ବ୍ଲୁ ଲାଗୁନ ଓ କ୍ଲାସିକ ହଟେଲ ଉପରେ ଚଢ଼ାଉ

ଓଡ଼ିଶାଅପରାଧବଡ଼ ଖବର

ବଲାଙ୍ଗିର ଏନ୍ଏନ୍ ବ୍ୟୁରୋ l ବଲାଙ୍ଗିର ମ୍ୟୁନିସିପାଲିଟିରେ LPG ସିଲିଣ୍ଡର ବେଆଇନ ବ୍ୟବହାର ବିରୋଧରେ ଯୋଗାଣ ବିଭାଗର ଚଢାଉ l ସହରର ବ୍ଲୁ ଲାଗୁନ ଓ କ୍ଲାସିକ ହଟେଲ ଉପରେ ଏନଫୋର୍ସମେଣ୍ଟ ଟିମ୍ ରେଡ୍ କରିଛି l ଘରୋଇ ଏଲପିଜି ସିଲିଣ୍ଡରର ବ୍ୟବସାୟିକ ବ୍ୟବହାର ନେଇ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶରେ ଏନଫୋର୍ସମେଣ୍ଟ ଦଳ ଏହି ଚଢାଉ କରିଛି l ବଲାଙ୍ଗିର ମ୍ୟୁନିସିପାଲିଟି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏନଫୋର୍ସମେଣ୍ଟ ଟିମ୍ ସକାଳ ୯ଟାରୁ ଯାଞ୍ଚ ଆରମ୍ଭ କରିଥିଲା । ତେବେ ଯାଞ୍ଚ ସମୟରେ ହୋଟେଲ ବ୍ଲୁ ଲାଗୁନରୁ ୫ଟି ଘରୋଇ ଏଲପିଜି ସିଲିଣ୍ଡର (୨ଟି ଅଧା ପୂର୍ଣ୍ଣ ଏବଂ ୩ଟି ଖାଲି) ଜବତ ହୋଇଥିଲା । ଏହି ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ଗୁଡଭେଲାର ଯୋଗାଣ ନିରୀକ୍ଷକ ଥିଲେ । ସେହିପରି କ୍ଲାସିକ୍ ହୋଟେଲରୁ ୩ଟି ଏଲପିଜି ସିଲିଣ୍ଡର (ଗୋଟିଏ ପୂର୍ଣ୍ଣ, ଗୋଟିଏ ଅଧା ପୂର୍ଣ୍ଣ ଏବଂ ଗୋଟିଏ ଖାଲି) ଜବତ କରାଯାଇଥିଲା। ଏହି ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ବଲାଙ୍ଗିର ମ୍ୟୁନିସିପାଲିଟିର ଯୋଗାଣ ନିରୀକ୍ଷକ ଥିଲେ ।

ଏନଫୋର୍ସମେଣ୍ଟ ଟିମରେ ଅତିରିକ୍ତ ଯୋଗାଣ ଅଧିକାରୀ ପୁଷ୍ପଲତା ଦାସ, ସଦର ସହାୟକ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ରାଉତ, ମୁଖ୍ୟ କାର୍ଯ୍ୟାଳୟର ସହାୟକ ଯୋଗାଣ ଅଧିକାରୀ ପୀତବାସ ମଲ୍ଲିକ, ଦେଓଗାଁ ଯୋଗାଣ ନିରୀକ୍ଷକ ବିଶ୍ଵଜିତ ରାଉତ, ଗୁଡ଼ଭେଲା ଯୋଗାଣ ନିରୀକ୍ଷକ ଦିବ୍ୟଶକ୍ତି ବେହେରା, ପୁଇଁତଳା ଯୋଗାଣ ନିରୀକ୍ଷକ ତାପସ ତ୍ରିପାଠୀ ଓ ବଲାଙ୍ଗିର ଏମଆଇଆଇ ଜ୍ୟୋତି ପ୍ରକାଶ ଦାସ ଏହି ଟିମରେ ସାମିଲ ଥିଲେ l ଜବତ ସିଲିଣ୍ଡରଗୁଡିକୁ ଆଗାମୀ ତଦନ୍ତ ପାଇଁ ସମ୍ବନ୍ଧିତ ତଦନ୍ତକାରୀ ଅଧିକାରୀଙ୍କ ନିୟନ୍ତ୍ରଣରେ ରଖାଯାଇଛି । ଜିଲ୍ଲା ପ୍ରଶାସନ ସଚେତନ କରିଛି ଯେ, ଘରୋଇ ଏଲପିଜି ସିଲିଣ୍ଡରକୁ ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର କରାଗଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।