ସଂପ୍ରତି କୋଭିଡ୍ ମହାମାରୀକୁ ନେଇ ନୂଆ ପିଢ଼ିର ଲେଖିକା ବିଶ୍ୱଜିତା ପଣ୍ଡାଙ୍କ ଆଲେଖ୍ୟ, କରୋନା କାରୁଣ୍ୟ, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। କରୋନା ଏକ ମହାମାରୀ। କରୋନା ଏକ ସଂକ୍ରମଣ। ଏମିତି କେତେ କ’ଣ ଏ ନୂଆ ରୋଗକୁ କୁହାଯାଉଛି। କିନ୍ତୁ ପ୍ରକୃତରେ କରୋନାର ପରିଭାଷା ଭିନ୍ନ ଲୋକଙ୍କ ପାଇଁ ଭିନ୍ନ। ରାତିଦିନ ଏକ କରି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବା ସେ ଲୋକ ପାଇଁ ତ କରୋନା ଏବେ ତା ପୋଡି ଯାଉଥିବା ପେଟର ଭୋକ। ମଧ୍ୟବିତଙ୍କ ପାଇଁ ସାହୁକାର ଆଉ ମହାଜନ। ଯେମିତି ସାହୁକାର ଆଉ ମହାଜନମାନେ ଲୋକଙ୍କ ସମ୍ବଳ ହରିଲୁଟ କରନ୍ତି, ଠିକ ସେମିତି ମଧ୍ୟବିତ୍ତଙ୍କ ପାଇଁ କରୋନା ମହଙ୍ଗା ମାଡ ଦେଇଛି। ପେଟରେ ଭୋକ ମୁହଁରେ ଲାଜ। ମଧ୍ୟବିତ୍ତ କରିବେ ତ କଣ କରିବେ। ଆଉ ବାକି ରହିଲା ଥିଲା ବାଲାଙ୍କ କଥା। ଝଡି ବର୍ଷା ହେଲେ ବାଇଆର କି ଗଲା ଭଳି ଏମାନଙ୍କ ପାଇଁ ତ କରୋନା ନିଶ୍ଚୟ ଏକ ବଡ ଅବସର ଦେଇଛି। ପଇସା ରୋଜ ଗାରରେ ଭାସୁ ଥିବା ବଡ ବଡ ପୁଞ୍ଜିପତିମାନଙ୍କ ପାଇଁ ସମୟ ପରିବାର ସହ ଅତିବାହିତ କରିବାର। ମୋତେ ସମୟ ଦଉନ ବୋଲି କହୁଥିବା ପିଲା ଛୁଆ ସ୍ତ୍ରୀଙ୍କୁ ସମୟ ଦେବାର। ଆଉ ସମୟ ଦେଲେ ଅସୁବିଧା ନାହିଁ । ଗଚ୍ଛିତ ଧନ ଅଛି ତଥାପି ସେମାନଙ୍କର କ୍ଷତି ତ ଘଟୁଛି ।

କଠିନ ସ୍ଥିତି

ଥରେ ସେହି ଲୋକଟା କଥା ଟିକେ ଭାବନ୍ତୁ ତ। ଯାହାର ଆହାର ସଞ୍ଚୟ ଗଚ୍ଛିତ ବୋଲି କିଛି ନାହିଁ । ତାର ସେ କଅଁଳ ଛୁଆଟା କଥା ଭାବିଲେ, ତାର ସେ ବୁଢା ବାପା ଆଉ ସବୁବେଳେ ଅଭିଯୋଗ କରି ଆସୁଥିବା ସ୍ତ୍ରୀ କଥା ଭାବିଲେ। ଖାଲି ପକେଟ ଆଉ ଭୋକିଲା ପେଟରେ ତାର ଶାରିରୀକ ଆଉ ମାନସିକ ଅବସ୍ଥା କ’ଣ ଥିବ ? ଖଟିକିଆ ଦିନ ମଜୁରିଆ ଠୁ ନେଇ ମନ୍ଦିରର ବ୍ରାହ୍ମଣ ପର୍ଯ୍ୟନ୍ତ ସମସ୍ତେ କରୋନାର ଦାଉରୁ ବାଦ୍ ପଡି ନାହାନ୍ତି। ସହରକୁ ଆସି ଛୋଟିଆ ବ୍ୟବସାୟ କରି ପରିବାର ଧରି ରହୁଥିବା ଲୋକ ,କରୋନା ପାଇଁ ବ୍ୟବସାୟ ତ ବନ୍ଦ , ଘର ଭଡା ବି ଦେଇ ହେଉନି । ୨ ମାସ,୩ ମାସ କଷ୍ଟେମଷ୍ଟେ ଦେଇଦେବେ କିନ୍ତୁ ତା’ ପରେ । ଏ ସମୟରେ ରାଜରାସ୍ତାକୁ ପରିବାର ଧରି ଆସି ରହିବା ,ନିଜ ପରିବାରଙ୍କ କଷ୍ଟ ଦେଖି ନପାରି ମାନସିକ ସନ୍ତୁଳନ ହରାଇ ମୃତ୍ୟୁର ରାସ୍ତାକୁ ଆପଣାଉଛନ୍ତି। ଅଭାବ ସହି ନପାରି କେତେ ଲୋକ ଜୀବନ ହାରିଲେଣି । ଘର ମାଲିକଙ୍କ ଦୋଷ ବି ନାହିଁ ,ସେ ତ ଘରଭଡାରୁ ଚଳୁଛନ୍ତି ।ଘରଭଡା ନ ମିଳିଲେ ସେ କିପରି ରହିବେ । ଟିକିଏ ଦୟା ଭାବ ରଖି ସମସ୍ତେ ଚଳିବା ଦରକାର । କଳାକାର ,ଯିଏ ଆମ ମାନଙ୍କ ମନୋରଞ୍ଜନ କରୁଥିଲେ ସେ ବି ନୀରବ ଆଜି। କେମିତି ଥିବେ ସେହି ବସ୍ତିବାସିନ୍ଦା ଥରେ ଭାବନ୍ତୁ ,ମୁଠାଏ ରୋଷେଇ କରି କାହା ଘରେ ଯିଏ ପେଟ ପୋଷୁଥିଲେ । ଭୟଭୀତ କରାଇ ଦେଇଛି ଆଜି ସମସ୍ତଙ୍କୁ ଏ କରୋନା ।

ଏବେ ଆସନ୍ତୁ ଜାଣିବା ଯେଉଁ କରୋନା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ତାର ବାସ୍ତବ ଚିତ୍ର ଆଉ ସ୍ଥିତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକଵିଲା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। କିନ୍ତୁ ଚିକିତ୍ସା ସେବା କିଭଳି, ଉଭୟ ବଡ ବଡ଼ିଆ ଆଉ ତଳ ତଳିଆ ସମାନ ସୁବିଧା ମିଳୁଛି ତ ? କାଇଁ କୋଉ ବଡ ନେତା, ମନ୍ତ୍ରୀ, ନାଁ କରା ଲୋକ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଉଦାହରଣ ସେତେଟା ଆସୁନି ତ ?

ବର୍ତ୍ତମାନର କଠିନ ପରିସ୍ଥିତିରେ ଦେବଦୂତ ସାଜିଛନ୍ତି ସାରା ବିଶ୍ୱର କୋଟି କୋଟି ଡାକ୍ତର ଓ ସ୍ବାସ୍ଥ୍ୟସେବା ଯୋଗାଉଥିବା ଅଗଣିତ କର୍ମଚାରୀ। ଏମାନଙ୍କର ଉତ୍ସର୍ଗୀକୃତ ସେବା ହିଁ ଲୋକଙ୍କ ଜୀବନ ରକ୍ଷା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଆଚ୍ଛା ଆମେ କଥା ହେଉଛେ କଠିନ ସ୍ଥିତି ସମ୍ପର୍କରେ। ମୁଁ ଚୁମ୍ଭକରେ କହୁଛି ଏମାନଙ୍କ ସ୍ଥିତି। ଆପଣ ବର୍ଷା ନ ହେଉଥିବା ସମୟରେ ଦେହରେ ରେନ କୋଟ ପିନ୍ଧିଲେ ଯେଉଁଭଳି ଅସହଜ ଅନୁଭବ ହୁଏ କର୍ମକ୍ଷେତ୍ରରେ ଘଣ୍ଟା ଘଣ୍ଟା ପିପିଇ କିଟ ପିନ୍ଧି କାମ କରିବା କଷ୍ଟ ହୋଇଛି ଏମାନଙ୍କ ପାଇଁ। ନୂଆ କରି ମାତୃତ୍ୱ ଲାଭ କରିଥିବା ମହିଳା ସ୍ବାସ୍ଥ୍ୟସେବୀଙ୍କ ପାଇଁ ସମୟ କିଭଳି ଆପଣ ନିଜେ ଅନୁଭବ କରନ୍ତୁ।ତାଙ୍କ ଜୀବନକୁ ଦାଉରେ ରଖି ଅଗଣିତ ଲୋକଙ୍କ ପାଇଁ ସେ ଆଜି ଯୋଦ୍ଧା ସାଜିଛନ୍ତି । ହୁଏତ ସ୍ଥିତି ଆଗ ଭଳି ଏବେ ଆଉ କରୋନାକୁ ଡରୁ ନାହାନ୍ତି। କିନ୍ତୁ ନିୟମ ଭିତରେ ଜୀବନ ଶ୍ବାସରୁଦ୍ଧ ନିଶ୍ଚୟ।

ପିଲାମାନଙ୍କ ଶିକ୍ଷା କଥା ଯଦି କୁହାଯାଏ । ଆପଣ ନିଶ୍ଚୟ ଏକମତ ହେବେ ଏହି କରୋନା ସମୟ କିଭଳି ପିଲାମାନଙ୍କ ପାଠପଢା ଉପରେ ଗଭୀର ପ୍ରଭାବ ପକାଇଛି। କଥା ହେଉଛି ସ୍କୁଲ କଲେଜ ଖୋଲିବା ପରେ ପୁଣି ଥରେ ପିଲାମାନେ ସ୍କୁଲ ଯିବାକୁ ଏବଂ ପୁରୁଣା ଧାରାକୁ ଫେରିବା ପାଇଁ ମାନସିକସ୍ତରରେ ପ୍ରସ୍ତୁତ ହେବା ଦରକାର। ଚାକିରୀ କ୍ଷେତ୍ରରେ ପରିସ୍ଥିତି ଦୟନୀୟ । ବେକାରୀ ସମସ୍ୟା କେତେ ବଢ଼ିବ ଆଉ । ଅନ୍ୟପକ୍ଷରେ ଚାକିରୀ ହରାଇଥିବା ବ୍ୟକ୍ତିଙ୍କର ପିଲାମାନଙ୍କ ସ୍କୁଲ ଫି ଯାବତୀୟ ଫିସ ଭରିବା କେତେ ଯେ କଷ୍ଟକର ତାହା ସେହି ଅଭିଭାବକ ମାନେ ହିଁ ଜାଣନ୍ତି।

ଏମିତି ସମାଜର ଗୋଟିଏ ଗୋଟିଏ ବର୍ଗ, ଚରିତ୍ରଙ୍କ କଥା ଲେଖିଲେ ଅନେକ ହେବ।

ସମସ୍ୟା ନୁହେଁ ସମାଧାନ କଥା ଚିନ୍ତା କରନ୍ତୁ । ଆମେ କେହି ବି କହିପାରିବା ନାହିଁ ଏହାର ଅନ୍ତ କେବେ । ଭଗବାନ ହିଁ ସାହା ଭରସା।
ଅଳ୍ପ ବହୁତ ଆମେ ପରିସ୍ଥିତି ସହ ଲଢ଼ୁଛୁ। ପରିସ୍ଥିତି ସହ ଖାପ ଖୁଆଇଲେଣି। ଆଉ ମାନସିକ ସ୍ତରରେ ପ୍ରସ୍ତୁତ ବି। ପ୍ରକୃତ ସମାଧାନ ହେଉଛି ଏବେ ଆମେ ଖାଲି ନିଜ କଥା ନୁହେଁ ଆମ ଆଖ ପାଖ କଥା ଭାବିବା। ନୂଆ ନୂଆ ସମସ୍ତେ ଲୋକଙ୍କୁ ଖାଇବା ଦେବା, ସମାଜ ସେବୀ ରନ୍ଧା ଖାଦ୍ୟ ବାଣ୍ଟିବା ଆଦି ଚିତ୍ର ସାମାଜିକ ଗଣମାଧ୍ୟମରେ ଆସୁଥିଲା। ଏବେ ଟିକେ କମି ଯାଇଛି। ଆଗ ଅପେକ୍ଷା ଏବେ ରାସ୍ତାକଡ଼ରେ ଥିବା ଲୋକର ପରିସ୍ଥିତି ଜଟିଳ। ତେଣୁ ସାମାଜିକ କର୍ମୀ, ସରକାର ଏବଂ ଅନ୍ୟ ସମସ୍ତେ ଆହୁରି ଅଧିକ ତତ୍ପର ଏବଂ ମାନବୀୟ ହେବା ଆବଶ୍ୟକ ବୋଲି ମୋର ବ୍ୟକ୍ତିଗତ ମତ।

ହଁ ଆଉ ଏକ ଗୁରୁତ୍ୱ ପୂର୍ଣ୍ଣ କଥା ଲେଖିବାକୁ ଚାହିଁବି। କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତି ଏବଂ ତାଙ୍କ ଆଖ ପାଖ ଲୋକଙ୍କ ପାଇଁ। ଆଜ୍ଞା ଆଜି ସେମାନେ କରୋନା ସଂକ୍ରମିତ, କାଲି ଆପଣ ହୋଇ ପାରନ୍ତି , ତା ପରଦିନ ମୁଁ କରୋନା ସଂକ୍ରମିତ ହୋଇପାରେ। ଆଉ ସେମାନେ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ତାଙ୍କ ପ୍ରତି ସ୍ୱାଭାବିକ ଆଚରଣ ରଖନ୍ତୁ, ସହୃଦୟତା ଦେଖାନ୍ତୁ। କରୋନା ଅଳ୍ପ ଦିନର ସାଥି, ମନ୍ଦ ଉଦ୍ଦେଶ୍ୟ ନେଇ ଆମ ସହ ବନ୍ଧୁତ୍ୱ କରିଛି। ଇଚ୍ଛା ନ ଥିଲେ ତା ସହ ସଙ୍ଗରୋଧରେ ରହିବାକୁ ପଡୁଛି। କିନ୍ତୁ ଆମ ବନ୍ଧୁ ପରିଜନ ଆମ ସୁଖ ଦୁଃଖର ସାଥି । ଆମ ସମୟ ଅସମୟରେ ସେମାନେ ହିଁ ଆମ ଦୁଃଖ ଲାଘବ କରିବେ।

ଅବିରତ କାର୍ଯ୍ୟ କରି ଆମ କରୋନା ଯୋଦ୍ଧାମାନେ କ୍ଳାନ୍ତ, ରୋଜଗାର ହରାଇ ଅନେକ ଲୋକ ଚାପଗ୍ରସ୍ତ, ଯୁବପିଢ଼ି ନିରୁତ୍ସାହିତ, ଅନେକ ସ୍ଥାନରେ ସରକାର କିଂ କର୍ତ୍ତବ୍ୟ ମୁଢ଼। ଏବେ ସମୟ ପ୍ରକୃତରେ ପରସ୍ପରର ମନୋବଳ ବୃଦ୍ଧି କରିବାର। ଆମେ ସାମାଜିକ ଦୂରତା ରକ୍ଷା କରିଛେ କିନ୍ତୁ ଆମେ ଏବେ ବି ଆମ ଆତ୍ମୀୟଙ୍କ ହୃଦୟର ନିକଟରେ ଅଛେ। ଆମେ ସମସ୍ତେ ଏକ ହେଲେ ହିଁ କରୋନାକୁ ହରାଇବା। ସମସ୍ତେ ସତର୍କ ରହିବା ।ମାସ୍କ ,ସାନିଟାଇଜର ବ୍ୟବହାର କରିବା ।ଆବଶ୍ୟକ ନଥିଲେ ବାହାରକୁ ବାହାରିବା ନାହିଁ ।

ଆଉ ଯଦି ଓଡ଼ିଶା କଥା କୁହେ ତେବେ କଠିନ ପରିସ୍ଥିତିର ମୁକାବିଲା କରି ବିଜୟ ହାସଲ କରିବା ହେଉଛି ଓଡ଼ିଆ ଅସ୍ମିତା। ଆସନ୍ତୁ ଆତ୍ମଶୃଙ୍ଖଳା ବଜାୟ ରଖି କରୋନା ସହ ଲଢ଼ିବା ଆଉ ଏ ଯୁଦ୍ଧ ଜିତିବା। ସର୍ବେ ଭବନ୍ତୁ ସୁଖୀନଃ।

Leave a Reply