ପଢନ୍ତୁ ତନ୍ମୟ ସାହୁଙ୍କ ମନଛୁଆଁ ଗପ ପଙ୍କଜ ଭାଇ ଏମବିବିଏସ୍

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ, ଭୁବନେଶ୍ୱର। ଆରେ ବାପା, ବୋହୂ ଏତେ କରି କହୁଛି ଆଉଟିକେ ଖାଇଦେଉନୁ। ଖାଇସାରିଲିଣି ମାଁ, କାଜଲ ମତେ କେତେ ବାଧ୍ୟ କରୁଛି ଆଉ ତୁମେ ବି ତା’ସାଙ୍ଗେ ମିଶି ଯାଉଛ। ସକାଳୁ ଏତେ ଖାଇଲେ କାମ କେମିତି କରିବି, ତୁମେ ତ ମାଁ ଜାଣିଛ ଆଜିକାଲି କେତେ କାମ। ହଉହେଲା ସେ ଏତେକରି କହୁଛି, ଆଉଟିକେ ଖାଇଦେ ଧନ, ଆଜିକାଲି ତୋ ବ୍ୟସ୍ତତା ଏତେ ଅଧିକ ଯେ ତତେ ଖାଇବାକୁ ସମୟ ମିଳିବ କି ନାହିଁ ଜଣା ନାହିଁ।

ପଙ୍କଜ ମୁହଁଧୋଇ ବେଡରୁମକୁ ବ୍ୟାଗ ଓ କାର ଚାବି ନେବାକୁ ଯାଇ ଦେଖିଲା କାଜଲ ବେଡ ଉପରେ ମନଦୁଃଖରେ ବସିଛି। କାରଣ ବୁଝି ଗଲାସେ। କାଜଲ, ବାପା ମାଁଙ୍କର ଗୋଟିଏ ବୋଲି ଝିଅ। ଭାରି ଗେଲ୍ହାରେ ବଢିଛି, ଜୀବନରେ ଯାହା ଚାହିଁଛି ତାହା ପାଇଛି, କଟୁ କଥା ଜମା ସହି ପାରେ ନାହିଁ କିନ୍ତୁ ଭାରି ସୁନ୍ଦର ସ୍ଵଭାଵର ଝିଅଟିଏ । ବାହାଘରକୁ ଅପ୍ରିଲ 10, 2020ରେ ଠିକ୍ ବର୍ଷେ ପୁରିବ। ପଙ୍କଜର ଅତ୍ୟଧିକ ଭଲ ପାଇବାରେ କାଜଲ ବାହାଘର ପରେ ଆଉଟିକେ ନାକଚିଡି ହେଇଯାଇଛି। ସେ କହିଥିବା କୌଣସି କଥା ପଙ୍କଜ ଅମାନ୍ୟ କଲେ ମୁହଁ ଫୁଲେଇବ ଓ ବେଳେ ବେଳେ କାନ୍ଦିବ ।

ପଙ୍କଜ ଓ କାଜଲ ଦେଖା ହୋଇଥିଲେ ଅପ୍ରିଲ 10, 2010 ମସିହା SCB ମେଡିକାଲ କଲେଜରେ। ଦୁହେଁ MBBSର ଫାଷ୍ଟ ଇଅର ଷ୍ଟୁଡେଣ୍ଟ। କାଜଲ କଲିକତାରୁ ଆସିଥିବା ବେଳେ ପଙ୍କଜ ଖାଣ୍ଟି ଓଡ଼ିଆ । ଖାଣ୍ଟି ଓଡ଼ିଆମାନେ କଟକରେ ଘର। ସେମାନେ ଗ୍ରୁପରେ ଚାହା ପିଇଲା ବେଳେ କିମ୍ବା ଖଟି କଲା ବେଳେ ଓଡ଼ିଆ ବଙ୍ଗାଳି ଭାଷା, ରସଗୋଲା, ନେତାଜୀ ସୁବାଷ ବୋଷ , ଜଗନ୍ନାଥ ଠାକୁରକୁ ନେଇ ସବୁବେଳେ ଯୁକ୍ତି ତର୍କ ହୁଏ ପଙ୍କଜ ଆଉ କାଜଲର । ପଙ୍କଜ କଟକ ପିଲା କି ଛାଡିବ? କାଜଲ କିନ୍ତୁ ଯୁକ୍ତିତର୍କରେ ହାରିଗଲେ ମୁହଁ ଫୁଲେଇ ପଙ୍କଜ ସହିତ କଥା ବାର୍ତ୍ତା ବନ୍ଦ କରିଦିଏ, ପୁଣି ଦୁଇଦିନ ପରେ ଯଉକଥାକୁ ସେଇକଥା। ଏହି ଟଣା ଓଟରା ଯୁକ୍ତି ତର୍କ ଭିତରେ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଛନ୍ତି । MBBS ସରିଲା ପରେ ପଙ୍କଜ ମେଡ଼ିସିନରେ PG କରିବା ପାଇଁ AIIMS ଚାଲିଗଲା ହେଲେ କାଜଲର PG ହେଲା ନାହିଁ। କାଜଲ ବାପା ମାଁଙ୍କ ପାଖରେ ରହିବା ପାଇଁ କଲିକତା ଚାଲିଗଲା। ମଝିରେ ଅନେକ ଗୁଡିଏ ଘଟଣା ଘଟିଯାଇଛି। ଶେଷରେ 2019 ମସିହା ଏପ୍ରିଲ 10 ତାରିଖରେ ତାଙ୍କର ବହାଘର ହେଲା।

କାଜଲକୁ ଅତି କମ ସମୟରେ ବୁଝେଇବାର ଥିଲେ ପଙ୍କଜ ତା’ର ଟୁଟା ଫୁଟା ବଙ୍ଗାଳି ଭାଷା ଆରମ୍ଭ କରିଦିଏ। କାଜଲ ଉପରେ ଭଲ କାମ କରେ ଏ ମେଡ଼ିସିନଟା। କାଜଲ ପାଖକୁ ଯାଇ ପଙ୍କଜ ପ୍ରେମ ଭରା ସ୍ୱରରେ ପଚାରିଲା କ’ଣ ହେଲା ତମର । କାହିଁକି ମନ ଦୁଃଖରେ ବସିଛ। ଆଉଟିକେ ଖାଇଲିନି ବୋଲି? ଆରେ ଆମୀ ମାନୁଷ କି ରାକ୍ଷସ, କତୋ ଖାଵୋ । ଅତୋ ଖେଲେ କି କାଯ କରେ ହଏ? ଏଥର କିନ୍ତୁ କ୍ୱିକହିଲ ମେଡ଼ିସିନ ଟା କାମ ଦେଲାନି। ଭୋ ଭୋ ହୋଇ କାନ୍ଦି ଉଠିଲା କାଜଲ। ଅଫିସ ବେଳ ହେଇଗଲାଣି କହି କାଜଲ ମୁଣ୍ଡରେ ହାତ ବୁଲେଇ ଦେଇ “take care” କହି ପଙ୍କଜ ବାହାରିଗଲା ତା’ର ନୂଆ ପୋଷ୍ଟିଂଗ କ୍ୟାପିଟାଲ ହସ୍ପିଟାଲକୁ। ପଛରୁ ପ୍ରତିଉତ୍ତର ଶୁଭିଲା, “pankaj you please take care of yourself too”.

କିଛିଦିନ ପୂର୍ବର ଘଟଣା। ପଙ୍କଜ ହସ୍ପିଟାଲ ପହଁଚିଲା ବେଳକୁ 10.00 ଟା ହେଇଗଲାଣି, 30 ମିନିଟ ବିଳମ୍ବ। ସେଦିନ ସକାଳ 9.30 ରୁ ଅପରାହ୍ନ 12:00 ଟା ପର୍ଯ୍ୟନ୍ତ ଓପିଡି ଡ୍ୟୁଟି। ପୁଣି 12.30 ରୁ ସନ୍ଧ୍ୟା 7 ଟା ୱାର୍ଡ ଭିଜିଟ, ଏମରଜେନ୍ସି ଓ ଆଇସିୟୁ ଡ୍ୟୁଟି । ଓପିଡ଼ି ପାଇଁ ବିଳମ୍ବ ହେଇଯାଇଥିବାରୁ ଅନେକ ଲୋକ ଓପିଡ଼ି ବାହାରେ ଅପେକ୍ଷା କରିଛନ୍ତି। ଓପିଡ଼ି ପାଇଁ 4 ଟା ଡାକ୍ତର ଥିଲେ ମଧ୍ୟ ପଙ୍କଜ କ୍ୟାବିନ ସାମ୍ନାରେ ସବୁଠୁ ବେଶି ଭିଡ। କାରଣ ବହୁତ କମ ଦିନ ଭିତରେ କ୍ୟାପିଟାଲ ହସ୍ପିଟାଲର ସବୁଠୁ ଭଲ ଯୁବ ଡାକ୍ତର ଭାବେ ନିଜକୁ ପ୍ରତିଷ୍ଠା କରିପାରିଛି ପଙ୍କଜ। SCBରେ ହାଉସ ସର୍ଜନସିପ ବେଳେ ପଙ୍କଜ ରୋଗ ପାଇଁ ଔଷଧ କହିବା ଆଗରୁ ବେମାରୀର ମୂଳ କାରଣ ଖୋଜିବାରେ ସମୟ ନିଏ, ଦରକାର ପଡ଼ିଲେ ପ୍ରଫେସର ସାଙ୍ଗେ କଥା ହୁଏ ଓ ତାପରେ ଔଷଧ ଦିଏ।ପେସେଣ୍ଟ ଚେକ କଲାବେଳେ ସେ ପ୍ରତ୍ୟେକ ରୋଗୀ ସହ ନଶ୍ଚୟ ଦୁଇପଦ ମିଠା କଥା ହୁଏ। ସବୁ ରୋଗୀ ସହିତ ଏକ ସମ୍ପର୍କର ଡୋର ବାନ୍ଧେ, ପ୍ରତ୍ୟେକ ବୟସ୍କଙ୍କୁ ମଉସା ବା ମାଉସୀ ଓ ସମ ବୟସ କିମ୍ବା କମ ବୟସର ପିଲାଙ୍କୁ ନିଜର ଭାଇ ବା ଭଉଣୀ ମାନ୍ୟରେ କଥାହୋଇ ସମସ୍ତଙ୍କୁ ନିଜର କରିଦିଏ। କାଜଲ ଓ ପଙ୍କଜର ଲଭଷ୍ଟୋରୀ ମେଡିକାଲ କେମ୍ପସରେ ସମସ୍ତଙ୍କୁ ଜଣା, ୱାର୍ଡରେ ବି ଷ୍ଟାଫମାନେ ଅଳ୍ପ ବହୁତେ ଜାଣିଛନ୍ତି । କେମ୍ପସର Mr. & Ms. କହିଲେ କେମ୍ପସ, ୱାର୍ଡ, ମେଡ଼ିସିନ ଷ୍ଟୋର, ବ୍ଲଡ଼ ବ୍ୟାଙ୍କ ସମସ୍ତେ ଜାଣନ୍ତି। ବେଳେ ବେଳେ ପଙ୍କଜ ଓ କାଜଲର ନାଇଟ ଡ୍ୟୁଟି ଗୋଟିଏ ୱାର୍ଡରେ ପଡେ। ସେଦିନ ବହୁତ ଖୁସି ହେଇ ଯାଆନ୍ତି ସେହି ୱାର୍ଡର ରୋଗୀମାନେ କାରଣ ଏଇ ଦୁଇ ଜଣଙ୍କ ଥଟ୍ଟା ତାମସା ଓ ଟଣାଓଟରା ଦେଖି ପୁରା ଆଠ ଘଣ୍ଟାର ହସ ଖୋରାକରେ ଅଧା ରୋଗ ଠିକ ହେଇଯାଏ ରୋଗୀଙ୍କର। ପଙ୍କଜକୁ କିଛି ଅଣଓଡ଼ିଆ ରୋଗୀ ମୁନ୍ନା ଭାଇ MBBS ମଧ୍ୟ ଡାକୁଥିଲେ। ଡ୍ରାମା ଓ ଏକଟିଂରେ ବି ସେ ପାରଙ୍ଗମ। କଟକ ପିଲା ସେ। ଭରପୁର ଟାଲେଣ୍ଟ ତା ପାଖରେ । ସବୁ ରୋଗୀ ତା ପାଖରେ ଅତି ଫ୍ରି ରେ ନିଜର ପରି କଥାହୁଅନ୍ତି ଓ ନିଜର ଅସୁବିଧା ଜଣାନ୍ତି। ଚାକିରୀ କରିବା ପରେ ମଧ୍ୟ ପୁରୁଣା ଅଭ୍ୟାସ ବଦଳିନି ତା’ର । ତେଣୁ ବିଳମ୍ବ ହେଲେ ବି ତା’ରି କ୍ୟାବିନ ସାମ୍ନାରେ ଦୁନିଆ ଯାକର ଭିଡ଼।

13 ନ ରୋଗୀ ପ୍ରବେଶ କଲେ କ୍ୟାବିନକୁ । ବେଶଭୁଷା ଦେଖି “ଆଇୟେ ଆଇୟେ ଚାଚା କ୍ୟା ହୁଆ ଆପକୋ” ବୋଲି ଡାକି ବସେଇଲା ନିଜ ପାଖରେ । ପୁଅ, ଚାର ଦିନ ହୋଗୟା ଥଣ୍ଡା ଜ୍ୱର ହେଇଛି। ଆଉ ? କଭି କଭି କାଶ ହଉଚି ଆଉ … । ଆଉ କଣ ଚାଚା କୁହ କିଛି ଆସିବିଧା ନାହିଁ ! କଥା କହିଲା ବେଳେ ମୋର ଟିକେ ଶ୍ୱାସ ଫୁଲୁଛି ଆଗରୁ ଆଜମା ଥିଲା ସେଇଟା ବଢି ଗଲା ପରି ଲାଗୁଛି। ହଁ, ମୁଁ ଦେଖି ପାରୁଛି। ୟା ଭିତରେ ପେସେଣ୍ଟ ନୋଟସିଟ ଦେଖି ପଙ୍କଜ ଚାଚାର ନାଁ ଜାହାଙ୍ଗିର ଅଖତର, ବୟସ 62 ଓ ସମ୍ପୂର୍ଣ ଆଡ୍ରେସ ଦେଖିଦେଇଥିଲା। ଅତି ମଧୁର ସ୍ୱରରେ ପଚାରିଲା ଚାଚା କହିଁ ବାହାର ଘୁମନେ ଘାମନେ ଗଏଥେ? ନେହିଁ ନେହିଁ କରି ନକାରୀ ଦେଲା ଚାଚା କିନ୍ତୁ ତାଙ୍କ ମୁଖ ମଣ୍ଡଳରେ ବିଷର୍ଣ୍ଣର ଚିହ୍ନ ଦେଖା ଗଲା। ପଙ୍କଜ ଆଉ ଟିକେ ମୃଦୁ ହସି ଦେଇ ପଚାରିଲା ବୋଲୋ ନା ଚାଚା ଆପକା ବେଟା ହୁଁ ମେ, ମେରେ ସେ କ୍ୟୁ …? ବେଟା ମେ କୁଛ ବୋଲନା ଚାହାତାହୁଁ ପର ଡର ରାହାହୁଁ। ତୁ ମେରା ବେଟା ଜୈସା ହେ ଇସିଲିଏ ଖୁଲ କେ ବତା ରାହା ହୁଁ। ମେରେସେ ଏକ ଗଲତି ହୋଗୟା ହେ..। ବୋଲୋ ଚାଚା କୁଛ ନହିଁ ହୋଗା, ମେ ହୁଁ ନା। ମେ ଦିଲ୍ଲୀ ଗୟା ଥା। ହମାରା ଏକା ବହୁତ ବଡା ମିଟିଂ ଥା । ଏତିକି କହିଲା ପରେ ପଙ୍କଜ କହିଲା ମୁଁ ବୁଝିଗଲି , ତୁମର ଚିନ୍ତା କରିବାର ନାହିଁ । ମୁଁ ତୁମର ଚିକିତ୍ସା କରିବି। ସିଷ୍ଟରକୁ ଇଙ୍ଗିତରେ ସ୍ୱାବ କଲେକ୍ଟ କରି ଟେଷ୍ଟକୁ ପଠାଇବା ପାଇଁ କହିଲେ ପଙ୍କଜ। ସ୍ୱାବ କଲେକ୍ଟ କରିବା ସମୟରେ ଜାହାଙ୍ଗିରଙ୍କ ଦେହ ଅତ୍ୟନ୍ତ ଖରାପ ହେଇଗଲା ହଠାତ ଧକେଇବା ଆରମ୍ଭ କରିଦେଲେ। ପଙ୍କଜ ସାଙ୍ଗେ ସାଙ୍ଗେ ତାଙ୍କୁ ଷ୍ଟ୍ରେଚରରେ ଶୁଆଇ ଆଗ ଏମରଜେନ୍ସିକୁ ଓ ସେଠାରେ କିଛି ସମୟ ଅକ୍ସିଜେନ ଦେବାପରେ ଅବସ୍ଥା ନ ସୁଧୁରିବାରୁ ଆଇସିୟୁକୁ ନେଲା। ବେଟା ବୋଲି ସମ୍ବୋଧନ କରିବା ପଙ୍କଜର ହୃଦୟକୁ ଛୁଇଁ ଯାଇଥିଲା , ତେଣୁ ପୁରା ସମୟ ଜାହାଙ୍ଗିରର ଅତି ପାଖରେ ଥାଇ ସୁପରଭାଇଜ କରୁଥାଏ ମୁନ୍ନାଭାଇ MBBS । ସନ୍ଧ୍ୟା 6.00 ଟା ବେଳେ ଜାହାଙ୍ଗିରର ରିପୋର୍ଟ କୋରୋନା ପସିଟିଭ ଆସିଲା । ସାଙ୍ଗେ ସାଙ୍ଗେ ଖବର ପୁରା ହସ୍ପିଟାଲରେ ପ୍ରଚାର ହେଇଗଲା। ପ୍ରୋଟୋକଲ ହିସାବ 6.30 ଭିତରେ ଜାହାଙ୍ଗିରରୁ ସେବା ଯୋଗେଇଥିବା ସବୁ ଡାକ୍ତର ଓ ନର୍ସଙ୍କର କଫନମୁନା ସଂଗ୍ରହ ହେଇ ପରୀକ୍ଷା ପାଇଁ ଗଲା।

ଏହି କଥା ପଙ୍କଜ ଘରେ କାଜଲକୁ କହିଥିଲା । କାଜଲ ବି ଜାଣିଥିଲା ଆଜି ଟେଷ୍ଟର ରିପୋର୍ଟ ଆସିବ। ତେଣୁ ମନ ବହୁତ ବ୍ୟସ୍ତ ଲାଗୁଥାଏ। ପଙ୍କଜ ହସ୍ପିଟାଲ ଗଲା ପରଠାରୁ ତା ଫୋନକୁ ଅପେକ୍ଷା କରିଛି କାଜଲ। ସମୟ ଠିକ ଅପରାହ୍ନ 3.30 ହେବ, ଘର ବାହାରେ ହୋ ହାଲ୍ଲା ଓ କଲିଙ୍ଗ ବେଲରେ ବନଜା ଦେବୀଙ୍କ ନିଦ ଭାଙ୍ଗିଗଲା, କବାଟ ଖୋଲି ଦେଖନ୍ତି ତ ପୁଳାଏ ମିଡ଼ିଆ ଵାଲା ଘର ବାହାରେ । ସାଙ୍ଗରେ ଗୋଟେ ଆମ୍ବୁଲାନ୍ସ ଓ କିଛି ଡାକ୍ତିରି ଷ୍ଟାଫ ଭି ଥାଆନ୍ତି । ଜଣେ ପଚାରିଲା ଏଇଟା ଡ.ପଙ୍କଜ ମହାନ୍ତି ଙ୍କ ଘର? ହଁ, ମୁଁ ତାଙ୍କ ମା କ’ଣ ହେଲା। ଆଉ କିଏ ତାଙ୍କ ସ୍ତ୍ରୀ ଏଠି ରୁହନ୍ତି? ହଁ। ଏତିକି ବେଳକୁ କାଜଲ ଆସି ଶାଶୁଙ୍କ ପଛରେ ଛିଡ଼ା ହେଇ ସାରିଥାଏ। ତାଙ୍କ ସହ କିଛି ମେଡିକାଲ ଷ୍ଟାଫ ଥିଲେ, ସେମାନେ ଆମ ସାଙ୍ଗରେ ଆସନ୍ତୁ କହି ଆମ୍ବୁଲାନ୍ସରେ ବସାଇ ନେଇଗଲେ କାଜଲ ଓ ବନଜା ଦେବୀଙ୍କୁ । ମେଡିକାଲ ଷ୍ଟାଫ କିଛି କହିବା ଆଗରୁ ବୁଝି ଯାଇଥିଲା କାଜଲ । କୋହଭରା ସ୍ୱରରେ ଶାଶୁଙ୍କୁ କହିଲା ସକାଳୁ ମୋ ମନକୁ ପାପ ଛୁଉଁଥିଲା । ଯାହାକୁ ମୁଁ ଡରୁଥିଲି ସେଇଆ ହିଁ ହେଲା, କୋରୋନା ଆକ୍ରାନ୍ତଙ୍କୁ ଚିକିସ୍ତା କରୁ କରୁ ନିଜେ କୋରୋନା ଆକ୍ରାନ୍ତ ହେଇଯାଇଛନ୍ତି ପଙ୍କଜ। ହେ ପ୍ରଭୁ ମୋ ପଙ୍କଜକୁ ବଞ୍ଚେଇ ଦିଅ।

ବନଜା ଦେବୀ କିନ୍ତୁ ସ୍ତବ୍ଧ ହୋଇ ଭାବି ଚାଲିଛନ୍ତି କେତେ ଅଭାବ ଅନାଟନରେ ପୁଅକୁ ପାଠ ପଢେଇ ଡାକ୍ତର କରିଥିଲି। ଡାକ୍ତର ମଣିଷରୂପୀ ଭଗବାନ ବୋଲି ଭାବି ନେଇଥିଲି। କିନ୍ତୁ ଭଗବାନ ବି ଲୋକଙ୍କ ସେବା କରି ନିଜେ ମହମାରୀର ଶିକାର ହେବ, ଏ କଥା ଜାଣିନଥିଲି।

ହେ ଜଗନ୍ନାଥ ତୁମେ ହିଁ ସାହା ଭରସା !!!

Leave a Reply