ପୁରସ୍କାର ପଛରେ ସାହିତ୍ୟିକ!

ଓଡ଼ିଶାସମ୍ପାଦକୀୟ
ପିଲାଦିନରୁ ଖେଡୁର ସାହିତ୍ୟ ପ୍ରତି ପ୍ରବଳ ଆଗ୍ରହ । ବଡ଼ ବଡ଼ ସାହିତ୍ୟିକଙ୍କ ଲେଖାକୁ ଅନୁସରଣ କରି ନିଜେ ସାଦା କାଗଜରେ ଲେଖିବା ଆରମ୍ଭ କରେ । ମନକୁ ଯାହା ଆସେ ଲେଖି ପକାଏ । ଦିନେ ଦିନେ ରାତି ମଧ୍ୟ ପାହିଯାଏ । ସାଦା କାଗଜ ଓ କଲମର ସାହି ସରିବା ଯାଏ ଖେଡୁ ଲେଖାରେ ଲାଗିଥାଏ । ଲେଖି ଲେଖି ଘରେ ଗଦା ଗଦା କାଗଜ ଭର୍ତ୍ତି । କୌଣସି ଖବର କାଗଜ, ପତ୍ରପତ୍ରିକାରେ ଲେଖା ପ୍ରକାଶ ନ ହେଲେ ମଧ୍ୟ ମନରେ ସେମିତି ଲେଖାଲେଖିର ଉନ୍ମାଦନା ଜାରି ରହିଥାଏ । ମନରେ ଟିକେ ବି ବିତୃଷ୍ଣା ଭାବ ନଥିଲା । ଘରଠାରୁ ଦୂରେ ରହି ପାଠ ପଢ଼ାପଢ଼ି । ପାରିବାରିକ ସ୍ଥିତି ସେମିତି ଭଲ ନଥିଲା, ଏପରିକି ପ୍ରତିମାସ ଚଳିବା ପାଇଁ ପଇସା ମଧ୍ୟ ପଠାଇବାକୁ । କିନ୍ତୁ ଟାଉଟରି ଓ ନକଲି କାର୍ଯ୍ୟ କରି ଖେଡୁ ବେଶ ଦୁଇ ପଇସା ରୋଜଗାର କରୁଥିଲା । ବିଭିନ୍ନ ସଂଗଠନ, ସାହିତ୍ୟ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନାଁରେ ଲୋକଙ୍କଠାରୁ ଚାନ୍ଦା ଆଦାୟ କରି ନିଜେ ଚଳୁଥିଲା । ପରେ ନକଲି ଜାତିଗତ ପ୍ରମାଣପତ୍ର ସାହାଯ୍ୟରେ ଶିକ୍ଷକ ତାଲିମ ଶିକ୍ଷା ଶେଷ କରି ସରକାରୀ ଚାକିରି ମଧ୍ୟ ପାଇଲା । ଏତେବେଳକୁ ତା ମନରେ ଘୋର ପରିବର୍ତ୍ତନ ଆସି ଯାଇଥିଲା । ସରଳ,ନିଷ୍କପଟ,ଲାଜୁଆ, ନମ୍ର ଥିବା ଖେଡୁ ସ୍ୱାର୍ଥପର, ଆତ୍ମଗର୍ବ, ଈର୍ଷାପରାୟଣ ହେବା ସହ ପ୍ରବଳ ଟାଉଟରି କରିବା ଆରମ୍ଭ ହୋଇଗଲା । ବିବାହ ପରେ ଜନ୍ମ ଦେଇଥିବା ବାପାମାଆଙ୍କୁ ଭୁଲିଗଲା । ଲେଖାଲେଖିରେ ବ୍ୟସ୍ତତା ଯୋଗୁଁ ବାପାମାଆ ପର ହୋଇଗଲେ । ଏଇଠୁ ସେଇଠୁ ଟଙ୍କା ସଂଗ୍ରହ କରି ବହି ଖଣ୍ଡିଏ ପ୍ରକାଶ ପାଇଲା । କିଛି ଜଣାଶୁଣା ଲେଖକଙ୍କୁ ତୋଷାମଦ କରି ପୁରସ୍କାରଟିଏ ମିଳିଗଲା ।
ପୁରସ୍କାର ପାଇବା ପରେ ଖେଡୁର ଖୁସି କହିଲେ ନ ସରେ । ଆନନ୍ଦରେ ଆତ୍ମହରା! ମର୍ତ୍ତ୍ୟରୁ ସ୍ୱର୍ଗକୁ ଛୁଇଁବା ପରି । ବର୍ଷା ଦିନରେ ଶୁଖିଲା ବିଷ୍ଠାରେ ପାଣି ପଡ଼ିଲେ ଯେମିତି ଫୁଲେ ସେମିତି ଫୁଲିଲା । ବିଭିନ୍ନ ମହଲରୁ ଶୁଭେଚ୍ଛା, ଅଭିନନ୍ଦନ ପାଇ ଛାତି ଆହୁରି ଚଉଡ଼ା ହୋଇଗଲା । ପୁରସ୍କାରକୁ ନେଇ କିଛି ଲୋକ ବାଃ ବାଃରେ ଖେଡୁ ବୋଲି ପିଠିରେ ହାତ ଥାପୁଡେଇଲେ । କିଛି ଲୋକ ସମାଲୋଚନା ମଧ୍ୟ କଲେ ଲେଖାର ମାନକୁ ନେଇ । କାରଣ ସେତେବେଳେ ଭଲ ଭଲ ଲେଖକକୁ ଟପି ଖେଡୁ ପୁରସ୍କାରଟି ପାଇଥିଲା । ବଡ଼ ବଡ଼ ସାହିତ୍ୟକଙ୍କ ସଙ୍ଗରେ ମିଳାମିଶା କଲା । ସ୍ୱାଭିମାନି ନୁହଁ, ସ୍ୱାର୍ଥପର ଓ ତୋଷାମିଆ ଭାବେ ଖେଡୁର ବେଶ ନାଁ ଅଛି । କାମ ଥିଲେ ଅନ୍ୟମାନଙ୍କ ପାଖରେ ଦିନରାତି ଗୋଡ଼ହାତ ଧରି ଲାଗି ପଡିଥିବ, ନିଜ କାମ ହାସଲ କରିବା ପର୍ଯ୍ୟନ୍ତ । ନହେଲେ କେହି କଥା ହେଲେ ମଧ୍ୟ ନଶୁଣିବା ପରି ମୁଣ୍ଡ ହଲାଉଥିବ । ସତେ ଯେମିତି ଗଜପତି! ଅଧିକ ଅଂହ, ଗର୍ବ ଯୋଗୁଁ ଶେଷରେ ନିଜର ଚାକିରି ଖଣ୍ଡକ ମଧ୍ୟ ହାତରୁ ଚାଲିଗଲା । ଚାକିରି ରକ୍ଷା ପାଇଁ ଅନ୍ୟସାଥୀଙ୍କ ସହ ଏ ଅଫିସରୁ ସେ ଅଫିସ ଦୌଡ଼ିଲା । କିଛି ଲାଭ ମିଳିଲା ନାହିଁ । ଚାକିରି ସହ ପାରିବାରିକ ଜଞ୍ଜାଳ ଚିନ୍ତା । ପର କରିଥିବା ବାପାମାଆଙ୍କ ଆଖି ସହ ଆଖି ମିଶାଇ ପାରିଲା ନାହିଁ । ଅନ୍ୟପଟେ ଚାକିରିକୁ ଦେଖି ବାହା ହୋଇଥିବା ସ୍ତ୍ରୀ ନିଜ ମାଆଘରକୁ ଚାଲିଗଲା । କିନ୍ତୁ ଯେତେ ବଡ଼ ଘଟଣା ଘଟି ଯାଇଥିଲେ ମଧ୍ୟ ବାପାମାଆ କେବେ ବି ପୁଅର ଅମଙ୍ଗଳ ଚିନ୍ତା କରନ୍ତି ନାହିଁ । ଦୁଃଖ ସମ୍ଭାଳି ନ ପାରି ଖେଡୁକୁ ଘରକୁ ନେଇଗଲେ । ପରେ ବୋହୂକୁ ବୁଝାସୁଝା କରି ପୁଣି ଘରକୁ ଆଣିଲେ । କିଛି ଦିନ ଘରେ ରହିବା ପରେ ପତିପତ୍ନୀ ପୁଣି ସହରକୁ ଚାଲିଗଲେ । ସହରକୁ ଗଲେ ସିନା ଆଗଭଳି ହାତରେ ପଇସା ନଥିବାରୁ ସେମିତି ହସଖୁସି ରହିଲା ନାହିଁ । ଖେଡୁର କିନ୍ତୁ ସାହିତ୍ୟ ସାଧନା ଜାରି ରହିଥାଏ । ସାହିତ୍ୟ ସଭା ସହ ଚାକିରି ପାଇଁ ଲଢ଼େଇ ନାଁରେ ଅନ୍ୟପିଲାଙ୍କଠାରୁ ଟଙ୍କା ଆଦାୟ କରି ନିଜ ପରିବାର ପ୍ରତିପୋଷଣ କଲା ଖେଡୁ । ପରେ ଲୋକଲଜ୍ଜା ଭୟରେ ଉଭୟେ ସହର ଛାଡ଼ି ବଡ଼ ସହରକୁ ଚାଲିଗଲେ ।
ଛୋଟ ସହରରୁ ବଡ଼ ସହରକୁ ଦୁହେଁ ଆସିଲେ ସିନା ହେଲେ ଖେଡୁର କିଛି ପରିବର୍ତ୍ତନ ହେଲା ନାହିଁ । କୁକୁର ଲାଙ୍ଗୁଡ଼ ତ! ପ୍ରସିଦ୍ଧ ସାହିତ୍ୟିକଙ୍କ ଗୋଡ଼ତଳେ ପଡ଼ି ବେସରକାରୀ କଂପାନୀରେ ଚାକିରି ଖଣ୍ଡିଏ ପାଇଲା । ପରିବାର ଚଳାଇବାରେ ସମସ୍ୟା ଦେଖା ଦେବାରୁ ଅତିରିକ୍ତ କାର୍ଯ୍ୟ ପାଇଁ ସାହିତ୍ୟିକଙ୍କୁ ତୋଷାମଦ କଲା । ଘରର ପନିପରିବା କିଣାକିଣିଠୁ ଆରମ୍ଭ କରି ଛୁଆକୁ ସ୍କୁଲ ମଧ୍ୟ ନେବାରେ ବି ସଙ୍କୋଚ କଲା ନାହିଁ । ସାହିତ୍ୟିକଙ୍କ ଲେଖାପଢ଼ାରେ ସାହାଯ୍ୟ କରି ଖେଡୁ ତାହା ମଧ୍ୟ ପାଇବାରେ ସଫଲ ହେଲା । ଏଥିପାଇଁ ସାହିତ୍ୟିକ ମହାଶୟଙ୍କ ଫ୍ଲାଇଟ୍ ଟିକଟ୍ ମଧ୍ୟ କରିଛି । ଖେଡୁର ସେମିତି ଲେଖାଲେଖି ଜାରି ରହିଛି । ସାହିତ୍ୟ ସଭା ନାଁରେ ଲୋକଙ୍କଠାରୁ ୨ରୁ ୪ ଶହ ଟଙ୍କା ଆଦାୟ କରି କାର୍ଯ୍ୟକ୍ରମ କରୁଛି ଖେଡୁ ।
କେବଳ ଖେଡୁ ନୁହେଁ, ଏବେ ଅନେକ ସାହିତ୍ୟିକ ସାହିତ୍ୟ କାର୍ଯ୍ୟକ୍ରମ ନାମରେ ବିପୁଳ ପରିମାଣର ଟଙ୍କା ଆଦାୟ କରି ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରୁଛନ୍ତି । ଗୋଟିଏ କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ବର୍ଷସାରା ଚୁପ୍ ରହୁଛନ୍ତି । ଅନ୍ୟପଟେ ଧାଡ଼ିଏ ଅଧ ଧାଡ଼ି ଲେଖି ସାହିତ୍ୟ ପୁରସ୍କାର ପାଉଥିବା ଲେଖକମାନେ ବେଶ୍ ଖୁସି । ପୁରସ୍କାର, ସମ୍ବର୍ଦ୍ଧନା ପାଇଁ କିଛି କିଛି ଲୋକ ଟଙ୍କା ମଧ୍ୟ ଦେଇଥାନ୍ତି । ସାହିତ୍ୟ ସର୍ଜନା, ସାଧନା, ଲେଖାପଢ଼ା ନ କରି ଆଜିକାର ଲେଖକମାନେ ପୁରସ୍କାର ପଛରେ ଧାଉଁଛନ୍ତି । ପ୍ରତିଯୋଗିତା ଚାଲିଛି କିଭଳି ଭାବରେ ଅଧିକ ପୁରସ୍କାର ପାଇ ଫେସବୁକରେ ପୋଷ୍ଟ କରାହେବ । କିନ୍ତୁ କୌଣସି ପୁରସ୍କାର କି ସମ୍ବର୍ଦ୍ଧନା ଲେଖକଙ୍କ ପାଇଁ ସ୍ୱୀକୃତି ନୁହେଁ, କେବଳ ପରିଚିତି । ଉଚ୍ଚକୋଟୀର ଲେଖା, ଉଚାଙ୍ଗ ସାହିତ୍ୟ ସର୍ଜନା କଲେ ପୁରସ୍କାର ଆପେ ଆପେ ପାଖକୁ ଆସିବ ।
ଏତିକିରେ ଖେଡୁର ମନ ବୁଝିଲା ନାହିଁ । ଲେଖକଙ୍କ ଚାହିଦାକୁ ଦେଖି ଖେଡୁ ବହି ପ୍ରକାଶନ ମଧ୍ୟ କଲା । କାରଣ ବହି ପ୍ରକାଶନ ଏବେ ଭଲ ରୋଜଗାରର ମାଧ୍ୟମ ପାଲଟିଛି । ଅନ୍ୟ ପ୍ରକାଶକଙ୍କ ପରି ଖେଡୁ ୫୦୦ବହି ପାଇଁ ୨୫ ହଜାର ଟଙ୍କା ଆଣି ମାତ୍ର ୧୦ରୁ ୨୦ କୋଡ଼ିଏ ଖଣ୍ଡ ବହି ଡିଜିଟାଲ ପ୍ରିଣ୍ଟରେ ବାହାର କରୁଛି । ସୁନ୍ଦର ମଲାଟ ସହ ବହି ଉନ୍ମୋଚନ ଉତ୍ସବ କରି ୫ ହଜାର ଟଙ୍କା ଖର୍ଚ୍ଚ କରି ୨୦ ହଜାର ଟଙ୍କା ଲାଭ କରୁଛି । ପ୍ରକାଶକଙ୍କ ଲୋଭନୀୟ ଅଫରରେ ପଡ଼ି ଜାଣିଶୁଣି ଅନେକ ସାହିତ୍ୟିକ ଲୁଟେଇ ହେଉଛନ୍ତି । ଏଭଳି କାର୍ଯ୍ୟ, ମନୋବୃତ୍ତି ଯୋଗୁଁ ଲୋକଙ୍କ ମଧ୍ୟରେ ସାହିତ୍ୟିକଙ୍କ ପ୍ରତି ବିତୃଷ୍ଣା ଭାବ ସୃଷ୍ଟି ହେଉଛି । କିଛି ପ୍ରକାଶକଙ୍କ ହିନିମାନ କାର୍ଯ୍ୟ ପାଇଁ ସମଗ୍ର ସାହିତ୍ୟ ଜଗତ ବଦ୍ନାମ ହେଉଛି ।
ସାହିତ୍ୟକୁ ସମାଜର ଦର୍ପଣ ବୋଲି କୁହାଯାଏ । ଭଲ ଲେଖା ଦ୍ୱାରା ସମାଜିକ ସ୍ଥିତିରେ ଅନେକ ପରିବର୍ତ୍ତନ ଓ ସଂସ୍କାର ଆସିଥାଏ  । କିନ୍ତୁ ଆଜିକାର ସାହିତ୍ୟିକଙ୍କ କ୍ଷେତ୍ରରେ ତାହା ପରିଲକ୍ଷିତ ହେଉ ନାହିଁ  । କାରଣ ସାହିତ୍ୟ ସର୍ଜନା, ସାଧନା ଅପେକ୍ଷା ଅଧିକାଂଶ ପୁସ୍ତକ ପ୍ରକାଶନ, ପୁରସ୍କାର ଓ ସମ୍ବର୍ଦ୍ଧନା ପଛରେ ଧାଉଁଛନ୍ତି । ଫଳରେ ଓଡ଼ିଆ ଭାଷା ସାହିତ୍ୟ ଋଦ୍ଧିମନ୍ତ ହେବା ପରିବର୍ତ୍ତେ ଅଧୋଗତି ଆଡ଼କୁ ଧାଉଁଛି । ଧୀରେ ଧୀରେ ସାହିତ୍ୟିକଙ୍କ ପ୍ରତି ଲୋକଙ୍କ ଘୃଣା ଭାବ ଦେଖା ଦେଲାଣି । ଏଭଳି ହୀନ ମନୋବୃତ୍ତିରୁ ଦୂରେଇ ନ ରହିଲେ ଆଗାମୀ ଦିନରେ ସାହିତ୍ୟ ଓ ସାହିତ୍ୟିକଙ୍କ ପ୍ରତି ସାଧାରଣଲୋକଙ୍କ ଆସ୍ଥା ତୁଟି ଯିବ ନିଶ୍ଚିତ ।

Leave a Reply