ଅଣ୍ଡରୱାଲ୍ଡ ଡନ ଦାଉଦ୍ ଇବ୍ରାହିମ୍ କରୋନାରେ ମୃତ୍ୟୁ ନେଇ ଚର୍ଚ୍ଚା!

ଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ପାକିସ୍ଥାନରେ ଲୁଚିଥିବା ଅଣ୍ଡରୱାଲ୍ଡ ଡନ ଦାଉଦ୍ ଇବ୍ରାହିମ୍ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଏନେଇ କୌଣସି ଅଧିକାରୀକ ସୂଚନା ମିଳି ପାରିନି। ଶୁକ୍ରବାର ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ଦାଉଦ୍ ଓ ତାଙ୍କ ପତ୍ନୀ କରୋନା ସଂକ୍ରମଣ ହୋଇଥିବା ଜଣାପଡିଥିଲା। ରିପୋର୍ଟ ଅନୁସାରେ, ଦାଉଦ୍ ଏବଂ ତାଙ୍କ ପତ୍ନୀଙ୍କୁ କରାଚି ଆର୍ମି ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଦାଉଦଙ୍କ ବ୍ୟକ୍ତିଗତ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ମଧ୍ୟ ସଂଗରୋଧ କେନ୍ଦ୍ରରେ ରଖା ଯାଇଛି।

ତେବେ ଦାଉଦଙ୍କୁ କରୋନା ସଂକ୍ରମିତ ହୋଇଥିବା ରିପୋର୍ଟକୁ ତାଙ୍କ ଭାଇ ଅନିସ୍ ଇବ୍ରାହିମ ଏହାକୁ ଖାରିଜ୍ କରିଛନ୍ତି। ଅନିସ କହିଛନ୍ତି ଯେ, ତାଙ୍କ ଭାଇ ସମେତ ପରିବାରର ସମସ୍ତ ସଦସ୍ୟ ସୁସ୍ଥ ଅଛନ୍ତି ଓ କେହି ବି ମେଡିକାଲରେ ଭର୍ତ୍ତି ହୋଇ ନାହାନ୍ତି। ସୂଚନାଯୋଗ୍ୟ ଯେ, ଅନିସ ଦାଉଦଙ୍କ ଡି କମ୍ପାନୀ ପରିଚାଳନା କରନ୍ତି।

ନ୍ୟୁଜ ସଂସ୍ଥା ଆଇଏଏନଏସ ଅନୁସାରେ, ଦାଉଦଙ୍କ ଭାଇ ଅନିସ ଇବ୍ରାହିମ ଏକ ଅଜଣା ଜାଗାରୁ ଫୋନ୍ କରି କହିଛନ୍ତି ଯେ, ଦାଉଦ୍ ପରିବାରର ସମସ୍ତ ସଦସ୍ୟ ସୁସ୍ଥ ଅଛନ୍ତି। ତାଙ୍କ ପରିବାରର କେହି ବି କରୋନା ଭୂତାଣୁରେ ସଂକ୍ରମିତ ହୋଇ ନାହାନ୍ତି। ଅନିସ ୟୁଏଇରେ ବିଳାସପୂର୍ଣ୍ଣ ହୋଟେଲ୍ ଓ ପାକିସ୍ଥାନରେ ବଡ଼ ନିର୍ମାଣ ପ୍ରକଳ୍ପ ବ୍ୟତୀତ ଟ୍ରାନ୍ସପୋର୍ଟ ବ୍ୟବସାୟ ବି କରୁଛି।

ସୂଚନାଯୋଗ୍ୟ ଯେ, ଦାଉଦ୍ ୧୯୯୩ ମସିହାରେ ମୁମ୍ବାଇ ବମ୍ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିଲା। ଏଥିରେ ୧୩ଟି ବୋମା ବିସ୍ଫୋରଣରେ ୩୫୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏବଂ ୧୨୦୦ ଲୋକରୁ ଅଧିକ ଆହତ ହୋଇଥିଲେ। ଗତ ୨୦୦୩ ମସିହାରେ ଭାରତ ସରକାର ଆମେରିକା ସହ ମିଶି ଦାଉଦକୁ ବାଇଶ୍ଚି ଆତଙ୍କବାଦୀ ଘୋଷଣା କରାଯାଇଥିଲା।

ଏହାପରେ ଦାଉଦଙ୍କୁ ଶରଣ ଦେଇଥିଲା ପାକିସ୍ଥାନ ସେନା। ଭାରତୀୟ ଗୁଇନ୍ଦା ସଂସ୍ଥା ଭୟରେ ସେ ପାକିସ୍ଥାନରେ ଶରଣ ପଶିଥିଲା। କରାଚିରେ ପାକିସ୍ଥାନ ସେନା ଓ ଆଇଏସଆଇ ତାଙ୍କ ସୁରକ୍ଷା ପାଇଁ ନିଯୋଜିତ ରହିଛନ୍ତି। ଏନେଇ ଭାରତ ଅନେକଥର ପ୍ରମାଣ ପେଶ୍ କରିବା ପରେ ମଧ୍ୟ ପାକିସ୍ଥାନ ଏହାକୁ ମନା କରି ଆସୁଛି।

ତେବେ ଏବେ ମହାମାରୀ କରୋନାରେ ପାକିସ୍ଥାନର ସ୍ଥିତି ବେକାବୁ। ସଂକ୍ରମିତ ମାମଲାରେ ପାକିସ୍ଥାନ ଚୀନକୁ ବି ପଛରେ ପକାଇ ଦେଇଛି। ମୋଟ କରୋନା ରୋଗୀ ସଂଖ୍ୟା ୮୨,୨୪୯ ଡେଇଁ ଥିବା ବେଳେ ୧୮୩୮ ଲୋକଙ୍କ ମୃତ୍ୟୁ ଘଟିଛି।

Leave a Reply