ଲେଖିକା ସ୍ବର୍ଣ୍ଣପ୍ରଭା ଖଟୁଆଙ୍କ ଚମତ୍କାର ଗପ ପ୍ରତିଶ୍ରୁତିର ହାତ, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ଦିକଦିକ ମହମବତୀର ତେଜରେ ଗାଢ ଆଲୋକକୁ ଦରାଣ୍ଡିବା ମୂର୍ଖାମି ବିନା ଅନ୍ୟ କଣ ବା ହୋଇପାରେ। ଲୁଣ ବିନା ପଖାଳ ଖାଇବାର ଯନ୍ତ୍ରଣା କେତେଯେ ଅସହ୍ୟ ଖାଇବା ଲୋକହିଁ ତାହା ଅନୁଭବ କରିଥାଏ।

ସ୍ନିଗ୍ଧାର ଠିକ୍ ମନେଅଛି ୟୁନିଭରସିଟି ଗେଟରୁ ଦୁହେଁ ସାଙ୍ଗ ହୋଇ ଫେରୁଥାଆନ୍ତି।ସମୟ ପ୍ରାୟ ଚାରିଟା ହେବ। କଲେଜଛକରୁ ସ୍ନିଗ୍ଧାର ହଷ୍ଟେଲଗେଟ୍ ଦୁଇ କିଲୋମିଟର ହେବ ଅଟୋ ନଧରିବାକୁ ଜିଦ୍ ଧରିଲା ସବ୍ୟ ସାଙ୍ଗହୋଇ ଚାଲିବାରେ ଥକ୍କାପଣ କେବେବି ଅତିଥି ହୋଇ ଆସିପାରେନି ଏହା ସବ୍ୟର ମତ। ସ୍ନିଗ୍ଧାତ ଅନେକଥର ଚାଲିଛି ଜୀବନରାସ୍ତାରେ ଏକୁଟିଆ। ସାଙ୍ଗ ହୋଇ ଚାଲିବାର ଅନୁଭୁତି ତାର କେବେବି ଆଗରୁ ନାହିଁ। ପ୍ରଥମ ଥର ସାଙ୍ଗହୋଇ ଚାଲିବ ପୁଣି ଜଣେ ପୁଅ ସହିତ ଏହା ସ୍ନିଗ୍ଧାକୁ ଅସହ୍ୟ ମନେ ହେଉଥିଲା। ୟାଭିତରେ ଦୁଇ ଚାରିଥର ସେ ଝୁଣ୍ଟି ପଡିଲାଣି ଯାହା ସବ୍ୟକୁ ଖୁବ୍ ଯନ୍ତ୍ରଣା ଦେଉଥାଏ। ସବ୍ୟ ନିଜକୁ ଆଉ ସମ୍ଭାଳି ପାରିଲା ନାହିଁ। ଜୀବନର ସବୁ ସଂସ୍କାର ଓ ସଙ୍କୋଚକୁ ଫିଙ୍ଗିଦେଇ ସ୍ନିଗ୍ଧା ହାତକୁ ଧରିବାକୁ ଚେଷ୍ଟା କଲା ଶେଷରେ ସଫଳ ହେଲା। ସ୍ନିଗ୍ଧା ହଠାତ କହିଉଠିଲା ଏଠି ଧରିବା ଯେତିକି ସହଜ ଛାଡିବା ମଧ୍ୟ ସେତିକି ଯନ୍ତ୍ରଣାସକ୍ତ। ସବ୍ୟ ହାହା ହୋଇ ହସି ଉଠିଲା ଫିଲ୍ମ୍ ଡାଇଲଗ ପରି କହି ଉଠିଲା ଏ ସବ୍ୟ ଜୀବନରେ ଯେଉଁ ହାତକୁ ଥରେ ଧରେ ତାକୁ ଏ ଜନ୍ମରେ ଛାଡିବା ସମ୍ଭବ ନୁହେଁ। ସ୍ନିଗ୍ଧା ନିର୍ବାକ ଆଖି ଦୁଇଟି ଛଳଛଳ ଦୀର୍ଘ ନିଶ୍ୱାସଟିଏ ମାରି କହିଉଠିଲା। ଜାଣିଛ ଏଠି ପ୍ରେମ ପାଇଁ ଧନୀ ଗରିବ ,କଳା ଗୋରା ,ଜାତି ଅଜାତିର ଭେଦଭାବ ନଥାଏ କିନ୍ତୁ ବିବାହ ପାଇଁ ଗୋରା ଶରୀର କଳା ଶରୀରକୁ ଘ୍ରୁଣାକରେ ,ଧନୀ ଅଗଣାରେ ଗରିବର ପାଦପଡିଲେ ତାକୁ ଭିକାରି ଭାବି ହାତରେ କେଇଟା ଟଙ୍କା ଧରାଇ ଦେଇ ଫେରାଇଦିଆଯାଏ ତା ଝାଟିମାଟିର ନିବୁଜ କୋଠରିକୁ। ଉଚ୍ଚଜାତିର ବ୍ୟକ୍ତି ଅଗଣାରେ ନିଚ୍ଚଜାତିର ବ୍ୟକ୍ତି ପାଦ ପକାଇଲେ ସେ ସ୍ଥାନ ଛୁଆନ୍ତା ହୋଇଯାଏ ଆମ ସମାଜରେ।

ସ୍ନିଗ୍ଧାର ଏହି ନିଚ୍ଛକ ସତ୍ୟକୁ ଗ୍ରହଣ କରିବାକୁ ସବ୍ୟ ଆଦୌ ରାଜିନଥିଲା ସ୍ନିଗ୍ଧାର ହାତକୁ ଆଗପରି ସେମିହିଁ ଜାବୁଡି ଧରିଥାଏ। ଏମିତି କଥାବାର୍ତ୍ତା ଭିତରେ ଦୁଇ କିଲୋମିଟର ଦୁଇମିନିଟରେ ସରିଯିବା ପରି ଅନୁଭବ ହେଉଥିଲା। ଏବେ ହଷ୍ଟେଲଗେଟ୍ ସାମ୍ନାରେ ଦୁହେଁ,ହାତ ଯୋଡିକ ସେମିତି ଯୁଗଳବନ୍ଦୀ। ଦୁହେଁ କେଉଁ ଏକ ସ୍ୱପ୍ନିଳ ଦୁନିଆରେ ଯେଉଁଠି ସ୍ୱପ୍ନଠାରୁ ସତ୍ୟର ପରାଭବ ଅଧିକ ପାରଙ୍ଗମ ଥିବାପରି ଅନୁଭବ କରିପାରୁନଥିଲେ।

ପଛରୁ ହଠାତ ଗାଡିର ଆର୍ତ୍ତଚିତ୍କର(ହର୍ଣ୍ଣ)ଶବ୍ଦରେ ଚର୍ତ୍ତୁଦିଗ ଚମକିଉଠିଲା। ସ୍ନିଗ୍ଧା ଓ ସବ୍ୟ ତତକ୍ଷଣାତ ପଛକୁ ବୁଲି ଚାହିଁଲେ ଯାହା ଦେଖିଲେ ଦୁହିଁଙ୍କ ଆଖିର ପଲକ ପଡୁନଥାଏ। ଛାତିର ଧଡକନ ତୀବ୍ରଗତିରେ ମାଡିଚାଲୁଥାଏ। ସବ୍ୟର ବାପାଙ୍କ ମୁଣ୍ଡରେ ଛତା ଏବଂ ସେ ଛତା ଧରିଥିବା ବ୍ୟକ୍ତି ଜଣଙ୍କ ସ୍ନିଗ୍ଧାରବାପା। ହଠାତ୍ ଦୁହିଁଙ୍କ ବାଗଯନ୍ତ୍ରରୁ ବାଜିଉଠିଲା ବାପା… ସେହି ମୁହୂର୍ତ୍ତରୁ ହାତା ଦୁଇଟି ବିଚ୍ଛିନ୍ନ ଗୋଟିଏ ଭାରତ ଅନ୍ୟଟି ପାକିସ୍ତାନ।

Leave a Reply