ଓଡ଼ିଶାର ଜଣାଶୁଣା ଲେଖକ ଅଞ୍ଜନ ଚାନ୍ଦଙ୍କ ମନଛୁଆଁ ଗଳ୍ପ ନେତୃଚରିତମ୍, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ରାତି ସେତେବେଳେ ଅଧାରୁ ବେଶି ହେବ। ନିଦ ଓ ନିଶାରେ ମୋ ଆଖି ଝୁଲୁଛି। ତଥାପି ମୁଁ ଚାହିଁଛି। ଟିଭି ପରଦାରେ ମଲ୍ଲିକା ଶେରାୱତ ନାଚୁଛି।
‎ଫିଲ୍ମ ସରିଲା। ଟିଭି ବନ୍ଦ କରି ଶୋଇବାକୁ ଯାଉଛି କଲିଂ ବେଲ ବାଜିଲା।
‎ଏତେ ରାତିରେ କିଏ?
‎ଏୟ, ଦେଖିଲ କିଏ ଡାକୁଛି।
‎କେହି ଶୁଣିଲେନାହିଁ। ମନେପଡ଼ିଲା ଘରେ ଆଜି ମୁଁ ଏକା।
‎ନିଜେ ଗଲି। ଗ୍ରିଲ ସେପଟେ ଅଜଣା ଟୋକାଟିଏ।
‎କିଏ?
‎ଆବୁଆ, ଅବଦୁଲ୍ଲା।
‎ଠିକ କହ, ଆବୁଆ ନା ଅବଦୁଲ୍ଲା?
‎ଅବଦୁଲ୍ଲା।
‎ଆବୁଆ କହିଲୁ ଯେ?
‎ଆଗରୁ ଆବୁଆ ଥିଲି।
‎ଆବୁଆରୁ ଅବଦୁଲ୍ଲା କେମିତି ହେଲୁ?
‎କହିବି ବାବୁ, ଗେଟ ଖୋଲନ୍ତୁ।
‎କଣ ଦରକାର?
‎ଉପଦେଶ।
‎ରାତି ଅଧରେ ଉପଦେଶ !
‎ସକାଳକୁ ମୋ ମୁଣ୍ଡ କାଟ ହେଇଯିବ।
‎ଉପଦେଶପାଇଁ ମୋ ପାଖକୁ କାହିଁକି ଆସିଲୁ?
‎ଆପଣଙ୍କ ନେମପ୍ଲେଟ ଦେଖି।
‎କଣ ଲେଖାହେଇଛି?
‎ପଢ଼ିପାରିଲିନି। ମୁଁ ଇଂରାଜୀ ଜାଣେନି।
‎କହିଲୁଯେ, ନେମପ୍ଲେଟ ଦେଖି ଆସିଲୁ?
‎ହଁ, ଏଠି ଆପଣଙ୍କ ନେମପ୍ଲେଟଟି ସବୁଠୁ ବଡ଼।
‎ମୁଁ ହସିଲି। ଗେଟ ଖୋଲି କହିଲି, ଭିତରକୁ ଆ।
‎ସେ ଆସିଲା। ପାଣି ପିଇ ସାଷ୍ଟମ ହେଲା। କହିଲା ତା ଜୀବନ କାହାଣୀ।
‎ବାପା ତା ନାଁ ଦେଇଥିଲେ ବାବୁ। ମୁଣ୍ଡରେ ଉଠିଥିବା ମାଂସ ପିଣ୍ଡୁଳାକୁ ଦେଖି ଲୋକେ କହିଲେ ଆବୁ। ଡାକିଲେ ଆବୁଆ। ଗାଁରେ କାମ ଧନ୍ଦା ନପାଇ ସେ ସହରକୁ ଆସିଲା। ଯେଉଁ ଦୋକାନରେ ରହି କାମ କଲା ତା ମାଲିକ ଆଉ ଗୋଟେ ଧର୍ମର।
‎କେତେ ମାସ ପରେ ସେ ଗାଁକୁ ଫେରିଲା। ଲୋକମାନେ କହିଲେ, ତୁ ବିଧର୍ମୀ ହେଇଯାଇଛୁ। ଏ ଗାଁରେ ରହିପାରିବୁନି।
‎ଘର ଲୋକେ କିଛି କହିଲେନାହିଁ। ଗାଁ ସଭାରେ ତଳକୁ ମୁଣ୍ଡ ପୋତି ବସିରହିଲେ। ସେ ଦୁଃଖରେ ଘରଛାଡ଼ି ଚାଲିଆସିଲା।
‎ତା ମାଲିକ ସବୁ କଥା ଶୁଣିଲେ। କହିଲେ, ହିମ୍ମତ ରଖ। ସବୁ ଠିକ ହେଇଯିବ।
‎ଆବୁଆ ହିମ୍ମତ ରଖିଲା। ମାଲିକଙ୍କ କଥାରେ ଆବୁଆରୁ ଅବଦୁଲ୍ଲା ହେଇଗଲା। ତାଙ୍କ ବୁଢ଼ା ନୌକରର ଝିଅ ଜରିନାକୁ ବାହା ହେଲା। ଘର ସଂସାର କରି ଖୁସିରେ ରହିଲା।
‎ଅସୁବିଧା କଣ ହେଲା, ମୁଁ ପଚାରିଲି।
‎ଏଇ ରମଜାନ ମାସର କଥା। ଦିନରେ ରୋଜା ସନ୍ଧ୍ୟାରେ ନମାଜ କରିବାକୁ ହୁଏ। ସେତେବେଳେ ଅବଦୁଲ୍ଲାକୁ ଭଲ କାମଟିଏ ମିଳିଲା। ସେ ବୋଟରେ ବସି ମାଛ ଧରିବାକୁ ସମୁଦ୍ରକୁ ଚାଲିଗଲା। ଫେରିବାବେଳକୁ ପରିସ୍ଥିତି ଅସମ୍ଭାଳ। ରମଜାନ ମାସରେ ନମାଜ କରିନଥିବାରୁ ତାକୁ ଦଶହଜାର ଟଙ୍କା ଫାଇନ। କାଲି ଦେବାକୁ ହେବ। ନହେଲେ ବସ୍ତିରୁ ବାସନ୍ଦ।
‎କଣ କରିବି ବାବୁ? ମୋ ପାଖରେ ଏତେ ଟଙ୍କା ନାହିଁ। ସେ ମୋ ଗୋଡ଼ତଳେ ବସିପଡ଼ିଲା।
‎କିଛି କରିବା ଦରକାର ନାହିଁ। ମୁଁ କହିଲି। ସିଧା କହିଦେବୁ ମୁଁ ଟଙ୍କା ଦେଇପାରିବିନି।
‎ସେମାନେ ମୋତେ ଛାଡ଼ିବେନି।
‎ତୁ ଛାଡ଼ିଦେବୁ।
‎ମୁଁ କଣ ଛାଡ଼ିବି?
‎କହିବୁ, ମୋତେ ଫାଇନ କରିବ ତ ମୁଁ ଅବଦୁଲ୍ଲାରୁ ଆଂଟୋନି ହେଇଯିବି।
‎ଟୋକାଟି କିଛିସମୟ ନୀରବରେ ବସି ମୋ କଥା ହେଜିଲା। ହଠାତ ମୋ ପାଦକୁ ଧରି କହିଲା, ମୋତେ ବଞ୍ଚାଇଦେଲେ। ଆପଣ ଜଣେ ମହାପୁରୁଷ।
‎ମୁଁ କହିଲି, ମହାପୁରୁଷ ନୁହେଁ ନେତାପୁରୁଷ।
‎ନେତା, କେଉଁ ଦଳର?
‎ଦୁଇଟା ଛାଡ଼ିଛି। କାଲି ଆଉ ଗୋଟେ ଦଳରେ ଯୋଗଦେବି ଭାବୁଛି ll

ବାଲେଶ୍ୱର, ମୋ. 6370661147

Leave a Reply