ପୌର ପରିଷଦ ପକ୍ଷରୁ ନିଆରା ରାକ୍ଷୀ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ l ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବଲାଙ୍ଗିର ପୌରପରିଷଦ ପକ୍ଷରୁ ନିଆରା ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ରାଜେନ୍ଦ୍ର ପାର୍କରେ ସଫେଇ କର୍ମଚାରୀଙ୍କ ସହ ଏକ ନିଆରା ଓ ଭାବପୂର୍ଣ୍ଣ କାର୍ଯ୍ୟକ୍ରମ “ସୁରକ୍ଷାର ସାକ୍ଷୀ – ରାକ୍ଷୀ” ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଫେଇ କର୍ମଚାରୀଙ୍କ ସହ ରାକ୍ଷୀ ପର୍ବ ପାଳନ କରିଥିଲେ। ଏହି ଅବସରରେ ସଫେଇ କର୍ମଚାରୀ ଜିଲ୍ଲାପାଳ ଏବଂ ସମସ୍ତ ଅତିଥିଙ୍କୁ ରାକ୍ଷୀ ବାନ୍ଧି କାର୍ଯ୍ୟକ୍ରମକୁ ଅଧିକ ଆନନ୍ଦମୟ ଓ ସ୍ମରଣୀୟ କରିଥିଲା।

ଅନ୍ୟମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା, ସାଂସଦଙ୍କ ପ୍ରତିନିଧି ପଙ୍କଜିନୀ ପଣ୍ଡା, ବିଧାୟକଙ୍କ ପ୍ରତିନିଧି ବୁଲୁ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, ଜିଲ୍ଲାସ୍ତରୀୟ ଅଧିକାରୀ, ପୌରପରିଷଦର ସମସ୍ତ ସଦସ୍ୟ/ସଦସ୍ୟାଙ୍କ ସହ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।

ସହରକୁ ପରିଷ୍କାର, ପରିଚ୍ଛନ୍ନ ରଖିବା ପାଇଁ ସଫେଇ କର୍ମଚାରୀମାନେ ପ୍ରତିଦିନ ନିଷ୍ଠା ଓ ସମର୍ପଣର ସହ ନିଜ ଦାୟିତ୍ୱ ତୁଲାଇ ଆସୁଛନ୍ତି। ସେମାନଙ୍କର ଏହି ନିରବ ଓ ନିଷ୍ଠାପର ସେବା ପ୍ରତି ସମ୍ମାନ, ସ୍ନେହ ଓ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ପୌର ପରିଷଦ ପକ୍ଷରୁ ଏହି ଅଭିନବ ପ୍ରୟାସ କରାଯାଇଥିଲା। “ସୁରକ୍ଷାର ସାକ୍ଷୀ – ରାକ୍ଷୀ” କେବଳ ଏକ ରାକ୍ଷୀ ବାନ୍ଧିବାର କାର୍ଯ୍ୟକ୍ରମ ନୁହେଁ, ବରଂ ସହରର ସ୍ୱଚ୍ଛତା ପାଇଁ ଦିନରାତି କାର୍ଯ୍ୟରତ ସଫେଇ କର୍ମଚାରୀ ପରିବାର ପ୍ରତି ଭଲପାଇବା, ସମ୍ମାନ ଓ ସୁରକ୍ଷାର ଏକ ଭାବପୂର୍ଣ୍ଣ ପ୍ରତିଶ୍ରୁତି। ଏହି ନିଆରା ପଦକ୍ଷେପ ସମାଜରେ ଭାଇଚାରା, ସମାନତା ଓ ମାନବିକତାର ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛି।