ଓଡ଼ିଶାର ଜଣାଶୁଣା ଗାଳ୍ପିକ ଅଞ୍ଜନ ଚାନ୍ଦଙ୍କ ଚମତ୍କାର ଗପ ଦାଢ଼ିଆଲୋକ, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ବର୍ଥ ଭିତରେ ସେ ମୋର ଏକାକୀ ସହଯାତ୍ରୀ। ଟ୍ରେନ ଷ୍ଟେସନ ଛାଡ଼ିବା ବେଳକୁ ତରତରରେ ଭିତରକୁ ପଶିଆସିଲା। ବଡ଼ ବେଗ ଟିକୁ ସିଟ ତଳେ ରଖିଲା। ଗାମୁଛାଟିଏ ମୁଣ୍ଡତଳେ ଦେଇ ଚିତ ହୋଇ ଶୋଇପଡ଼ିଲା।
ଏବେ ବି ସେ ସେମିତି ଶୋଇଛି। ମନେହେଉଛି ଯେମିତି ଖାସ ଶୋଇବାପାଇଁ ଲୋକଟା ଟ୍ରେନରେ ଚଢ଼ିଛି।
‎ମୁଁ ତାକୁ ଭଲକି ଚାହିଁଲି। କଳା ରଙ୍ଗର ବଡ଼ ମୁହଁ ଉପରେ ମେଞ୍ଚାଏ ବହଳ ଦାଢ଼ି। କପାଳ ଓ ଆଖି ତଳକୁ ବସନ୍ତର ଛାପ। ଚଉଡ଼ା ଛାତି। ଦେହରେ ଶକ୍ତ ମାଂସପେଶୀ। ସବୁ ମିଶି ଗୋଟେ ଅପରାଧୀର ଚେହେରା। ଅନ୍ଧାର ରାତିରେ ଛୁରାଟିଏ ଧରିଲେ ଦମ୍ଭିଲା ଲୋକର ଛାତି ଥରିଉଠିବ।
‎ବହିଟିଏ ପଢ଼ୁପଢ଼ୁ ଶୋଇପଡ଼ିଲି। ଅନାବନା କୋଳାହଳରେ
ନିଦ ଭାଙ୍ଗିଲା। ଟ୍ରେନ କଉଁ ଷ୍ଟେସନରେ ଠିଆହୋଇଛି। ସମୟ ଅପରାହ୍ନ। ପଶ୍ଚିମ ଦିଗବଳୟର ସୂର୍ଯ୍ୟ ଝର୍କାଦେଇ ସିଧା ଦିଶୁଛି। ଲୋକଟାର ମୁହଁରେ ଚେନାଏ ଖରା ଉପଦ୍ରଵ କରୁଛି। ସେ କିନ୍ତୁ ନିର୍ବିକାର। ଛୋଟ ଛୋଟ ଘୁଙ୍ଗୁଡ଼ି ମାରି ଖୁସିରେ ଶୋଇଛି। କଉଁ କାଳରୁ ସଞ୍ଚିତ ଅଜସ୍ର ନିଦକୁ ବିସର୍ଜନଦେବାକୁ ସେ ବୋଧେ ଏଠାକୁ ଆସିଛି।
ଅଳସ ଭାଙ୍ଗିବାକୁ ଚା କପେ ପିଇଲି। ଖୁଚୁରା ପାଇଁ ପକେଟ ଅଣ୍ଡାଳି ପାଇଲିନାହିଁ। ଶୋଇବାବେଳେ ପଡ଼ିଯାଇଥିବ ଭାବି ତଳେ ଖୋଜିଲି। ହଠାତ ପଛରୁ ଶୁଭିଲା, କଣ ପଡ଼ିଗଲା କି?
‎ମୁଁ ଫେରି ଚାହିଁଲି। ଲୋକଟା ସେମିତି ଶୋଇଛି।
‎ପଇସାଗୁଡ଼ିକ ସିଟ ପାଖ ସନ୍ଧିରେ ପଡ଼ିଥିଲା। ମୁଁ ଖୁସି ହୋଇଗଲି। ସେତେବେଳେ ପୁଣି ପଛରୁ ଶୁଭିଲା, ପାଇଗଲେ କି?
‎ମୁଁ ଆଶ୍ଚର୍ଯ୍ୟ ହେଲି। ଲୋକଟା କଣ ଶୋଇବାର ଛଳନା କରୁଛି? ଭାବିଲି ଆଉ ଶୋଇବିନାହିଁ। କେଜାଣି ତା ମନରେ କଣ ଦୁଷ୍ଟ ବୁଦ୍ଧି ଖେଳୁଛି।
‎ରାତି ୯ଟା। ସେ ଉଠିଲା। ଭିଡ଼ି ମୋଡ଼ି ଅଳସ ଭାଙ୍ଗିଲା। ବାହାରକୁ ଯାଇ ମୁହଁ ହାତ ଧୋଇଆସିଲା। ବେଗ ଭିତରୁ ବଡ଼ ଗୋଟେ ଟିଫିନ କେରିଅର ବାହାରକରି ଖାଇବାକୁ ବସିଲା।
‎ରାତିରେ ଖାଇବାପାଇଁ ମୁଁ କିଛି ଆଣିନଥିଲି। ଭାବିଥିଲି ସନ୍ଧ୍ୟା ସୁଦ୍ଧା ମୁକାମରେ ପହଞ୍ଚିଯିବି। କିନ୍ତୁ ରାସ୍ତାରେ ଡେରି ହେଲା। ଏବେ ବି ଶହେ ମାଇଲ ଦୂରରେ ଅଛି।
‎ଖାଇବାପାଇଁ କିଛି ଆଣିନାହାନ୍ତି? ସେ ପଚାରିଲା।
‎ନା।
‎ଆସନ୍ତୁ, ସାଙ୍ଗହୋଇ ଖାଇବା।
‎ତାର କୋମଳ ଆମନ୍ତ୍ରଣ ମୋ ସନ୍ଦେହ ବଢ଼ାଇଲା।
‎ଖାଦ୍ୟରେ ଯଦି ନିଶା ଥିବ। ମୁଁ ଖାଇଲେ ସଂଜ୍ଞାହୀନ ହୋଇ ପଡ଼ିବି। ସେ ମୋର ସବୁକିଛି ଲୁଟିନେଇ ପଳାଇବ।
‎ଉଚ୍ଚସ୍ୱରରେ କହିଲି, ନା ନା ମୁଁ ଖାଇବିନି।
‎ସେ ଆଶ୍ଚର୍ଯ୍ୟରେ ମୋତେ ଚାହିଁଲା ଏବଂ ଅଳ୍ପ ହସି ଖାଇବାରେ ମନଦେଲା।
‎ଖାଇସାରି ଗୋଟେ ବଡ଼ ବୋତଲରୁ ଅଧାବୋତଲ ପାଣି ମୁହଁର ଚାଖଣ୍ଡେ ଉପରୁ ପେଟଭିତରକୁ ଢାଳିଲା। ବଡ଼ ସାନ କେତୋଟି ହାକୁଟି ମାରି ପୁଣି ଶୋଇପଡ଼ିଲା।
‎ସେତେବେଳେ ମୋ ପେଟ ଭିତରେ କିଛି ଗୋଟେ ଗଣ୍ଡଗୋଳ ହେବାପରି ମନେହେଲା। ସନ୍ଧ୍ୟାରେ ଚିନାବାଦାମ ଚୋବାଇ ପାଣି ପିଇଥିଲି। ଏଇଟା ତାହାର ଫଳ।
‎ଭାବିଲି ବିଶେଷ କିଛି ନୁହେଁ। ଶେଷଯାଏ ସମ୍ଭାଳିଯିବି। କିନ୍ତୁ ବେଳକୁବେଳ ଅବସ୍ଥା ଅସମ୍ଭାଳ। ଅଗତ୍ୟା ଜିନିଷ ପତ୍ରର ମୋହ ତୁଟାଇ ମୁଁ ଲାଟ୍ରିନକୁ ଧାଇଁଲି।
‎ଓଃ, କି ଶାନ୍ତି।
‎ମନେପଡ଼ିଲା ଗୋପାଳ ଭାଣ୍ଡ ଓ ରାଜା କୃଷ୍ଣଚନ୍ଦ୍ରଙ୍କ ଗପ। ଅନୁଭବକୁ ନ ଆସିଲେ ସତରେ ଅନେକ କଥା ବୁଝିହୁଏନି।
‎ଶୌଚ ହେବାକୁ ଟେପ ଖୋଲିଲି।
‎କି ଦୁର୍ଯୋଗ, ଏତେ ବଡ଼ ଟ୍ରେନଭିତରେ ମାତ୍ର ଚାରିବୁନ୍ଦା ପାଣି।
‎ସେତେବେଳେ ଗୋଟେ ଲମ୍ବା ହର୍ନ ସହିତ ଗାଡ଼ିର ଗତି ମନ୍ଥର ହୋଇଆସିଲା।
‎ଲୋକଟା ଚେନ ଟାଣିଲା କି?
‎ଯାହା ବି ହେଉ, ମୁଁ ଯେ ଏବେ ନାଚାର। ଏମିତି ଏକ ମାନବିକ ଶୃଙ୍ଖଳରେ ବନ୍ଦୀ ଯେଉଁଥିରୁ ମୁକ୍ତିର ବାଟ ପାଉନି।
‎ଭାବିଲି, ପଶୁଟିଏ ହେଇଥାନ୍ତି କି !
‎କେତେ ସହଜ ସେମାନଙ୍କ ଜୀବନ।
‎ଗାଡ଼ି ରହିଲା। କିଛି ସମୟ ପରେ ଛାଡ଼ିଲା।
‎ମୁଁ ସମାଧାନର ବାଟ ଖୋଜୁଥାଏ। ଦିନକପାଇଁ ପାଶ୍ଚାତ୍ୟ କ୍ରିୟାକୁ ଆଦରିନେବି ଭାବୁଥାଏ । ସେତେବେଳେ ଦରଜାରେ ଠକ ଠକ କରି ଲୋକଟା ପଚାରିଲା, ଆଜ୍ଞା ପାଣି ନାହିଁ କି?
‎ନା । ବୋଧହୁଏ ମୋ ଜୀବନର ସବୁଠାରୁ ବିକଳ ସ୍ୱର।
‎ଦରଜା ଖୋଲନ୍ତୁ।
‎ମୁଁ ଅଧା ଖୋଲି ବାହାରକୁ ଡୁଙ୍ଗିଲି।
‎ବୋତଲରେ ପାଣି ଧରି ସେ ଉଭାହେଇଥିଲା ସାକ୍ଷାତ ବରୁଣଦେବତା ପରି।
‎କହିଲା, ମୁଁ ସେୟା ଭାବୁଥିଲି । ମୋ ପାଖରେ ବେଶି ପାଣି ନଥିଲା । ଏଇ ଷ୍ଟେସନରେ ଓହ୍ଲାଇ ପାଣି ଆଣିଲି।
‎ଶୌଚ ହୋଇ ମୁଁ ଆସିଲି। ସେ ତାର ସେମିତି ଶୋଇଛି। ଶ୍ମଶ୍ରୂବହୁଳ ତା ମୁହଁଟି ଏବେ ଗୋପବନ୍ଧୁଙ୍କ ପରି ଦିଶୁଛି।
ବିକାଶନଗର, ଅଙ୍ଗାରଗଡ଼ିଆ, ବାଲେଶ୍ୱର
ମୋ:. 6370661147

Leave a Reply