ବଲାଙ୍ଗିର ପରେ ସୁନ୍ଦରଗଡ଼ରେ ବିଗୁଡ଼ୁଛି ପରିସ୍ଥିତି: କରୋନା ରୋଗୀ ୧୧୮, ପଶ୍ଚିମ ଓଡ଼ିଶାରେ ୪୮୭କୁ ବୃଦ୍ଧି

ଓଡ଼ିଶାବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ପଶ୍ଚିମ ଓଡ଼ିଶାରେ ଵେକାବୁ କରୋନା। ରୋଗୀ ସଂଖ୍ୟା କମିବାର ନା ଧରୁନି। ପ୍ରତିଦିନ କୌଣସି ନା କୌଣସି ଜିଲ୍ଲାରେ ନୂଆ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଏପରିକି ଏଯାଏ ସମଗ୍ର ପଶ୍ଚିମ ଓଡ଼ିଶାରେ ମୋଟ ରୋଗୀ ସଂଖ୍ୟା ୪୮୭ କୁ ବୃଦ୍ଧି ପାଇଲାଣି। ସେ ମଧ୍ୟରୁ ବଲାଙ୍ଗିର ଓ ସୁନ୍ଦରଗଡ଼ ଜିଲ୍ଲା ସେଞ୍ଚୁରୀ ଟପି ସାରିଛି।


ସ୍ଵାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ଆଜି ରାଜ୍ୟରେ ୧୪୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୧୨୭ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୯ ଲୋକାଲ କେସ ରହିଛି। ତେବେ ଆମ୍ଫନ୍ ଡ୍ୟୁଟି ସାରି ୱେଷ୍ଟ ବେଙ୍ଗଲରୁ ଫେରିଥିବା ୬୧ NDRF/ODRF ଆକ୍ରାନ୍ତ ହୋଇଛନ୍ତି। ଏପଟେ ପଶ୍ଚିମ ଓଡ଼ିଶାରେ ୧୮ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିରରେ ୧, ଦେବଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ୫ ଲେଖାଏଁ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।


ଏବେ ଆସନ୍ତୁ ଜାଣିବା ପଶ୍ଚିମ ଓଡ଼ିଶାର କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ ହୋଇଛନ୍ତି। ଏଯାଏ ପଶ୍ଚିମ ଓଡ଼ିଶାରେ ମୋଟ ଆକ୍ରାନ୍ତ ସଂଖ୍ୟା ୪୮୭ ଛୁଇଁଲାଣୀ। ସେ ମଧ୍ୟରୁ ୨୬୬ ସୁସ୍ଥ ହୋଇଥିବା ବେଳେ ୨୨୧ ସକ୍ରିୟ ରୋଗୀ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପ୍ରଥମେ ନଜର ପକାଇବା ବଲାଙ୍ଗିର ଜିଲ୍ଲା ଉପରେ। ବଲାଙ୍ଗିର ସେଂଚୁରି ଟପିବା ସହ ୧୨୩କୁ ବୃଦ୍ଧି ପାଇଛି ଆକ୍ରାନ୍ତଙ୍କ ସଂଖ୍ୟା। ସେ ମଧ୍ୟରୁ ୬୨ ସୁସ୍ଥ, ୬୧ ସକ୍ରିୟ ରହିଛନ୍ତି। ତା ତଳକୁ ରହିଛି ସୁନ୍ଦରଗଡ଼ ଜିଲ୍ଲା। ଏଠାରେ ମଧ୍ୟ ରୋଗୀ ସଂଖ୍ୟା ସେଂଚୁରୀ ଟପିଲାଣି। ୧୧୮ ରୋଗୀ ମଧ୍ୟରୁ ୫୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୧ ଜଣ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ନୂଆପଡାରେ ବି ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ୭୨ ଜଣ ରୋଗୀ ଚିହ୍ନଟ ସହ ପଶ୍ଚିମ ଓଡ଼ିଶାର ତୃତୀୟ ସ୍ଥାନରେ ରହିଛି। ଚିହ୍ନଟ ୭୨ ରୋଗୀ ଭିତରୁ ୩୬ ସୁସ୍ଥ ହୋଇଥିବା ବେଳେ ୩୬ ସକ୍ରିୟ ରହିଛନ୍ତି। ସେହିପରି ଦେବଗଡରେ ୩୮ ମଧ୍ୟରୁ ୩୨ ସୁସ୍ଥ, ୬ ସକ୍ରିୟ, ବୌଦ୍ଧରେ ୩୪ରୁ ୩୩ ସୁସ୍ଥ, ଜଣେ ସକ୍ରିୟ, କଳାହାଣ୍ଡିରେ ୩୨ରୁ ୧୫ ସୁସ୍ଥ, ୧୭ ସକ୍ରିୟ, ସୋନପୁରରେ ୨୯ରୁ ୭ ସୁସ୍ଥ, ୨୨ ସକ୍ରିୟ, ସମ୍ବଲପୁରରେ ୧୭ରୁ ୯ ସୁସ୍ଥ, ୮ ସକ୍ରିୟ, ବରଗଡ଼ରେ ୧୬ରୁ ୮ ସୁସ୍ଥ, ୮ ସକ୍ରିୟ ଏବଂ ଝାରସୁଗୁଡ଼ାରେ ୮ରୁ ୭ ସୁସ୍ଥ ହୋଇଥିବା ବେଳେ ଜଣେ ସକ୍ରିୟ ଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପଶ୍ଚିମ ଓଡ଼ିଶାର ବଲାଙ୍ଗିର ଜିଲ୍ଲା ପରେ ଅସମ୍ଭାଳ ହେଉଛି ସୁନ୍ଦରଗଡ଼ ଜିଲ୍ଲା। ଏଠାରେ ଆଜି ୭ ନୂଆ ରୋଗୀ ଚିହ୍ନଟ ହେବା ସହ ମୋଟ ରୋଗୀ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି। ତେବେ କଣ ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ସୁନ୍ଦରଗଡ଼ ଜିଲ୍ଲାରେ। କୁହା ଯାଉଛି ଯେ, ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଘର ବାହୁଡ଼ା ପରେ ଜିଲ୍ଲାର ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏଥିପାଇଁ ଦାୟୀ କିଏ? ଜିଲ୍ଲା ପ୍ରଶାସନ ନା ସ୍ଥାନୀୟ ନେତା! ସରକାରଙ୍କ ଆଦେଶ ଅନୁସାରେ ଜିଲ୍ଲା ପ୍ରଶାସନ ପ୍ରବାସୀ ଓଡ଼ିଆଙ୍କୁ ନିଜ ଜିଲ୍ଲାକୁ ଆଣୁଛି। ହେଲେ ଏନେଇ ସ୍ଥାନୀୟ ନେତା ମୁହଁ ଖୋଳୁ ନାହାନ୍ତି। ନେତାଏ ସିଧା ବିରୋଧ କରୁନଥିବାରୁ ପରୋକ୍ଷରେ ସମର୍ଥନ କରୁଛନ୍ତି। ତେଣୁ ଜିଲ୍ଲାରେ ସ୍ଥିତି ବିଗିଡ଼ିବାରେ ସରକାର ଯେତିକି ଦାୟୀ, ତାଠାରୁ ଅଧିକ ଦାୟୀ ସ୍ଥାନୀୟ ନେତା ଓ ମନ୍ତ୍ରୀ। ଅନ୍ୟପଟେ ସାଧାରଣ ଲୋକେ ବିରୋଧ କଲେ ମଧ୍ୟ ତାଙ୍କ କଥାକୁ କେହି ଗୁରୁତ୍ବ ଦେଉନାହାନ୍ତି। ତେଣୁ ନିରୁପାୟ ହୋଇ ଚୁପ୍ ରହିଛନ୍ତି ସାଧାରଣ ଲୋକେ।

ସୂଚନାଯୋଗ୍ୟ ଯେ, ଏଯାଏ ରାଜ୍ୟରେ ମୋଟ ରୋଗୀ ସଂଖ୍ୟା ୩୧୪୦ କୁ ବୃଦ୍ଧି ପାଇଲାଣି। ସେ ମଧ୍ୟରୁ ୧୯୯୩ ଜଣ ସୁସ୍ଥ ହୋଇଥିବା ବେଳେ ୧୧୩୬ ଜଣ ରୋଗୀ ସକ୍ରିୟ ରହିଛନ୍ତି। ତେବେ କରୋନାରେ ଏଯାଏ ୯ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ମହାମାରୀ କରୋନାରେ ହୋଇନଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।