ନବନୀତା ପ୍ରଭାବ: ଚାଷୀ ଆଗରେ ମୁଣ୍ଡ ନୁଆଁଇଲେ ଯନ୍ତ୍ରୀ, ମନ୍ତ୍ରୀ!

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ନବନୀତା ବ୍ୟୁରୋ। ଚାଷୀ ଆଗରେ ଚେପା ହେଲେ ମନ୍ତ୍ରୀ ଓ ଯନ୍ତ୍ରୀ। ଚାଷୀଙ୍କ ଦାବି ମୁତାବକ ହୋମ୍ ପାଇପ୍ ଜାଗାରେ ପୁଣି ଆରମ୍ଭ ହେଲା କଲଭର୍ଟ। ଠିକାଦାରର ମନମାନି ଖବର ପ୍ରକାଶ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇ ଓ ଏସଡିଓ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ ପରେ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘ ସମୟ ଧରି ଆଲୋଚନା ପରେ ଚାଷୀ ଆଗରେ ମୁଣ୍ଡ ନୁଆଁଇଥିଲେ ବିଭାଗୀୟ ଅଧିକାରୀ। ଏବଂ ହୋମ୍ ପାଇପ୍ ଜାଗାରେ ପୁଣି ଏକ କଲଭର୍ଟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଅନୁସାରେ ଗତକାଲି କଲଭର୍ଟ କାର୍ଯ୍ୟ ଆରମ୍ଭ ହୋଇଛି।


ଚାଷୀଙ୍କ ଅଭିଯୋଗ ଅନୁସାରେ, ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ବିଲାଇସର୍ଡ଼ା ସୁକତେଲ ନଦୀ ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ବିଜୁ ସେତୁ ନିର୍ମାଣ ଚାଲିଛି। ଏଯାଏ ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ନିଜକୁ ସଂଯୋଗ କରୁଥିବା ରାସ୍ତାରେ ବର୍ଷା ଜଳ ନିଷ୍କାସନ ପାଇଁ କଲଭର୍ଟ ପରିବର୍ତ୍ତେ ହୋମ୍ ପାଇପ୍ ବସାଇଥିଲେ ଠିକାଦାର। ତେବେ ଏହାଦ୍ବାରା ଜମିରେ ପାଣି ଜମି ରହିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ସାମାନ୍ୟ ବର୍ଷାରେ ଜମିରୁ ପାଣି ନିଷ୍କାସନ ହୋଇ ପାରୁନଥିବା ବେଳେ ଆଗାମୀ ଦିନରେ ପରିସ୍ଥିତି ଆହୁରି ସଂଗୀନ ହେବା ସମ୍ଭାବନା ରହିଛି। ଏପରିକି ପ୍ରାୟ ୧୫/୨୦ ଜଣ ଚାଷୀର ୬୦ରୁ ଅଧିକ ଏକର ଚାଷ ଜମି ଜଳମଗ୍ନ ହେବା ସମ୍ଭାବନା ରହିଛି। ଚାଷ କ୍ଷତି ହେବା ଆଶଙ୍କାରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।


ଏନେଇ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ଚାଷୀଙ୍କ କଥା କେହି ଶୁଣି ନଥିଲେ। ପରେ ଅସନ୍ତୁଷ୍ଠ ଚାଷୀ ନବନୀତା ଅଫିସ୍ ସହ ଯୋଗାଯୋଗ କରି ଅଭିଯୋଗ ସମ୍ପର୍କରେ ବଖାଣି ଥିଲେ।
ଚାଷୀଙ୍କ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ନବନୀତା ଟିମ ସେଠାକୁ ପହଞ୍ଚି ତଥ୍ୟ ସଂଗ୍ରହ କରିଥିଲା। ଏହାପରେ ସଂପୃକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କୁ ଯୋଗାଯୋଗ କରାଯାଇଥିଲା। ତେବେ ଏନେଇ ଠିକାଦାର ପବନ କୁମାର୍ ଅଗ୍ରୱାଲ ହାତ ଟେକି ଦେଇଥିବା ବେଳେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଗଦାଧର ମୁଦୁଲି ଘଟଣାର ତଦନ୍ତ କରି ବାକୁ କହିଥିଲେ।
ଏହାପରେ ଠିକାଦାର ପବନ କୁମାର୍ ଅଗ୍ରୱାଲଙ୍କୁ ମନମୁଖୀ କାର୍ଯ୍ୟ ନେଇ ନବନୀତା ଡିଜିଟାଲରେ ଖବର ପ୍ରକାଶ ପାଇଥିଲା। ଏହାପରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଏସଡିଓ ବିଲାଇସର୍ଡା ଗାଁକୁ ଯାଇ ଅନୁଧ୍ୟାନ କରିଥିଲେ। ଏବଂ ହୋମ୍ ପାଇପ୍ ପାଖରେ ପୁଣି ଏକ କଲଭର୍ଟ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଗତକାଲି ଏହାର କାର୍ଯ୍ୟ ଆରମ୍ଭ ହୋଇଛି।

ଗତ ୨୦୧୭, ଅଗଷ୍ଟ ମାସରୁ ବିଲାଇସର୍ଡା ସୁକତେଲ ନଦୀ ଉପରେ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି। ୩୩୬ ମିଟର ଦୈର୍ଘ୍ୟର ସେତୁ ନିର୍ମାଣ ପାଇଁ ଅଟକଳ ପରିମାଣ ରହିଛି ୧୧୯୭.୫୧ ଲକ୍ଷ ଟଙ୍କା। ବିକେଡି ଇନଫ୍ରାଷ୍ଟ୍ରୁକ୍ଚର୍ ପ୍ରା.ଲି ସମ୍ବଲପୁର ଏହି ନିର୍ମାଣ କାର୍ଯ୍ୟ କରୁଛି। ତେବେ ନିର୍ମାଣ କାମ ଏଯାଏ ସରିନଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ସେତୁ ନିର୍ମାଣ କାର୍ଯ୍ୟ ବିଳମ୍ବ ନେଇ ସଂପୃକ୍ତ ଠିକାଦାର ପବନ କୁମାର ଅଗ୍ରୱାଲଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଅଭିଯୋଗକୁ ସ୍ବୀକାର କରିବା ସହ କରୋନା ମହାମାରୀର ବାହାନା ଦେଖାଇଥିଲେ। ଏଠି ପ୍ରଶ୍ନ ଉଠୁଛି ଯେ କରୋନା ଯୋଗୁଁ ରାଜ୍ୟରେ ମାର୍ଚ୍ଚ ମାସରୁ ସ୍ଥିତି ବିଗିଡିଛି। ହେଲେ ବିଜୁ ସେତୁ ନିର୍ମାଣ ଧାର୍ଯ୍ୟର ଶେଷ ତାରିଖ ଡିସେମ୍ବର ୨୦୧୯ ରହିଥିଲା। ସେତୁ ନିର୍ମାଣ ୨୦୧୭ରୁ ଆରମ୍ଭ ହୋଇଥିଲେ ମଧ୍ୟ ଧାର୍ଯ୍ୟ ତାରିଖ ମଧ୍ୟରେ ସଂପୂର୍ଣ୍ଣ କରି ପାରିଲେନି କେମିତି! ଦେଖାଯାଉ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଆଉ କେତେ ମାସ ଲାଗୁଛି ଓ ବିଭାଗୀୟ ମନ୍ତ୍ରୀ ଓ ଯନ୍ତ୍ରୀ ଏଥିପ୍ରତି କେତେ ତତ୍ପରତା ଦେଖାଉଛନ୍ତି?