ନବନୀତା ବ୍ୟୁରୋ। ସାରା ଦେଶ ଉତ୍ସାହର ସହ ପାଳନ କରିଛି ୭୪ତମ ସ୍ୱାଧୀନତା ଦିବସ। ଦିଲ୍ଲୀ ଲାଲ୍ କିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ଏପଟେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ଓ ଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି।

ଏକ୍ରମରେ ବାଲେଶ୍ଵରରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର ସାମିଲ ହୋଇଥିଲେ। ତେବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅତିଥି ଓ ବ୍ୟକ୍ତିବିଶେଷ ସାମାଜିକ ଦୂରତା ଅବଲମ୍ବନ କରିଥିବା ଦେଖିବାକୁ ମିଳିଥିଲା।
