ଲେଖିକା ମଧୁସ୍ମିତା ନାୟକଙ୍କ ଚମତ୍କାର ଗପ ଝରଣା, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ଆନନ୍ଦପୁର ଗ୍ରାମରେ ଚହଳ ପଡିଛି।ଜମିଦାରଙ୍କ ନାତୁଣୀର ଦେହ ଅତ୍ୟନ୍ତ ଖରାପ। କେତେ ଡାକ୍ତର କେତେ ବଇଦ ଫେରିଲେଣି। ଗୁଣିଗାରିଡି ଭାବି ଝଡାଫୁଙ୍କାବି ସରିଲାଣି। ହେଲେ ତାର ଦେହ ଭଲ ହବାର କିଛି ଲକ୍ଷଣ ଦିଶୁନାହିଁ। ଏକଥା ଗାଁ ଶେଷ ମୁଣ୍ଡର ଆଦିବାସୀ ବସ୍ତିରେ ବି ଖବର ପହଞ୍ଚିଥିଲା।ହେଲେ ଝରଣା କାନରେ ବାଜିନଥିଲା। ଜମିଦାରଙ୍କର ୨ ପୁଅ ଥିଲେ। ୨ ଜଣଙ୍କର ଗୋଟିଏ ଲେଖାଏଁ ଝିଅ ବଡପୁଅର ଝିଅ ରୋଜା, ସାନପୁଅର ଝିଅ ରାନୀ।ହେଲେ ,ଦୁହିଁଙ୍କ ଭିତରେ ଆକାଶ-ପାତାଳର ଫରକ। ରାନୀ, ରୋଜା ସବୁବେଳେ ବସ୍ତି ପାଖ ପଦ୍ମ ପୋଖରି ପାଖକୁ ଯାଆନ୍ତି ବୁଲିବାକୁ। ସ୍ଥାନଟି ବହୁତ ମନୋରମ ଜଙ୍ଗଲୀ ଫୁଲ-ଫଳ, ବଡ ବଡ ପଥର ଖଣ୍ଡ, ଝରଣା ସାଙ୍ଗକୁ ବିଭିନ୍ନ ପ୍ରକାର ଗଛ ତା ସହ ସବୁଠୁ ଆକର୍ଷଣୀୟ ପଦ୍ମପୋଖରୀ। ରୋଜା ଭାରି ପ୍ରକୃତିପ୍ରେମୀ , ହେଲେ ରାନୀକୁ ବିଲକୁଲ ପସନ୍ଦ ନୁହେଁ ସେ ଜାଗା। କାହିଁକି ନା ସେଇଠି ଆଦିବାସୀ ବସ୍ତି ହେଲେ, ବାଧ୍ୟରେ ଯାଏ। ଏମିତି ଦିନେ ଫେରିବା ବାଟରେ ରୋଜାକୁ କାହାର କାନ୍ଦ ଶୁଭିଲା,ରାନୀକୁ କହିଲା ଯିବାକୁ କିନ୍ତୁ ରାନୀ ଗଲା ନାହିଁ। ରୋଜା ରହିପାରିଲା ନାହିଁ ଯାଇ ଦେଖେ ତ ଜଣେ ଲୋକ ଛାତିରେ ବହୁତ ଯନ୍ତ୍ରଣା ପାଉଛି। ଆଉ ତାର ପରିବାର ଲୋକେ କାନ୍ଦୁଛନ୍ତି। କେହି ଡାକ୍ତରଖାନା ନବା ଅବସ୍ଥାରେ ନାହାନ୍ତି। କାରଣ ତାଙ୍କ ପତ୍ନୀ ଜଣେ ଅନ୍ଧୁଣୀ, ଆଉ ତାଙ୍କର ୫ -୭ ବର୍ଷର ଝିଅଟେ। କଣ କରିବ ଭାବୁ ଭାବୁ ତା ପଡିଶା ଲୋକ କାନ୍ଦ ଶୁଣି ଧାଇଁ ଆସିଲେ।ହେଲେ ରୋଜା ତ ଜମିଦାର ଘରର ଝିଅ, ଆଉ ଉଚ୍ଚ ଶିକ୍ଷିତା। ତା ନିଜ ବୁଦ୍ଧିରେ ପାଖରେ ଥିବା ଫୋନରୁ ଆମ୍ବୁଲାନ୍ସକୁ କଲ କରି ଡାକିଲା। ଆଉ ତାକୁ ଧରିଧରି ଆଣି ଗାଡିରେ ବସେଇ ଡାକ୍ତରଖାନା ପଠେଇ ଘରକୁ ଫେରିଲା। ରାନୀ କିନ୍ତୁ ରୋଜା ଆଗରୁ ଘରକୁ ଆସିସାରିଥିଲା। ଜମିଦାର ବାବୁ ଭାରି ରାଗି ଲୋକ। ରୋଜାକୁ ଦୁଆରେ ଅଟକାଇ ଦେଲେ। ଛିଡା ହୋ ସେଇଠି,ଏତେବେଳ ଯାଏଁ କୋଉଠି ଥିଲୁ। କିଛି ନକହି ନୀରବରେ କିଛି କ୍ଷଣ ଛିଡା ହେଲା ରୋଜା। ଜେଜେ ପାଖବସ୍ତିରେ ଜଣଙ୍କ ଦେହ ବହୁତ ଖରାପ ଥିଲା ତା କାନ୍ଦ ଶୁଣି ଯାଇଥିଲି। ହଉ ହଉ ଆଉ ଯିବୁନି ସେଠିକି ଭିତରକୁ ଯାଆ। ରାନୀ କିନ୍ତୁ ଜେଜେଙ୍କୁ ମିଛ-ସତ କରି କହିଥାଏ। ରାଗଥାଏ ଜମିଦାର ବାବୁଙ୍କର ବସ୍ତିର ସେ ଲୋକ ଉପରେ। ପରଦିନ ବାହାରିଲେ ବସ୍ତି ଅଭିମୁଖେ। ସେଠାରୁ ସେ ଲୋକକୁ ଆଣି ବହୁତ ଦଣ୍ଡଦେଲେ, ଦୋଷ କେବଳ ଏତିକି ତାଙ୍କ ନାତୁଣୀ ଠାରୁ ସାହାଯ୍ୟ ପାଇବା।ରୋଜାକୁ ଏକଥା ଜଣାନଥାଏ। ରାନୀ ଆଉ ରୋଜା ସହ ଆସିଲାନି, ରୋଜା ସେ ଲୋକର ଭଲମନ୍ଦ ବୁଝିବାକୁ ଗଲା ବେଳକୁ ବାହାରେ ତାଙ୍କ କୁନିଝିଅଟି କାନ୍ଦୁଛି। ରୋଜା ଭାବିଲା କିଛି ଅସୁବିଧା ହେଇଯାଇନି ତ ଆଉ। ଝିଅ କଣ ହେଇଛି ତୋ ବାପା କେଉଁଠି? ଘରେ ଅଛନ୍ତି। ତୋ ନା କଣ? ଝରଣା ଡାକନ୍ତି। ବାପାଙ୍କ ଦେହ ଭଲ ହେଇଯିବ ତୁ କାନ୍ଦେନି। ଝରଣା କିନ୍ତୁ ସବୁ କହିବାକୁ ଯାଉଥିଲା ରୋଜାକୁ। ସେତିକିବେଳେ ଝରଣାର ମା ତାକୁ ଅଟକାଇଲା। କହିଲା ମା ଏବେ ସବୁ ଭଲଅଛି। ତୁମେ ଯାଅ। ତୁମକୁ କେହି ଦେଖିଲେ କଣ କହିବେ?ଆମେ ତ ଅଛୁଆଁ ଆଦିବାସୀ। ହେଲେ ରୋଜା ଏସବୁକୁ ନୁହେଁ ମାନବିକତାକୁ ଅଧିକ ଗୁରୁତ୍ବ ଦିଏ। ରୋଜା ସେଠାରୁ ଚାଲି ଆସିଲା। ଏମିତି ଦିନେ ଗୋଟେ ଉଚ୍ଚା ପାହାଡ ଉପରେ ବସି ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥାଏ ରୋଜା ହଠାତ୍ ତଳକୁ ଖସିବାକୁ ଲାଗିଲା ତଳେ ପ୍ରବଳ ପାଣିକୁ ଛୋଟବଡ ପଥର ଖଣ୍ଡ।ଚିତ୍କାର କରିବାରୁ ଝରଣାକୁ ଶୁଭିଲା ସେ ସେଇ ପାଖ ଜଙ୍ଗଲରୁ କାଠ ଯୋଗାଡ କରୁଥିଲା। ଧାଇଁ ଆସି କାଠବନ୍ଧା ରସିକୁ ଫିଙ୍ଗିଲା, ରସିକି ଧର ଦିଦି। ତା ପରେ ରୋଜା ରସିକୁ ଧରି ଗୋଟେ ପଥର ସାହାରାରେ ଅଧାରେ ଲାଖି ରହିଥାଏ। ଆଖପାଖରେ କେହି ଦିଶୁ ନାହାନ୍ତି। ବହୁତ ଚେଷ୍ଟାକଲା ଝରଣା ଉପରକୁ ଟାଣିବାକୁ ହେଲେ ସେ ତ ଛୋଟ ଛୁଆ କେମିତି ଟାଣି ପାରିବ , ତଥାପି ହାର ମାନୁନଥାଏ ହାତ ତାର ରକ୍ତ ଜୁଡୁବୁଡୁ ହେଇ ଗଲାଣି। ନଜର ପଡିଲା ପାଖରେ ଥିବା ବଡ ଗଛ ଉପରେ ସେଥିରେ ରସିକୁ ବାନ୍ଧି ଧାଇଁଲା ବସ୍ତିକୁ ଡାକି ଆଣିଲା ଲୋକଙ୍କୁୁ। ସେମାନେ ରୋଜାକୁ ଉଦ୍ଧାର କଲେ। ହେଲେ ରୋଜାକୁ ଅନୁରୋଧ କଲେ ଏ କଥା ଜମିଦାରଙ୍କୁ ଜଣେଇବେ ନାହିଁ। ହେଲେ ଆପଣମାନେ ମୋ ଜୀବନ ବଞ୍ଚେଇଛନ୍ତି ଏକଥା କହିବିନି କାହିଁକି??
ଆପଣ ଜାଣିଛନ୍ତି ଯିଏ ଆପଣଙ୍କ ଜୀବନ ବଞ୍ଚେଇଛି ତା ବାପା ମାସକ ତଳୁ ଆରପାରିକୁ ଚାଲି ଗଲାଣି। ତାଙ୍କ ଦେହ କଣ ଠିକ୍ ହେଲାନି? ଦେହ ତ ଭଲ ହେଇ ଯାଇଥିଲା ତାକୁ ଆପଣଙ୍କ ଉପକାର ମାରିଦେଲା। ରୋଜା ପୁରା ଆଶ୍ଚର୍ଯ୍ୟ ହେଇଗଲା। ଏ କେମିତି କଥା କହୁଛନ୍ତି ଆପଣ?ଆମେ ତ ଗରିବ ଆଦିବାସୀ ଆପଣଙ୍କଠାରୁ ସାହାଯ୍ୟ ନେବା ଆମର ପାପ। ଆପଣ ଯିବାର ପରଦିନ ଜମିଦାରଙ୍କ ଲୋକମାନେ ତାକୁ ମାରି ମାରି ଦରମରା କରି ଦେଇଗଲେ।ଆଉ ଆପଣଙ୍କୁ ନଜଣେଇବାକୁ କହିଥିଲେ। ଆପଣ ଯିବାର ଦିନକ ପରେ ସେ ଚାଲିଗଲା।ସେଦିନ ଆପଣଙ୍କୁ ଝରଣା ସବୁ କହିବାକୁ ଯାଉଥିଲା ତା ମା ଅଟକେଇଦେଲା।ଏବେ ଯଦି ଜାଣିବେ ଆପଣଙ୍କୁ ଆମେମାନେ ଛୁଇଁଛୁ। ତାହାଲେ ଆମକୁ ମାରିଦେବେ। ଏ ପିଲାଟି ଖେଳ କୁଦ କରିବା ବୟସରେ ଅନ୍ଧୁଣି ମା’ସହ ନିଜ ପେଟକୁ ଦାନା କାଠ ବିକି ଯୋଗାଡୁଛି।କେବେକେବେ ଉପାସ ବି ରହୁଛନ୍ତି। କୁନିଝିଅକୁ କୁଣ୍ଢେଇ କାନ୍ଦି ପକାଇଲା ରୋଜା। କଥା ଦେଲା ତାକୁ ସେ ନ୍ୟାୟ ଦବ ତା’ର ସବୁ ଦାୟୀତ୍ବ ନବ। ତା ପରେ ଘରକୁ ଫେରି ଜେଜେଙ୍କୁ ପଚାରିଲା ଖୁବ୍ ଜୋରେ ରାଗିଲା। ହେଲେ ସେଇ କାରଣରୁ ରୋଜାକୁ ମିଳିଲା ଗୃହବନ୍ଦୀ। ଆଉ ଯାଇପାରିଲାନି ବସ୍ତିକୁ। କିଛିଦିନ ପରେ ତାକୁ ବାହାରକୁ ପଢିବାକୁ ପଠେଇ ଦେଲେ। ୟା ଭିତରେ ଦଶ ବରଷ ବିତିଯାଇଛି।
ରାନୀ ଅତ୍ୟନ୍ତ ଅମାନୁଷିକ।କେବେ ନିଜ ଛଡା କାହା କଥା ଚିନ୍ତା କରେନି। ଝରଣାର ଯଦି ସବୁକିଛି ଲୁଟିଥାଏ ତେବେ ରାନୀ ପାଇଁ। ରାନୀର ଦେହ ବହୁତ ଅସୁସ୍ଥ। ଜର ବିଲକୁଲ୍ କମୁନି,ବାନ୍ତି ଲାଗି ରହୁଛି।ଦେହର ଯନ୍ତ୍ରଣା ମଧ୍ୟ ଅସହ୍ୟ।ରୋଜା ଡାକ୍ତରୀ ପଢାସାରି ସହରରେ ଡାକ୍ତର ହେଲାଣି।ରାନୀ କଥା ଶୁଣି ସେ ଗାଁକୁ ଆସିଛି। କିଛିଦିନ ପରେ ଜଣା ପଡିଛି ତାର ଆଖିକୁ ଠିକରେ ଦିଶୁନି, ୨କିଡନି ୮୦%ନଷ୍ଟ ହେଇ ସାରିଛି ଆଉ ହାର୍ଟ ସର୍ଜରୀ ଆବଶ୍ୟକ ହେଲେ ସଫଳ ହବାର ଆଶା କମ୍।ଏମିତି ମନ ଭଲ ନଲାଗିବାରୁ ରୋଜା ତାର ପ୍ରିୟ ଜାଗାକୁ ବୁଲି ବାହାରିଲା। ଦଶ ବର୍ଷ ପରେ ଆସିଛି କିଛିକାଂଶରେ ପରିବର୍ତ୍ତନ ଲାଗୁଛି ସେଠାକାର ପରିବେଶ। ଗୋଟେ ୧୬-୧୭ ବର୍ଷର ଝିଅକୁ ପୋଖରୀ ପାଖରେ ଏକା ବସିଥିବାର ଦେଖି ତା ପାଖକୁ ଗଲା।ପଚାରିଲା ତମେ କଣ ଏ ବସ୍ତିର ଝିଅ? ରୋଜାକୁ ନଦେଖି ତଳକୁ ମୁହଁପୋତି ହୁଁ ମାରିଲା ଝରଣା।ଝରଣାକୁ ଜାଣିଛ?
ଏବେ ସିଏ କୋଉଠି?
ଏବେ ଝରଣା ବୁଲି ଚାହିଁଲା,ଦିଦି ତମେ!!
ଏତେଦିନ ପରେ କୁଆଡେ ଆସିଛ?
ମତେ ନ୍ୟାୟ ମିଳି ସାରିଲାଣି ଆଉ ଆପଣଙ୍କ ସାହାଯ୍ୟ ଦରକାର ନାହିଁ।
ତୁ ଝରଣା!!
ହଁ ଦିଦି ସେଇ ଝରଣା। ଯାହାର ପଥ କେବଳ ନିମ୍ନଗାମୀ। ଯିଏ କାନ୍ଦିଲେ ସଭିଏଁ ଖୁସି ପାଆନ୍ତି।ତାର ଲୁହକୁ ଉପଭୋଗ କରି ଚାଲି ଯାଆନ୍ତି। ଏମିତି କହନି ତୁ ,ମତେ ଏଠାରୁ ବାହାରକୁ ପଠେଇ ଦିଆଗଲା। ମତେ କ୍ଷମା କରିଦେ ତୁ। ମୁଁ ନିଜକୁ ବହୁତ ଧିକ୍କାର କରିଛି। ତୋ ପାଇଁ ମୁଁ କିଛି କରିପାରିନି। ତୋ ମା ଏବେ କୋଉଠି? ସେ ବି ମତେ ଛାଡି ଚାଲିଗଲା। କେମିତି??
ଜାଣିନି ମୁଁ? ହେଲେ ମତେ ଖୋଜି ଖୋଜି ଆସି ଏଇ ପୋଖରୀରେ ପଡି ମରିଗଲା ବୋଲି କହିଲେ ମତେ। ସେବେଠୁ ମୁଁ ଏଇ ପୋଖରୀ ପାଖରେ ଆସି ତାକୁ ଡାକେ,ମୋ ମନକଥା କହେ ,କାନ୍ଦେ ଆଉ ଫେରିଯାଏ। ତମେ କାହିଁକି ଆସିଛ ଦିଦି। ମୋ ସାନ ଭଉଣୀ ରାନୀ ଏବେ ମୃତ୍ୟୁ ସହ ଲଢୁଛି।ତାର ଅନେକ ଅଙ୍ଗ ନଷ୍ଟ ହେଇଗଲାଣି। କେହି ଯଦି ନିଜର ଅଙ୍ଗ ଦାନ କରେ ତେବେ ସିଏ ଭଲ ହେଇପାରେ। କେହି ରାଜି ହେଉନାହାନ୍ତି, କେଉଁଠୁ ମିଳୁନାହିଁ। ସେଥିପାଇଁ ମନ ଭଲ ସେଥିପାଇଁ ମନ ଭଲ ଲାଗୁନଥିଲା ଚାଲି ଆସିଲି। କାଲି ଆସିବି ତୁ ଆସିବୁ,ତା ପରେ ଉଭୟ ଫେରିଗଲେ ନିଜ ନିଜ ଘରକୁ। ରାତି ସାରା ଝରଣାକୁ ନିଦ ନାହିଁ। ନିଜ ଲୋକଙ୍କୁ ହରେଇବାର ଦୁଃଖ ସେ ଭଲରେ ଜାଣିଛି। ସେ ଏକା ବଞ୍ଚିଛି ସିନା କିଛି ମୂଲ୍ୟ ନଥିବା ପରି। ଏମିତି ଭାବୁ ଭାବୁ ଭାବିଲା ମୋର ତ କେହାନାହିଁ, କାହାପାଇଁ ବଞ୍ଚିବି ମୁଁ ଯଦି ରାନୀର ବଞ୍ଚେଇ ପାରନ୍ତି?? ପୁଣି ମନେ ପଡିଲା ସେ ଅଛୁଆଁ,ତା ଶରୀର ଅପବିତ୍ର ,ସେ କେମିତି ଅଙ୍ଗଦାନ କରିପାରିବ??
ୟା ଭିତରେ ଜମିଦାର ଘୋଷଣା କରିଛନ୍ତି ଯିଏ ତାର ଜୀବନ ଦେଇ ରାନୀର ଜୀବନ ବଞ୍ଚେଇବ ତା ପରିବାରର ସମସ୍ତ ଦାୟୀତ୍ବ ସେ ନେବେ।କେହିବି ଆଗକୁ ଆସିଲେନି।ଝରଣା ଦୂରରୁ ସବୁ ଶୁଣୁଥାଏ।ଭାବିଲା ଯଦି କାହାକୁ ନଜଣେଇ ସେ ତାର ଅଙ୍ଗଦାନ କରିପାରନ୍ତିନି?
ଏମିତି ଭାବି ଜମିଦାରଙ୍କ ଘର ଆଗରେ ଲୁଚି ରହିଲା।ଯେତେବେଳେ ଡାକ୍ତର ବାହାରକୁ ଆସିଲେ ତାଙ୍କ ପାଖକୁ ଆସି ସେ ରାନୀ ପାଇଁ ସବୁ ଅଙ୍ଗ ଦାନ କରିବ ବୋଲି କହିଲା।ଡାକ୍ତର ପଚାରିଲେ ତୁମର ଦୁନିଆଁ ଆରମ୍ଭ ହୋଇନି ତମେ କାହିଁକି ଚାହୁଁଛ?? ଏମିତି କି ଅସୁବିଧା ଅଛି ତୁମର। ଘରେ କିଏ କିଏ ଅଛନ୍ତି? ସବୁଥଲେ ଏବେ ନାହାନ୍ତି ଆପଣ ଚାହିଁଲେ ମୋ ପରିବାର ମତେ ମିଳି ଯାଆନ୍ତା।
ବୁଝି ପାରିଲିନି ଝିଅ। ଡାକ୍ତରବାବୁ ସେଇ ଆକାଶରେ ମତେ ଅପେକ୍ଷା କରିଛନ୍ତି ମୋ ବାପା,ମା। ମୁଁ ସେଠିକି ଯିବି।ଆପଣ ଚାହିଁଲେ ରାନୀ ଦିଦି ଭଲ ହେଇଯିବେ ଆଉ ମୁଁ ମୋ ବାପା,ମାଙ୍କ ପାଖକୁ ଯାଇପାରିବି। ହେଲେ ଏକଥା କାହାକୁ ନକହିବାକୁ କହିଲା।କାରଣ ସେ ଅଛୁଆଁ ।ଏକଥା ଜାଣିଲେ ସେମାନେ ରାଜି ହେବେନି। ଡାକ୍ତରବାବୁ ଅଜଣାତେ କାନ୍ଦି ପକେଇଲେ,ତାକୁ ସାଥିରେ ନେଇ ଚାଲିଗଲେ।ଜମିଦାର ବାବୁଙ୍କ ଘରେ ସମସ୍ତେ ଖୁସି ଡୋନର ମିଳିଗଲା ଶୁଣି। ରୋଜା ଜାଣିବାକୁ ଚାହିଁଲା କିଏ ଇଏ ଯିଏ ନିଜ ଜୀବନ ମୋ ଭଉଣୀକୁ ଦାନ କରୁଛି।ଡାକ୍ତରଙ୍କୁ ଅନେକ ପଚାରିବା ପରେ ବିଫଳ ହେଲା। ସେ ଡାକ୍ତରଖାନାକୁ ଗଲା ନଜର ପଡିଲା ଗୋଟେ ରୁମ ଉପରେ ଦେଖେ ତ ଝରଣା ଗୋଟେ ବେଡରେ ଶୋଇଛି ତା ପାଖକୁ ଗଲା କଣ ହେଇଛି ଜାଣିବାକୁ।ଝରଣା କହିଲା ଦିଦି ମୁଁ ବଞ୍ଚିବିନି ଡାକ୍ତର କହୁଛନ୍ତି। ତୋର କିଛି ହବନି ତତେ ମୁଁ ଭଲ କରିବି।ରୋଜାଙ୍କୁ ଡାକ୍ତର ରାନୀ କଥା କହି ସେଠାରୁ ଡାକିନେଲେ।ବ୍ୟସ୍ତ ହବୁନି କହି ରୋଜା ସେଠାରୁ ଗଲେ ସତ। ମନେ ମନେ ଭାବିଲେ ଭଗବାନ ମତେ ସୁଯୋଗ ଦେଇଛନ୍ତି ମୋ ଭୁଲର ପ୍ରାୟଶ୍ଚିତ ପାଇଁ। ଝରଣାକୁ ମୁଁ ଯେମିତି ହେଲେ ବଞ୍ଚେଇବି। ତା ପରେ ରାନୀର ଅପରେସନ୍ ହେଲା। ସେ ଏବେ ପୁରା ସୁସ୍ଥ।ରୋଜା ଝରଣାକୁ ଖୋଜିଲା।ଦେଖିଲା ସେ ବି ଆଖି ବୁଜିଦେଲା,ତାକୁ ଅପେକ୍ଷା କରି କରି। ଭାଙ୍ଗି ପଡିଲା ରୋଜା।ଆମ୍ବୁଲାନସରେ ତା ଶବ ନେଇ ଆସିବାକୁ ବାହାରିଲା। ସାଥିରେ ରାନୀ ଥିଲା। ରାନୀ ସେ ଅଛୁଆଁର ଶବ ସହ ଯିବାକୁ ମନା କରିଦେଲା। ଏସବୁ ଡାକ୍ତର ଦେଖୁଥାନ୍ତି। କହିଲେ ସେ ଯଦି ଅଛୁଆଁ ତେବେ ଏବେ ତୁମେବି ଅଛୁଆଁ। ଅବାକ୍ ହେଇ ଚାହିଁରହିଲେ ଦୁଇ ଭଉଣୀ।ରୋଜା ଡାକ୍ତରଙ୍କୁ ପଚାରିଲା ଏ କଣ କହୁଛନ୍ତି?? ହଁ ମୁଁ ଯାହା କହୁଛି ଠିକ୍ କାରଣ ଝରଣା ତାର ପ୍ରତ୍ୟେକ ଅଙ୍ଗ ରାନୀକୁ ଦାନ କରି ନୂଆ ଜୀବନ ଦେଇ ନିଜେ ଶବ ପାଲଟିଛି। ଆଉ ସେ ଏଇ ଛୁଆଁ ଅଛୁଆଁ ଭେଦଭାବ ପାଇଁ ମତେ ପରିଚୟ ଲୁଚେଇ ରଖିବାକୁ ବାଧ୍ୟ କରିଥିଲା।
ଏବେ ରାନୀ ଲାଜରେ ବୁଡିଗଲା, ନିଜର କୁମାନସିକତାକୁ ଧିକ୍କାର କଲା।ଆଉ ତା ମା’କୁ ସେ ହିଁ ପୋଖରୀକୁ ଠେଲିଥିଲା ବୋଲି ସ୍ବୀକାର କଲା। ୨ଭଉଣୀ ତା’ର ଶବକୁ ଗାଁରେ ନେଇ ପହଞ୍ଚିଲେ।ଏକଥା ଦେଖି ଜମିଦାର ବାବୁ ଖୁବ୍ ଜୋରେ ରାଗିଗଲେ।ରୋଜାଠାରୁ ସବୁ ଶୁଣିବା ପରେ ବୁଝିପାରିଲେ ନିଜର ଭୁଲ୍। ଯାହା ଜୀ୍ବନର ସବୁକିଛି ସେ ଛଡେଇ ନେଲେ। ସେ ହିଁ ତାଙ୍କ ନାତୁଣୀକୁ ଜୀବନ ବଞ୍ଚେଇଲା।ସେ ବି ନିଜକୁ ଧିକ୍କାର କଲେ।ଝରଣାର ପ୍ରତିମୂର୍ତ୍ତି ସ୍ଥାପନ କଲେ। ଗାଁରୁ ବାଛ ବିଚାର ଉଠେଇ ସମସ୍ତେ ଏକହେଇ ଚଳିଲେ। ବୁଝିଲେ ଧନ, ପ୍ରତିଷ୍ଠା,ବଳ ମଣିଷର ସୁଖ କିଣିପାରେନି। କାହାକୁ ନିଜ ଅହଂକାର ପାଈଁ ଦଣ୍ଡ ଦବା ଅପରାଧ। ତାହା ନିଜକୁ ଭୋଗିବାକୁ ଅବଶ୍ୟ ପଡେ।ମଣିଷ କେବଳ ଖାନଦାନ,ଧନ,ବୟସରେ ବଡହେଲେ, ସେ ବଡ ହେଇପାରେନା। ଝରଣା ସାନହେଇବି ତା ବଡପଣିଆରେ ସମସ୍ତଙ୍କର ଆପଣାର ହେଇପାରିଲା।ସାନ ସିନା ଦାନ ତା ମହାନ।ଜାତି, ଧର୍ମ, ଧନ,ବଳ,ପ୍ରତିଷ୍ଠା ସବୁଠୁ ଉର୍ଦ୍ଧ୍ବରେ ମାନବିକତା।ମାନବିକତାର ଅଭାବ ହିଁ ପ୍ରତ୍ୟେକ ଅନର୍ଥର କାରଣ।ବିପଦବେଳେ ଶତ୍ରୁ,ମିତ୍ର ବିଚାର ନକରି ତାକୁ ସାହାଯ୍ୟ କରିବା ଆମର ଦାୟୀତ୍ବ ହେବା ଉଚିତ୍।ପ୍ରଥମେ ଆମେ ସମସ୍ତେ ମନୁଷ୍ୟ। ଭଲ ମଣିଷ ହେଇପାରିଲେ ଜୀବନ ସାର୍ଥକ ହୁଏ। ଯାହା ଅନ୍ୟକିଛି ପ୍ରାପ୍ତିରେ ମିଳିନଥାଏ।

Leave a Reply