ପୂର୍ବତଟ ରେଳପଥ ମୁଖ୍ଯାଳୟରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ଭୁବନେଶ୍ୱର ସ୍ଥିତ ରେଳବାଇ ଷ୍ଟାଡିଅମଠାରେ ପୂର୍ବତଟ ରେଳପଥ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି।  ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଜାତୀୟ ପତାକା ଉତ୍ତୋଳନ କରି ରେଳ ସୁରକ୍ଷା ବଳ(RPF) ଦ୍ଵାରା ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ବିଦ୍ୟା ଭୂଷଣ ପୂର୍ବତଟ ରେଳପଥର ପ୍ରଦର୍ଶନ ଓ ରେଳ କର୍ମଚାରୀମାନଙ୍କର ସାମୂହିକ ପ୍ରୟାସ ସହିତ ଯାତ୍ରୀ ସୁବିଧା, ସୁରକ୍ଷା ଓ ନିରାପତ୍ତା, ରେଳ ନେଟୱାର୍କର ସମ୍ପ୍ରସାରଣ, ଡିଜିଟାଲ ପଦକ୍ଷେପ ଏବଂ ମାନବ ସମ୍ବଳ ଉପରେ ଆଲୋକପାତ କରିଥିଲେ। ଉତ୍ସବରେ ଅତିରିକ୍ତ ମହା ପ୍ରବନ୍ଧକ ସୁଧୀର କୁମାରଙ୍କ ସମସ୍ତ ରେଳ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ପୂର୍ବତଟ ରେଳପଥର ବହୁମୁଖି ସଫଳତା ବିଷୟରେ ଉଲ୍ଲେଖ କରି ବିଦ୍ୟା ଭୂଷଣ ଗତ ଆର୍ଥିକ ବର୍ଷରେ ଅଦ୍ଭୁତପୂର୍ବ ପ୍ରଦର୍ଶନ ନିମନ୍ତେ ରେଳ କର୍ମଚାରୀ ମାନଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ତଥା ଅବିଶ୍ରାନ୍ତ ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଇଥିଲେ। ମହା ପ୍ରବନ୍ଧକ ସୂଚନା ଦେଇଥିଲେ ଯେ, ୨୦୧୯-୨୦ରେ ଜାତୀୟ ସମ୍ପତ୍ତି ଓ ବ୍ୟକ୍ତିଗତ ଅଭିବୃଦ୍ଧି କ୍ଷେତ୍ରରେ ଅବଦାନ ପାଇଁ ଅନେକ ପ୍ରଦର୍ଶନର ପରିମାପ ଦ୍ଵାରା ପୂର୍ବତଟ ରେଳପଥ ଇତିହାସ ସୃଷ୍ଟି କରିଛି। ୨୦୦ ମେଟ୍ରିକ ଟନର ପଣ୍ୟ ପରିବହନ କରି, ଏହି ରେଳପଥ ୧୭ଟି ଜୋନ ମଧ୍ୟରେ ପ୍ରଥମ ସ୍ଥାନ ହାସଲ କରି ଇତିହାସ ସୃଷ୍ଟି କରିପାରିଛି। ପୂର୍ବତଟ ରେଳପଥ ମଧ୍ୟ ପରିଚାଳନା ଅନୁପାତ 51.34% ହାସଲ କରି ଏବଂ 21,703 କୋଟିର ସର୍ବୋଚ୍ଚ ଆୟ କରି ସମସ୍ତ 17 ଟି ଜୋନ ମଧ୍ୟରେ ଶ୍ରେଷ୍ଠ ହୋଇ ଇତିହାସ ସୃଷ୍ଟି କରିଛି। ଗତବର୍ଷ ତୁଳନାରେ ସମୁଦାୟ ପରିଚାଳନା ଖର୍ଚ୍ଚକୁ ଆମେ 2% ହ୍ରାସ କରି 9098 କୋଟିରେ ପହଂଚାଇ ପାରିଛୁ।

ମହା ପ୍ରବନ୍ଧକ ଆହୁରି କହିଥିଲେ ଯେ, 146 କିଲୋମିଟରର ଲକ୍ଷ୍ୟ ତୁଳନାରେ 159 କିଲୋମିଟର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପୂର୍ବତଟ ରେଳପଥ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ବୃଦ୍ଧି କରିବା ଦିଗରେ ସଫଳତାର ପାହାଚ ପରେ ପାହାଚ ଚଢି ଚାଲିଛି। ପୂର୍ବତଟ ରେଳପଥ 32 କିଲୋମିଟର ନୂତନ ଲାଇନ କାର୍ଯ୍ୟକ୍ଷମ କରି 100 ପ୍ରତିଶତ ଲକ୍ଷ୍ୟ ହାସଲ କରିଛି, 82.28 କିଲୋମିଟର ଦୋହରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି। ବିଦ୍ୟା ଭୂଷଣ ଆହୁରି କହିଥିଲେ ଯେ ନୂତନ ଲାଇନ ଓ ଦୋହରା ଲାଇନ ନିର୍ମାଣ ପାଇଁ ଆମେ ଏହି ବର୍ଷ 2550.62 କୋଟି ପରିମାଣର 102% ରାଶି ବିନିଯୋଗ କରି କୌଣସି ପ୍ରକଳ୍ପର ଅନୁଦାନ ପାଣ୍ଠି ଫେରାଇ ନାହୁଁ।

ଯେତେବେଳେ କୋଭିଡ-19 ବିଶ୍ୱ ମହାମାରୀ ହଠାତ ବିଶ୍ୱଣକୁ ମାଡି ଆସିଥିଲା ସେତେବେଳେ ପୂର୍ବତଟ ରେଳପଥ ଏହି ଅଦୃଶ୍ୟ ଶତ୍ରୁକୁ ସମ୍ମୁଖ ଆହ୍ୱାନ ଦେଇଥିଲା। ସଂକ୍ରମଣକୁ ପ୍ରତିହତ କରିବାପାଇଁ ପୂର୍ବତଟ ରେଳପଥ ହିଁ ପ୍ରଥମ ଜୋନ ରୂପେ ଟ୍ରେନମାନଙ୍କରୁ ପରଦା ଓ ବେଡ଼ରୋଲ ଅପସାରଣ କରିଥିଲା, ବାୟୋମେଟ୍ରିକ ଉପସ୍ଥାନ ତଥା ଲୋକୋ ପାଇଲଟ ଓ ଗାର୍ଡ ମାନଂକର ଶ୍ୱାସ ବିଶ୍ଳେଷକ ପରୀକ୍ଷା ସ୍ଥଗିତ କରିଥିଲା ଓ ପ୍ଲାଟଫର୍ମରେ ଭିଡ ହ୍ରାସ କରି ସଂକ୍ରମଣ ବ୍ୟାପିବାକୁ ନ୍ୟୁନତମ କରିବାପାଇଁ ପ୍ଲାଟଫର୍ମ ଟିକଟ ବିକ୍ରୟକୁ ବନ୍ଦ କରିଦେଇଥିଲା।

ଆମର ଯାତ୍ରୀ ଓ କାର୍ଯ୍ୟରତ କର୍ମଚାରୀ ମାନଙ୍କର ସୁରକ୍ଷା ନିମନ୍ତେ , ପୂର୍ବତଟ ରେଳପଥ ପୂର୍ବରୁ ପ୍ରସ୍ତୁତ ଥିବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ପୋଷାକ, ଗ୍ଳୋବ୍ସ, ମୁଖ ମାସ୍କ, ଔଷଧ, ଭେଣ୍ଟିଲେଟର, ଚିକିତ୍ସା ଜନିତ ଆବଶ୍ୟକୀୟ ପଦାର୍ଥ ଇତ୍ୟାଦି ଭଳି କୋଭିଡ -19 ସୁରକ୍ଷା ସାମଗ୍ରୀ ଗୁଡିକର କ୍ରୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିଲା। ବଜାର ଉପଲବ୍ଧତା ସଙ୍କଟକୁ ଅନୁଭବ କରିପାରି ହସ୍ପିଟାଲ ବେଡ଼, ଟ୍ରଲି, ଆଇ ଭି ଷ୍ଟାଣ୍ଡ ଇତ୍ୟାଦି ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଛି। ବିଭିନ୍ନ ସଂସ୍ଥାମାନଙ୍କ ଦ୍ଵାରା ମୁଖ ମାସ୍କ ଓ ସୀଲଡ଼ ଉତ୍ପାଦନ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଗଲା। ହ୍ୟାଣ୍ଡ ସାନିଟାଇଜର ଉତ୍ପାଦନ ନିମନ୍ତେ ଡ୍ରଗସ କଣ୍ଟ୍ରୋଲରଙ୍କ ଠାରୁ ଲାଇସେନ୍ସ ପ୍ରାପ୍ତ ହେବା ଦ୍ଵାରା ଆମେ ପୁଣି ପ୍ରଥମ ଜୋନ ହେଲୁ।

ଏହା ବ୍ୟତୀତ,ପୂର୍ବତଟ ରେଳପଥ ଔଷଧ, ଫଳ, ପନିପରିବା, ଅଣ୍ଡା, କୁକୁଡ଼ା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ପଣ୍ୟ ଦ୍ରବ୍ୟର ପରିବହନ ପାଇଁ ଦ୍ରୁତ ପାର୍ସଲ ଟ୍ରେନର ଚଳାଚଳ ପାଇଁ ନିଷ୍ପତ୍ତି ନେଲା ଏବଂ ଖାଦ୍ୟଶସ୍ୟ, ପିଓଏଲ ଉତ୍ପାଦ ଇତ୍ୟାଦି ପରିବହନ ପାଇଁ ପଣ୍ୟବାହୀ ଟ୍ରେନ ଚଳାଚଳ କୁ ତ୍ୱରାନ୍ୱିତ କରିଥିଲା।