କରୋନାକୁ ନେଇ ଲେଖକ ଜ୍ୟୋତି ପ୍ରକାଶ ସାହୁଙ୍କ ସୁନ୍ଦର ଆଲେଖ୍ୟ, “ସଲାମ ବଡ଼ବାବୁ”, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ସମଗ୍ର ପୃଥିବୀରେ ବ୍ୟାପି ଚାଲିଛି ମହାମାରୀ ରୋଗ କରୋନା। କରୋନା କବଳରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ଭାରତର ଜନସଂଖ୍ୟା ଓ ଲୋକମାନଙ୍କର ଭିଡକୁ ଲକ୍ଷ୍ୟ ରଖି ସରକାର ତାଲାବନ୍ଦ ଘୋଷଣା କଲେ ଯାହାର ପ୍ରଭାବରେ ଯାତ୍ରୀବାହୀ ବସ, ଟ୍ରେନ, ଉଡ଼ାଜାହାଜ ସେବା ସବୁ ବନ୍ଦ ହେଇଗଲା। ସିନେମା ହଲ, ଜିମ, ଶପିଂମଲ, ସ୍କୁଲ, କଲେଜ ସବୁ ବନ୍ଦ ହେଇଗଲା। ଲୋକେ ଗୃହ ବନ୍ଦୀ ହୋଇ ରହିଲେ। ତାଲାବନ୍ଦ ଥରେ ନୁହେଁ ବରଂ ଚାରି ଚାରି ଥର ଘୋଷଣା କରାଗଲା। ଶେଷରେ ଦେଶର ଅର୍ଥନୀତିକୁ ଲକ୍ଷ୍ୟ ରଖି ଭାରତ ସରକାର ତାଲାବନ୍ଦ କଟକଣା ଉପରେ କିଛି କୋହଳ ଜାରି କଲେ। ଯାହାଦ୍ୱାରା ଲୋକେ ପୁନଃ ଯାତ୍ରା କରି ପାରିଲେ। ବ୍ୟବସାୟ ମଧ୍ୟ କରିପାରିଲେ।

ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଦାମୋଦର ପ୍ରଧାନ ଯାହାକୁ ଲୋକେ ବଡ଼ବାବୁ ବୋଲି ଡାକନ୍ତି। ଏହି ୫୯ ବୟସ୍କ ବ୍ୟକ୍ତି ଜଣକ ଘର ଭୁବନେଶ୍ୱର ଉପକୂଳ ଅଂଚଳ ମେଦିନାପୁର ଗାଁରେ। ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କ ସେବାରେ ଲାଗିଥାନ୍ତି ଦାମୋଦର। ରାସ୍ତା ଉପରେ ଆସୁଥିବା ପ୍ରବାସୀମାନଙ୍କୁ ସାହାଯ୍ୟର ହାତ ବଢାଇଥାନ୍ତି। ତାଙ୍କର ଏହିଭଳି ସାମାଜିକ କାର୍ଯ୍ୟକ୍ରମ, ବ୍ୟବହାର ଓ ଆଚରଣକୁ ନେଇ ଲୋକମାନେ ତାଙ୍କୁ ବହୁତ ସମ୍ମାନ କରିବା ସହ ବାଟେ ଘାଟେ ଯେଉଁଠି ଦେଖିଲେ “ସଲାମ ବଡ଼ବାବୁ” ବୋଲି ଡାକନ୍ତି। ପେସାରେ ସେ ଜଣେ ସରକାରୀ କର୍ମଚାରୀ। ଅବସର ହେବାକୁ ଆଉ ମାତ୍ର ଛଅ ମାସ ବାକି ଥାଏ। ପରିବାର କହିଲେ ଏକ ମାତ୍ର ଝିଅ ଯାହାର ବାହାଘର ହେଇଯାଇଛି। ସ୍ତ୍ରୀ କୌଣସି ଏକ ଦୁର୍ଘଟଣାରୁ ଆରପାରିକୁ ଚାଲି ଯାଇଛନ୍ତି। ଅନେକଗୁଡ଼ିଏ ଖେତ୍ତିବାଡ଼ିର ସମ୍ପତି ତାଙ୍କ ନାଁରେ ଅଛି। ସେ ଏବେ ଏକା ରୁହନ୍ତି। ମଝିରେ ମଝିରେ ଝିଅ ଜ୍ବାଇଁ ଆସନ୍ତି ତାଙ୍କ କଥା ବୁଝିବା ପାଇଁ। ଝିଅ ତାଙ୍କୁ ତାଗିଦ କରେ ବୟସ ଅଧିକ ହେବାରୁ ଏହି ସବୁ କାମ ବନ୍ଦ କରି ଘରେ ବସିବା ପାଇଁ ହେଲେ, ସେ କେବେ ଘରେ ବସିବାକୁ ଭଲ ପାଆନ୍ତି ନାହିଁ l

କରୋନାରେ ଲୋକେ ହନ୍ତସନ୍ତ ହୋଇ ଜୀବନ ବିତାଉଥିବା ବେଳେ ହଠାତ ମାଡି ଆସେ ଆଉ ଏକ ବିପଦ ମହାବାତ୍ୟା। ଏହି ମହାବାତ୍ୟାରେ ତଳିଆ ଅଂଚଳରେ ରହୁଥିବା ନିମ୍ନ ଶ୍ରେଣୀର ଲୋକଙ୍କ ଚାଳଘର ଉଜୁଡ଼ିଗଲା। ପ୍ରବଳ ବର୍ଷା ଦ୍ୱାରା ଲୋକମାନେ ପାଣିରେ ଭାସିଗଲେ। ପରିବାର ଛାରଖାର ହେଇଗଲା। ପାଣିରେ ଭାସି ବହୁ ଲୋକ ଜୀବନ ହରାଇଥିବା ବେଳେ ଏକ ମାତ୍ର ୧୮ ବର୍ଷର ଝିଅ କିନ୍ତୁ ବଂଚି ଯାଇଥାଏ। ସେ ଭାସି ଆସି ମେଦିନାପୁର ଗାଁ ମୁଣ୍ଡର ଏକ ବରଗଛ ମୂଳେ ଆଶ୍ରୟ ନେଇଥାଏ। ଏପଟେ କରୋନାର ଭୟ ସେପଟେ ପେଟରେ ଭୋକ। ଦୁଇଦିନ ହେଲା ସେ କିଛି ନ ଖାଇ ନ ପିଇ ସେଇ ବରଗଛ ମୂଳେ ବସିଥାଏ।

ବାତ୍ୟା ଥମିଗଲା। ଲୋକମାନେ ବାହାରକୁ ଆସିଲେ। ଗଛ ସବୁ ଭାଙ୍ଗି ପଡିଛି କିନ୍ତୁ ଗାଁର ସେ ପୁରୁଣା ବରଗଛ ଭାଙ୍ଗି ନଥାଏ। ଲୋକେ ସେହି ବରଗଛ ମୂଳେ ଏକ ଚିରା ଡ୍ରେସରେ ସେ ଝିଅ ବସିଥିବା ଦେଖି ଆଶ୍ଚର୍ଯ୍ୟ ହେଇଯାନ୍ତି। ଲାଗୁଥାଏ ସତେ ଯେମିତି କି ତାକୁ କରୋନା ହେଇଯାଇଛି। ଏହା ଭାବି ଲୋକେ ତାକୁ ଏଇଠୁ ଚାଲି ଯିବାକୁ କୁହନ୍ତି।
ଖାଇବା ପାଇଁ ସେ ଝିଅ ଲୋକମାନଙ୍କୁ ନିବେଦନ କରେ କିନ୍ତୁ ନିମ୍ନ ଜାତି ଓ କରୋନା ଭୟରେ ଲୋକେ କେହି ସାହାଯ୍ୟ ନ କରି ତାକୁ ଟେକା ମାଡ କଲେ। ଠିକ ଏହି ସମୟରେ ବଡ଼ବାବୁ ଆସି ଲୋକମାନଙ୍କୁ ବୁଝା ସୁଝା କରି ନିଜ ନିଜ ଘରକୁ ଯିବାକୁ କୁହନ୍ତି। ବଡ଼ବାବୁ ସେ ଝିଅର ଦୁଃଖ ସହି ନପାରି ତାକୁ କିଛି ଖାଇବାକୁ ଦିଅନ୍ତି ଆଉ ପଚାରନ୍ତି – “ତୁ କିଏ? ଏଠାକୁ କେମିତି ଆସିଲୁ?” ସେ ଝିଅ କହେ – “ମୋ ନାଁ ଶକୁନ୍ତଳା। ମୁଁ ନିମ୍ନ ଜାତିର ଝିଅଟେ, ବାତ୍ୟାରେ ଘର ଦ୍ୱାର ସବୁ ଭାଙ୍ଗିଗଲା, ବାପା ମା ମଧ୍ୟ ଚାଲିଗଲେ। ଆଉ ମୁଁ ଏକା ବଂଚିଗଲି।” ଶକୁନ୍ତଳା ବଡ଼ବାବୁଙ୍କୁ ଗୁହାରି କରେ ମୋତେ ବଞ୍ଚାଅ ନହଲେ କରୋନା ଯୋଗୁଁ ଏ ମଣିଷମାନେ ମୋ ଜୀବନ ନେଇଯିବେ।

ବଡ଼ବାବୁ ତା ପାଇଁ ଗାଁଠୁ ଟିକେ ଦୂରରେ ନିଜର ଥିବା ଏକ ଛୋଟ ଜମିରେ ଚାଳଘରଟିଏ ତିଆରି କରିଦେଲେ। ଶକୁନ୍ତଳା ସେ ଚାଳଘରେ ରହିଲା। ତା ପାଇଁ ସବୁଦିନ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଲେ। ବଡ଼ବାବୁଙ୍କର ପ୍ରତିଦିନ ସେ ଝିଅ ପାଖକୁ ଯିବା ଆସିବା ଦେଖି ଲୋକମାନେ ତାଙ୍କୁ ଧୀରେ ଧୀରେ ଖରାପ ଭାବିବାକୁ ଲାଗିଲେ। ଦିନେ ବଡ଼ବାବୁ ହଠାତ ଶକୁନ୍ତଳାକୁ ନିଜର ବିବାହ ପ୍ରସ୍ତାବ ଦେଲେ। ଶକୁନ୍ତଳା ଏହା ଶୁଣି ଆଶ୍ଚର୍ଯ୍ୟ ହେଇଯାଏ ଆଉ କହେ – “ଏହା ସମ୍ଭବ ନୁହେଁ। ମୁଁ ଆପଣଂକର ଝିଅ ବୟସର। ତା ଛଡା ଏ ସମାଜ କଣ ଭାବିବ। ଏହା ଅତ୍ୟନ୍ତ ଘୃଣ୍ୟ କାମ ।” ତା ପରେ ବଡ଼ବାବୁ ତାକୁ ଏକ ଗୁମର କଥା କୁହନ୍ତି ଯାହା ଫଳରେ ଶକୁନ୍ତଳା ଏ ପ୍ରସ୍ତାବରେ ରାଜି ହେଇଯାଏ। ବଡ଼ବାବୁ ଶକୁନ୍ତଳାକୁ ମନ୍ଦିରରେ ବାହାହେଲେ। ଗାଁ ଲୋକେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ। ତା ପରେ ବଡ଼ବାବୁଙ୍କୁ ସମସ୍ତେ ନିନ୍ଦା କଲେ ଏମିତି କି ସେ ଯାଉଥିବା ରାସ୍ତାରେ ଲୋକେ ତାଙ୍କୁ ସଲାମ ନ କରି କମେଣ୍ଟ ମାରି କହୁଥିଲେ – “ଛି ଛି ଲଜ୍ଜା ଲାଗୁନି! ଗୋଟିଏ ଝିଅ ବୟସର ପିଲାଟାର ରୂପ ଦେଖି ତାକୁ ବାହା ହେଇଗଲ, ସେ ପୁଣି ନିମ୍ନ ଜାତିର!” ବଡ଼ବାବୁ ସେମାନଙ୍କୁ କିଛି ନ କହି ସିଧା ଚାଲିଯାନ୍ତି। ବଡ଼ବାବୁ ଏମିତି କାମ କରିବେ ବୋଲି ଲୋକମାନେ କେବେ ଭାବି ନଥିଲେ। ବାସ୍ତବରେ ଏହାର ରହସ୍ୟ କଣ? ବଡ଼ବାବୁ ଏମିତି କାହିଁକି କଲେ? ଏ ସବୁ ପ୍ରଶ୍ନର ଉତ୍ତର ବଡ଼ବାବୁ କାହାରିକୁ ଦେଉନଥିଲେ। ଏପଟେ ବଡ଼ବାବୁଙ୍କ ଝିଅ ବାପାଙ୍କର ଏପରି କଳେଙ୍କାରୀ କାମକୁ ନିନ୍ଦା କରି ସବୁଦିନ ପାଇଁ ସମ୍ପର୍କ ଛିନ୍ନ କରେ ଆଉ ସମ୍ପତ୍ତିର ଭାଗ ନବା ପାଇଁ ଜିଦ ଧରେ।

ସୀତାରାମ ଘଡେଇ, ବଡ଼ବାବୁଙ୍କର ଘନିଷ୍ଠ ବନ୍ଧୁ ଏମିତି କି କୃଷ୍ଣ ସୁଦାମାଙ୍କ ସମ୍ପର୍କ କହିଲେ କିଛି ଭୁଲ ହେବ ନାହିଁ। ବଡ଼ବାବୁ ତାଙ୍କର ସମସ୍ତ ଗୋପନୀୟ କଥା ତାଙ୍କୁ ହିଁ କୁହନ୍ତି। ଏହି ବିବାହର ରହସ୍ୟ ମଧ୍ୟ ସୀତାରାମଙ୍କୁ ହିଁ କହିଥିଲେ କିନ୍ତୁ ସୀତାରାମଙ୍କୁ ସେ କଥା ଦେଇଥିଲେ ଯେ ଏ କଥା କାହାକୁ ନ କହିବା ପାଇଁ। ଗାଁ ଲୋକଙ୍କଠୁ ଆରମ୍ଭ କରି ତାଙ୍କ ଝିଅ ସମସ୍ତେ ଚାହିଁ ଥିଲେ ଏହାର ରହସ୍ୟ ଜାଣିବାକୁ ହେଲେ ସୀତାରାମ କାହାରିକୁ କହି ନ ଥିଲେ।

ସମୟ ଗଡିଚାଲିଲା। ବଡ଼ବାବୁ କରୋନା ରୋଗୀମାନଙ୍କର ସେବା କରିଚାଲିଲେ। ଶେଷରେ ରୋଗୀମାନଙ୍କର ସେବା କରି କରି ନିଜେ କରୋନାରେ ପୀଡିତ ହୋଇ ଆର ପାରିକୁ ଚାଲିଗଲେ। ଲୋକେ ସମସ୍ତେ ଶୋକ ପ୍ରକାଶ କଲେ। ସମସ୍ତେ କହିଲେ ଲୋକଟା ବହୁତ ଭଲ କାମ କରୁଥିଲା ହେଲେ ଶେଷରେ ତାଙ୍କର ଏଇ ଘୃଣ୍ୟ କାମକୁ ଲୋକମାନଙ୍କର ସ୍ନେହ ତାଙ୍କ ପ୍ରତି କମିଗଲା l

ସୀତାରାମ ଗାଁ ମୁଣ୍ଡରେ ବଡ଼ବାବୁଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କଲେ। ତିଆରି ହେଇଥିବା ପ୍ରତିମୂର୍ତ୍ତିରୁ ଓଢଣା କାଢ଼ିବା ଓ କୋଭିଡ ଯୋଦ୍ଧା ପୁରସ୍କାର ବିତରଣ ଉତ୍ସବ ଉପଲକ୍ଷେ ସୀତାରାମ ଗାଁରେ ଏକ ସଭା ଡକାଇଲେ। ସଭାରେ ତାଙ୍କ ଝିଅ ଓ ଶକୁନ୍ତଳାକୁ ମଧ୍ୟ ଡକାଯାଇଥାଏ। ଲୋକମାନେ ସାମାଜିକ ଦୂରତା ଅବଲମ୍ବନ କରିବା ସହ ମୁହଁରେ ମାସ୍କ ପିନ୍ଧିକି ବସିଥାନ୍ତି। ସୀତାରାମଙ୍କ ଆଖିରେ ଲୁହ ଝରୁଥାଏ। ତା ପରେ ସେ ବଡ଼ବାବୁଙ୍କର ସମସ୍ତ ରହସ୍ୟ ସଭାରେ କହିବା ଆରମ୍ଭ କଲେ। ସେ କହିଲେ – “ବଡ଼ବାବୁ ଜୀବନରେ କେବେ ଭୁଲ କାମ କରିନାହାନ୍ତି। ତାଙ୍କର ଦୁଇଟି କିଡ଼ନୀ ନଷ୍ଟ ହେଇଯାଇଥିଲା। ଏ କଥା କେବଳ ସେ ହିଁ ଜାଣିଥିଲେ। ନିଜ ଝିଅକୁ ମଧ୍ୟ ସେ କହିନଥିଲେ। ଝିଅ ବାହା ହୋଇ ଶାଶୁ ଘରେ ଖୁବ ଖୁସିରେ ଥାଏ। ସେଥିପାଇଁ ସେ ଝିଅକୁ କଷ୍ଟ ଦେବାକୁ ଚାହୁଁ ନ ଥିଲେ। ହେଲେ ଝିଅ ଆଜି ତାଙ୍କ ବାପାଙ୍କୁ ବୁଝି ପାରିଲାନି। ବାପାଙ୍କ ସହ ସମ୍ପର୍କ ଛିନ୍ନ କରି ସମ୍ପତ୍ତିର ଭାଗ ନେବାକୁ ଚାହେଁ। ଶକୁନ୍ତଳା ଯେ କି ବନ୍ୟାରେ ଭାସି ଆସି ଯେତେବେଳେ ତାଙ୍କ ଗାଁ ମୁଣ୍ଡରେ ପହଁଚିଲା, ଲୋକମାନେ ତାକୁ ନିମ୍ନ ଜାତିର ଓ କରୋନା ହେବ ଭୟରେ ଗାଁରୁ ବାହାର କରିବା ପାଇଁ ଚେଷ୍ଟା କଲେ। ଶକୁନ୍ତଳାର ସାହା ଭରସା କେହି ନାହାନ୍ତି। ବଡ଼ବାବୁ ଶକୁନ୍ତଳାକୁ ବାହା ହେଇଥିଲେ ତା ସହ ସମ୍ପର୍କ ରଖିବାକୁ ନୁହେଁ ବରଂ ସେ ମରିଗଲା ପରେ ତାଙ୍କ ସମ୍ପତ୍ତିର କିଛି ଅଂଶ ଶକୁନ୍ତଳା ପାଇବାକୁ ଯୋଗ୍ୟ ହେଇପାରିବ। ଖେତ୍ତିବାଡ଼ିରେ ଚାଷ କରି ନିଜ ପେଟକୁ କିଛି ଦାନା ଯୋଗାଇପାରିବ। ଭବିଷ୍ୟତରେ ସେ କାହା ଉପରେ ନିର୍ଭର ନ କରି ଆତ୍ମନିର୍ଭରଶୀଳ ହେଇପାରିବ। ସେଥିପାଇଁ ସେ ଏହିଭଳି ନିଷ୍ପତି ନେଇଥିଲେ।” ଏ କଥା ଶୁଣିବା ପରେ ସଭାରେ ଥିବା ସମସ୍ତ ଲୋକମାନଙ୍କ ଆଖିରୁ ଲୁହ ଝରିଯାଉଥାଏ। ଝିଅ ମଧ୍ୟ ନିଜର ଭୁଲ ପାଇଁ ବାପାଙ୍କୁ କ୍ଷମା ମାଗେ। ଶକୁନ୍ତଳା ଓ ବଡ଼ବାବୁଙ୍କ ଝିଅକୁ ଷ୍ଟେଜ ଉପରକୁ ଡକାଯାଏ ପ୍ରତିମୂର୍ତ୍ତିରୁ ଓଢଣା କାଢ଼ିବା ପାଇଁ। ସେମାନେ ପ୍ରତିମୂର୍ତ୍ତିରୁ ଓଢଣା କାଢ଼ିଲେ ଏବଂ ବଡ଼ବାବୁଙ୍କୁ ମିଳିଥିବା କୋଭିଡ ଯୋଦ୍ଧାର ପୁରସ୍କାର ରାଶି ଶକୁନ୍ତଳା ଗ୍ରହଣ କଲା। ଶେଷରେ ସମସ୍ତେ ନିଜର ଭୁଲ ବୁଝି ପାରିଲେ ଆଉ ସମ୍ମାନର ସହ ବଡ଼ବାବୁଙ୍କୁ ସଲାମ କଲେ। ସମସ୍ତେ ଏକା ସ୍ୱରରେ କହିଲେ “ସଲାମ ବଡ଼ବାବୁ” l
ଲକ୍ଷ୍ମୀସାଗର, ଭୁବନେଶ୍ୱର
ମୋ:୯୪୩୯୫୦୪୫୮୫

One thought on “କରୋନାକୁ ନେଇ ଲେଖକ ଜ୍ୟୋତି ପ୍ରକାଶ ସାହୁଙ୍କ ସୁନ୍ଦର ଆଲେଖ୍ୟ, “ସଲାମ ବଡ଼ବାବୁ”, ପଢନ୍ତୁ

  • Santanu Kumar Mishra

    ଚମତ୍କାର ।

    ଛୋଟ ଛୋଟ ଗଳ୍ପ ଲେଖାଗୁଡିକୁ ନିଶ୍ଚିତ ପ୍ରକାଶ କରନ୍ତୁ ।

    ଧନ୍ୟବାଦ ସହିତ

    ଶାନ୍ତନୁ କୁମାର ମିଶ୍ର ।

    Reply

Leave a Reply