ପଶ୍ଚିମରେ କରୋନା କହର: ୨୦୦ ଟପିଲା ରୋଗୀ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ!

ଓଡ଼ିଶାବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ପଶ୍ଚିମ ଓଡ଼ିଶାରେ କାୟା ବିସ୍ତାର କରି ଚାଲିଛି ମହାମାରୀ କରୋନା। ପ୍ରତିଦିନ କୌଣସି ନା କୌଣସି ଜିଲ୍ଲାରେ ରୋଗୀ ଚିହ୍ନଟ ହେଉଛନ୍ତି। ଏପରିକି ଗତ କିଛି ଦିନ ମଧ୍ୟରେ ଅସ୍ବାଭାବିକ ଭାବେ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ଗୋଟିଏ ଦିନରେ ପଶ୍ଚିମ ଓଡ଼ିଶାରେ ୧୦ ଜଣ ରୋଗୀ ଚିହ୍ନଟ ହେବା ସହ ମୋଟ ରୋଗୀ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି।


ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଆଜି ରାଜ୍ୟରେ ମୋଟ ୬୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୧ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଲୋକ ସଂକ୍ରମିତ ହୋଇଛନ୍ତି। ତେବେ ଚିହ୍ନଟ ୬୩ ମଧ୍ୟରୁ ୧୦ ଜଣ ରୋଗୀ ପଶ୍ଚିମ ଓଡ଼ିଶାର। ଅଧିକ ରୋଗୀ ବଲାଙ୍ଗିର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ୬ ଜଣ ରୋଗୀ ସହ ଜିଲ୍ଲାରେ ରୋଗୀ ସଂଖ୍ୟା ୬୨କୁ ବୃଦ୍ଧି ପାଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ୨, ସମ୍ବଲପୁର ଓ ଝାରସୁଗୁଡାରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।


ଏବେ ଆସନ୍ତୁ ନଜର ପକାଇବା କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ ହୋଇଛନ୍ତି। ସମଗ୍ର ପଶ୍ଚିମ ଓଡ଼ିଶାରେ ବଲାଙ୍ଗିର ଜିଲ୍ଲା ଟପରେ ରହିଛି। ଏବେ ସୁଦ୍ଧା ୬୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୬ ଜଣ ସକ୍ରିୟ ରହିଛନ୍ତି। ବଲାଙ୍ଗିର ତଳକୁ ରହିଛି ସୁନ୍ଦରଗଡ଼ ଜିଲ୍ଲା। ଏଠାରେ ୪୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୨୭ ଜଣ ସୁସ୍ଥ ହୋଇଥିବା ବେଳେ ୧୪ ଜଣ ସକ୍ରିୟ ରହିଛନ୍ତି। ସେହିପରି ବୌଦ୍ଧ ଜିଲ୍ଲାରେ ୩୩ ଚିହ୍ନଟ ମଧ୍ୟରୁ ୫ ସୁସ୍ଥ ହୋଇଥିବା ବେଳେ ୨୮ ସକ୍ରିୟ ରହିଛନ୍ତି। ଚତୁର୍ଥ ସ୍ଥାନରେ ରହିଛି ଦେବଗଡ ଜିଲ୍ଲା। ଚିହ୍ନଟ ୨୪ ରୋଗୀ ମଧ୍ୟରୁ ୨ ସୁସ୍ଥ ହୋଇଥିବା ବେଳେ ୨୨ ଜଣ ରୋଗୀ ସକ୍ରିୟ ରହିଛନ୍ତି। କଳାହାଣ୍ଡିରେ ୧୫ରୁ ୨ ସୁସ୍ଥ ୧୩ ସକ୍ରିୟ, ନୂଆପଡାରେ ୧୪ରୁ ୧୪ ସକ୍ରିୟ, ସମ୍ବଲପୁରରେ ୮ରୁ ୩ ସୁସ୍ଥ ୫ ସକ୍ରିୟ, ଝାରସୁଗୁଡାରେ ୭ରୁ ୨ ସୁସ୍ଥ ୫ ସକ୍ରିୟ ଏବଂ ବରଗଡ଼ ଜିଲ୍ଲାରେ ୨ରୁ ୨ ଜଣ ସକ୍ରିୟ ରହିଛନ୍ତି।


ସୂଚନାଯୋଗ୍ୟ ଯେ, ରାଜ୍ୟରେ ମୋଟ ରୋଗୀ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଛି। ସେ ମଧ୍ୟରୁ ୯୭୭ ଜଣ ସୁସ୍ଥ ହୋଇଥିବା ବେଳେ ୭୩୩ ଜଣ ସକ୍ରିୟ ରହିଛନ୍ତି। ତେବେ ୭ ଜଣ କରୋନାରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଅନ୍ୟ କାରଣରୁ ମରିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏପଟେ ପଶ୍ଚିମ ଓଡ଼ିଶାରେ ବି ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ରୋଗୀ ସଂଖ୍ୟା ଦୁଇ ଶହ ଟପିଛି। ଏଯାଏ ୨୦୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୧୫୯ ଜଣ ସକ୍ରିୟ ରୋଗୀ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।