ରାଉରକେଲାର ଲେଖିକା ପୁଷ୍ପାରାଣୀ ପଟେଲଙ୍କ ଗପ ଶ୍ରୀଚରଣ କମଳେଷୁ, ପଢ଼ନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ଆଜି ଦିନରେ ତୁମ ପାଇଁ ମୋ’ର ଉପହାର ନେବ। ହୃଦୟରୁ ପ୍ରେମକୁ କାଳି କରି ଲେଖା ଯାଉଥିବା ପତ୍ରଟିଏ ଅପେକ୍ଷା ଆଉ କ’ଣ ମୂଲ୍ୟବାନ ଉପହାର ଦେଇ ପାରିଥାନ୍ତି ତୁମକୁ ? ତେଣୁ ଏଇ ମୋ’ର ଉପହାର ତୁମପାଇଁ। ଆଜିବି ମୋ’ ମନରେ ଦୁଇ ବର୍ଷ ତଳର ସେମିତି ହିଁ ଉଚ୍ଚାଟନ ଯେମିତି ସେଦିନ ଥିଲା। ସେଇ ସ୍ମୃତିର ସାଗରରୁ ସାଉଁଟି ଆଣିଛି କିଛି ଶାମୁକା, ଯାହା ସାଇତି ରଖିଥିଲି ହୃଦୟ ଫରୁଆରେ। ଆଜି ବାଢିଦେଉଛି ଶବ୍ଦକରି ସଫେଦ କାଗଜରେ।

ଶୁଣ ! ମୁଁ କହିଦିଏ,କ’ଣ କହୁଥିଲା ମୋ’ ହୃଦୟର ସ୍ପନ୍ଦନ ଯେବେ ଆମର ପ୍ରଥମ ସାକ୍ଷାତର ସମୟ ନିର୍ଦ୍ଧାରଣ କରିଥିଲେ ସେଇ କରୁଣାମୟ ଈଶ୍ୱର।

ଆମେ ବସିଥିଲେ। ଆମ୍ନାସାମ୍ନା ନୁହଁ ବରଂ ପାଖାପାଖି। ଆମ ଭିତରେ ଶାରିରୀକ ଦୂରତା ତ ସେଠି ଉପସ୍ଥିତ ଥିବା ସମସ୍ତେ ଦେଖିଥିବେ ତେବେ ଆମ ଭିତରର ଘନିଷ୍ଠତାକୁ ଭୋଗୁଥିଲି ମୁଁ ଓ ଆଜିବି ଭୋଗୁଛି ଖୁବ୍।
“ଆଉ ତୁମେ ……??”

ମୋ’ ମନପକ୍ଷୀ ସେବେଳେ କେମିତି ଥିଲା ଜାଣ?
ବହୁଥିଲା ଯେମିତି ସେ
ଏକ ବେଗମତୀ ନଈ..
ପୁଣି ଲୁଚୁଥିଲା ଦିଶୁଥିଲା
ଯେମିତି ଏକ ୠତୁମତୀ ଜହ୍ନ..

ଲୁଚକାଳି ଖେଳୁଖେଳୁ କହିଲା ମୋ’ର କାନେକାନେ,’ଦେଖିବୁ ଯଦି,ଥରେ ଚାହାଁ ଆଖି ଉଠାଇ….!’

ମୁଁ ଆଖି ଉଠାଇ ଚାହିଁଲି। ତୁମ ଆଖିରେ ଯେ ସ୍ଥିର ସମୁଦ୍ରର ଉତ୍ତାଳ ଆକର୍ଷଣ ! ସମୁଦ୍ରେ କୁହୁକର ନିଶା ତୁମ ଦୁଇଟି ନିର୍ମାୟା ଆଖିରେ। ‘ଆଃ…କେତେ କୁହୁକ ଆକର୍ଷଣ ଭରିଥିଲା ସେଇ ତୁମ ନିର୍ଲିପ୍ତ ଆଖି ଦୁଇଟିରେ !’ଭୟ ଲାଗିଲା ମୋ’ତେ …!

ତୁମେ କହିବ-‘କେମିତି ଭୟ ?’
ଭୀଷଣ ଭୟ ମୋ’ର,ନିଶାସକ୍ତ ହେଇ ସମୁଦ୍ରେ ଶୋଷ ନେଇ ସମୁଦ୍ର କୂଳେ ସମୁଦ୍ରକୁ ଚାହିଁ ଚାହିଁ ବୁଡି ମରିବାକୁ।

ଆଖିପତା ନଇଁଆସି ଅଟକିଗଲା ତୁମ ହାତ ଉପରେ। ତୁମପରି ହିଁ ସୁନ୍ଦର..ତୁମ ହାତ, ଆଙ୍ଗୁଳି, ନଖ, ପାପୁଲି ଓ ପାପୁଲିର ରେଖା। ତେବେ ମୋ’ ପାପୁଲିର ରେଖାସବୁ କେବେ ମିଶି ପାରିବେନି ସେଇ ପାପୁଲିର ରେଖାମାନଙ୍କ ସାଥିରେ। ତେଣୁ ମୁଁ ଅନ୍ୟମନସ୍କ ହେଇ ନିଜକୁ ଆଶ୍ୱସନା ଦେବାପାଇଁ ଖୋଜୁଥିଲି ସେଇ ଘଣ୍ଟାଟିକୁ।ଯେମିତିକି ମୋ’ ଭାଗ୍ୟକୁ ,ଏ ଅସମୟକୁ ମୁଁ ବଦଳାଇ ଦେବି ସଠିକ୍ ସମୟକରି ସେଇ ଘଣ୍ଟା ସାହାଯ୍ୟରେ…!

ଆଃ,କେତେ ଭଲ ହେଇଥାଆନ୍ତା ଘଣ୍ଟାଟି ତୁମହାତରେ ବନ୍ଧା ହେଇଥିଲେ। ମୁଁ ବାଆଁ,ଡାହାଣ କରି ଦୁଇଟିଯାକ ହାତକୁ ଥରଥର କରି ଚାହିଁଲି।

“ହାଏ…କେଉଁ ହାତରେ ବି ତୁମେ ପିନ୍ଧି ନଥିଲ ଘଣ୍ଟା ।”
ବେଗମତୀ ନଈ ହଠାତ୍ ଧୀର କଲା ତା’ର ଗତି। କିଛି ଗୋଟାଏ ଭାଙ୍ଗିଗଲା ଝଣଝାଣ ଶବ୍ଦକରି ହୃଦୟ ଭିତରେ।ଅବଶ୍ୟ ସେ ଶବ୍ଦ ଶୁଭିନଥିବ ତୁମକୁ…’ଶୁଭିଲା କି ?’

ଯନ୍ତ୍ରଣା ମୁଁ ଲୁଚେଇ ପାରେନା।ତୁମେ ଯଦି ପଢିଥିବ ସେଦିନ ନଈର ଅଭିମାନକୁ,ନିଶ୍ଚୟ କେବେଦିନେ ସେ ଘଣ୍ଟା ତୁମ ହାତରେ ନିଜକୁ ଦେଖି ହସିବ ଯେ। ସେଦିନ କିନ୍ତୁ ତୁମ ହାତ ଦେଖି ବୁଝିଗଲା ଜହ୍ନ,”ଦିନର ଆଲୁଅରେ ସ୍ଥାନ ନାହିଁ ତା’ର !ତା’ ଭାଗ୍ୟରେ ଯେ କେବଳ କୋମଳ ଅନ୍ଧାର।”

ମୁଁ ବୁଝିଲି,କେତେ ସୀମିତ ଆକାଶ ଥାଏ ପ୍ରେମିକାର ଭାଗ୍ୟରେ। ଚାହିଁଲି,ତୁମ ପାଦଦୁଇଟିକୁ।
“ଆଃ….କି ଅନୁପମ !”
ବେଗମତୀ ନଈ ଶାନ୍ତ ହେଲା ଜାଣ, ସେଇ ପାଦ ଦୁଇଟିର କୋମଳ ପଣରେ।

ଶ୍ରୀ ଚରଣ କମଳେଷୁ
ଏତିକି କାମନା
ଆଜୀବନ ସେଇ ପାଦଦ୍ୱୟତଳେ ଧ୍ୟାନ ଥାଉ ମୋ’ର ।।।।

ସହକାରୀ ଶିକ୍ଷୟିତ୍ରୀ
ସରକାରୀ ଉଚ୍ଚ ବିଦ୍ୟାଳୟ,ସେକ୍ଟର-୧୬,ରାଉରକେଲା-୩
ମୋବାଇଲ ନମ୍ବର-୯୪୩୮୨୫୮୦୬୩

Leave a Reply