କଳିଙ୍ଗନଗର ଟାଟା ଷ୍ଟିଲରେ ଅଘଟଣ, ୪ ଶ୍ରମିକ ଗୁରୁତର!

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। କଳିଙ୍ଗନଗର ଟାଟା ଷ୍ଟିଲରେ ଅଘଟଣ। ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ପାଚେରୀ କାମ କଲା ବେଳେ ବିଦ୍ୟୁତ୍ କରେଣ୍ଟ ଲାଗିବାରୁ ଏହି ଦୁର୍ଘଟଣା ଘଟିଛି।

ଘଟଣାରୁ ଜଣା ପଡିଛି ଯେ, କଳିଙ୍ଗନଗର ଶିଳ୍ପାଞ୍ଚଳ ଟାଟା ଷ୍ଟିଲ ପାଚେରୀ କାମ ଚାଲିଥିଲା। ହେଲେ ଏ ସମୟରେ ବିଦ୍ୟୁତ୍ କରେଣ୍ଟ ଲାଗି ଯିବାରୁ ଏହି ଦୁର୍ଘଟଣା ଘଟିଛି। ଫଳରେ ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତର ଶ୍ରମିକ ମାନେ ହେଲେ ଲାଲୁ ଯାଦବ, ଦୀପକ ସାମଲ, ସୁନିଲ ଓ ଶିବାଲାଲ ଭୂୟାଁ ବୋଲି ଜଣା ପଡିଛି। ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଟାଟା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲୁ। ହେଲେ ଘଟଣା ନେଇ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ କମ୍ପାନୀ କର୍ତ୍ତୃପକ୍ଷ।

ତେବେ ପ୍ରଶ୍ନ ଉଠୁଛି କାରଖାନା ଗୁଡିକରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି କମ୍ପାନୀ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ କାହିଁକି? କେବଳ ଟାଟା ଷ୍ଟିଲ ନୁହେଁ, ନାଲକୋ, ଏମସିଏଲ, ଭୂଷଣ, ବେଦାନ୍ତ ଭଳି ଅନେକ କାରଖାନାରେ ଦୁର୍ଘଟଣା ଘଟି ଶ୍ରମିକଙ୍କ ଜୀବନ ହାନି ହେଉଥିବା ନଜିର ରହିଛି। ବାରମ୍ବାର ଏଭଳି ଦୁର୍ଘଟଣା ଘଟୁ ଥିବାରୁ କାରଖାନା ଏବେ ମରଣଖାନାରେ ପରିଣତ ହୋଇ ଯାଇଛି।

କାରଖାନାରେ ଦୁର୍ଘଟଣାକୁ ଦୃଷ୍ଟିରେ ରଖି କିଛି ମାସ ତଳେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଜିରୋ କାଜୁଆଲିଟି ପାଇଁ ଗୁରୁତ୍ୱାରୋପ କରିଥିଲେ। କିନ୍ତୁ ତାପରେ ବି କାରଖାନା ଗୁଡିକରେ ଅନେକ ଦୁର୍ଘଟଣା ଘଟି ସାରିଲାଣି। ମନ୍ତ୍ରୀଙ୍କ କଥାକୁ ବି ଖାତିର କରୁ ନାହାନ୍ତି କମ୍ପାନୀ କର୍ତ୍ତୃପକ୍ଷ। ଯଦ୍ୱାରା କି ଏଭଳି ଛୋଟ ବଡ଼ ଦୁର୍ଘଟଣାମାନ ଘଟି ଚାଲିଛି। ଦେଖାଯାଉ କାରଖାନାରେ କେବେ ଜିରୋ କାଜୁଆଲିଟିକୁ ଫୋକସ କରାଯାଉଛି ଓ ମନ୍ତ୍ରୀଙ୍କ ମନ୍ତ୍ର କେବେ କାର୍ଯ୍ୟକାରୀ ହେଉଛି ତାହା ଆଗାମୀ ଦିନରେ ଜଣା ପଡ଼ିବ।