ବୈଶ୍ଚିକ କରୋନାକୁ ନେଇ ଗାଳ୍ପିକ ପ୍ରଦୀପ ନାୟକଙ୍କ ଗପ କୋଭିଡ୍ ଯୋଦ୍ଧା

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ଭୁବନେଶ୍ବରର ମୁଖ୍ୟ କୋଭିଡ ହସପିଟାଲରେ ଦୀର୍ଘ ଆଠ ଦିନର ଚିକିତ୍ସା ପରେ ଶେଷରେ ସତୁରୀ ବର୍ଷୀୟା ରୋଗିଣୀକୁ ମୃତ ଘୋଷଣା କଲେ ଡାକ୍ତର। ଏ ଖବର ବିଜୁଳି ବେଗରେ ପ୍ରସାରିତ ହେଉଥିଲା ସମୁଦାୟ ହସପିଟାଲରେ ନିୟୋଜିତ ଡାକ୍ତର,ନର୍ସ,ସହାୟକ ଏପରିକି ସଫେଇ କର୍ମଚାରୀଂକ ଯାଏ। ଦୀର୍ଘ ଦେଢମାସରୁ ସେମାନେ ଭୁଲି ସାରିଥିଲେ ନିଜ ପିଲାପିଲି,ଘରସଂସାର,ଏମିତିକି ନିଜ ବିଶ୍ରାମ କଥା। ଦିନକୁଦିନ ବଢୁଥିବା ଆକ୍ରାନ୍ତଂକ ସଂଖ୍ୟା ତୁଳନାରେ ସେମାନଂକ ସଂଖ୍ୟା ଥିଲା ବହୁତ କମ୍ ତଥାପି ମନରେ ଅବସାଦ କି କ୍ଳାନ୍ତି ନଥିଲା।ବରଂ ଏଯାଏ ସେମାନେ କରୋନା ପାଖରେ ହାରି ନାହାନ୍ତି,ଏଇ ସନ୍ତୋଷ ସମସ୍ତଂକ ମନୋବଳକୁ ବଢାଇ ଦେଇଥିଲା। ସମସ୍ତେ ଆଶାବାଦୀ ହୋଇ ଉଠିଥିଲେ ଏ ମହାବିନାଶୀ ଭୂତାଣୁ ଯୁଦ୍ଧରେ ନିଶ୍ଚିତ ବିଜୟ ପାଇଁ।

ରାଜ୍ୟର ପ୍ରଥମ ରୋଗିଣୀ ଭାବରେ ଏଇ ମହିଳା ଜଣକ ମୃତ୍ୟୁଖବର ପ୍ରସାରିତ ହେବାପରେ ନିଜନିଜ ଜାଗାରେ ନିମିଷକ ପାଇଁ ସମସ୍ତେ ଠପ୍ ହୋଇ ଯାଇଥିଲେ। ସେମାନଂକୁ ଦେଖିଲେ ଲାଗୁଥିଲା ହସପିଟାଲ ବାହାରକୁ ନିଆଯାଉଥିବା ମୃତକକୁ ଶେଷ ସମ୍ମାନ ଜଣାଇ ସମସ୍ତେ ମଥାନତ କରିଦେଇଛନ୍ତି।

ଯେହେତୁ କାହାରି ପାଖରେ ମୃତକଂକୁ ଜାଣିବାର କୌଣସି ଅବକାଶ ନଥିଲା ତେଣୁ ଘଟଣା ଉପରେ ବିଶେଷ ଚର୍ଚ୍ଚା ହୋଇପାରିଲା ନାହିଁ। ସାମାଜିକ ବାସନ୍ଦ ଆଶଂକା କାରଣରୁ ସରକାରଂକ ତରଫରୁ ପରିଚୟ ଗୁପ୍ତ ରଖାଯାଉଥିଲା ।

ଫୁଲବାଣୀର ନବନିର୍ମିତ କୋଭିଡ କ୍ବାରେଣ୍ଟାଇନ୍ ସେଣ୍ଟରର ଅଫିସ ରୁମରୁ ଜଣେ କର୍ମଚାରୀ ଡାକ୍ତର ବିନାୟକଙ୍କ ପାଖକୁ ଦଉଡି ଆସିଲା- ସାର ସାର, ଆପଣଂକ ଫୋନ୍।
ସଂକ୍ରମଣ ଭୟ ଥିବାରୁ ୱାର୍ଡ ଭିତରକୁ ମୋବାଇଲ ନିଅନ୍ତି ନାହିଁ ବିନାୟକ ।ଅଫିସରେ ରଖି ଦିଅନ୍ତି।
:ହ୍ୟାଲୋ ଆପଣ ଡକ୍ଟର ବିନାୟକ ଶର୍ମା କହୁଛନ୍ତି?
: ହଁ ଅ ,ଆପଣ କିଏ କହୁଛନ୍ତି ?
: ଆଚ୍ଛା ଆପଣ ନିବେଦିତା ଶର୍ମାଂକର …
: ହଁ ହଁ ସେ ମୋର ମାଆ। କାହିଁକି,କଣ ହେଇଛି କି?
: ଆମେ ଚିଫ୍ କୋଭିଡ ହସପିଟାଲ ଭୁବନେଶ୍ବରରୁ କହୁଚୁ, ସରି ଡକ୍ଟର ଇଓର ମଦର ଇଜ୍ ନୋମୋର୍।
: ନା ନା ଏହା କିପରି ସମ୍ଭବ ! ! ଆପଣ ଆଉ କାହା କଥା …
: ସେସବୁ ବିବରଣୀ ଆପଣଂକୁ ପରେ ଦିଆଯିବ।ଆପଣ ଶୀଘ୍ର ଭୁବନେଶ୍ବର ଚାଲିଆସନ୍ତୁ। ଆମେ ଆପଣଂକ ସ୍ଥାନରେ ଡକ୍ଟର ସ୍ବରୂପ ନାୟକଂକୁ ପଠେଇ ସାରିଛୁ।

ଭୁବନେଶ୍ବରରେ ପହଂଚିବା ବେଳକୁ ବିନାୟକଙ୍କ ଲାଗି ସାରା ଦୁନିଆ ଅନ୍ଧାର ହୋଇଯାଇଥିଲା। ମାଆଂକ ମୃତ ଶରୀର ପାଖରେ ଠିଆହୋଇଥିବା ଅନ୍ୟ ଡାକ୍ତରମାନେ କହୁଥିଲେ – ଆମେ ଆପଣଂକ ମାଆଂକ ଲାଗି ଗଭୀର ଦୁଃଖପ୍ରକାଶ କରୁଛୁ।
ବିନାୟକ ଆଶ୍ଚର୍ଯ୍ୟ ହୋଇ କେବଳ ଏତିକି ପଚାରିଲେ – ମାଆ ତ ଘରେ ରହିବା ମଣିଷ। ମୋର ଫୁଲବାଣୀ ଯିବା ଦିନ ତାଂକୁ ଘରୁ ନବାହାରିବା ପାଇଁ କହି ସବୁ ବ୍ୟବସ୍ଥା କରିଯାଇଥିଲି !
: ସରି, ତାଙ୍କ ଟ୍ରାଭଲ ହିଷ୍ଟ୍ରି କହୁଚି ସିଏ ଘରୁ ବାହାରି ନାହାନ୍ତି ସତ,କିନ୍ତୁ ଟେଲିଫୋନ କରି ଘରକୁ ପାର୍ଶଲ ଖାଇବା ମଗାଇଛନ୍ତି। ସୂଚନା ମୁତାବକ ଆପଣଂକ ଘର କାମବାଲୀ ଘରକୁ ଆସିବା ବନ୍ଦ କରିଦେଇଛି। ବାଧ୍ୟହୋଇ ନିବେଦିତା ଦେବୀ ….

ଶେଷ ଦର୍ଶନ ପାଇଁ ଲୋତକଭରା ଆଖିରେ ମାଆଠୁ ଟିକିଏ ଦୂରରେ ଠିଆ ହୋଇଥିଲେ ବିନାୟକ। କିଛି ଦୂରରେ ଠିଆ ହୋଇଥିବା ହସପିଟାଲର ପଦାଧିକାରୀ ମ୍ରିୟମାଣ ସ୍ବରରେ କହୁଥିଲେ – ଆପଣଙ୍କ ମାଆ ହସପିଟାଲକୁ ଆସିବା ପରଠୁ ବାରମ୍ବାର ଗୋଟିଏ ଅନୁରୋଧ କରୁଥିଲେ,ମୋ ପୁଅକୁ ଏ ବିଷୟରେ କିଛି ବି ଜଣାଇବେ ନାହିଁ। ମୋ ପୁଅ କୋଭିଡ ଯୋଦ୍ଧା। ମୁଁ ତା’ ମାଆ ହିସାବରେ ଏତିକି ଗର୍ବ ତ କରିପାରିବି।
ବଂଧପଡା,ମଦନପୁର,କେନ୍ଦ୍ରାପଡା
ଫୋନ :୮୯୧୭୩୭୦୨୨୭
(ଏହା କାଳ୍ପନିକ ରଚନା ମାତ୍ର )

Leave a Reply