ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣାଧୀନ ଛାତ ଭୁଷୁଡିଲା, ଜଣେ ମୃତ

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ଭୁବନେଶ୍ୱର ବିମାନ ବନ୍ଦରରେ ବଡ଼ ଧରଣର ଅଘଟଣ। ବିଳମ୍ବିତ ରାତିରେ ହଠାତ୍ ଭୁଷୁଡି ପଡିଲା ନିର୍ମାଣାଧୀନ ବିଲ୍ଡିଂର ଛାତ। ଟର୍ମିନାଲ-୧ ଓ ଟର୍ମିନାଲ-୨ରେ କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। ପ୍ରାଥମିକ ସୂଚନା ଅନୁସାରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି। ୧୫ ରୁ ୨୦ ଜଣ ଶ୍ରମିକ କାମ କରୁଥିବା ନେଇ ସୂଚନା ମିଳିଥିବା ବେଳେ ଛାତ ତଳେ ଅନେକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି।

ଖବର ପାଇ ଅଗ୍ନଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଗୁରୁତର ଦୁଇ ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇ ଥିଲା। ହେଲେ ସେଠାରେ ଜଣେ ଶ୍ରମିକକୁ ମୃତ ଘୋଷଣା କରାଯାଇଥିଲା। ମୃତ ଶ୍ରମିକ ଜଣକ ହେଲେ ବଡମ୍ବା ଅଞ୍ଚଳର ଅନ୍ତର୍ଯ୍ୟାମୀ ଗୁରୁ। ଆହତ ଅନ୍ୟ ଜଣେ ଶ୍ରମିକ ହେଲେ ଢେଙ୍କାନାଳର ନବ କିଶୋର ସ୍ୱାଇଁ। ଛାତ ତଳେ ଚାପି ହୋଇଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟରେ ଲାଗିଛନ୍ତି ଅଗ୍ନିଶମ କର୍ମଚାରୀ। ତେବେ ବିମାନ ବନ୍ଦର ଅଧିକାରୀ ଏନଡିଆରଏଫର ସହାୟତା ଲୋଡିଥିବା ଜଣା ପଡ଼ିଛି।

ସେପଟେ ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲେ ମନ୍ତ୍ରୀ ଅଶୋକ ପଣ୍ଡା। ଏବଂ ଉଦ୍ଧାର କାର୍ଯ୍ୟରେ ସମସ୍ତେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ। ତେବେ ଖବର ଲେଖା ହେବା ଯାଏ ଜଣେ ମୃତ, ଜଣେ ଆହତ ହୋଇଥିବା ସୂଚନା ମିଳିଥିବା ବେଳେ ଅନେକ ଛାତ ତଳେ ଚାପି ହୋଇଥିବାରୁ ଆହତଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି।

Leave a Reply