ବଲାଙ୍ଗିରରେ କରୋନା ସ୍ଥିତି ଜଟିଳ: ୧୧୬ ଛୁଇଁଲା ରୋଗୀ ସଂଖ୍ୟା, ପଶ୍ଚିମ ଓଡ଼ିଶାରେ ୪୨୫କୁ ବୃଦ୍ଧି

ଓଡ଼ିଶାବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ବଲାଙ୍ଗିର ଜିଲ୍ଲାରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ପ୍ରତିଦିନ ନୂଆ ନୂଆ ରୋଗୀ ଚିହ୍ନଟ ହେବା ସହ ପ୍ରାୟ ସବୁ ବ୍ଲକକୁ ବ୍ୟାପି ଗଲାଣି। ତେବେ ଆଜି ୧୧ ନୂଆ ରୋଗୀ ଚିହ୍ନଟ ସହ ଜିଲ୍ଲାରେ ମୋଟ ରୋଗୀ ସଂଖ୍ୟା ୧୧୬କୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ଝାରସୁଗୁଡ଼ା ଜିଲ୍ଲାରେ ୧ ଓ ନୂଆପଡାରେ ୮ ରୋଗୀ ଚିହ୍ନଟ ହୋଇଛନ୍ତି।


କେବଳ ବଲାଙ୍ଗିର ଜିଲ୍ଲା ନୁହେଁ, ସାରା ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହେଲାଣି। ଆଜି ଗୋଟିଏ ଦିନରେ ୧୯ ନୂଆ ରୋଗୀ ଚିହ୍ନଟ ହେବା ପରେ ପଶ୍ଚିମ ଓଡ଼ିଶାରେ ମୋଟ ଆକ୍ରାନ୍ତ ସଂଖ୍ୟା ୪୨୫କୁ ବୃଦ୍ଧି ପାଇଛି। ସେମଧ୍ୟରୁ ୧୮୦ ଜଣ ସୁସ୍ଥ ହୋଇଥିବା ବେଳେ ୨୪୫ ରୋଗୀ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।


ଏବେ ଆସନ୍ତୁ ନଜର ପକାଇବା ପଶ୍ଚିମ ଓଡ଼ିଶାର କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ ହୋଇଛନ୍ତି। ପ୍ରଥମେ ଯିବା ବଲାଙ୍ଗିର ଜିଲ୍ଲା। ଏବେ ସୁଦ୍ଧା ଏଠାରେ ୧୧୬ ରୋଗୀ ଚିହ୍ନଟ ହୋଇଛନ୍ତି। ୩୮ ସୁସ୍ଥ ହୋଇଥିବା ବେଳେ ୭୮ ସକ୍ରିୟ ରହିଛନ୍ତି। ତାତଳକୁ ରହିଛି ସୁନ୍ଦରଗଡ଼ ଜିଲ୍ଲା। ଏଠାରେ ଚିହ୍ନଟ ୮୧ ରୋଗୀ ମଧ୍ୟରୁ ୪୦ ସୁସ୍ଥ ହୋଇଥିବା ବେଳେ ୪୧ ସକ୍ରିୟ ରହିଛନ୍ତି। ସେହିପରି ନୂଆପଡ଼ା ଜିଲ୍ଲାରେ ୬୮ ମଧ୍ୟରୁ ୧୪ ସୁସ୍ଥ, ୫୪ ସକ୍ରିୟ ରହିଛନ୍ତି। ବୌଦ୍ଧରେ ୩୪ରୁ ୩୩ ସୁସ୍ଥ, ୧ ସକ୍ରିୟ, ଦେବଗଡରେ ୩୩ରୁ ୨୪ ସୁସ୍ଥ, ୯ ସକ୍ରିୟ, କଳାହାଣ୍ଡିରେ ୨୭ରୁ ୧୫ ସୁସ୍ଥ, ୧୨ ସକ୍ରିୟ, ସୋନପୁରରେ ୨୬ରୁ ୩ ସୁସ୍ଥ, ୨୩ ସକ୍ରିୟ, ବରଗଡ଼ରେ ୧୬ରୁ ୨ ସୁସ୍ଥ, ୧୪ ସକ୍ରିୟ, ସମ୍ବଲପୁରରେ ୧୬ରୁ ୫ ସୁସ୍ଥ, ୧୧ ସକ୍ରିୟ ଏବଂ ଝାରସୁଗୁଡ଼ାରେ ଚିହ୍ନଟ ୮ ମଧ୍ୟରୁ ୬ ସୁସ୍ଥ ହୋଇଥିବା ବେଳେ ୨ ସକ୍ରିୟ ରହିଛନ୍ତି।
ତେବେ କଣ ପାଇଁ ପଶ୍ଚିମ ଓଡ଼ିଶାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ହଜାର ହଜାର ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ପରେ ସ୍ଥିତି ବିଗୁଡୁଥିବା କୁହାଯାଉଛି। ପ୍ରତିଦିନ ଟ୍ରେନ୍ ଓ ବସରେ ଆସୁଥିବା ବେଳେ ଆଗାମୀ ଦିନରେ ଆହୁରି ଲୋକ ଆସିବା ସମ୍ଭାବନା ରହିଛି। ଏବେ ସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଆଗାମୀ ଦିନରେ ସ୍ଥିତି ଅଣାୟତ୍ତ ହେବା ସ୍ଵାଭାବିକ। ତେବେ ଏଭଳି ସ୍ଥିତି ପାଇଁ କିଏ ଦାୟୀ? ପ୍ରଶାସନ, ନେତା ନା ସାଧାରଣ ଜନତା! ଏନେଇ କେହି ବି ମୁହଁ ଖୋଳୁ ନାହାନ୍ତି। ନେତା ମନ୍ତ୍ରୀ ଏକାନ୍ତବାସରେ ଥିବା ବେଳେ ଜିଲ୍ଲା ପ୍ରଶାସନ ସ୍ଥିତିକୁ ସୁଧାରିବା ପରିବର୍ତ୍ତେ ବିଗାଡିବାରେ ଲାଗିଛି। ଅନ୍ୟପଟେ ସାଧାରଣ ଜନତା ନାଚାର। ପରିସ୍ଥିତି ନେଇ ପ୍ରଶ୍ନ କଲେ ସେମାନଙ୍କ କଥା ଉପରେ କେହି ଧ୍ୟାନ ଦେଉ ନାହାନ୍ତି। ଫଳରେ ସାଧାରଣ ଜନତା କେବଳ ଛଟପଟ ହେବା ବ୍ୟତୀତ ଅନ୍ୟ ଉପାୟ ନାହିଁ। କରୋନା ମୁକାବିଲା ନେଇ ଯଦି ନେତା ଓ ଜିଲ୍ଲା ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ ନକରିବେ ତାହେଲେ ଆଗାମୀ ଦିନରେ ଏହି ମହାମାରୀ ଆହୁରି ଭୟଙ୍କର ରୂପ ନେଇପାରେ!

Leave a Reply