ସୃଜନର କାଠ ଗଡ଼ାରେ ତିନି ସ୍ରଷ୍ଟା!(୨)

ବ୍ୟକ୍ତି ଓ ବ୍ୟକ୍ତିତ୍ୱ

ନବନୀତା ବ୍ୟୁରୋ। ଓଡ଼ିଆ ସାହିତ୍ୟକୁ ପଶ୍ଚିମ ଓଡ଼ିଶାର ଅବଦାନ ଏକାନ୍ତ ସ୍ମରଣୀୟ । ପଶ୍ଚିମ ଓଡ଼ିଶାର ବହୁ ବରେଣ୍ୟ ସ୍ରଷ୍ଟାଙ୍କ ଲେଖନୀରେ ଋଦ୍ଧିମନ୍ତ ହୋଇଛି ଓଡ଼ିଆ ଭାଷା ଓ ସାହିତ୍ୟ । ଏବେ ମଧ୍ୟ ପଶ୍ଚିମ ଓଡ଼ିଶାର ଶହଶହ ସାହିତ୍ୟ ସ୍ରଷ୍ଟା ଓଡ଼ିଆ ଭାଷାସାହିତ୍ୟରେ ସାଧନାରତ । ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ/କୋଶଲି ଭାଷା ପ୍ରଚଳିତ । ତଥାପି ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ପଶ୍ଚିମ ଓଡ଼ିଶାର ଅନେକ କବି, ଲେଖକ ଅଙ୍ଗୀକାରବଦ୍ଧ । ସେଇ ମହାନ୍ ସ୍ରଷ୍ଟାମାନଙ୍କ ଲେଖନୀ ମୁନରୁ ନିଃସୃତ ହୋଇଛି ବହୁ କାଳଜୟୀ କୃତି । ଯାହା ଓଡ଼ିଆ ସାହିତ୍ୟର ପରମ ସଂପଦ । ତେବେ ପଶ୍ଚିମ ଓଡ଼ିଶାର ବହୁ ସାହିତ୍ୟିକ ଏବେ ବି ଅବହେଳିତ ଓ ଅନାଲୋଚିତ ହୋଇରହିଛନ୍ତି । ଯେଉଁମାନଙ୍କ କୃତି ସଂପର୍କରେ ବିଶେଷ ଆଲୋଚନା ହୋଇପାରିନାହିଁ । ସେମାନଙ୍କ ସାରସ୍ୱତ ସାଧନା ଓ ସୃଜନଶୀଳ ଜୀବନ ସଂପର୍କରେ ଠିକ୍ ଭାବେ ତର୍ଜମା କରାଯାଇନାହିଁ । ତେଣୁ କୈଶୋର କାଳରୁ ନିରବଚ୍ଛିନ୍ନ ଭାବେ ଲେଖନୀ ଚାଳନା କରିଆସୁଥିବା ପଶ୍ଚିମ ଓଡ଼ିଶାର ତିନି ଜଣ ବରିଷ୍ଠ ସାହିତ୍ୟ ସାଧକଙ୍କ ଜୀବନ ଓ ସୃଜନକୁ ନେଇ ‘ନବନୀତା’ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏକ ସ୍ୱତନ୍ତ୍ର ସାକ୍ଷାତକାର । – ସଂପାଦକ

ଉପସ୍ଥାପନା: ବିଜୟ କୁମାର ପ୍ରଧାନ

୧. ଆପଣ କବିତା ଲେଖିବା ପାଇଁ କେଉଁଠୁ ପ୍ରେରଣା ପାଇଲେ? ଆପଣଙ୍କ ସୃଜନର ପ୍ରଥମ ପୁଲକ ସଂପର୍କରେ କିଛି କୁହନ୍ତୁ?
ହରିଶଙ୍କର ବଡ଼ପଣ୍ଡା: କବିତା ଲେଖିବା ଏକ ସ୍ୱତଃ ପ୍ରବୃତ୍ତ ପ୍ରବୃତ୍ତି । ଛୋଟବେଳୁ କବିତା ଲେଖିବା ତଥା କବିତା ଆବୃତ୍ତି କରିବା ମୋର ସ୍ୱତ୍ତଃସ୍ଫୂର୍ତ୍ତ ଅଭ୍ୟାସ ଥିଲା । ଗାଁ ଗହଳିରେ ବିଭିନ୍ନ ନାଟକ ଦେଖି ତଥା ତା ଭିତରେ କବିତାର ସ୍ୱର ଆବୃତ୍ତି କରି ମୁଁ ସ୍ୱତଃ ପ୍ରେରଣା ପାଇଲି । ଏହି ପ୍ରେରଣାରୁ ମୋର ଅନ୍ତଃବୃର୍ତ୍ତ ଶୁଦ୍ଧି କରଣ ହେଲା । ମୁଁ ଚତୁର୍ଥ ପଞ୍ଚମ କ୍ଲାସରୁ ଏଇ ପ୍ରେରଣାରୁ କବିତା ଲେଖିଲି ଯଦିଓ ପ୍ରଥମ ଅବସ୍ଥାରେ ଏହା କାବ୍ୟିକ ବୃତ୍ତିରେ ଲେଖା ହେଲା ଅଧିକନ୍ତୁ ମୋର ଅନ୍ତଃସ୍ୱରରେ କବିର ଭାବ ତଥା ସେଇ ଭାବନାରେ ପ୍ରବୃତ୍ତି କବିପଣ ଅନ୍ତଃସ୍ୱରରେ ପ୍ରକାଶାଦୟ ଅବସ୍ଥାରେ ଜାଗରିତ ହେଲା । ପୁସ୍ତକ ପଢ଼ିବା ପାଇଁ ଏବଂ ସମଭାବରେ ପୁସ୍ତକରେ ଚରିତ୍ର ଅବସ୍ଥାନ ପାଇଁ ମୁଁ ପ୍ରଚୋଦିତ ହୋଇଗଲି । କବିର ଭାବନା ଓ କଳ୍ପନା ଦ୍ୱିମୁଖ ଭାବରେ ମୋର ଅନ୍ତରକୁ ଜାଗରିତ କଲା ।
ଏହା ସୃଜନର ପ୍ରଥମ ପୁଲକ । କବି ଭାବରେ ନିଜ ଅନ୍ତରରେ କାବ୍ୟ ପୁଷ୍ପ ଚୟନ କରି ସ୍ୱତଃ ପ୍ରଣୋଦିତ ହୋଇ କବିତା ଲେଖାରେ ମନ ବଳାଇଲି । ଯେହେତୁ ପ୍ରଥମ ପୁଲକ ସମୟରେ ମୋର ମନୋଭାବନା, କାବ୍ୟିକ ଦୃଷ୍ଟି ସଂଚରିତ ଆତ୍ମାନୁଭୂତି ସମସ୍ତ ମୋର କାବ୍ୟ ଭାବନାକୁ ଚହଲାଇ ଦେଲା । ନିଜ ଭିତରେ ନିଜେ ଅବିଷ୍କାର କରିବାର ଉଦାରତା ମୋର ପ୍ରଥମ ପୁଲକର ପ୍ରେରଣା ଦିଏ । ଏହି ହିସାବରେ ମୁଁ ସ୍ୱତଃ ପ୍ରଣୋଦିତ ଏକ କାବ୍ୟିକ ସମ୍ଭାବନାକୁ ଏଡ଼ାଇ ଯାଇ ପାରିଲି ନାହିଁ । କବିତା ଲେଖିବା ଆବୃତ୍ତି କରିବା ତଥା ଅନ୍ୟ ପାଇଁ ପଢ଼ି ଶୁଣାଇବା ମୋର କାବ୍ୟିକ ଜୀବନର ଉଚ୍ଚାରଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ହିଁ ମୋର ପ୍ରଥମ ପୁଲକର ସ୍ଥିତାବସ୍ଥା ।
୨. ଆପଣ କବିତା ରଚନା ପଛରେ କେଉଁ ମହତ୍ ଉଦ୍ଦେଶ୍ୟ ରହିଛି?
ହରିଶଙ୍କର ବଡ଼ପଣ୍ଡା: ଯେକୌଣସି ସାହିତ୍ୟ ସୃଷ୍ଟି କଲେ ତାହାରି ପଛରେ ସାହିତ୍ୟ ସୃଷ୍ଟିର ଏକ ମହାନ ଉଦ୍ଦେଶ୍ୟ ନିହିତ ଥାଏ । ସେ କବିତା ହେଉନା ଗଳ୍ପ, ଉପନ୍ୟାସ ହେଉ ବା ସମାଲୋଚନା ଆତ୍ମ ସମୀକ୍ଷା ହେଉ ବା ଆଲୋଚନା ନାଟକ ହେଉ ବା ଆତ୍ମ ଜୀବନୀ ହେଉ ସବୁ ସାହିତ୍ୟ ସୃଷ୍ଟିରେ ଲେଖକର ଏକ ତୃଷ୍ଣା ଥାଏ ଯେ ସମସ୍ତ ପାଠକ ଓ ଲେଖକ ମଙ୍ଗଳମୟ ସୃଷ୍ଟିରେ ସମାହିତ ହୁଅନ୍ତୁ । ସାହିତ୍ୟ ସୃଷ୍ଟି ହିଁ ଏକ ଅଭିନବ ଜିଜ୍ଞାସା ଯାହାଦ୍ୱାରା ସବୁ ସାହିତ୍ୟସ୍ୱର ନିଶ୍ଚିନ୍ତ ଭାବରେ ମଙ୍ଗଳ କାମନା କରେ । ତେଣୁ କବିତାର ମାଧ୍ୟମରେ ମୁଁ ସମାଜର ଦଳିତ ଖଟିଖିଆମାନଙ୍କର ସମ୍ଭାଷଣକୁ ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ନେଇ ପ୍ରକାଶିତ କରେ । ଯାହା ସର୍ବୋତ୍ତମ ଜିଜ୍ଞାସାର ପ୍ରତିରୂପ । ଏଇ ଜିଜ୍ଞାସାରେ ମୋର ସୃଷ୍ଟିର ପ୍ରାଣ ସଂଗମ ଥାଏ ତଥା ସାଧାରଣ ବର୍ଗର ଲୋକଙ୍କ ପାଇଁ ଜୀବନ ଜିଜ୍ଞାସା, ଭାବ, ଅଭାବ, ଉତ୍ତରଣ ବା ଜାଗରଣର ସମସାମୟିକ ପୁରୋଦୃଷ୍ଟି ପ୍ରକାଶ କରିବାକୁ ଇଚ୍ଛୁକ ଥାଏ । ମୋର ସୃଷ୍ଟିରେ ଏହାହିଁ ହେଉଛି ଜୀବନ୍ୟାସ । ସମସ୍ତ ସାରତତ୍ତ୍ୱ ନେଇ ଏହି ଉଦ୍ଦେଶ୍ୟ ପରିପୃଷ୍ଟ ହେଲେ ମୋର କବିତାର ସ୍ୱରର ଅନ୍ତରାରେ ସାଧିତ ହୋଇଛି ତାହା ହୃଦୟଙ୍ଗମ ହୁଏ । କବିତାର ଏପରି ପ୍ରାମାଣିକ ଭୂୟୋଦୃଷ୍ଟି ଲେଖି ମୋର ଚିନ୍ତନକୁ ଜୀବନ୍ୟାସ ଦେବାରେ ମୁଁ ସାହାଯ୍ୟ ପାଏ । ଅତଃ କବିତା ଲେଖା ଗଲେ ଏବଂ ମହତ୍ ଉଦ୍ଦେଶ୍ୟ ସାଧିତ ହୁଏ ।
୩. ସାଂପ୍ରତିକ କବିତା ଦୁର୍ବୋଧ୍ୟ ଓ କ୍ଲିଷ୍ଟ ବୋଲି ଅନେକ ପାଠକ ଓ ସମାଲୋଚକ ଅଭିଯୋଗ କରନ୍ତି । ଏ ସଂପର୍କରେ ଜଣେ କବି ଭାବରେ କଣ କହିବେ?
ହରିଶଙ୍କର ବଡ଼ପଣ୍ଡା: ସାଂପ୍ରତିକ କବିତା ଦୁର୍ବୋଧ୍ୟ ଓ କ୍ଲିଷ୍ଟ ବୋଲି ଅନେକ ପାଠକ, ସମାଲୋଚକ ଅଭିଯୋଗ କରନ୍ତି । କୌଣସି କବିତା କ୍ଲିଷ୍ଟ ଓ ଦୁର୍ବୋଧ୍ୟ ବୋଲି ମୁଁ ମଧ୍ୟ ଅନୁଭବ କରିଛି । କବିତା ଦୁର୍ବୋଧ୍ୟ ହୁଏ ଯେତେବେଳେ ମନର କବି ଭାବ ନିଜେ ନିଜେ ଭାବର ସମାନତା ଓ ଭାବକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରେ ନାହିଁ । ଏପରି ଭାବନା ପରିପୁଷ୍ଟ କବିତା ନିଜ ଭିତରେ ନିଜେ ଦୁର୍ବୋଧ୍ୟ ହୋଇଯାଏ । ଅର୍ଥାତ୍ ନିଜ ସ୍ୱରକୁ ସମ ଭାବରେ ପ୍ରକାଶ କରିବା କ୍ଷମତା କବିର ଭିତରେ ଆସେ ନାହିଁ । ଏହା ସମାଲୋଚକ ଓ ପାଠକମାନଙ୍କ ମଧ୍ୟରେ ଏକ ପରିପୁଷ୍ଟ ଭାବନା ସ୍ପଷ୍ଟ ଭାବରେ ପ୍ରକାଶ କରିପାରେ ନାହିଁ । ଏ ଭାବନା ହେଉଛି କବିର ଶ୍ରେଷ୍ଠ ଗୁଣ । ତେଣୁ କବିର ଭାବନାକୁ ଏକ ଅସ୍ପଷ୍ଟ ବା ଅନୁଚ୍ଚାରିତ ଶଦ୍ଦକୁ ପ୍ରକାଶ କରିବା ପଣକୁ ଦୁର୍ବୋଧ୍ୟ କରି ପକାଏ । ଏହି ଦୁର୍ବୋଧ୍ୟତା ମଧ୍ୟରେ ମନର ଭାବ ଏବଂ ଭାବର ପ୍ରକାଶ ବୁଝିହୁଏ ନାହିଁ । ଏହା ଦୁର୍ବୋଧ୍ୟତାର କାରଣ ।
କ୍ଲିଷ୍ଟ ବୋଲି ଯାହା କୁହାଯାଉଛି ସେସବୁ ଦୁର୍ବୋଧ୍ୟତା ଶଦ୍ଦ ଭିତରେ ଅପରିମିତ ଶଦ୍ଦ ସଂଯୋଜନା । ଏଇ ଶଦ୍ଦ ଆଡ଼ମ୍ବର ଭିତରେ ଶଦ୍ଦ ଗୁଡିକ ଅଯାଚିତ ଛନ୍ଦ ଓ ସ୍ୱର ମଧ୍ୟରେ ଲେଖାହୁଏ କବିତା । କ୍ଲିଷ୍ଟ ଅର୍ଥ ଶଦ୍ଦର ଅପ୍ରାକୃତିକ ସଂଯୋଜନା । ଯେଉଁ ଅବସ୍ଥାରେ କବିର ଧାରା ସୃଷ୍ଟି ହୋଇଥାନ୍ତା ବା କବିତାର ସ୍ୱର ସ୍ପଷ୍ଟ ହୋଇଥାନ୍ତା ସେସବୁ ଧାରାରେ ଅପ୍ରାକୃତିକ ଜୀବନ୍ୟାସ ହିଁ ଏ କ୍ଲିଷ୍ଟର କାରଣ । ଏପରି କ୍ଲିଷ୍ଟ ଶଦ୍ଦାର୍ଥର ବ୍ୟବହାର ନିଜ ଭିତରେ ଅମାନବୀୟ ଚିନ୍ତାଧାରା ପରିପୁଷ୍ଟ କରେ । ଏଥିପାଇଁ ଶଦ୍ଦର ପ୍ରୟୋଗ ସାଂଗରେ କବିର ଭାବ ଓ ଅନୁଭୂତି ସ୍ପଷ୍ଟ ହେବା ଉଚିତ ।
ଏପରି ଧାରଣାରୁ କବିତାର ଅର୍ନ୍ତୋଦୟ ଦୁର୍ବୋଧ୍ୟ ଓ କ୍ଲିଷ୍ଟ ହୋଇପଡ଼େ । ଯାହା କବିତାର ଉଦ୍ଦେଶ୍ୟ ଓ ସିଦ୍ଧିରେ ବ୍ୟାଘାତ ଆଣେ । ଯଦି ଜଣେ ଅନୁଭବି କବି ତାର ଆଗରେ ସ୍ପଷ୍ଟବାଦୀ ଓ ସମଭାବରେ ଉଚ୍ଚାରଣ କରେ ସେହି ସ୍ଥାନରେ କ୍ଲିଷ୍ଟ ବା ଦୁର୍ବୋର୍ଧ୍ୟତା ଆସି ପାରିବ ନାହିଁ ।
୪. କବିତା ରଚନାରୁ ଆପଣଙ୍କ ସୃଜନାରମ୍ଭ । ପରବର୍ତ୍ତୀ ସମୟରେ ଗଳ୍ପ, ଉପନ୍ୟାସ ଲେଖିବା ପାଇଁ କାହିଁକି ଆକୃଷ୍ଟ ହେଲେ?
ହରିଶଙ୍କର ବଡ଼ପଣ୍ଡା: ଯେକୌଣସି କବିର ସୃଜନ ଆରମ୍ଭ ହୁଏ କବିତାରୁ । କବିତା ଏକ ଆକର୍ଷଣୀୟ ଭାବଯାହା ମନ ବଗନରେ, ଜ୍ଞାନ, ଅନୁଧ୍ୟାନରେ କବିର ଭାବ ଓ ସ୍ୱରକୁ ପରିପୁଷ୍ଟ କରେ । ତେଣୁ ପ୍ରତ୍ୟେକ କବି, କବିତା ଲେଖା ଆରମ୍ଭରୁ ସୃଷ୍ଟିର ଅନୁପ୍ରବେଶକୁ ମନ ବଚନରେ ଧ୍ୟାନ ଦିଅନ୍ତି । କବିତା ରଚନା ଦ୍ୱାରା ନିଜର ସାଧନାକୁ ପରିପୁଷ୍ଟ କରନ୍ତି । ଏତତ୍‌ବ୍ୟତୀତ ଗଳ୍ପ ଉପନ୍ୟାସ ଲେଖିବାରେ ମଧ୍ୟ କବିତାର ଢାଞ୍ଚାରେ ନିଜ ପରାକାଷ୍ଟା ପ୍ରତିପାଦିତ କରନ୍ତି । କବିର କବିତା ଲେଖାରେ ଯେଉଁ ଦୋଷଗୁଣ ଅପ୍ରତ୍ୟାଶିତ ଭାବରେ ପ୍ରକାଶ ହୋଇପାରେ ନାହିଁ । ସେସବୁ ଗଳ୍ପ, ଉପନ୍ୟାସ ମାଧ୍ୟମରେ ବେଶୀ ସ୍ପଷ୍ଟିକରଣ ହୁଏ । ତେଣୁ ଗଳ୍ପ ଉପନ୍ୟାସ ଲେଖିବାରେ କବିର ସ୍ୱାଧିନତା ତଥା ସଦ୍‌ଭାବନା ପ୍ରକାଶ ପାଏ ।
ପରବର୍ତ୍ତୀ ଗଳ୍ପ, ଉପନ୍ୟାସରେ ଏସବୁ ବିଚାରକୁ ନେଇ ଗଳ୍ପ ଉପନ୍ୟାସରେ ସଂରଚନା କରା ହୋଇଅଛି । ଗଳ୍ପରେ ସାଧାରଣ ଜୀବନର ବର୍ଣ୍ଣନା ଓ କବିର ଅନ୍ତଦୃଷ୍ଟିକୁ ଆଖି ଆଗରେ ରଖି ପ୍ରକାଶନ କରିବାରେ ଯେଉଁ ମହତ୍ତ୍ୱ ରଖାଯାଇଛି ଉପନ୍ୟାସ ମାଧ୍ୟମରେ ସର୍ବ ସାଧାରଣର କାୟା କଳ୍ପର ଅନୁସଂଧାନ କରାଯାଇ ଅଛି ।
୫. ଆପଣ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଛନ୍ତି । ତେବେ କେଉଁ ବିଭାଗରେ ଆପଣ ଲେଖାଲେଖି କରି ଅଧିକ ତୃପ୍ତି ପାଇଛନ୍ତି ଓ କାହିଁକି?
ହରିଶଙ୍କର ବଡ଼ପଣ୍ଡା: ମୁଁ କବିତା ଲେଖା ଛଡ଼ା ଗୋଟାଏ ଗଳ୍ପ ସଂକଳନ, ତିନୋଟି ଉପନ୍ୟାସ, ଦୁଇଗୋଟି ଜୀବନ ଚରିତ୍ର ଗୋଟିଏ ସମୀକ୍ଷା ସଂକଳନ ପ୍ରକାଶ କରିଛି । ଯେ କୌଣସି କବି ବା ଲେଖକର ପୁରୋଦୃଷ୍ଟି ସମାଜକୁ ସୁଧାରିବା ସବୁ ଲେଖାରେ ମୋର ଦୃଷ୍ଟି ସାଧାରଣ ଜୀବନଠାରୁ ସେମାନଙ୍କର ଜୀବିକା ଜୀବନକୁ ଅଧିକ ମାତ୍ରାରେ ଚିହ୍ନିଛି । ସାଧାରଣ ଜୀବନର ଚଢ଼ା, ଉତ୍ତରା, ଆଗପଛ ତଥା ସଂଗଠିତ ଜୀବନକୁ ନେଇ ମୋର ସାରାସୃଷ୍ଟିର ପ୍ରକାଶ । ଜୀବନକୁ ଚିହ୍ନିବାରେ ବା ଜୀବନକୁ ତଉଲିବାରେ ମୋର ପ୍ରକାଶନ ଲେଖା ସଂପୃକ୍ତ । ଏଇ ଲେଖାରେ ମୁଁ ମୋର ଅନ୍ତରର ଆଶା ଆକାଂକ୍ଷା,କର୍ମ ପ୍ରବୃତ୍ତି, ଭୂତ, ଭବିଷ୍ୟତର କଳ୍ପନା କରି ଚାଲିଛି । ସମାଜକୁ ତ୍ରାଣ ଏବଂ ତର୍ପଣର ମୁକ୍ତି ଦେବା ଆଶାରେ ମୋର ପୁଣ୍ୟ ଅର୍ଜିତ ସମସ୍ତ ଭାବନା ତଥା ଶୁଭଦୃଷ୍ଟିକୁ ଜଳାଂଜଳି ଦେଇଛି । ମଣିଷ ଏ ଜନ୍ମରେ ଯେତେ ଉପୋତଘାତ ପାଇଛି ସେତେ ସଦ୍‌ବୁଦ୍ଧି ବା କଳ୍ପନାର ରଂଗ ସେତିକି ସମାହିତ ହୋଇଛି । ଏ ସମାହିତ ରଂଗର କଳ୍ପନା ପ୍ରସୂତ ନଥାଇ ପ୍ରକୃତ ଭୂମି ଉପରେ ଯେଉଁ ନୀତି ବା ନିୟମ ପରିପୃଷ୍ଟ ହୋଇଛି । ତାକୁ କଳ୍ପନା ଦେବାର ଧାରଣା ମୋର ଲେଖାରେ ପରିପୁଷ୍ଟ ହୋଇଛି ।
ମୁଁ ଯେତିକି ଭାବେ ଲେଖାଲେଖି କରିଛି ସେସବୁର ପ୍ରକାଶନରେ ମୋର ଭାବନା ସମ ଭାବରେ ସଂପୃକ୍ତ । ମୁଁ କୌଣସି ଲେଖା ଲେଖି ନାହିଁ । ଯାହା ମୋର ଅର୍ନ୍ତଆତ୍ମାରୁ ପ୍ରକାଶ ପାଏ ନାହିଁ । ତେଣୁ ସମସ୍ତ ଲେଖାରେ ମୋର ଆତ୍ମ ଜୀବନ ଓ ଅନେକ ଇଚ୍ଛା ଓତଃପୋତ ଭାବରେ ଜଡ଼ିତ । ମୁଁ ଏପରି କୌଣସି ଲେଖାଲେଖି ନାହିଁ ଯାହା ପରିଣାମ ଦୃଷ୍ଟିରୁ ମୋର ବ୍ୟକ୍ତିଗତ ଜୀବନରେ ସଂଯୋଜିତ ନୁହେଁ । ମୋର ପ୍ରତି ଲେଖାରେ ଏଇ ଭାବନା ହିଁ ପରିପୃଷ୍ଟ ହୋଇଥାଏ । ତେଣୁ ମୁଁ କୌଣସି ଲେଖା ଅଧିକ ଆଶାନ୍ୱିତ ହୋଇ ଲେଖି ନାହିଁ ବା ହତାଦର ହୋଇ ଅଧିକ ଲେଖିବାର ସମ୍ଭାବନାରେ ପ୍ରୟାସ କରି ନାହିଁ । ମୋଟାମୋଟିରେ ମୋର ଏସବୁ ସୃଷ୍ଟି ସମଭାବରେ ମୋର ଅନ୍ତରକୁ ରସାଣିତ କରେ ଏବଂ ମୋର ଉଦ୍ଦେଶ୍ୟକୁ ସମଭାବରେ ସାଧାରଣ ଲୋକ ପାଇଁ ସମର୍ପିତ କରେ ।
୬. ବର୍ତ୍ତମାନ ସମାଜ ପାଇଁ ଲେଖକର ଭୂମିକା କଣ?
ହରିଶଙ୍କର ବଡ଼ପଣ୍ଡା: ଯେକୌଣି ଲେଖକ ସମାଜର ମଂଗଳ ପାଇଁ ଲେଖା ସମାଜର ଅବସ୍ଥା ଓ ପାରଂପରିକ ସ୍ଥିତାବସ୍ଥାକୁ ସୁଧାରିବା ପାଇଁ ଲେଖାରେ ସୁଧାର ଆଣେ । ଲେଖକର ଭୂମିକା ସମଭାବରେ ସମାଜକୁ ସୁଧାରିବା ପାଇଁ । ଆଜିକାଲି ସମାଜର ଯେଉଁ ଅବସ୍ଥା ଅଛି ସେସବୁରେ ଅଧିକ ପରିବର୍ତ୍ତନ, ସାମାଜିକ ସ୍ୱଚ୍ଛତା ତଥା ପାଠକର ଚିତ୍ତବୃତ୍ତିକୁ ସଜାଡ଼ିବା ପାଇଁ ବିହିତ ତଥା ଆବଶ୍ୟକ ପରିବର୍ତ୍ତନ ଦରକାର । ଏହି ପରିବର୍ତ୍ତନ ପାଇଁ ଆବଶ୍ୟକ ବୁଦ୍ଧି ତଥା ବୁଦ୍ଧିର ସାହାଯ୍ୟରେ ବର୍ତ୍ତମାନ ସହୃଦୟ ଚିନ୍ତାଧାରାର ଆବଶ୍ୟକତା ଅଛି । ସମାଜ କେଉଁ ଦିଗରେ ଗତି କରୁଛି ତାହା ଲକ୍ଷ୍ୟ କରିବାର କଥା ଓ ସମାଜକୁ ସୁଧାରିବା ପାଇଁ ଲେଖକର ଭୂମିକା ଅତି ଆବଶ୍ୟକ । ଆଜିକାଲି ଯେଉଁ ସମାଜରେ ହତ୍ୟା, ଧର୍ଷଣ, ଚୋରୀ, ଡକାୟତି ବା ଅସାମାଜିକ କାର୍ଯ୍ୟସବୁ ଘଟୁଛି ସେଥିପାଇଁ ଆତ୍ମଗତ ତଥା ଆତ୍ମ ଅଭିମାନ ଆବଶ୍ୟକ । ପୃଥିବୀରେ କୌଣସି କାର୍ଯ୍ୟ ସଂପାଦନ କରିବା ପାଇଁ ନିଷ୍ଠା, ସହୃଦୟତା, ଭଗବତ ବିଶ୍ୱାସ ତଥା ଭକ୍ତି ମାର୍ଗର ସଦିଚ୍ଛା ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ଗୋଟାଏ ସତ୍ ଲେଖକ ଉପଯୁକ୍ତ ସାହିତ୍ୟିକ ନିଷ୍ଠାରେ ସମାଜକୁ ସୁଧାରି ପାରିବା ଏବଂ ଆଧୁନିକ ବାତାବରଣର ସୁଯୋଗ ଯୋଗାଇ ପାରିବ । ଏହି ଦୃଷ୍ଟିରୁ ଲେଖକର ଭାବନା ପରିଦୁଷ୍ଟ ସତ୍‌କାର୍ଯ୍ୟ ଏବଂ ସଦ୍‌ଭାବନା ସମଷ୍ଟିଗତ ଭାବରେ ଲେଖାରେ ପ୍ରତିଫଳିତ ହେବା ଆବଶ୍ୟକ । ଏପରି ଅବସ୍ଥାରେ ଲେଖକର କର୍ତ୍ତବ୍ୟ ବୁଝିବାର ଆବଶ୍ୟକତା ଅନୁଭୂତ ହୁଏ ।
୭. ଧୀରେ ଧୀରେ ସାହିତ୍ୟ ପୁସ୍ତକ ପଠନ ପ୍ରତି ଯୁବ ପିଢ଼ିର ଆଗ୍ରହ କମି କମି ଯାଉଥିବା ମନେ ହୁଏ । ସାହିତ୍ୟ ପୁସ୍ତକ ପଢ଼ିବା ପ୍ରତି ଯୁବ ପିଢ଼ିଙ୍କୁ କିପରି ଆକୃଷ୍ଟ କରାଯାଇପାରିବ?
ହରିଶଙ୍କର ବଡ଼ପଣ୍ଡା: ସାହିତ୍ୟ ପୁସ୍ତକ ପ୍ରତି ଆଜିକାଲି ଆକର୍ଷଣ କମି ଯାଉଛି । ଏହାର କାରଣ ହେଲା ଯେ ସାହିତ୍ୟ ପୂର୍ବବର୍ତ୍ତୀ ଲେଖକମାନଙ୍କର କାର୍ଯ୍ୟ ଧାରାକୁ ଅନୁସରଣ କରି ପାରେ ନାହିଁ । ଯେଉଁମାନେ ଲେଖକ ହିସାବରେ ପ୍ରସିଦ୍ଧି ଲାଭ କରି ଆଗକୁ ବଢୁଛନ୍ତି ସେମାନଙ୍କର ନିଜର ସମାଜ ପ୍ରତି ଆଗ୍ରହ ନାହିଁ ବା ସେମାନେ ଯେଉଁ ସର୍ଜନା କରୁଛନ୍ତି ତାରି ଭିତରେ ଲେଖକମାନଙ୍କର ପରିପକ୍ୱତା ନାହିଁ । ଏଥିଯୋଗୁଁ ସାହିତ୍ୟରେ ସେମାନଙ୍କର କର୍ତ୍ତୃତ୍ୱ ଓ ପରାକାଷ୍ଠା ପ୍ରତି ସଂଦେହ ହେଉଛି । ଯାହା ପାଠକ ଏବଂ ସମାଲୋଚକ ମାନଙ୍କର ଚିତ୍ତବୃତ୍ତିକୁ ଠିକଣାଭାବରେ ପ୍ରତିଫଳିତ କରିପାରୁ ନାହିଁ । ଏ ଦୃଷ୍ଟିରୁ ବିଚାର କଲେ ନିଜ ଭିତରେ ନିଜକୁ ଲେଖକମାନେ ବୁଝିବା ଏବଂ ସମାଜ ପ୍ରତି ସେମାନଙ୍କର ଇଚ୍ଛା ପରିଦୃଷ୍ଟ ହୋଇପାରୁନାହିଁ । ଏଥିଯୋଗୁଁ ପୁସ୍ତକ ପଢ଼ିବା ପ୍ରତି ପାଠକ ଓ ସମାଲୋଚକ ମାନଙ୍କର ଶ୍ରଦ୍ଧା କମି କମି ଆସୁଛି । ଅନ୍ୟପକ୍ଷରେ ଅନେକ କବି ଓ ଲେଖକମାନେ ସଂଖ୍ୟାତୀତ ଭାବରେ ଯଦିଓ ସାହିତ୍ୟ ସୃଷ୍ଟି କରି ଚାଲିଛନ୍ତି ସେମାନଙ୍କର ସୃଷ୍ଟି ଆଗ୍ରହ ଦିନକୁଦିନ କମି ଆସୁଛି ।
ଏହି ଦୃଷ୍ଟିରୁ ପ୍ରତି ଯୁବପିଢ଼ିର ସମାଜ ପ୍ରତି ନିଷ୍ଠା କମି ଯାଉଛି । ଏବଂ ପାଠକ ମହଲର ସ୍ପୃହା କମି କମି ଆସୁଛି । ଯଦି ଲେଖକମାନେ ବା ସମାଲୋଚକମାନେ ଏଇ ଦୃଷ୍ଟିକୁ ମନେ ରଖନ୍ତେ ତେବେ ସମାଜର ସ୍ୱର ଆହୁରି ଶାଣିତ ହୁଅନ୍ତା । ଅନେକ ଲେଖକ ପାଇଁ ସମାଜ ଦୃଷ୍ଟାନ୍ତ ହୋଇ ରହିଲେ ମଧ୍ୟ ପାଠକମାନଙ୍କ ପାଇଁ ଆକୃଷ୍ଟ କରିବା ଧୈର୍ଯ୍ୟ ରହୁ ନାହିଁ । ଯୁବ ପିଢ଼ି ଏଥିପାଇଁ ଆବଶ୍ୟକ ଜ୍ଞାନ ଅନୁସଂଧାନ ଦ୍ୱାରା ସମାଜକୁ ଚିହ୍ନିପାରିବା ଦକ୍ଷତା ରଖିବା ଆବଶ୍ୟକ ।
୮. ସାହିତ୍ୟ ସମାଜର ପଥ ପ୍ରଦର୍ଶକ ହେବାରେ କେତେ ଦୂର ସକ୍ଷମ?
ହରିଶଙ୍କର ବଡ଼ପଣ୍ଡା: ମୁଁ ଆଗରୁ କହିଛି ଯେ ସମାଜର ପଥ ପ୍ରଦର୍ଶକ ପାଇଁ କି ପ୍ରକାର ଚେଷ୍ଟା ଦରକାର । ବିଶେଷତଃ ସାମାଜିକ ନିଷ୍ଠା ଦ୍ୱାରା ଏ ପଥ ପ୍ରଦର୍ଶନ କରାଯାଇ ପାରିବ । ଆଧୁନିକ ଲେଖକମାନେ ସେସବୁ ବୁଝିବା ଆବଶ୍ୟକ । ଉପରେ ଉପରେ ସାମାଜିକ ଦାୟିତ୍ୱମାନଙ୍କୁ ବୁଝିବାରେ କୌଣସି ନୀତିଗତ ନିଷ୍ଠାପରତା ନାହିଁ । ଏଥିପାଇଁ ଆଜିକାଲି ଲେଖାରେ ଓଜନହୀନ ମନ୍ତ୍ରବ୍ୟ ପରିଦୃଷ୍ଟ ହୋଇଥାଏ । ଲେଖକ ଯେ ପ୍ରକାରର ହେଲେ ମଧ୍ୟ ସମାଜର ମୂଳ ପ୍ରଶ୍ନ ଓ ସମସ୍ୟାକୁ ବୁଝିପାରେ ନାହିଁ । ତେଣୁ ସାହିତ୍ୟ ସମାଜର ପଥ ପ୍ରଦର୍ଶକ ହେବାରେ କାର୍ଯ୍ୟରତ ହୋଇ ଉପଯୁକ୍ତ ଜିଜ୍ଞାସା ଆଣିପାରେ ନାହିଁ ।
୯. ଓଡ଼ିଆ ସାହିତ୍ୟର କେଉଁ ଯୁବ କବିଙ୍କ କବିତା ଆପଣଙ୍କୁ ଭଲ ଲାଗେ ଓ କାହିଁକି?
ହରିଶଙ୍କର ବଡ଼ପଣ୍ଡା: ଓଡ଼ିଆ ସାହିତ୍ୟର ଅନେକ ଯୁବ କବି କବିତା ଲେଖନ୍ତି ଏବଂ ପଢ଼ିବାକୁ ବେଶ୍ ମନଛୁଆଁ ଲାଗେ । ଯେଉଁ କବିତାରେ ନିଷ୍ପାପରତା, ସହୃଦୟତା, ମନଛୁଆଁ ବିନ୍ଦୁ ଗୁଡିକ କାବ୍ୟିକ ଢାଞ୍ଚାରେ ପ୍ରକାଶିତ ହୋଇଥାଏ ସେସବୁ ପଢ଼ିବାକୁ ବେଶ୍ ଭଲଲାଗେ । ଅନେକ ଯୁବ ଲେଖକ ଏସବୁର ଧାର ଧରନ୍ତି ନାହିଁ । କବିତା ଖାପ୍‌ଛଡା ହୋଇଯାଏ ଓ ପାଠକମାନଙ୍କର ନିଜ ଦୃଷ୍ଟିରୁ ଅଲଗା ହୋଇଯାଏ ସେସବୁ କବିତା ପଢ଼ିବାରେ ଆଗ୍ରହ ଆସେ ନାହିଁ । କିନ୍ତୁ ତଥାପି ଯେଉଁ କବିମାନଙ୍କର ସମାଜ ପ୍ରତି ଆଗ୍ରହ ଥାଏ ସେସବୁ ପଢ଼ିବାରେ ତଥା ସେସବୁର ହୃଦୟରେ ସ୍ଥାନିତ କରିବା ମୋର ଆଗ୍ରହ । ଅନେକ ଭିତରୁ ଏପରି ଯୁବ କବିମାନଙ୍କର ତାଲିକା ପ୍ରସ୍ତୁତ କରାଯାଇ ପାରିବ ନାହିଁ ।
୧୦. ଆପଣଙ୍କ ରଚିତ ‘ଭୂମିପୁତ୍ର’ ଓ ‘ ତିନି ହୀରାକୁଦ’ ଦୁଇଟି ଚର୍ଚ୍ଚିତ ଉପନ୍ୟାସ । ଦାଦନ ଓ ବିସ୍ଥାପନକୁ ସମସ୍ୟା ଉପରେ ଆଧାରିତ ଏହି ଦୁଇ ଉପନ୍ୟାସ । ତେବେ ପଶ୍ଚିମ ଓଡ଼ିଶାର ଦୁଇଟି ପ୍ରମୁଖ ସମସ୍ୟାକୁ ନେଇ ଉପନ୍ୟାସ ରଚନା ପଛରେ କ’ଣ ଉଦ୍ଦେଶ୍ୟ ରହିଛି?
ହରିଶଙ୍କର ବଡ଼ପଣ୍ଡା: ମୋର ଲିଖିତ ଉପନ୍ୟାସ ‘ଭୂମିପୁତ୍ର’ ଓ ‘ତିନି ହୀରାକୁଦ’ ଦାଦନ ଓ ବିସ୍ଥାପନ ଉପରେ ଲିଖିତ ଦୁଇଟି ଉପନ୍ୟାସ । ଭୂମିପୁତ୍ର ଉପରେ ଲିଖିତ ଦାଦନ ହେଉଛି କୋଶଳ ଅଂଚଳର ଦାଦନ ଖଟି ଯାଉଥିବା ବିଷୟ ଉପରେ ସର୍ବପ୍ରଥମ ଉପନ୍ୟାସ । ଏଇ ଉପନ୍ୟାସରେ ପଶ୍ଚିମ ଓଡ଼ିଶାର ଗୋଟିଏ ଗାଁରୁ ଦାଦନ ଖଟିବା ପାଇଁ ଯାଇଥିବା ଗୋଟିଏ ଶ୍ରମିକମାନଙ୍କର ଏକ ଲୁହଭରା କାହାଣୀ । ଦାଦନ ଖଟିଯିବାର କାରଣ ସେମାନଙ୍କର ଦୁଃଖ, ସମସ୍ୟା ଇତ୍ୟାଦି ପ୍ରାଂଜଳ ଭାବରେ ବର୍ଣ୍ଣନା କରାଯାଇଛି । ସେହିପରି ତିନି ହୀରାକୁଦ ଉପନ୍ୟାସରେ ହୀରାକୁଦ ଜଳ ଭଣ୍ଡାର ତଳେ ସେ ୨୨୬ଟି ଗାଁର ଅକୁହା କାହାଣୀ ବର୍ଣ୍ଣିତ ହୋଇଛି । ହୀରାକୁଦ ସେତେବେଳେ ହୋଇଥିଲା ଯେତେବେଳେ ବିସ୍ଥାପନର କୌଣସି ନିୟମ କାନୁନ ନଥିଲା । ସ୍ୱାଧୀନତା ସାଙ୍ଗରେ ଏବଂ ତାର ପରବର୍ତ୍ତୀ କାଳରେ ଏଇ ଜଳ ଭଣ୍ଡାର ପରିକଳ୍ପନା ହୋଇଥିଲା । ଜମିକୁ ଜଳ ଦେବା ପାଇଁ, ଘରକୁ ଘର ଦେବା ପାଇଁ ସେ ସମୟରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥଲା ତାହା ପାଳନ ହୋଇ ନାହିଁ । ସେ ସମୟର ଦୁଃଖ ବର୍ଣ୍ଣନା ହୋଇ ନାହିଁ । ସେ ସମୟର ଜନ ଜାଗରଣ ହୋଇ ମଧ୍ୟ କିଛି ହାସଲ କରି ପାରିଲା ନାହିଁ । ବିସ୍ଥାପନର ଦୁଃଖ ଅତି ଅଶ୍ରୁଳ । ତିନି ହୀରାକୁଦ ଉପନ୍ୟାସରେ ଏ ବର୍ଣ୍ଣନା ବିସ୍ତୃତ ଭାବରେ ଦିଆଯାଇଅଛି ।
ଦୁଇଟି ସମସ୍ୟା ‘ଦାଦନ’ ଏବଂ ‘ବିସ୍ଥାପନ’ ପଶ୍ଚିମ ଓଡ଼ିଶାର ଅତି ଶୋକାପ୍ଲୁତ କାହାଣୀ ଯେଉଁମାନେ ବିସ୍ଥାପନ ହେଲେ ସେମାନଙ୍କୁ ଜମି ମିଳିଲା ନା ଘର ଡିହ ଅନ୍ୟପକ୍ଷରେ ଯେଉଁମାନେ ଦାଦନ ହେଲେ ତାଙ୍କୁ କାମ ମିଳିଲା । ଏହି ଦୁଇ ଅବସ୍ଥାର କାହାଣୀ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ଏଥିପାଇଁ ଏ ବହି ଦୁଇଟି ଲେଖାଯାଇଛି, ଏହାର ରଚନା ପଛରେ ପଶ୍ଚିମ ଓଡିଶାର ଦୁଃଖ, ନିର୍ଯାତନା ବିସ୍ଥାପନର ପରିଣତି ବିଷୟରେ ସବିଶେଷ ବର୍ଣ୍ଣନା ଅଛି । ଏହି ଲେଖା ଦୁଇଟିର ଉଦ୍ଦେଶ୍ୟ କେହି ବୁଝିବ ବୋଲି ଏବଂ ଅନ୍ତତଃ ସ୍ମରଣ କରିବ ବୋଲି ଏହା ଲେଖ।।ଯାଇଛି ।
୧୧. ସାହିତ୍ୟକୁ ନେଇ ଆପଣଙ୍କ ଭବିଷ୍ୟତ ଯୋଜନା ଓ ସ୍ୱପ୍ନ କଣ ?
ହରିଶଙ୍କର ବଡ଼ପଣ୍ଡା: ଭବିଷ୍ୟତର ଯୋଜନା ଓ ସ୍ୱପ୍ନ କଣ କହିବାରେ ମୋର କୌଣସି କୃପଣତା ନାହିଁ । ମୁଁ ଆଗରୁ କହିଛି ଯେ, ଲେଖକର ଉଦ୍ଦେଶ୍ୟ ସମାଜକୁ ସୁଧାରିବା ପାଇଁ । ଏ ସୁଧାରିବାର କାରଣ କଣ ତାହା ବୁଝାଇବାର ଆବଶ୍ୟକତା ନାହିଁ । ସାହିତ୍ୟ ସବୁ ସମୟରେ ପାଠକ ସମାଲୋଚକଙ୍କୁ ଦିଗ୍‌ଦର୍ଶନ ଦେଇ ଆସୁଛି ଏବଂ ଆସୁଥିବ । ପରିଣତ ବୟସରେ ମୋର ଯୋଜନା ବା ସ୍ୱପ୍ନ କଣ ଆଉ ରହିବ? ଯାହାବି ମୁଁ ଲେଖିଛି ସମାଜ ପାଇଁ ଲେଖିଛି । ସମାଜର ସଂସ୍କାର ପାଇଁ ମୋର ସ୍ୱପ୍ନ ଯଦି ସଂସ୍କାର ଆଣିଦେଇ ପାରିବ ତାହା ହେବ ମୋ ପାଇଁ ବରଦାନ । କାରଣ ଏହାହିଁ ମୋର ସ୍ୱପ୍ନ ଓ ଯୋଜନା ।
୧୨. ଯୁବ ଲେଖକଙ୍କୁ କ’ଣ କହିବାକୁ ଚାହିଁବେ?

ହରିଶଙ୍କର ବଡ଼ପଣ୍ଡା: ଯୁବ ଲେଖକମାନଙ୍କୁ ମୋର ଅନୁରୋଧ ଯେ ସେମାନେ ସମାଜର ମଙ୍ଗଳ ପାଇଁ କିଛି ଅବଦାନ ଦିଅନ୍ତୁ । ଏହି ଅବଦାନରୁ ସେମାନଙ୍କର ନିଷ୍ଠା, ପ୍ରତିବଦ୍ଧତା, ସାହିତ୍ୟର ଉଦ୍ଦେଶ୍ୟ ଏବଂ ସ୍ୱପ୍ନ ସାକାର ହେଉ । ଯୁବ ଲେଖକମାନେ ଆଜିକାଲି ପଢୁ ନାହାନ୍ତି । ପଢ଼ିବା ଦ୍ୱାରା ଜ୍ଞାନ ପ୍ରସାରିତ ହୁଏ ଏବଂ ଜ୍ଞାନ ପ୍ରସାରଣ ଦ୍ୱାରା ସମାଜର ଦୁଃଖ, ଦୁର୍ଦ୍ଦଶା ବୁଝିହୁଏ । ଯୁବ ଲେଖକମାନେ ପ୍ରାଚୀନ ପତ୍ରପତ୍ରିକା ପଢନ୍ତୁ, ବହି ପଢନ୍ତୁ ଓ ସମାଜର ଦୁଃଖକୁ ବୁଝନ୍ତୁ । ଏହାହିଁ ମୋର ସେମାନଙ୍କ ପ୍ରତି ଉପଦେଶ ଓ ସଦିଚ୍ଛା ।

ସଂକ୍ଷେପରେ ହରିଶଙ୍କର

ଜନ୍ମ: ୨୦ ଅକ୍ଟୋବର ୧୯୩୮

ଗାଁ: ବାବୁପାଲି, ସୁବର୍ଣ୍ଣପୁର

ବାପା: ୰ ଦଶରଥ ବଡ଼ପଣ୍ଡା

ମାଆ: ୰ ହୈମବତୀ ଦେବୀ

ଶିକ୍ଷା:ବିଏସ୍‌ସି(ଉତ୍କଳ),ସ୍ନାତକୋତ୍ତର(ସିଆଇଏଫ୍‌ଇ, ବମ୍ବେ ସମ ବିଶ୍ୱବିଦ୍ୟାଳୟ)

ବୃତ୍ତି: ଅବସରପ୍ରାପ୍ତ ସରକାରୀ କର୍ମଚାରୀ

ଠିକଣା: ବାଣୀଶ୍ରୀ ବିହାର, ଆନନ୍ଦନଗର, ବଲାଙ୍ଗିର-୧ ଫୋନ୍‌: ୯୪୩୮୬୪୫୫୧୫

………………………
ପ୍ରକାଶିତ ବହି: ପଦ୍ମତୋଳାର କାବ୍ୟ, ରକ୍ତ ଜାତକ ଓ କେତୋଟି ଶ୍ରଦ୍ଧାଞ୍ଜଳି,ଉଦୟୋତ୍ସବ,ସବୁ ପରିଚିତ ପୃଥିବୀ, ଏରାସ୍ତା ମନ୍ଦିରକୁ,ସ୍ୱଭାବ କବିଙ୍କ୍ ମହତ୍ୱ ଓ ଅନ୍ୟାନ୍ୟ ପ୍ରବନ୍ଧ,ବସୁଧାର କାବ୍ୟ, ଉଚ୍ଚାରଣ, ଭୂମିପୁତ୍ର,ତିନିପାଦ ପୃଥ୍ୱୀ, ଶ୍ରୀମନ୍ଦିର ଭାଗବତ, ଆମ୍‌୍‌ବୁରେଇ ଗାଁ,ପଦ୍ମବନ, ପଦଚିହ୍ନର ମହକ, ବିଦୁରନାମା, ତିନି ହୀରାକୁଦ ।
……………………….
ସମ୍ମାନ/ପୁରସ୍କାର: ଶ୍ରେଷ୍ଠ କବି, ଉତ୍କଳ ସାହିତ୍ୟ ପରିଷଦ, ବ୍ରହ୍ମପୁର । ମହାନଦୀ ସାହିତ୍ୟ ସମ୍ମାନ, ସୁବର୍ଣ୍ଣପୁର । ସାହିତ୍ୟିକ ସମ୍ମାନ, କଟକ । ଉପେନ୍ଦ୍ର ଭଂଜ ସମ୍ମାନ, ଭଂଜନଗର । କବି ଓ କଥାଶିଳ୍ପୀ ସମ୍ମାନ, ସମ୍ବଲପୁର ବିଶ୍ୱବିଦ୍ୟାଳୟ । କବି ଓ ସାରସ୍ୱତ ସମ୍ମାନ, ବଲାଙ୍ଗିର । ଜଷ୍ଟିସ ରାଜକିଶୋର ଦାସ ସ୍ମାରକୀ ପୁରସ୍କାର ଓ ସମ୍ମାନ, କଟକ । କୋଶଳ ରତ୍ନ ସମ୍ମାନ, ରାଉରକେଲା । ଝଙ୍କାର ପୁରସ୍କାର,କଟକ । ବୟୋଜ୍ୟେଷ୍ଠ ସାରସ୍ୱତ ସମ୍ମାନ, ଓଡିଶା ସାହିତ୍ୟ ଏକାଡେମୀ । ଗଂଗାଧର ସାରସ୍ୱତ ସମ୍ମାନ, ବରପାଲି । ସୁବର୍ଣ୍ଣଶ୍ରୀ ସମ୍ମାନ, ବାଲେଶ୍ୱର । ସାରସ୍ୱତ ସମ୍ମାନ, ଛେଣ୍ଡିପଦା,ଅନୁଗୁଳ । ସୌଭାଗ୍ୟ ସମ୍ମାନ, ଆରାମବାଗ, ନୂଆଦିଲ୍ଲୀ । ଶ୍ରୀକ୍ଷେତ୍ର ସାରସ୍ୱତ ସମ୍ମାନ, ନୟାଗଡ । ସୁଲେଖା କବି ସମ୍ମାନ, ପୁରୀ । ୨୦୦୯ ମେନ୍ ଅଫ୍ ଦି ଇୟର, ୟୁଏସ୍‌୍‌ଏ । ସୁକବି ସମ୍ମାନ, ଝାରସୁଗୁଡା । କବି ସମ୍ମାନ, ଯାଜପୁର । ପାଟଣା ମହାରାଜା ଆର୍ ଏନ୍ ସିଂହଦେଓ ଜନ୍ମ ଶତବାର୍ଷିକୀ ସମ୍ମାନ, ବଲାଙ୍ଗିର । ମେହେର ୧୫୦ତମ ଜନ୍ମବାର୍ଷିକୀ ସମ୍ମାନ, କଟକ । ସମ୍ବଲପୁରର ବିଶ୍ବିଦ୍ୟାଳୟରୁ ଡିଲିଟ ଉପାଧି।

Leave a Reply