ପୁରା ପଶ୍ଚିମ ଓଡ଼ିଶାକୁ ମାଡ଼ିଲା କରୋନା, ରୋଗୀ ସଂଖ୍ୟା ୧୬୧କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ?

ଓଡ଼ିଶାବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ସାରା ଓଡ଼ିଶାରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବେକାବୁ ହୋଇଛି କରୋନା। ପ୍ରତିଦିନ ନୂଆ ନୂଆ ରୋଗୀ ଚିହ୍ନଟ ହେବା ସହ ନୂଆ ଜିଲ୍ଲାକୁ ମାଡ଼ିବାରେ ଲାଗିଛି। ଏଯାଏ ରାଜ୍ୟର ମୋଟ ରୋଗୀ ସଂଖ୍ୟା ୧୫୧୭ କୁ ବୃଦ୍ଧି ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି।
ଏପଟେ ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାକୁ କରୋନା ବ୍ୟାପିଲାଣି। ମୋଟ ରୋଗୀ ସଂଖ୍ୟା ୧୬୧ ଡେଇଁ ଥିବା ବେଳେ ୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ୧୨୩ ସକ୍ରିୟ ରୋଗୀ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।


ଏବେ ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି। ଏବେ ବଲାଙ୍ଗିର ଜିଲ୍ଲା ସବୁଠାରୁ ଆଗରେ ରହିଛି। ରୋଗୀ ସଂଖ୍ୟା ୩୮ କୁ ବୃଦ୍ଧି ପାଇଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୬ ରୋଗୀ ସକ୍ରିୟ ରହିଛନ୍ତି। ସେହିପରି ସୁନ୍ଦରଗଡ ଜିଲ୍ଲାରେ ୩୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୨୬ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଜଣ ସକ୍ରିୟ ରହିଛନ୍ତି। ଏହା ତଳକୁ ରହିଛି ବୌଦ୍ଧ ଜିଲ୍ଲା। ଏଯାଏ ୩୩ ରୋଗୀ ଚିହ୍ନଟ ହୋଇଛନ୍ତି। ୪ ସୁସ୍ଥ ହୋଇଥିବା ବେଳେ ୨୯ ରୋଗୀ ସକ୍ରିୟ ରହିଛନ୍ତି। ଏଥିସହ ଦେବଗଡ ଜିଲ୍ଲାରେ ୨୪ ଚିହ୍ନଟ ମଧ୍ୟରୁ ୨ ସୁସ୍ଥ, ୨୨ ସକ୍ରିୟ, କଳାହାଣ୍ଡିରେ ୧୫, ଝାରସୁଗୁଡାରେ ୬, ସମ୍ବଲପୁରରେ ୫ ଓ ବରଗଡ଼, ନୂଆପଡ଼ା ଏବଂ ସୋନପୁର ଜିଲ୍ଲାରେ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି।


ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଛି। ସେ ମଧ୍ୟରୁ ୬୪୯ ସୁସ୍ଥ ହୋଇଥିବା ବେଳେ ୮୬୧ ଜଣ ସକ୍ରିୟ ରହିଛନ୍ତି। ତେବେ କରୋନା ମହାମାରୀରେ ଏଯାଏ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।