ଶୀତଳ ଷଷ୍ଠୀ ଯାତ୍ରା । ପଶ୍ଚିମ ଓଡିଶାର ଏକ ମହାନ ପର୍ବ । ମେ ମାସର ପ୍ରଚଣ୍ଡ ରୌଦ୍ରତାପରେ ଧୁମଧାମରେ ପାଳିତ ହୁଏ । ମହାଦେବ ଶିବ ଓ ଜଗତ୍ଜନନୀ ମାଁ ପାର୍ବତୀଙ୍କ ପବିତ୍ର ବିବାହୋତ୍ସବ । ବିବାହ ଉତ୍ସବ ଦ୍ୱାରା ଆନନ୍ଦିତ ହୋଇ ଉଠନ୍ତି ଦେବଗଣ । ଆଉ ସେମାନଙ୍କ ଶୁଭେଚ୍ଛାର ସଂକେତ ଭାବେ ଆକାଶ ମାର୍ଗରୁ ଝରି ପଡ଼େ ବର୍ଷାର ଧାରା । ବର୍ଷାର ସ୍ପର୍ଶରେ ଉତ୍ତପ୍ତ ଧରାପୃଷ୍ଠ ଶାନ୍ତ ଓ ଶୀତଳ ହୋଇଥାଏ । ଜୀବଜଗତରେ ଖେଳିଯାଏ ଆନନ୍ଦର ଲହରୀ । ଶୀତଳତାର ସଂକେତ ସ୍ୱରୂପ ଶିବ-ପାର୍ବତୀଙ୍କ ବିବାହ ଉତ୍ସବକୁ କୁହାଯାଏ ‘ଶୀତଳଷଷ୍ଠୀ’ ।
ଓଡ଼ିଶାର ବିଭିନ୍ନ ଶୈବ ପୀଠରେ ଶିବ ବିବାହ ଉତ୍ସବ ପାଳନ ହେଉଛି । କିନ୍ତୁ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରପାଲି, ବଲାଙ୍ଗିର, ଟିଟିଲାଗଡ, ପାଟଣାଗଡ, କଣ୍ଟାବାଞ୍ଜି, ଲୋଇସିଂହା, ସାନଟିକା, ବରଗଡ଼, ଘେଁସ, ସୁନ୍ଦରଗଡ଼, ଭବାନୀପାଟଣା ଆଦି ସ୍ଥାନରେ ଆନ୍ତରିକତା ସହ ପାଳିତ ହେଉଛି । ବିଶେଷ କରି ସମ୍ବଲପୁର,ବରପାଲି ଓ ବଲାଙ୍ଗିରର ଶୀତଳ ଷଷ୍ଠୀ ଯାତ୍ରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି । ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏହି ଯାତ୍ରା ଏବେ ଗଣପର୍ବରେ ପରିଣତ ହୋଇଛି ।
ଶୀତଳ ଷଷ୍ଠୀ ଯାତ୍ରା ପାଳନ ପଛରେ ଏକ ପୌରାଣିକ କିମ୍ବଦନ୍ତୀ ରହିଛି । ବ୍ରହ୍ମାଙ୍କ ମାନସ ପୁତ୍ର ଦକ୍ଷ ପ୍ରଜାପତି କଠୋର ତପସ୍ୟା ବଳରେ ସତୀଙ୍କୁ ପୁତ୍ରୀ ରୂପରେ ଲାଭ କରିଥିଲେ । ସତୀଙ୍କ ପରିଣୟ ମହାଦେବ ଶିବଙ୍କ ସହ ହେବା ପରେ ଉଭୟେ କୈଳାସ ପର୍ବତରେ ବାସ କରୁଥିଲେ । ଏଣେ ଦକ୍ଷ ପ୍ରଜାପତି ଗୋଟିଏ ଯଜ୍ଞର ଆୟୋଜନ କରିଥିଲେ । କେବଳ ସତୀ ଓ ଶିବଙ୍କ ବ୍ୟତୀତ ସମସ୍ତ ଦେବାଦେବୀଙ୍କୁ ଏଥିରେ ନିମନ୍ତ୍ରଣ କରିଥିଲେ । ପିତାଙ୍କ ଗୃହକୁ ଯଜ୍ଞ ଦେଖିଯିବା ପାଇଁ ସତୀଙ୍କ ପ୍ରବଳ ଆଗ୍ରହ । ତେଣୁ ଶିବଙ୍କ ଅନିଚ୍ଛା ସତ୍ତେ୍ୱ ସତୀ ବିନା ନିମନ୍ତ୍ରଣରେ ଯଜ୍ଞଶାଳାରେ ପହଞ୍ଚିବା ପରେ ବିଷ୍ଣୁ, ଇନ୍ଦ୍ର ଆଦି ଦେବଗଣ ପ୍ରଣାମ ଜଣାଇଲେ । କିନ୍ତୁ ଦକ୍ଷ ପ୍ରଜାପତି ସତୀଙ୍କୁ ଆଦନ ନ କରି ବରଂ ଭୂତନାଥଙ୍କ ପତ୍ନୀ ଆଗମନରୁ ଯଜ୍ଞଶାଳା ଅପବିତ୍ର ହୋଇଗଲା ବୋଲି ରୁକ୍ଷ ଭାଷାରେ ଶିବଙ୍କ ଉଦ୍ଦେଶ୍ୟରେ ଅପମାନଜନକ ବାକ୍ୟ ବ୍ୟବହାର କରିଥିଲେ । ପିତାଙ୍କ ଏଭଳି ଅପମାନଜନକ କୁତ୍ସାରଟନା ସହ୍ୟ କରିନପାରି ଯଜ୍ଞକୁଣ୍ଡରେ ଝାସ ଦିଅନ୍ତି ସତୀ । ଫଳରେ ଶିବ କ୍ରୋଧାନ୍ୱିତ ହୋଇ ରଚନା କରନ୍ତି ତାଣ୍ଡବ । ଥରହର ହୁଏ ପୃଥିବୀ । ଶେଷରେ ଦକ୍ଷଙ୍କୁ ବିନାଶ କରି ଯଜ୍ଞ ଧ୍ୱଂସ କଲେ ଶିବଗଣ । ସତୀଙ୍କ ବିରହରେ ଶିବଙ୍କ ମନରେ ନୈରାଶ୍ୟ ଭରିଗଲା । ପରବର୍ତ୍ତୀ ସମୟରେ ବ୍ରହ୍ମାଙ୍କଠାରୁ ଅମର ବର ପାଇ ତାରକାସୁର ସ୍ୱର୍ଗ ରାଜ୍ୟ ଅଧିକାର କରି ଦେବଗଣଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଲା । ତାରକାସୁରର ଅତ୍ୟାଚାରରେ ଦେବଗଣ ଭୟଭୀତ ହୋଇ ବିଷ୍ଣୁଙ୍କ ଶରଣାଗତ ହେଲେ । ବିଷ୍ଣୁ କହିଲେ: “ଶିବଙ୍କ ଔରସରୁ ଜାତ ପୁତ୍ର ହିଁ ତାରକାସୁରକୁ ବଧ କରିପାରିବ ।”ଦେବଗଣ ଆଦ୍ୟଶକ୍ତିଙ୍କୁ ପ୍ରାର୍ଥନା କରନ୍ତି । ଦେବଗଣଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ପର୍ବତରାଜ ହିମବନ୍ତଙ୍କ ଘରେ ଜନ୍ମ ନିଅନ୍ତି ସତୀ ପର୍ବତ ନନ୍ଦିନୀ ପାର୍ବତୀ ରୂପରେ । ହିମବନ୍ତଙ୍କଠାରୁ ତାଙ୍କ ପୂର୍ବ ଜନ୍ମ ବୃତ୍ତାନ୍ତ ଶୁଣି ପାର୍ବତୀ ଶିବଙ୍କୁ ପତି ରୂପେ ପାଇବା ପାଇଁ ତପସ୍ୟା କରି ସଫଳ ହୁଅନ୍ତି । ଜ୍ୟେଷ୍ଠ ଶୁକ୍ଳପକ୍ଷ ଷଷ୍ଠୀ ଦିନ ଶିବ-ପାର୍ବତୀଙ୍କ ପୁନର୍ମିଳନ ହୁଏ । ଶିବ-ପାର୍ବତୀଙ୍କ ଏହି ବିବାହ ଉତ୍ସବ ପ୍ରତିବର୍ଷ ‘ଶୀତଳଷଷ୍ଠୀ’ ଭାବରେ ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇଆସୁଛି । କିନ୍ତୁ ଶିବ ପାର୍ବତୀଙ୍କ ବିବାହ କେବେଠୁ ସାମାଜିକ ବିବାହ ଭାବରେ ପ୍ରଚଳିତ ହୋଇଆସୁଛି ଏପର୍ଯ୍ୟନ୍ତ ତାର କୌଣସି ଐତିହାସିକ ପ୍ରମାଣ ମିଳି ନାହିଁ । ହିନ୍ଦୁ ଐତିହ୍ୟ ,ପରଂପରା ଅନୁଯାୟୀ କନ୍ୟା ଅନ୍ୱେଷଣ, ବିବାହ ଲଗ୍ନ ସ୍ଥିରୀକରଣ, ନିମନ୍ତ୍ରଣ ବରାନୁଗମନ, ଯୌତୁକ ପ୍ରଦାନ, କନ୍ୟା ବିଦାୟ ଆଦି ପ୍ରଥା ଶିବ-ବିବାହ ବା ଶୀତଳଷଷ୍ଠୀରେ ମଧ୍ୟ ପ୍ରଚଳିତ । ହିନ୍ଦୁ ସମାଜର ଏଭଳି ବୈଦିକ ରୀତିରେ ସାମାଜିକ ବିବାହ ପରଂପରା ବିରଳ ହୋଇଥିବାରୁ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ଶୀତଳଷଷ୍ଠୀ’ର ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି ।
ଶୀତଳଷଷ୍ଠୀ ଯାତ୍ରା ପାଳନ ପାଇଁ ମାସେ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ପବିତ୍ର ଅକ୍ଷୟ ତୃତୀୟାଠାରୁ ଯାତ୍ରା ପକ୍ରିୟା ଆରମ୍ଭ ହୋଇ ଜ୍ୟେଷ୍ଠ ଶୁକ୍ଳପକ୍ଷ ସପ୍ତମୀ ଦିନ ଶେଷ ହୋଇଥାଏ । ପାର୍ବତୀଙ୍କ ପିତା ଚୟନ, ମହାଦେବ ଶିବଙ୍କ ପାଇଁ କନ୍ୟା ଅନ୍ୱେଷଣ ବା ପତରପେଡିଁ, ଦେବନିମନ୍ତ୍ରଣ, ସାକ୍ଷୀ ଗୋପୀନାଥଙ୍କୁ ବିବାହରେ ସାକ୍ଷୀ ରଖିବା ପାଇଁ ଅଣାଯିବା, ବିବାହ ଏବଂ ମନ୍ଦିର ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥାଏ । ଅକ୍ଷୟ ତୃତୀୟା ଦିନ ଥାଳ ଉଠେ । ଏହି ଦିନ କନ୍ୟା ପିତା ମନୋନୟନ ହୋଇଥାଏ । ଟିକା ସଂଗ୍ରହରେ ଲାଗି ପଡନ୍ତି ପଡ଼ାର ମୁରବୀମାନେ । ଏହା ପରେ ଶୀତଳଷଷ୍ଠୀ ଯାତ୍ରା କମିଟିର କର୍ମକର୍ତ୍ତା,ପଡ଼ାର ଉତ୍ସାହୀ ଯୁବକ ଏବଂ ମୁରବୀମାନେ ମନପ୍ରାଣ ଢ଼ାଳି ଦିଅନ୍ତି ଷଷ୍ଠୀ ଯାତ୍ରାର ଆୟୋଜନରେ । ସାଂସ୍କୃତିକ ଦଳକୁ ଆମନ୍ତ୍ରଣ, ପର୍ଭା ନିର୍ମାଣ, ରଥ ନିର୍ମାଣ, ଆଲୋକ ସାଜସଜ୍ଜା ଆଦି ସବୁ କାର୍ଯ୍ୟ ପାଇଁ ପ୍ରସ୍ତୁତି ଅତ୍ୟନ୍ତ ବର୍ଣ୍ଣାଢ୍ୟ ମନେ ହୋଇଥାଏ ।
ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ସଂପୂର୍ଣ୍ଣ ହିନ୍ଦୁ ପରଂପରା ଅନୁସ।ରେ ଅନୁଷ୍ଠିତ ହୁଏ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ । କନ୍ୟା ପିତା-ମାତା ପାର୍ବତୀଙ୍କୁ କନ୍ୟାଦାନ କରନ୍ତି । ଦେବୀ ପାର୍ବତୀଙ୍କୁ ଝିଅ ରୂପେ ପାଇ ନିଜକୁ ଧନ୍ୟ ମନେ କରନ୍ତି କନ୍ୟାପିତା-ମାତା । ସାମାଜିକ ପ୍ରଥା ଅନୁଯାୟୀ ଜାନିଯୌତୁକ ଦେଇ ଝିଅକୁ ବିଦାୟ ଦିଅନ୍ତି । ଏଥିରେ ପିତୃ-ମାତୃ ପ୍ରାଣର ସ୍ୱାଭାବିକ ଆବେଗ, ଆନନ୍ଦ ଓ କନ୍ୟାକୁ ବିଦାୟ ବେଳର ବିଚ୍ଛେଦ ଦୁଃଖ ପରିବେଶକୁ ଭାବମୟ କରି ଦିଏ । କନ୍ୟା ବିଦାୟ ପରେ ଦେବ ଦମ୍ପତ୍ତି ଏକ ଶୋଭାଯାତ୍ରାରେ ସ୍ୱମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏହାକୁ ଯୁଗଳ ବନ୍ଦୀ ଦର୍ଶନ କହିଥାନ୍ତି । ଏହି ଶୋଭାଯାତ୍ରା ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମେ । ଏହି ସମୟରେ ଶିବ- ପାର୍ବତୀଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳେ ବୋଲି ଲୋକଙ୍କ ବିଶ୍ୱାସ । ସେପଟେ ହଜାର ହଜାର କଳାକାର ନୃତ୍ୟ, ଗୀତରେ ମସ୍ଗୁଲ ଥାନ୍ତି ।
କଳା,ସଂସ୍କୃତି ଓ ପରଂପରାର ପ୍ରତିଫଳନ ଦେଖିବାକୁ ମିଳେ ଏହି ଯାତ୍ରାରେ । ଶୋଭାଯାତ୍ରାରେ ମୁଖ୍ୟ ଆକର୍ଷଣ ପାଲଟିଥାଏ ଲୋକଗୀତ ଓ ନୃତ୍ୟ । ଘୁମୁରା, ଦୁଲଦୁଲି, ଘଣ୍ଟ, କୀର୍ତ୍ତନ, ସଂପ୍ରଦା, ସଂଚାର, ଗଉରବାଡ଼ି, କଳଙ୍ଗୀ, ବିହାନାଚ, ବଜନିଆଁ, ନଚନିଆଁ, ଘୋଡ଼ା, ବୀର ବାଦ୍ୟ, ଆଦିବାସୀ ନୃତ୍ୟ ଆଦି ଦର୍ଶକମାନଙ୍କ ମନରେ ଆଣିଦିଏ ନବ ଉନ୍ମାଦନା । ହଜି ଯାଉଥିବା ଲୋକ କଳା ଓ ସଂସ୍କୃତିକୁ ଉଜ୍ଜୀବିତ କରିବା ଶୀତଳଷଷ୍ଠୀ ଯାତ୍ରାର ଏକ ପ୍ରୟାସ ମାତ୍ର ।
ଯାତ୍ରାର ମୁଖ୍ୟ ଆକର୍ଷଣ ରଂଗ
ରଂଗ ବିନା ଶୀତଳଷଷ୍ଠୀ ଯାତ୍ରା ଅଧୁରା । କାରଣ ଏହି ଯାତ୍ରାର ପ୍ରମୁଖ ଆକର୍ଷଣ ପାଲଟିଥାନ୍ତି ରଂଗ । ଏମାନେ ନ ପହଂଚିବା ପର୍ଯ୍ୟନ୍ତ ଯାତ୍ରା ଜମେ ନାହିଁ । ଷଷ୍ଠୀ ଆସିଲେ, ହିଞ୍ଜଡ଼ା ବା କିନ୍ନରଙ୍କ ଭିଡ଼ ଜମିଥାଏ । ରାଜରାସ୍ତାରେ ରଙ୍ଗମାନଙ୍କ ଯିବାଆସିବା ଦେଖିଲେ ଲୋକେ ବୁଝି ଯାଆନ୍ତି ଶୀତଳଷଷ୍ଠୀ ପାଖେଇ ଆସୁଛି । ଯେମିତି ଏମାନେ ହିଁ ଶୀତଳଷଷ୍ଠୀର ପ୍ରାକ୍ ସୂଚନା । ରେଳଷ୍ଟେସନ, ବସ୍ଷ୍ଟାଣ୍ଡ, ସହରର ଛକ, ପଡ଼ା, ଗଳିକନ୍ଦିରେ ଏମାନଙ୍କ ଭିଡ଼ ଜମେ । ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ହଜାର ହଜାର କଳାକାରଙ୍କ ସମାଗମ ହୋଇ କେବଳ ମୁଖ୍ୟ ଯାତ୍ରାରେ ସାମିଲ ହୋଇଥାନ୍ତି । କିନ୍ତୁ ରଙ୍ଗମାନେ ପତର୍ ପେଁଡିରୁ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥାନ୍ତି ।
ପ୍ରଚଣ୍ଡ ରୌଦ୍ରତାପରେ ମଧ୍ୟ ପଶ୍ଚିମ ଓଡ଼ିଶାର ପାରଂପରିକ ଦୁଲ୍ଦୁଲି ବାଜାର ତାଳେ ତାଳେ ନୃତ୍ୟ ପରିବେଷଣ କରିଥାନ୍ତି । ଯୁବକମାନଙ୍କ ଟାହିଟାପରା, କମେଣ୍ଟ ଓ ଅଶ୍ଳୀଳ ଇଂଗିତ କିଛି ବି ଖାତିର କରନ୍ତି ନି ଏମାନେ । ମହାଦେବ ଶିବ ଓ ମାତା ପାର୍ବତୀଙ୍କ ଯୁଗଳବନ୍ଦୀ ଦର୍ଶନ ତଥା ଦେବଦମ୍ପତିଙ୍କ ସମ୍ମୁଖରେ ଉନ୍ମତ୍ତ ହୋଇ ନୃତ୍ୟ ପରିବେଷଣ କଲେ କିନ୍ନର ଜନ୍ମରୁ ମୁକ୍ତି ମିଳେ ବୋଲି ସେମାନଙ୍କ ବିଶ୍ୱାସ । ତତ୍ ସଂଗେ ଶୀତଳଷଷ୍ଠୀ ଯାତ୍ରାର ମାହୋଲକୁ ଅଧିକ ସରମରମ କରିଥାନ୍ତି ଏମାନେ ।
ପଶ୍ଚିମ ଓଡିଶା ଶୀତଳଷଷ୍ଠୀ ଯାତ୍ରା ପୌରାଣିକ କଥାବସ୍ତୁ ଉପରେ ଆଧାରିତ । ବହୁ ପୁରାତନ ଲୋକକଳା, ସଂସ୍କୃତି, ସାମାଜିକ ପରଂପରାର ବାର୍ତ୍ତା ବହନ କରେ ଏହି ଯାତ୍ରା । କିନ୍ତୁ ଧୀରେ ଧୀରେ ଆଧୁନିକତାର ପ୍ରଭାବରେ ଫିକା ପଡ଼ିଯାଉଛି ପୁରାତନ ଲୋକକଳା ଓ ସଂସ୍କୃତି । ଯୁଗ ବଦଳିବା ସଂଗେ ସଂଗେ ଲୋକଙ୍କ ରୁଚି ମଧ୍ୟ ବଦଳୁଛି । ଆଗରୁ ଯାତ୍ରାରେ ସାମିଲ ହେଉଥିଲା କେବଳ ଲୋକନୃତ୍ୟ ଓ ଲୋକଗୀତ । କିନ୍ତୁ ଏବେ ଆଲବମ କଳାକାର, ରେକର୍ଡ ଡ୍ୟାନ୍ସ, ଆର୍କ୍ରେଷ୍ଟା ଦେଖିବାକୁ ମିଳୁଛି । ବିଭିନ୍ନ ଫିଲ୍ମ ଗୀତର ସୁରେ ସୁରେ ନର୍ତ୍ତର୍କୀମାନଙ୍କ ନୃତ୍ୟ ଯୁବକମାନଙ୍କ ଭିତରେ ଉନ୍ମାଦନା ସୃଷ୍ଟି କରୁଛି । ବମ୍ବେ, କଲକତା, ରାୟପୁର, ନାଗପୁର ପ୍ରଭୃତି ବଡ଼ବଡ଼ ନଗରୀରୁ ନର୍ତ୍ତର୍କୀମାନଙ୍କୁ ଅଣାଯାଉଛି ଶୀତଳଷଷ୍ଠୀ ଯାତ୍ରାକୁ । ନର୍ତ୍ତର୍କୀଙ୍କ ରଥ ଚାରି ପାଖେ ଭିଡ଼ ଜମେ ଦର୍ଶକଙ୍କ । କିନ୍ନରମାନେ ଶାଢୀ ବଦଳରେ ପିନ୍ଧୁଛନ୍ତି ଜିନ୍ସ ପ୍ୟାଣ୍ଟ, ଟି ସାର୍ଟ । ହାତରେ ମୋବାଇଲ ଧରି କଥାବାର୍ତ୍ତାର୍ କରୁଛନ୍ତି ହିନ୍ଦୀ, ଇଂରାଜୀରେ । ପରଭାଗୁଡିକୁ ଅଧିକ ଆକର୍ଷଣୀୟ କରିବା ସହ ରଙ୍ଗବେରଙ୍ଗ ସାଜସଜ୍ଜା ରେ ଘୂର୍ଣ୍ଣାୟମାନ ମେଢ଼ ପ୍ରସ୍ତୁତ କରାଯାଉଛି ।
କେବଳ ପଶ୍ଚିମ ଓଡ଼ିଶା ନୁହେଁ ଓଡ଼ିଶାର ବିଭିନ୍ନ ଅଂଚଳ ତଥା ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରୁ ମଧ୍ୟ ବହୁ ଦର୍ଶକଙ୍କ ଭିଡ଼ ଜମେ । ଗ୍ରୀଷ୍ମଋତୁର ପ୍ରଚଣ୍ଡ ରୌଦ୍ରତାପକୁ ବି ଖାତିନ ନ କରି ଲକ୍ଷ ଲକ୍ଷ ଦର୍ଶକଙ୍କ ଭିଡ ଜମେ । ଆଉ ନିଜକୁ ଯାତ୍ରାରେ ଆନନ୍ଦମୟ ପରିବେଶ ସହିତ ସାମିଲ କରିଥାନ୍ତି । ଯାହା ସମଗ୍ର ଭାରତବର୍ଷର ଏକ ବିରଳ ଘଟଣା । ତେଣୁ ପଶ୍ଚିମ ଓଡିଶାର ଶୀତଳଷଷ୍ଠୀ ଯାତ୍ରା ଭାରତବର୍ଷର ଏକ ଗୌରବମୟ ପର୍ବ ହୋଇ ପାରିଛି ।
