ସ୍ୱାଧୀନତା ଦିବସକୁ ନେଇ ଲେଖକ ଭବାନୀ ଶଙ୍କର ପଟେଲଙ୍କ ସୁନ୍ଦର୍ ଲେଖା, ଅଗଷ୍ଟ ପନ୍ଦର

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ଦଶ ବର୍ଷର କୁନି ପିଲା ଟିଏ, ନାଁ ତା’ର ଜଗନ୍। ଜାତିରେ ସେ ମୁସଲିମ୍। ଘର ଛୋଟ ବସ୍ତିରେ, ଯାହା ସହର ଠାରୁ ବହୁତ ଦୂରରେ। ପରିବାରଟି ତା’ର ଅଭାବ ଅସୁବିଧାରେ କବଳିତ। ତା’ ବାପା ଦିନ ତମାମ କାମକରି ଟଙ୍କା ଉପାର୍ଜେ। ସମାଜର ନଜରରେ ତା’ର ପରିବାର ଅବହେଳିତ। ପାଠ ପଢି ଯିବା ବୟସରେ ଜଗନ୍ ପଢା ଛାଡି ନିଜ ବାପାର ବ୍ୟବସାୟ କାର୍ଯ୍ୟରେ ହାତ ବଢାଏ। ଆଗକୁ ଅଗଷ୍ଟପନ୍ଦର ଥାଏ । ଜଗନର ବାପା ତା’ ହାତରେ ଗୁଡାଏ ତ୍ରିରଙ୍ଗା ପତାକା ଥମେଇ ଦେଇ ତାକୁ ସହରରେ ବିକ୍ରି କରିବା ପାଇଁ ପଠାଏ । ଦିନ ତମାମ ରାସ୍ତା କଡ଼ରେ ବସି କୁନି ପିଲାଟି ତ୍ରିରଙ୍ଗା ପତାକା ବିକ୍ରି କରେ । ସେଇ ରାସ୍ତା ଦେଇ ଯାଉଥିବା ଅନେକ ଲୋକ ତା’ଠୁ ତ୍ରିରଙ୍ଗା କିଣି ନିଅନ୍ତି, କାହିଁକି ନା, ଅଗଷ୍ଟପନ୍ଦର ପାଳନ ପାଇଁ । ରାସ୍ତାରେ ଯାଉଥିବା ଛୁଆ ମଧ୍ୟ ତା’ ବାପାଙ୍କ ଠାରେ ଜିଦ୍ କରି ନେଇ ଯାଏ ତ୍ରିରଙ୍ଗା ପତାକା ଟିଏ ଜଗନ୍ ପାଖରୁ । ଜଗନ୍ ଛୁଆର ହାତକୁ ପତାକା ବଢ଼ାଇ ଦେଲେ ଛୁଆର ମୁହଁରୁ ଆପେଆପ୍ ହସର ଲହରୀ ଭାସି ଆସେ।
ଯେତେବେଳେ ଜଗନ୍ ଘରକୁ ଫେରେ ତା’ ବାପା ତାକୁ ଜଗି ବସି ଥାଏ । ତା’ଠୁ ସବୁତକ ଟଙ୍କା ନେଇ ସେ ମଦ ପିଏ । ଟଙ୍କା ନ ଦେଲେ ବାପା ତାକୁ ମାରି ଘରୁ ବାହାର କରି ଦିଏ । ଆପେଆପ୍ ଜଗନ୍ ର ଆଖିରୁ ଦୁଇ ଧାର ଲୁହ ବୋହି ଆସେ ଆଉ ତା’ ସହ ତା’ର ମାଆର ପୁରୁଣା ସ୍ମୃତି ସବୁତକ ମଧ୍ୟ ବାହାରି ଆସେ, ଯିଏ ତାକୁ ଜନ୍ମ କରି ଛୋଟ ଅବସ୍ଥାରୁ ଛାଡି ଚାଲି ଯାଇଥିଲେ ।
କିଛି ଦିନ ପରେ ଜଗନ୍ ଏମିତି ତ୍ରିରଙ୍ଗା ପତାକା ଧରି ରାସ୍ତା କଡ଼ରେ ବସିଲା । ଗୋଟିଏ ତକ ପତାକା ବିକ୍ରି ହେଲା ନାହିଁ । ସେ ଭାରି ଛୋଟ ତ, ସେ କ’ଣ ଜାଣେ ଯେ ଅଗଷ୍ଟ ପନ୍ଦର ଯାଇ ଆଜି ଅଗଷ୍ଟ ଷୋହଳ ହେଲାଣି । ଲୋକ ଏବେ ତା’ଠୁ ତ୍ରିରଙ୍ଗା ପତାକା କିଣିବେନି । ଏବେ ତ ସ୍ୱାଧୀନତା ଦିବସକୁ ଆମ ସାରା ଦେଶ ପାଳନ କରି ସାରିଛି, ସ୍କୁଲପିଲା ତାଙ୍କ ସ୍କୁଲରେ ପାଳନ କରିସାରିଛନ୍ତି । ଏବେ ସେମାନେ ତା’ଠୁ ତ୍ରିରଙ୍ଗା ନେବେ କ’ଣପାଇଁ ? ସନ୍ଧ୍ୟା ହେଲା, ଜଗନ୍ ତା’ ମୁହଁରେ ମୁଠାଏ ଉଦାସ ନେଇ ଘରକୁ ଫେରିଲା ।
ଆମ ଦେଶ ଏଯାବତ୍ ତା’ର ଚୌସ୍ତରି ତମ ସ୍ୱାଧୀନତାର ସ୍ୱାଦ ଚାଖି ସାରିଲାଣି ହେଲେ ତା’ ମଧୁରତା ଏପର୍ଯ୍ୟନ୍ତ ଲୁପ୍ତ ହୋଇ ରହିଯାଇଛି । ପ୍ରତିବର୍ଷ ଅଗଷ୍ଟପନ୍ଦରର କିଛି ଦିନ ପୂର୍ବରୁ ତ୍ରିରଙ୍ଗା ପତାକା ଏମେତି କିଛି ଲୋକଙ୍କ ଠାରୁ ବିକ୍ରି ହୁଏ ଓ ପରଦିନ ତାହା ବୀଚ୍ ରାସ୍ତାରେ ପଡି ଲୋକଙ୍କ ପାଦର ପ୍ରହାରର ଶିକାର ପାଳଟି ଯାଏ । କହିବାକୁ ଗଲେ, ଆମ ଦେଶ ସିନା ଇଂରେଜଙ୍କଠାରୁ ସ୍ୱାଧୀନ ହୋଇଯାଇଛି ହେଲେ ଏପର୍ଯ୍ୟନ୍ତ ଆମ ଲୋକଙ୍କ ମାନସିକ ଚେତନା ଜାଗ୍ରତ ହୋଇ ନାହିଁ ।
ସ୍ନାତକୋତ୍ତର ହିନ୍ଦୀ ବିଭାଗ ଛାତ୍ର, ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ, ବଲାଙ୍ଗିର -୦୧ ମୋ-୮୨୪୯୦୪୭୦୭୮

Leave a Reply