ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା ଭାଇଚାରାର ପର୍ବ ‘ନୂଆଁଖାଇ’

ଓଡ଼ିଶାଫିଚର୍ସ୍ପେଶାଲ

ନବନୀତା ବ୍ୟୁରୋ । ନୂଆଁଖାଇ । ପଶ୍ଚିମ ଓଡିଶାର ବଡ଼ ପର୍ବ । କୃଷି ଓ କୃଷକର ପର୍ବ । ଭାଇଚାରାର ପର୍ବ । ଏହି ଦିନ ମାଁ ମାଟି ଏବଂ ଗ୍ରାମ ଦେବାଦେବୀଙ୍କୁ ପୂଜା କରାଯାଇଥାଏ । ଚାଷୀ ନୂଆ ଧାନକୁ ମାଁ ପାଖରେ ପ୍ରଥମେ ସମର୍ପଣ କରିଥାଏ । ତା’ ପରେ ନିଜେ ଖାଏ । ଇଏ ହେଉଛି ନୂଆଁଖାଇ ପର୍ବର ପରଂପରା । ଭାଇ ଭାଇ, ବାପା ପୁଅ, ବନ୍ଧୁ ବାନ୍ଧବ, ରାଗରୁଷା, ଶତୃ ମିତୃ ଭେଦଭାବ ଭୁଲି ସପରିବାର ସମସ୍ତେ ଗୋଟିଏ ଜାଗାରେ ଜମା ହେଇଥାନ୍ତି । ଆଉ ଗୋଟିଏ ଜାଗାରେ ବସି ନୂଆଁ ଖାଇଥାନ୍ତି । ନୂଆଁ ଖାଇବା ପରେ ଆରମ୍ଭ ହୁଏ ଜୁହାର ଭେଟ୍ । ଘରର ବଡ଼ମାନଙ୍କୁ ଛୋଟମାନେ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥାନ୍ତି । ନୂଆଁଖାଇ ଦିନ ପ୍ରତ୍ୟେକ ଗାଁରେ ଢ଼ୋଲ, ନିଶାନ, ଭଜନ, କୀର୍ତ୍ତନ, ନାଚ-ଗୀତ, ନାଟ-ତାମସାରେ ଦୁଲକି ଯାଇଥାଏ । ସଭେ ଭୁଲି ଯାଇଥାନ୍ତି ବର୍ଷକର କାମ କାର୍ଯ୍ୟ । ଉତ୍ସାହ, ଉଦ୍ଦୀପନାରେ ପାଳନ କରିଥାନ୍ତି ନୂଆଁଖାଇ । ଆଉ ଆସନ୍ତା ବର୍ଷର ନୂଆଖାଇକୁ ସମସ୍ତେ ଅପେକ୍ଷା କରିଥାନ୍ତି । ପଶ୍ଚିମ ଓଡ଼ିଶାର ବଡ଼ ପର୍ବ ନୂଆଁଖାଇକୁ ନେଇ ସ୍ୱତନ୍ତ୍ର ପ୍ରତିବେଦନ । ନୂଆଁଖାଇର ଆରମ୍ଭ
ପଶ୍ଚିମ ଓଡିଶାର ମହାନ ପର୍ବ ନୂଆଖାଇ । ମୁଖ୍ୟତଃ ଏହା ହିନ୍ଦୁମାନଙ୍କର ପର୍ବ ହୋଇଥିଲେ ମଧ୍ୟ ଏବେ ଅବିଭକ୍ତ ବଲାଙ୍ଗିର, ସମ୍ବଲପୁର ଏବଂ ଭବାନୀପାଟଣା ଜିଲ୍ଲାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଧୁମଧାମରେ ପାଳନ କରୁଛନ୍ତି । ହେଲେ ଏହି ପର୍ବ କେବେଠୁ ଆରମ୍ଭ ହେଲା । ତାର ସଠିକ ତଥ୍ୟ କାହାରି ପାଖରେ ନାହିଁ । ଆର୍ଯ୍ୟମାନଙ୍କ ବହୁ ପୂର୍ବରୁ ଏ ଅଂଚଳରେ ରହୁଥିବା ଶବର, ଗଣ୍ଡ, ମୁଣ୍ଡା, ବିଂଝାଲ, କୋହ୍ଲମାନଙ୍କ ମୁଖ୍ୟ ଜୀବିକା ଥିଲା କୃଷି । ସେମାନେ ଇଷ୍ଟଦେବୀଙ୍କୁ ପ୍ରଥମ ଅନ୍ନ ସମର୍ପଣ କଲା ପରେ ନିଜେ ଭକ୍ଷଣ କରୁଥିଲେ । ସେଇ ପରଂପରା ଆଜିଯାଏ ନଦୀର ସ୍ରୋତ ଭଳି ବହି ଆସିଛି ପ୍ରସାର ପ୍ରଚାର ହୋଇ ।
ରୀତି ନୀତି ଓ ପରଂପରା
ସମ୍ବଲପୁରରେ ସମଲେଶ୍ୱରୀ, ବଲାଙ୍ଗିରରେ ପାଟଣେଶ୍ୱରୀ, ସୋନପୁରରେ ସୁରେଶ୍ୱରୀ ଏବଂ ଭବାନୀପାଟଣ।।ରେ ମାଣିକେଶ୍ୱରୀ ଦେବୀଙ୍କୁ ଇଷ୍ଟଦେବୀ ଭାବେ ପୂଜାର୍ଚ୍ଚନା କରାଯାଏ । ନବାନ୍ନ ଦିନ ପ୍ରତ୍ୟେକ ଦେବୀ ମନ୍ଦିରରେ ଭକ୍ତି, ଶ୍ରଦ୍ଧା, ନିଷ୍ଠାର ସହ ପାରଂପରିକ ରୀତି ନୀତିରେ ପୂଜା ହୁଏ । ଏହି ପୂଜାରେ କୃଷକର ନବ ଉତ୍ପାଦିକ ଅନ୍ନକୁ ଭୋଗ ଲଗାଯାଏ । ସେହି ଅନ୍ନକୁ ଆନନ୍ଦ ଉଲ୍ଲାସରେ ସମସ୍ତେ ଖାଆନ୍ତି । ଏଥିସହ ପ୍ରତ୍ୟେକ ଘରେ, ଗାଈଗୋରୁ ଗୁହାଳରେ, ରୋଷେଇ ଘରେ ମଧ୍ୟ ପୂଜା ହୁଏ । ନୂଆ ଅନ୍ନ ଲାଗି ପରେ ପରିବାରର ସମସ୍ତେ ଏକାଠି ଖାଆନ୍ତି । ନବାନ୍ନ ପର୍ବ ଆସିବାର ପନ୍ଦର ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୁଏ । ଘରଦ୍ୱାର, ରୋଷେଇ ଘର, ପୂଜାକୋଠି ପରିଷ୍କାର କରାଯାଏ । ଚାଷୀ ପଂଚମୀ ଆସିଲେ ଭୋରରୁ ଗାଧୁଆ ପାଧୁଆ ସାରି ଦେବାଦେବୀଙ୍କ ପୂଜାପାଠ ପାଇଁ ପ୍ରସ୍ତୁତି ଚାଲେ । ଘରେ ଘରେ ତିଆରି ହୁଏ ପିଠାପଣା, କ୍ଷୀରି ଏବଂ ନାନାଦି ବ୍ୟଞ୍ଜନ । ଘରେ ଦେବାଦେବୀଙ୍କୁ ପୂଜା ଶେଷ ହେଲା ପରେ କ୍ଷେତ ପୂଜା ହୋଇଥାଏ । ଏଥିପାଇଁ ଅରୁଆ ଚାଉଳ, କ୍ଷୀର, ଧୂପଦୀପ ଧରି ବିଲକୁ ଯାଇଥାନ୍ତି । ଗୋରୁ ଗୁହାଳରେ ମଧ୍ୟ ପୂଜା କରାଯାଏ । ଗାଇ ବଳଦକୁ ଗୋ ମାତା ଭାବେ ଭକ୍ତି ସହକାରେ ପୂଜା କରି ଶିଙ୍ଗରେ ରାକ୍ଷୀ ବନ୍ଧାଯାଏ । ଗାଁର ବିଭିନ୍ନ ଦେବାଦେବୀଙ୍କ ନିକଟରେ ନୂଆ ଚାଉଳରେ ପ୍ରସ୍ତୁତ ଅନ୍ନକୁ ଭୋଗ ଆକାରରେ ଲଗାଯାଏ । ତା’ ପରେ ସମସ୍ତେ ଏକାଠି ବସି ନୂଆ ଭକ୍ଷଣ କରିଥାନ୍ତି ।
ପତ୍ରରେ ନୂଆଁଖାଇ
ପ୍ରକୃତି ସହିତ ନୂଆଁଖାଇ ପବର୍ର ଖୁବ ନିବିଡ଼ ସଂପର୍କ ରହିଛି । ମନୁଷ୍ୟ ସମାଜ ପାଇର୍ ଗଛଲତା କେତେ ପରିମାଣରେ ଆବଶ୍ୟକ ତାହା ଏହି ପର୍ବରୁ ଜଣାପଡିଥାଏ । ନୂଆଁଖାଇ ପାଳନ ଅବସରରେ ବିଭିନ୍ନ ସଂପ୍ରଦାୟର ଲୋକେ ଅଲଗା ଅଲଗା ଗଛର ପତ୍ରରେ ନିଜ ନିଜର ଇଷ୍ଟ ଦେବୀଙ୍କୁ ଭୋଗ ଲଗାଇ ଥାଆନ୍ତି । ତା ସହିତ ନିଜେ ମଧ୍ୟ ପତ୍ରରେ ତିଆରି ଖଲିରେ ଭୋଗ ଖାଇଥାନ୍ତି । ଏଥିପାଇଁ ପ୍ରାତଃ ସମୟରେ ସମସ୍ତେ ପତ୍ର ସଂଗ୍ରହ କରିଥାନ୍ତି । କିଏ ରେଂଗାଲ, କୁରେ, ମହୁଲ ପତ୍ର ସଂଗ୍ରହ କରେ ତ ଆଉ କିଏ କିଏ କଦଳୀ ପତ୍ର ସଂଗ୍ରହ କରିଥାନ୍ତି । ପୂଜାଠାରୁ ଆରମ୍ଭ କରି ନବାନ୍ନ ଭକ୍ଷଣ ପର୍ଯ୍ୟନ୍ତ ସବୁଥିରେ ପତ୍ରରେ ତିଆରି ଖଲି ଦନା ବ୍ୟବହାର କରାଯାଏ । ଏହି ଦିନ ଧନୀ ଗରିବ ସଭିଏଁ ପତ୍ରରେ ତିଆରି ଖଲି ଦନାରେ ନବାନ୍ନ ଭକ୍ଷଣ କରିଥାନ୍ତି ।
ଭାଇଚାରାର ପର୍ବ ନୂଆଁଖାଇ
ନୂଆଁଖାଇ ଏବେ ଆଉ କୌଣସି ଜାତି ବା ଗୋଷ୍ଠୀ ମଧ୍ୟରେ ଆବନ୍ଧ ରହି ନାହିଁ । ପଶ୍ଚିମ ଓଡିଶାର ବିଭିନ୍ନ ଧର୍ମ ଓ ସଂପ୍ରଦାୟର ଲୋକେ ଏବେ ଉତ୍ସାହ, ଉଦ୍ଦୀପନା ସହ ନୂଆଁଖାଇ ପର୍ବକୁ ପାଳନ କରୁଛନ୍ତି । ଏଭଳି ଏକ ସ୍ଥାନ ହେଲା ବରଗଡ ଜିଲ୍ଲାର ପୁଦ୍ମପୁର । ଯେଉଠି ଏକାଠି ହୁଅନ୍ତି ବିଭିନ୍ନ ଧର୍ମ ଓ ସଂପ୍ରଦାୟର ଲୋକେ । ଏଠାକି ନୂଆ ଖାଆନ୍ତି । ଆଉ ଏଥିରୁ ମୁସଲମାନ ପରିବାର କେମିତି ବାଦ ପଡିଥାନ୍ତେ । ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକର ଏକ ଗୌନ୍ତିଆ ପରିବାର ରୀତିନୀତି ଅନୁସାରେ ନୂଆଁଖାଇକୁ ପାଳନ କରିଥାନ୍ତି । ଗାଁର ଝାଙ୍କର ନୂଆ ଧାନ ଆଣିକରି ଘରେ ଘରେ ଦେଲା ପରେ ସବୁ କାମ ଆରମ୍ଭ ହୋଇଥାଏ । ତା’ ପରେ ପରିବାରର ମୁଖିଆ ଲୋକେ ନୂଆ କପଡା ପିନ୍ଧି ବିଲକୁ ଯାଇଥାନ୍ତି । ସେଠାରେ କ୍ଷୀର, ଧୂପ, ଦୀପ ଦେଇ ପୂଜା କରିଥାନ୍ତି । ଆଉ ଭଲ ଫସଲ ଅମଳ ପାଇଁ ଆଲ୍ଲାଙ୍କଠାରେ ପ୍ରାର୍ଥନା କରିଥାନ୍ତି । ସେହିପରି ନୂଆଧାନକୁ ତିଆରି ହୋଇଥିବା କ୍ଷୀରିକୁ ମଧ୍ୟ ଆଲ୍ଲାଙ୍କଠାରେ ଅର୍ପଣ କରାଯାଇଥାଏ । ତାପରେ ପରିବାରର ସମସ୍ତେ ଏକଜୁଟ ହୋଇ ଗୋଟିଏ ଜାଗାରେ ମିଶି କରି ନୂଆ ଖାଇଥାନ୍ତି । ମୁସଲମାନ ଗୌନ୍ତିଆ ପରିବାର ତରଫରୁ କାହିଁ କେଉଁ କାଳରୁ ଏଭଳି ନୂଆଁଖାଇ ପାଳନ ହୋଇ ଆସୁଛି । ନୂଆଁଖାଇକୁ ଧୁମଧାମରେପାଳନ କରିବା ସଂଗେ ସଂଗେ ଭାଇଚାରାର ଉଦାହରଣ ସୃଷ୍ଟି କରିଛନ୍ତି ଏହି ମୁସଲମାନ ପରିବାର ।
କୃଷିଭିତ୍ତିକ ପର୍ବ
ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । କୃଷି ଓ କୃଷକର ପର୍ବ । ଏହି ପର୍ବର ଆଗମନରେ ସମଗ୍ର ପଶ୍ଚିମ ଓଡିଶା ଉତ୍ସବ ମୁଖର ହୋଇ ଉଠେ । ଆବାଳ ବୃଦ୍ଧବନୀତା ସମସ୍ତେ ମସଗୁଲ ହୋଇଯାଆନ୍ତି ଏହି ପର୍ବ ପାଳନ କରିବା ପାଇଁ । କ୍ଷୀରି, ପିଠା ଆଦି ନାନା ପ୍ରକାରର ବ୍ୟଞ୍ଜନରେ ମହକି ଉଠେ ରୋଷେଇ ଶାଳ । ଧନୀ ଗରିବ, ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ଉତ୍ସାହର ସହିତ ପାଳନ କରିଥାନ୍ତି ।
ଅକ୍ଷୟ ତୃତୀୟା ଆସିଲେ ପଶ୍ଚିମ ଓଡିଶାର ଚାଷୀମାନେ ଆରମ୍ଭ କରିଥାନ୍ତି ମାଟି ମାଁ ବା ଧରଣୀପେନୁର ପୂଜା । ତା’ ପରେ ଆରମ୍ଭ ହୋଇଯାଏ ଚାଷ କାମ । ଏହାପରେ ଅପେକ୍ଷା ତାଏ ପ୍ରଥମ ଫସଲକୁ । ବିଲରେ ପ୍ରଥମ ଫସଲ ଦେଖି ଚାଷି ଉଲ୍ଲସିତ ହୋଇ ଉଠେ । କିନ୍ତୁ ପ୍ରଥମ ଫସଲକୁ ଭକ୍ଷଣ କରିବା ପୂର୍ବରୁ ପୁଣିଥରେ ମାଟି ମାଁ ବା ଧରଣୀପେନୁକୁ ଅର୍ପଣ କରିଥାନ୍ତି । ତେବେ ପ୍ରଥମ ଫସଲକୁ ଇଷ୍ଟ ଦେବୀଙ୍କ ପାଖରେ ଭୋଗ ଭାବରେ ଅର୍ପଣ କଲା ପରେ ନବାନ୍ନ ଭକ୍ଷଣ କରିଥାନ୍ତି । ତେଣୁ ବସ୍ତୁବାଦୀ ଦୁନିଆରେ ନୂଆଁଖାଇ ହେଉଛି ମଣିଷ ଓ ପ୍ରକୃତି ମଧ୍ୟରେ ଥିବା ସଂପର୍କର ଏକ ସେତୁ ।
ନୂଆଁଖାଇ ପର୍ବର ମୁଖ୍ୟ ଆକର୍ଷଣ ହୋଇଥାଏ ନୂଆ ବା ନବାନ୍ନ ଭୋଗ । ନବାନ୍ନର ପୂର୍ବ ଦିନରେ ଧାନ ବିଲରେ ଏକ ସ୍ୱତନ୍ତ୍ର ପୂଜା ହୋଇଥାଏ । ପୂଜା ପରେ ବିଲରୁ ଆରମ୍ଭ ହୁଏ ଧାନ ସଂଗ୍ରହ । ଧାନ ଆଣି କିଏ ଏହାକୁ ଢ଼ିଙ୍କିରେ କୁଟି ଏଥିରେ ମଣ୍ଡା ପିଠା ତିଆରି କରିବା ପାଇଁ ଚୁନା ପ୍ରସ୍ତୁତ କରିଥାଏ ତ ଆଉ କିଏ ଏଥିରେ ଖଇ ପ୍ରସ୍ତୁତ କରିଥାଏ । ଏପରିକି କିଏ କିଏ ଏଥିରେ ଚୁଡା ପ୍ରସ୍ତୁତ କରି ଇଷ୍ଟଦେବୀଙ୍କୁ ଅର୍ପଣ କରିବା ପରେ ନବାନ୍ନ ଭକ୍ଷଣ କରିଥାନ୍ତି । ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ ହେବା ପରେ ଏକ ବିଶେଷ ମୂହୁର୍ତ୍ତରେ ବିଲକୁ ନୂଆ ଧାନ ଆଣିବାକୁ ଯାଇଥାନ୍ତି ଧାଂଗଡା ଧାଂଗିଡିମାନେ । ଢ଼ୋଲ, ମାଦଳ ଓ ମହୁରୀର ତାଳେ ତାଳେ ନାଚି ନାଚି ସେମାନେ ବିଲକୁ ଯାଇଥାନ୍ତି । ବିଲରୁ ଧାନ ଆଣିବା ପରେ, ଧାନ ଟୋକେଇକୁ ରଖି ଗାଁ ଦାଣ୍ଡରେ ଆରମ୍ଭ ହୋଇଯାଇଥାଏ ଧାଂଗଡା ଦାଂଗିଡିଙ୍କ ପାରଂପରିକ ଡାଲଖାଇ, ରସରକେଲୀ ନୃତ୍ୟ । କେବଳ ସେତିକି ନୁହେଁ, ଧାଙ୍ଗଡା- ଧାଙ୍ଗିଡିମାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଚାଳିତା, ଟାହି ଟାପରା ।
ଜୁହାର ଭେଟ
ନୂଆଁଖାଇ ସାରିବା ପରେ ପରେ ଆରମ୍ଭ ହୁଏ ଜୁହାର ଭେଟ୍ । ଛୋଟମାନେ ଆଶୀର୍ବାଦ ପାଇଁ ବଡମାନଙ୍କୁ ଜୁହାର ଏବଂ ମୁଣ୍ଡିଆ ମାରନ୍ତି । ଏହି ଦିନ ଶତୃ ମଧ୍ୟ ପାଲଟିଯାଏ ମିତ୍ର । ଭୁଲିଯାଏ ସବୁ ରାଗ, ରୋଷ । ଜୁହାର ଭେଟ୍ଘାଟ୍ ପରେ ଆରମ୍ଭ ହୁଏ ସାଂସ୍କୃତିକ କାର୍ଯ୍ୟକ୍ରମ । ଗାଁମାନଙ୍କରେ ଖେଳକୁଦ ଓ ନାଚ ଗୀତର ଆସର ଜମେ । ଦୁଲଦୁଲି ଓ ସମ୍ବଲପୁରୀ ନାଚ ଗୀତରେ ପ୍ରକଂପିତ ହୋଇଉଠେ ଗାଁ ଦାଣ୍ଡ । ନୂଆଁଖାଇ ପରଦିନ ଅଧିକାଂଶ ଘରେ ଆମିଷ ଭୋଜନ ହୁଏ । ଏହି ଦିନ ବଳି ପଡନ୍ତି ହଜାର ହଜାର ନିରୀହ କୁକୁହା, ବତକ, ପାରା,ଛେଲି, ମେଣ୍ଢା ଓ ବୋଦା ।ଗଣପର୍ବ
ନୂଆଁଖାଇ କେବଳ ପଶ୍ଚିମ ଓଡିିଶାରେ ସୀମିତ ରହି ନାହିଁ । ଏହି ପର୍ବ ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଧୁମଧାମରେ ପାଳନ କରାଯାଉଛି । ଦୂରଦୂରାନ୍ତରେ ରହୁଥିବା ପଶ୍ଚିମ ଓଡିଶାର ଲୋକେ ନିଜ ସଂସ୍କୃତି ପରଂପରାକୁ ଉଜ୍ଜୀବିତ କରିବା ପାଇଁ ନୂଆଁଖାଇ ଭେଟଘାଟ୍ କରାଯାଉଛି । ଏବଂ ଭେଟଘାଟରେ ସମ୍ବଲପୁରୀ ନାଚ ଗୀତ ପରିବେଶଣ କରି ନିଜର ପରିଚିତ ଜାହିର କରୁଛନ୍ତି ।

Leave a Reply