ଏନ୍ଏନ୍ ବ୍ୟୁରୋ l ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ସାଂସଦ ସଂଗୀତା କୁମାରୀ ସିଂହଦେଓ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଏବଂ ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାର ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ସିଡିଏମଓ ପୁଷ୍ପାଞ୍ଜଳି ମିଶ୍ର ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ନିଶଙ୍କ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ରାଜ୍ୟର ମହିଳା ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଥିଲା। ବଲାଙ୍ଗିର ଜିଲ୍ଲାରେ ଏହି ପର୍ଯ୍ୟାୟରେ ୨୫,୩୧୬ ଜଣ ହିତାଧିକାରୀଙ୍କୁ ପଞ୍ଚମ କିସ୍ତିର ଅର୍ଥ ମିଳିଛି। ଜିଲ୍ଲାରେ ମୋଟ ୪,୨୯,୬୧୧ ଜଣ ହିତାଧିକାରୀ ଏହି ଯୋଜନାରୁ ଲାଭାନ୍ୱିତ ହେବେ।
ମୁଖ୍ୟ ଅତିଥି ଡ. ମହାଲିଙ୍ଗ ନିଜ ଅଭିଭାଷଣରେ ଦେଶ ଗଠନରେ ମହିଳାମାନଙ୍କ ଅବଦାନକୁ ପ୍ରଶଂସା କରି କହିଥିଲେ, “ନାରୀ ଶକ୍ତିର ସଶକ୍ତିକରଣ ହିଁ ଏକ ସମୃଦ୍ଧ ସମାଜର ପ୍ରକୃତ ମୂଳଦୁଆ।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ‘ସୁଭଦ୍ରା’ ଯୋଜନା ମହିଳାଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରୁଛି। ଏପରିକି ଜିଲ୍ଲାର ୯୦,୮୬୨ ଜଣ ହିତାଧିକାରୀ ‘ଲକ୍ଷପତି ଦିଦି’ ହୋଇ ଆର୍ଥିକ ସ୍ୱାବଲମ୍ବନ ହାସଲ କରିଛନ୍ତି ବୋଲି ସେ କହିଥିଲେ। ଏଥିସହ ଜିଲ୍ଲାରେ ସର୍ବାଧିକ ‘ଲକ୍ଷପତି ଦିଦି’ ଲୋଇସିଂହା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁଇଁତଲା ବ୍ଲକରେ ରହିଛନ୍ତି। ଦିନେ ଯେଉଁ ବେଲପଡ଼ା ଅଞ୍ଚଳରୁ ହଜାର ହଜାର ମହିଳା କାମ ପାଇଁ ଅନ୍ୟ ରାଜ୍ୟକୁ ଯାଉଥିଲେ, ଆଜି ସେଠାରୁ ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇଛନ୍ତି। ପ୍ରତି ବୁଥ୍ରେ ଏହି ଯୋଜନା ମାଧ୍ୟମରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଥିବା ଉଲ୍ଲେଖ କରି ଏହା ଡବଲ ଇଞ୍ଜିନ ସରକାର ପ୍ରତି ଲୋକଙ୍କ ଆଶା, ଭରସା ଓ ବିଶ୍ୱାସର ପ୍ରତୀକ ବୋଲି କହିଥିଲେ ମୁକେଶ ମହାଲିଙ୍ଗ।
ସାଂସଦ ସଂଗୀତା କୁମାରୀ ସିଂଦେଓ ‘ସୁଭଦ୍ରା’ ଯୋଜନାର ସଫଳତା ଉପରେ ଆଲୋକପାତ କରି କହିଥିଲେ ଯେ, ଏହି ଯୋଜନା କେବଳ ଆର୍ଥିକ ସହାୟତାରେ ସୀମିତ ନୁହେଁ; ଏହା ମହିଳାଙ୍କ ପ୍ରତି ସମ୍ମାନ, ବିଶ୍ୱାସ ଓ ସଶକ୍ତିକରଣର ପ୍ରତୀକ। ଯୋଜନାରୁ ମିଳୁଥିବା ଅର୍ଥକୁ ସଠିକ୍ ଭାବେ ବିନିଯୋଗ କରି ପରିବାରର ଆର୍ଥିକ ସ୍ଥିତି ଓ ଭବିଷ୍ୟତକୁ ଅଧିକ ସମୃଦ୍ଧ କରିବାକୁ ସେ ହିତାଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ କହିଥିଲେ, “ଏହା କେବଳ ପାଞ୍ଚ ହଜାର ଟଙ୍କା ନୁହେଁ; ଏହା ନାରୀମାନଙ୍କ ସ୍ୱପ୍ନ, ଶ୍ରମ ଓ ଆତ୍ମସମ୍ମାନ ପ୍ରତି ସମ୍ମାନର ପ୍ରତୀକ।” ଏହା ନାରୀ ଶକ୍ତି ଉପରେ ସରକାରଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ। ଜିଲ୍ଲାପାଳ ଶ୍ରୀ ଇସଲୱାର କହିଥିଲେ ଯେ, ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ବଲାଙ୍ଗିର ଜିଲ୍ଲାର ମହିଳା ଶକ୍ତି ଆହୁରି ସଶକ୍ତ ହୋଇ ପାରିଛି । ମହିଳାମାନଙ୍କ ଆର୍ଥିକ ସ୍ୱାଧୀନତା ଓ ସାମାଜିକ ସଶକ୍ତିକରଣ ଦିଗରେ ଏହି ଯୋଜନାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତପ୍ରକାଶ କରିଥିଲେ ।
ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ଆଗଲପୁର ବ୍ଲକର ଦ୍ରୌପଦୀ ସାହୁ ଛତୁ ଚାଷ, ଦେଓଗାଁ ବ୍ଲକର ଲୟାବତୀ ଭାଟି ଛତୁ ଚାଷ, ଖପ୍ରାଖୋଲ ବ୍ଲକର ବିଶାଖା ସାହୁ ସିଲାଇ ଆଦି ବୃତ୍ତି ମାଧ୍ୟମରେ ସ୍ୱାବଲମ୍ବୀ ହୋଇପାରିଛନ୍ତି । କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ତିନିଜଣ ନିଜ ନିଜର ସଫଳତାର କାହାଣୀ ବଖାଣିବା ସହ ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ସ୍ୱାବଲମ୍ବୀ ହେବାର ସୁଯୋଗ ପାଇଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ଉପସ୍ଥିତ ମା’ ଓ ଭଉଣୀମାନେ ଅତିଥିମାନଙ୍କୁ ରାକ୍ଷୀ ବାନ୍ଧି ସ୍ନେହ ଓ ଶୁଭେଚ୍ଛା ଜଣାଇଥିଲେ। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ମହିଳା, ଅଙ୍ଗନବାଡ଼ି କର୍ମୀ ଓ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶିବାନୀ ଠାକୁର, ପ୍ରକଳ୍ପ ଅଧିକାରୀ ଅନୁପମା ହେସ୍, ସୁରକ୍ଷା ଅଧିକାରୀ ସୁଜାତା ଦୋରାଙ୍କ ସମେତ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
