ନବନୀତା ବ୍ୟୁରୋ। କାଲିଠାରୁ ଅଗଷ୍ଟ ୩୧ ଯାଏ ପୁଣି ଜାରି ରହିବ କର୍ଫ୍ୟୁ। ସନ୍ଧ୍ୟା ୫ ଟାରୁ ସକାଳ ୬ ଟା ଯାଏ ବ୍ୟବସାୟ ପ୍ରତିଷ୍ଠାନ ଓ ଦୋକାନ ସମ୍ପୂର୍ଣ ବନ୍ଦ ରହିବ। ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ଅରିନ୍ଦମ ଡାକୁଆ।

ସୂଚନା ଅନୁସାରେ, ଆସନ୍ତା ୪ରୁ ଅଗଷ୍ଟ ୩୧ ଯାଏ ବଲାଙ୍ଗିର ଜିଲ୍ଲା ପାଇଁ କଟକଣା ଜାରି କରାଯାଇଛି। କେବଳ ସହର ନୁହଁ, ସମଗ୍ର ଜିଲ୍ଲା ପାଇଁ ଏହି କଟକଣା ଲାଗୁ କରାଯାଇଛି। ସନ୍ଧ୍ୟା ୫ରୁ ସକାଳ ୬ ଯାଏ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ଓ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ତେବେ ଜରୁରୀ କାର୍ଯ୍ୟ ଥିଲେ ଏ ସମୟରେ ଘରୋଇ ଗାଡ଼ିକୁ ଅନୁମତି ମିଳିବ। ନିୟମ ଉଲଂଘନ କଲେ ଆଇନ୍ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବାକୁ କହିଛନ୍ତି ଜିଲ୍ଲାପାଳ।
ସ୍ଵାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲାରେ ରେକର୍ଡ ସଂଖ୍ୟକ ୫୧ ଜଣ କରୋନା।ରୋଗୀ ଚିହ୍ନଟ ହୋଇଛନ୍ତି। ପ୍ରତିଦିନ ସହରର ବିଭିନ୍ନ ପଡ଼ା ସହ ଜିଲ୍ଲାର ବିଭିନ୍ନ ବ୍ଲକରୁ ନୂଆ ନୂଆ ରୋଗୀ ଚିହ୍ନଟ ହେବାରେ ଲାଗିଛନ୍ତି। ଏଥିସହ ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ୫୧୪କୁ ବୃଦ୍ଧି ପାଇଛି। ତେବେ କରୋନା ଏବେ ଗାଁ ମୁହାଁ ହେଉଥିବାରୁ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ି ଯାଇଛି।
