ପ୍ରବାସୀ ଓଡ଼ିଆ ଲେଖକ ଶରତ କୁମାର ଜେନାଙ୍କ ଚମତ୍କାର ଆଲେଖ୍ୟ ଘରବାହୁଡା, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ସକାଳୁ ପହରୁ ଉଠି ମୂଳିଆ ମାଆ ଖାଲି ଦାଣ୍ଡୁକୁ ବାରିକି ହୋଉଚି। କାଲିଠୁ ଗାଁରେ ହୁରି ପଡିଚି ଯେ ସୁରଥରୁ ଗୋଟେ ବାସୁରେ ସବୁ ନୋକ ଆଉଚେତି। ତା ପୁଅ ହେଲେ ସେଥିରେ ଆଉଚି। ଦି ଦିନ ହେଲାଣି ସେଇଠୁ ବାହାରିଲେଣି। ଦୋକାନ ଫୋକାନ ସବୁ ବନ୍ଦ। କିଏ ତ କିଛି ଦେଆକୁ ନାଇଁ। ବାଟରେ କୋଠେ କିଅଣ ଖାଉଥିଅ କେଜାଣି ? ଫୁନୁ ଟିକିଏ ହେଲେ କରୁନି। ତାର ସିନା ଫୁନୁ ନାଇଁ, କା’କୁ ମାଗିକିରି ଟିକିଏ କରିନଥାତା।
ଦି ଦିନ ହେଲାଣି କିନ୍ତି କିନ୍ତି ନାଗୁଚି ମୂଳିଆ ମାଆକୁ। ଡେବିରି ଆଖିଟା ଡେଉଁଚି। କାଲି ବିଲ‌ରୁ ଆଇଲାଓଳୁକୁ ମାଟିଆ ଚିଲ ଗୋଟେ ଦେଖିଥିଲା। ସେଇଟା ଦେଖିଲେ ଫିଣି ଅଶୁଭ। ସଞ୍ଜୋଳୁକୁ ଠାକୁରାଣୀ ପାଖୁକୁ ଯାଇକି ଗୁହାରି ପଡିକି ଆଇଚି। ମୋ ମୂଳିଆକୁ ଘଣ୍ଟ ଘୋଡେଇ ରଖିଥାଲୋ ମାଆ। ତତେ ପାଟ ଗୋଟେ ଦେବି। ଦି କଣ୍ଟ ନବାତ ପଣା ଦେବି। ବେନା ଗୋଟେ ଦେବି। ମହରଗ କାଳରେ କି ଗୋଟେ କରୋନା ରୋଗୋ ଆଇଚି ଯେ ଦାଣ୍ଡୁକୁ ତ ବାହାରି ହୋଉନି। ଠିକ୍ ସେତେବେଳେ ଦାଣ୍ଡରୁ କିଏ ଗୋଟେ ଗୁରାଳି କରି ଡାକୁଚି, ମୂଳିଆ ମାଆ, ଦାଣ୍ଡୁକୁ ଆଆ।
ଚୂଲିରେ ଓଧାଣି ବସେଇ ଦେଇ ବାହାରକୁ ଧାଇଁ ଆଇ କଇଲା,
-କିଅଣ ହେଲାରେ ବାପ।
– ସୁରାଟ ବସୁଟା ଫୁଲୁବାଣୀ ପହଞ୍ଜେ ପଳିଆଇଲାଣି। ସେଥିରେ ଷାଠିଏ ନୋକ ଆଉଚେତି।
– ମୋ ମୂଳିଆ ଠିକ୍ ଅଛି ତ ?
– ହଁ ହଁ, ବାଲିଗୁଡା ପାଖେରେ ବିଡି ଖାଇଆକୁ ବସୁରୂ ତଳୁକୁ ଓହ୍ଲେଇ ପଡିଥିଲା। ପୁଲିସି ଧରି ପଳୋଉଥିଲା। ସମେସ୍ତେ ମିଶିକିରୀ କୁଆବେଲା କରିକିରି ନେଇଆଇଚେତି।
– ଅଳପେଇସା, ଗାତରେ ପଡୁନି।ମାଆ ବୁଢୀ ଠାକୁରାଣୀ, ମୋ ପିଲାକୁ ନେଇ ଆ ଲୋ ମାଆ।
– କେତଳ ପହଞ୍ଚିଅରେ ବାପ?
– ଘଣ୍ଟେ ଦି ଟା ଓଳୁକୁ ପଳେଆଇଅ।
– ହୋଉରେ ପୁଅ, ମୁଁ ଯାଉଚି । କିଅଣ ଦିଟା ଫୁଟେଇଦେବି।
ଦାଣ୍ଡ ପାଉଛରେ ପଡିଥିବା ଛାଞ୍ଚୁଣୀଟାକୁ କବାଟ କଣରେ ରଖି ବାରିକାନି ଚୁଲି ପାଖକୁ ଗଲା ମୂଳିଆ ମାଆ। ଓଧାଣିଟା ଫୁଟି ଆଇଲାଣି। ଉଆ ଚାଉଳ ବୋଡ଼େ ହ ରଖିଥିଲା ଓଷା ପୁନେଇଁରେ ରାନ୍ଧିଅ ବେଲି। ଆଜି ମୂଳିଆ ଆଉଚି, ତା ପେଇଁ ରାନ୍ଧିଦେବ। ମାଣ୍ଡିଆ ଜାଉ, ନୁଣ ମରିଚ, ଆମ୍ବୁଲ ଫଡାଟେ ହେଲେ ତାର ହେଲା।
ଘରେ ଆଉ କିଏ ଅଛି ଯେ! ମୂଳିଆ ଵାପା ତ ଦଶ ବାର ବର୍ଷ ହେଲା ମଲାଣି। ସିଏ ବି ଏମିତି ସୁରଥ ଯାଇଥିଲା। ଦି ବର୍ଷ ଉତାରୁ କି ଗୋଟେ ରୋଗ ଧରିକିରି ଆଇଲା ଯେ, ଦିହହାତ ସବୁ ସରୁ ହେଇଗଲା।କେତେ ଓଷଧ ପତର ଖାଇଲା, ଭଲହେଲାନି। ମଲାତୁରୁ ନୋକଅନେ କଇଲେ ଏଡସ ହେଇଥିଲା ବେଲି। ସେ କଥା ଭାବି ଆଖିରେ ପାଣି ଆସିଗଲା ମୂଳିଆ ମାଆର। ଚାଉଳକୁ କୁଲାରେ ପାଛୁଡିଲା, ପାଣେଇଲା, ଓଧାଣିରେ ଦେଇ ଲୁଗା କାନିରେ ଲୁହ ପୋଛିଲା।
ଦିଟା ଝିଅରୁ ଗୋଟେ ଆଗୁରୁ ମରିଯାଇଥିଲା। ଆଉ ଗୋଟେ ଝିଅ ସୁନାବେଢା ଖଟିଥିଲା।‌ ବରଷେ ହେଇନି, ପେଟୋଲ ପକେଇ ମାରିଦେଲେ। ଏବେ ଖାଲି ମୂଳିଆ ସାହା ଭରସା। କେତେ ମନା କରୁଥିଲି ସୁରାଟ ଯାନା ଯାନା ବେଲି। ସିଏ କିଅଣ ଶୁଣିଲା । ଦି ମାସ ହେଲା ନୁକିକିରି ପଳେଇଲା। ଭଲ ହେଇଚି, କରୋନା ପାଇଁ ପଳେଇ ଆଇଲା।
ଭାତ କଲା ମୂଳିଆ ମାଆ। ତୁଣ କଲା।ବାରିରୁ ନେଉଟିଆ ଶାଗ ପୁଞ୍ଜିଏ ଆଣି ଖରଡିଲା। ପାଲଟା ଲୁଗାଟା ନେଇକି ଶୁଖେଇଲା।ଘରେ ବିଲେଇ ପଶିଯିବ ବୋଲି ବାରି କବାଟର ଗେଡା ଦେଲା।ମୁଗ ଗଣ୍ଡେ ଅଛି ଚୁରିବ ବୋଲି ଘୋରଣା ତଳୁଟା ଝାଣ୍ଟେଇଲା। ମୂଳିଆ ଆଇଲେ ଖାଇବ।
ଗୋଡ ଆଉ ତଳେ ନାଗୁନି।
ବାହାରୁ କିଏ ଡାକିଲା, ମୂଳିଆ ମାଆ, ଗାଡି ଏସିଡେଣ୍ଟ।
ଛାଞ୍ଚୁଣିଟାକୁ ଫିଙ୍ଗାଡି ଦେଇ ମୂଳିଆ ମାଆ ବାଣ୍ଟୁଣୁକୁ ଆଇଲା। ପଚାରିଲା, କିଅଣ ହେଲାରେ ?
– ସୁରାଟ ବାସୁଟା ଫୁଲବାଣୀରୁ ଆଇଲାବେଳୁ କଳିଙ୍ଗା ଘାଟିରେ ତଳୁକୁ ଖସି ପଡିଚି। ଗାତ ଭିତରେ।
– ମହାଦେବ ଗୋସେଇଁ, ମୋ ପିଲାକୁ ରକ୍ଷାକର।(ମୂଳିଆ ମାଆ ମନେ ମନେ କହିଲା)
– ଟିଭିରେ ଦୋଉଚି, କିଏ ଜଣେ ମରି ଯାଇଚି। ମୂଳିଆ ପରା ନାଗୁଚି।
– ହଁ, ମୂଳିଆ।ବସର ଗେଟ ପାଖରେ ଠିଆ ହେଇଥିଲା।ଆଉ ଜଣେ ପିଲା କହିଲା।
-ଆହା, ଚୁଚୁଚୁ। ପଡିଶାହର ରଙ୍ଗିନାନୀ ତା ପାଖରେ ପହଞ୍ଚି କହିଲା।
– ଥମ୍ କରି ସେଇଠି ବସି ପଡିଲା ମୂଳିଆ ମାଆ। ସକାଳେ ତା ପାଟିରୁ ବାହାରି ପଡିଥିଲା, ଅଳପେଇସା, ଗାତରେ ପଡୁନି। ତା କଥା ସତ ହେଇଗଲା କି ? ଛି।
ବାହାରେ ଲୋକଙ୍କ ଭିଡ।
ମୂଳିଆ ମାଆ ପାଟିରୁ ଆଉ କଥା ନାହିଁ। ଆଖି୍ରୁ ଆଉ ଲୁହ ନାହିଁ। ନାକରୁ ଆଉ ନିଃଶ୍ବାସ ନାହିଁ।
ସୋର ଶବଦ ନାହିଁ।
କିଛି ନାହିଁ। କିଛି ନାହିଁ।
ତା ପରଠୁ ଆଜି ଯାଏଁ ସାଇପଡିଶା ଲୋକମାନେ ରାତିଅଧରେ କୁଆଡ଼େ ଶୁଣନ୍ତି-
“ମୂଳିଆରେଏଏଏଏଏଏ, ଏ ମୂଳିଆଆଆଆ।
ତୋ ପେଇଁ ରାନ୍ଧିକି ରଖିଛି, ଆ ଖାଉବୁ।”

Leave a Reply