତ୍ତା: ପବିତ୍ର ବ୍ରହ୍ମପୁତ୍ର ନାୟକ

ପ୍ରଶ୍ନ : ଏ ଜୟଯାତ୍ରା କେବେଠୁଁ,ପ୍ରଥମ ଲେଖା କେବେ ଓ କେଉଁଠି ପ୍ରକାଶ ପାଇଥିଲା?
ଉତ୍ତର :- ୧୯୮୫ ମସିହାରେ ମୁଁ ଭଦ୍ରକ ସରକାରୀ ମହାବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନ ପଢୁଥିଲାବେଳେ ତତ୍କାଳୀନ ମହାବିଦ୍ୟାଳୟ ପତ୍ରିକାରେ ପ୍ରଥମ କବିତା ପ୍ରକାଶ ପାଇଥିଲା।

ପ୍ରଶ୍ନ :- ଗପ ଓ କବିତା ଭିତରୁ କଣ୍ ଲେଖିବାକୁ ଆପଣଙ୍କୁ ସହଜ ଲାଗେ?
ଉତ୍ତର :- କବିତା। ଏହାର ମାନେ ନୁହେଁ ଯେ କବିତା ଲେଖିବା ସହଜ! କବିତାର ଗୋଟାଏ ଧାଡି ବି ମନଛୁଆଁ ହୋଇଗଲେ ସମ୍ପୂର୍ଣ୍ଣ କବିତା ଉତ୍ତୀର୍ଣ୍ଣ ହୋଇପାରେ, ହେଲେ ଗପ କ୍ଷେତ୍ରରେ ଏହା ନୁହେଁ! କବିତା ଠାରୁ ଗପର ସାମଗ୍ରିକତା ଅଧିକ ଆବଶ୍ୟକ।

ପ୍ରଶ୍ନ :- ଜଣେ କଥାକାର ଭାବେ ତରୁଣ ପିଢୀର କଥାକାରଙ୍କୁ କଣ୍ କହିବେ?
ଉତ୍ତର :- ସାମୟିକ ପ୍ରଶଂସା ଓ ପୁରସ୍କାରରେ ଭାସିନଯାଇ ନିତ୍ୟନୂତନ ସୃଷ୍ଟିରେ ବ୍ରତୀ ହୁଅନ୍ତୁ! ଈର୍ଷା ଓ ଗୋଷ୍ଠୀବାଦକୁ ସମର୍ଥନ ନକରି ବରିଷ୍ଠମାନଙ୍କୁ ଯଥୋଚିତ ସମ୍ମାନ ସହିତ ଲେଖାରେ ମୌଳିକତା ଆଣନ୍ତୁ।

ପ୍ରଶ୍ନ :- ପତି – ପତ୍ନୀ ଉଭୟେ ସାହିତ୍ୟରେ, ଘରେ ବି ଚର୍ଚ୍ଚା ହେଉଥିବ, ସେ ବିଷୟରେ କଣ୍ କହିବେ?
ଉତ୍ତର :- ପତ୍ନୀ ଡ: ମମତାମୟୀ ଚୌଧୁରୀ ଓଡିଶା ସାହିତ୍ୟ ଏକାଡେମୀ ପ୍ରାପ୍ତ ଲେଖିକା। ଆଗରୁ ସେ ସାହିତ୍ୟ ଚର୍ଚ୍ଚା କରୁଥିଲେ ମୋ ସହିତ। ମୁଁ କେବେ ଏ ଚର୍ଚ୍ଚାଫର୍ଚ୍ଚାରେ ବିଶ୍ବାସ ରଖେନା। ଏବେ ପିଲାମାନଙ୍କ ଭବିଷ୍ୟତ ଚର୍ଚ୍ଚା ହେଉଛି, ସାହିତ୍ୟ ଚର୍ଚ୍ଚା ନୁହେଁ।

ପ୍ରଶ୍ନ :- ଆପଣଙ୍କ ସ୍ବପ୍ନ କଣ? ଯାହାକି ପୂରାହୋଇନି ଏଯାବତ୍?
ଉତ୍ତର:- ମୋତେ ବହୁବର୍ଷ ହେଲା ଅନିଦ୍ରା ରୋଗ। ରାତିରେ ଶୋଇପାରେନା ମାନେ ସ୍ବପ୍ନ ଦେଖିବାର ସୁଯୋଗ ଜୁଟିନି। ହଁ, ମୁଁ କଳ୍ପନାବିଳାସୀ। କିଛି ସ୍ବପ୍ନ ନାହିଁ ଓ ସେଥିପାଇଁ ଅବସୋସ ବି ନାହିଁ।

Leave a Reply