ସ୍ରଷ୍ଟାର ସଂସାର, ଜୀବନ ସଂଘର୍ଷ ଓ ସର୍ଜନା

ଓଡ଼ିଶାଫିଚର୍ସାହିତ୍ୟ ଓ ସଂସ୍କୃତି

ସୃଷ୍ଟି ଅନବଦ୍ୟ, ଅନନ୍ୟ । ସ୍ରଷ୍ଟା, ଦ୍ୱିତୀୟ ଈଶ୍ୱର । ସର୍ଜନା କରିପାରେ ଶଦ୍ଦର ବ୍ରହ୍ମାଣ୍ଡ । ଅକ୍ଷରର ଅମୃତ । ମାଟି, ପାଣି, ପବନ, ଆକାଶ ସହ ନିଜ ସଂସାରକୁ ନେଇ ବିଭିନ୍ନ ଶୈଳୀରେ ରଚନା ରଚିବାରେ ସିଦ୍ଧହସ୍ତ । ଜୀବନ କର୍ମମୟ, ଜଂଜାଳମୟ ଓ ସଂଘର୍ଷମୟ । ସଂସାରର ମୋହ ମାୟା ଭିତରୁ ପଦାକୁ ଗୋଡ଼ କାଢ଼ିବା ମୁସ୍କିଲ । କିନ୍ତୁ ତା’ରି ଭିତରେ ଅନବଦ୍ୟ ସାହିତ୍ୟ କୃତି ସୃଷ୍ଟି କରିବା କେତେ ଯେ କଷ୍ଟକର ତାହା କେବଳ ଜଣେ ସାହିତ୍ୟାନୁରାଗୀ ଅନୁଭବୀ ହିଁ ଜାଣି ପାରିବ । ଗୋଟିଏ ପଟେ ପରିବାରର ଚିନ୍ତା, ଝଡ଼ଜଂଜା ଓ ସଂଘର୍ଷପୂର୍ଣ୍ଣ ଜୀବନ, ଅନ୍ୟପଟେ ଲେଖା ପଢ଼ା ପ୍ରତି ଦୁର୍ବଳତା । ଉଭୟ ଦିଗକୁୁ ଉତ୍ତମ ସାମଞ୍ଜସ୍ୟ ରଖି ସୃଜନଶୀଳ ସାହିତ୍ୟ ସୃଷ୍ଟି କରିବା ସ୍ରଷ୍ଟା ପାଇଁ ଖୁବ କାଠିକର ପାଠ । ଅନ୍ୟପଟେ ଲେଖା ପଢ଼ା ପାଇଁ କେହି କେହି ନିଜ ପିତାମାତା, ସ୍ୱାମୀସ୍ତ୍ରୀ ଓ ପରିବାରକୁ ପାସୋରି ଦେଉଛନ୍ତି । ତେବେ ଏସବୁକୁ ତ୍ୟାଗ ନ କରି ବି ଜଣେ ସାହିତ୍ୟ ସର୍ଜନାରେ ବ୍ରତୀ ହୋଇ ପାରିବ । ଏଥିପାଇଁ ଦରକାର ଧୈର୍ଯ୍ୟ ଦୃଢ଼ ମନୋବଳ ଓ ଆତ୍ମବିଶ୍ୱାସ । ଏମିତି ପରିବାର ଜଂଜାଳ ଭିତରେ ଥାଇ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଦିମନ୍ତ କରୁଥିବା ଆଠ ଜଣ ଲେଖିକାଙ୍କୁ ନେଇ ଏଥରର ବିଶେଷ ଫିଚର ‘ସ୍ରଷ୍ଟାର ସଂସାର, ଜୀବନ ସଂଘର୍ଷ ଓ ସର୍ଜନା’ ।


ପରିକଳ୍ପନା ଓ ଉପସ୍ଥାପନା: ବିଜୟ କୁମାର ପ୍ରଧାନ

ଶର୍ମିଷ୍ଠା ସାହୁ
ଜଣେ କବିର ବା ସ୍ରଷ୍ଟାର ଅସଲି ସଂସାର, ପ୍ରକୃତରେ କେଉଁଠି? ମୁଁ ତ କହିବି ସାରା ପୃଥିବୀ, ସାରା ଆକାଶ, ଆଉ ଦେଖି ହେଉନଥିବା ଜଗତ, ଅନ୍ୟାନ୍ୟ ଗ୍ରହ ନକ୍ଷତ୍ର ସବୁଠିକି ପରିବ୍ୟାପ୍ତ ମୋର ସଂସାର । ବହୁତ ବଡ଼ କଥା କହି ହେଇଗଲା ବୋଧହୁଏ । ପ୍ରକୃତରେ ମୋର ପରିସର ସୀମିତ, ଗତି ସୀମିତ । କିନ୍ତୁ ଭାବନାର ପରିସର, କଳ୍ପନାର ବ୍ୟାପ୍ତି ଅସୀମ । ମୁଁ ମୋର ଛୋଟ ପୃଥିବୀରେ ଥାଇ ସାରା ବିଶ୍ୱର ସୌନ୍ଦର୍ଯ୍ୟ ଦେଖିପାରେ, କଲ୍ୟାଣ କାମନା କରିପାରେ । ପ୍ରତ୍ୟକ୍ଷ ସଂଯୋଗ ନଥାଉ, ଅନ୍ତରର ସଂଯୋଗ ବହୁତ ଶକ୍ତିଶାଳୀ, ମୁଁ ଜାଣେ । ମୋର ଚାରି ପାଖରେ ଏବଂ ମୋର ଆଖିର ଆଢୁଆଳରେ ଥିବା ସ୍ଥୁଳ, ସୂକ୍ଷ୍ମ ପ୍ରତ୍ୟେକ ସତ୍ତାକୁ ମୁଁ ଅନୁଭବ କରିବାକୁ ଚାହେଁ । ମୁଁ ଭୋଗେ ମୋର ଜୀବନ ପ୍ରକୃତି ସହ ଏକାତ୍ମ ହୋଇ । ଉଚ୍ଚରେ ଉଡୁଥିବା ପକ୍ଷୀ, ମାଟିରେ ଡେଉଁଥିବା କୀଟପତଙ୍ଗ, ପବନ ଛୁଆଁରେ ହସୁଥିବା ଫୁଲ, ଗୁରୁ ଗମ୍ଭୀର ପାହାଡ, ପର୍ବତ ସବୁଠି ମୁଁ ଖୋଜିବାକୁ ଭଲପାଏ ମୋର ଅନ୍ତରାତ୍ମାର ସଂପୃକ୍ତି ।
ପୁତ୍ର, ସ୍ୱାମୀ ପିତାମାତା ଇତ୍ୟାଦିଙ୍କୁ ନେଇ ମୋର ଯେ ଆଉଗୋଟେ ସଂସାର, ଯେଉଁ ସଂସାରରେ ମୋର ଶାରିରୀକ ଅବସ୍ଥିତି ଅନିବାର୍ଯ୍ୟ, ସେଠି ମୁଁ  ପ୍ରକୃତରେ କେତେ ସମୟ ବିତାଏ, କେଉଁ ଗୁରୁତ୍ୱ ଦିଏ, ଏ ପ୍ରଶ୍ନ ମନରେ ଉଠିବାବେଳେ ମନେ ପଡିଯାଉଛି ଗୋଟେ ମହାର୍ଘ ଚିଠିର କିଛି ଅଂଶ । ଏଇ ନିକଟରେ ଆମଠୁ ଚିରବିଦାୟ ଘେନିଥିବା ପ୍ରଖ୍ୟାତ ଗାଳ୍ପିକ ଜଗଦୀଶ ମହାନ୍ତି ବହୁ ବର୍ଷ ପୂର୍ବେ ଏକ ଚିଠିରେ ଲେଖିଥିଲେ, ଜଣେ ଲେଖକ ପାଇଁ ତାର ଲେଖାର ସଂସ।।ର ହିଁ ତାର ସ୍ୱଦେଶ- ସେଇଠି ସେ ନିଜ ଇଚ୍ଛାର ମାଲିକ୍, ନିଜ ସାମ୍ରାଜ୍ୟର ଅଧୀସ୍ୱର । ବାକି ସମୟ ତକ ସେ ପ୍ରବାସରେ କଟାଉଥାଏ ବୋଲି ଧରି ନିଅ । ଜଣେ ନିଷ୍ଠାପର ସ୍ରଷ୍ଟାର ଏହା ହିଁ ସବୁଠୁ ଭଲ ସ୍ୱୀକାରୋକ୍ତି ହେଇପାରେ ତାର ସଂସାରକୁ ନେଇ ।
ଲେଖିବା ପାଇଁ ପ୍ରତ୍ୟକ୍ଷ ବିରୋଧର ସାମ୍ନା କେବେ କରି ନାହିଁ । କିନ୍ତୁ ଅପ୍ରତ୍ୟକ୍ଷ ବିରୋଧ ଅନେକ । ପ୍ରଥମତଃ ପାରିବାରିକ ଜଂଜାଳ । ପରିବାରର ଦାୟିତ୍ୱ ନିର୍ବାହ କରୁ କରୁ ଖୁବ୍ କମ୍ ସମୟ ମିଳେ ଲେଖିବା ପାଇଁ । ଭଲ ଗୃହଣୀ ଓ ସୋସିଏବୁଲ୍ ହୋଇଥିବାରୁ ମୋ ଘରେ ଅତିଥି, ମୈତ୍ରଙ୍କର ଅଭାବ ନଥାଏ । ଏଣୁ ଲେଖିବା କର୍ମଟି ବ୍ୟାହତ ହୁଏ । ଅର୍ଥାତ୍ ମୁଁ ମୋର ‘ସ୍ୱଦେଶ’କୁ ପ୍ରାୟତଃ ଫେରି ପାଏନା, ଫେରିବା ପାଇଁ ସଂଘର୍ଷ କରୁଥାଏ ବୋଲି କହିବାକୁ ହେବ ।
ସାହିତ୍ୟ ଜଗତରେ ଏବେ ବି ଲିଂଗଭେଦ ଅଛି ବୋଲି ମୁଁ ଭାବେ । ଏବେ ବି ସାହିତ୍ୟ କ୍ଷେତ୍ରରେ ନାରୀମାନଙ୍କୁ ଉପଯୁକ୍ତ ସ୍ଥାନ ଓ ସମ୍ମାନ ଯେତିକି ମିଳିବା କଥା ମିଳି ନାହିଁ । ଏବେବି ନାରୀ ଲେଖିକାଙ୍କୁ ପୁରୁଷ ଲେଖକଙ୍କ ତୁଳନାରେ ହେୟ ଦୃଷ୍ଟିରେ ଦେଖାଯାଏ, କମ୍ ଗୁରୁତ୍ୱ ଦିଆଯାଏ । ତାଙ୍କର ପ୍ରତିଭାକୁ ସହଜରେ, ବିନାଦ୍ୱିଧାରେ, ସ୍ୱାଭାବିକ ଭାବରେ ସ୍ୱୀକାର କରାଯାଏ ନାହିଁ । ଜଣେ ନାରୀ ଯଦି ସାହିତ୍ୟ କ୍ଷେତ୍ରକୁ ନୂଆକରି ଓହ୍ଲାଇଥାଏ ଏବଂ ସେ ପ୍ରେମ କବିତା ଲେଖୁଥାଏ, ତେବେ ତ ତା’ପାଇଁ ଅସୁବିଧା ସୁନିଶ୍ଚିତ । ଅନେକ ଛଦ୍ମହାତ ଲମ୍ବି ଆସନ୍ତି ତା ଆଡ଼କୁ ।
ନାରୀଟିଏ ନିଜ ସମ୍ମାନ ପାଇଁ  ଅସ୍ମିତା ପାଇଁ ସବୁବେଳେ ଲଢ଼େଇ କରୁଥିବ ଅଥବା ପଥର ଭଳି ପଡି ରହି କେହି ଜଣେ ଆସୁ ଓ  ତାକୁ ଶାପମୁକ୍ତ କରୁ ବୋଲି ଅପେକ୍ଷା କରୁଥିବ,ଏ ଉଭୟ ପରିସ୍ଥିତି କଷ୍ଟଦାୟୀ ମୋ ପାଇଁ । କେବେ ତ ଗୋଟେ ସ୍ଥିର, ସୁନ୍ଦର, ନିର୍ଭୟ, ନିର୍ମଳ ରାସ୍ତାଟେ, ପରିବେଶଟେ ମିଳୁ ତାକୁ!
ମନରେ ପୁଣି ଗୋଟିଏ ପ୍ରଶ୍ନ ଉଠେ, ଉପଭୋଗ ସର୍ବସ୍ୱ ଦୁନିଆରେ କବିତା ଭଳି ଗୋଟେ ସୂକ୍ଷ୍ମକନ୍ଦାର ସ୍ଥାନ କେଉଁଠି! ଯେଉଁ ଆବେଗରେ କବିତାଟିଏ ଲେଖାଯାଏ, ସେତିକି ଆବେଗ ଖର୍ଚ୍ଚ କରି କବିତାଟେ ପଢ଼ିବାକୁ କେତେ ଜଣଙ୍କର ଧୈର୍ଯ୍ୟ ଥାଏ! ମୁଁ ରହୁଥିବା କଲୋନୀରେ ମୋ କବିତାର ଜଣେ ବି ପାଠକ ନାହାନ୍ତି । ସାହିତ୍ୟର ଶିକ୍ଷକମାନେ ବି ଆଧୁନିକ କବିତା, କିଛି ବୁଝି ହୁଏନି କହି ଏଡ଼ାଇ ଯାଆନ୍ତି । ମୁଁ ଦ୍ୱନ୍ଦରେ ପଡ଼େ, କବିତା ପାଇଁ ପାଠକକୁ କଣ ତାର ବୋଧଶକ୍ତି ବଢ଼ାଇବାକୁ ହେବ, ଅଥବା କବିତାକୁ ଆଉ କେଉଁ ଉପାୟରେ ପାଠକ ପାଖରେ ପହଂଚାଇବାକୁ ହେବ? ଏତେ କଥା ଭାବି ବସିଲେ ମୁଣ୍ଡ ଗୋଳମାଳ ହୁଏ, ବାସ୍ ମୁଁ ଲେଖିବାକୁ ଭଲ ପାଏ, ଲେଖିବାଟା ଏମିତି ଏକ ଶକ୍ତି ଯେଉଁଥିରେ ମୁଁ ମୋର ଅସ୍ତିତ୍ୱକୁ ଖୋଜିପାଏ । ସଂସାରର, ଜୀବନର ସମସ୍ତ ବିଡ଼ମ୍ବନା ସତ୍ତେ୍ୱ ମୋ ଆଖି ଜୀବନର ସୌନ୍ଦର୍ଯ୍ୟ ପ୍ରତି ବେଶି ଉନ୍ମୁଖ ଥାଏ । ମୁଁ ବିଶ୍ୱାସ କରିବାକୁ ଭଲପାଏ, ଭଲ ପାଇବାକୁ ଭଲପାଏ, ନା ଅତୀତକୁ ଝୁରିହେବା, ନା ଭବିଷ୍ୟତରେ ଆଶଙ୍କାରେ ଆତଙ୍କିତ ହେବା, ବର୍ତ୍ତମାନ ହିଁ ମୋର ଜୀବନ ଏବଂ ବର୍ତ୍ତମାନ ସୁନ୍ଦର ଅନେକ ଅଭାବବୋଧ ସତ୍ତେ୍ୱ । ଏଇମିତି ଦିନ ଯାଇ ରାତି ହୁଏ । ପ୍ରାପ୍ତି ଅପ୍ରାପ୍ତିର ହିସାବ ନିକାଶ ବଡ଼ ଅର୍ଥହୀନ ମନେହୁଏ ଆଜିକାଲି । ମୁଁ ଜୀଇଁ ଚାଲିଥାଏ ଆରାମରେ ମୋର ଶଦ୍ଦ ଓ କଳ୍ପନା ସହିତ ।

ସଂପର୍କ
ଶର୍ମିଷ୍ଠା ସାହୁ

କେତେ ବା ତୁ ଜାଣିଛୁ
ନିଃଶଦ୍ଦ ଆତଙ୍କ ଭିତରେ ବନ୍ଦୀ
ମୋର ଗହନ ନିଦକୁ!
କେତେ ବା ମୁଁ ଜାଣିଛି
ଶଦ୍ଦ ଭିତରେ ବନ୍ଦୀ
ତୋର ଅତନ୍ଦ୍ରରାତ୍ରିଙ୍କୁ!

ସକାଳ ହେଉ ହେଉ
ଆମେ ଲଢ଼େଇ ପାଇଁ ତୟାର
ଠାର ଭାଷାରେ କିଛି କହି ଦେଇ
ହୃଦୟ ପକ୍ଷୀ ଉଡ଼ିଯାଇ ଦିଗନ୍ତପାର୍ ।

କେଉଁ ନଈର ପାଣି ଆମେ ପିଉଛୁଁ ଯେ
ରକ୍ତ ଆମର ମାନେ ନାହିଁ ବୋଲି
କେଉଁ ଗଛର ଫଳ ଖାଇ
ଅକ୍ଷତ ଦେହରେ ଆମେ ପାରିହେଉ
ନିଆଁର ଜଂଗଲ!

ମୁଁ କଣ ଅନ୍ୟ କାହାର ଡ଼େଣା
ଢ଼ାଙ୍କି ହେଇ ଉଡୁଛି କି
ଅନ୍ଧାର ଭିତରେ କେଉଁ ଆକାଶ ଅଛି
ଦେଖିବା ପାଇଁ?
ତୁ କଣ ଅନ୍ୟ କାହାର ହ୍ରଦଭଳି ଆଖି ନେଇ
ଟାଣୁଛୁ କି ମୋତେ
ତୋ ଭିତରେ ଡୁବାଇ ମାରିବା ପାଇଁ?

କିଏ ଜାଣିଛି ମୋ ଓଠରେ
ଦବି ରହିଥିବା ଭାଷା ମୋର କି ନୁହେଁ?
କିଏ ଜାଣିଛି ତୋ ଆଖିର
ଉଛୁଳା ମହୁ ତୋର କି ନୁହେଁ?

ସାରା ସଂସାର ଘୂରି ବୁଲି
ଅସଂଖ୍ୟ ଶିକୁଳି ଫିଟାଇ
ଫେରୁଛୁ ଆମେ ନିଜ ନିଜର
କୁଟୀଳ ବନ୍ଧନୀ ଭିତରକୁ ।

ପୁଣି ଚମକୁଛି ବିଜୁଳି,
ଛାତିର ଆଘାତ ଉଜ୍ଜ୍ୱଳ ଦିଶୁଛି ।
ଏକଦମ୍ ତାଜା ଭୋକ ଆମର
ଗିଳି ଯାଉଛି ମଧ୍ୟାହ୍ନ ଖରାକୁ ।

ସତରେ ଆଉ କେତୋଟି ଆଖି
ବାକି ଅଛି ଆହୂତି ପାଇଁ!
ଆଉ କେତୋଟି ଛାତି ବାକିଅଛି
ଜଳିବା ପାଇଁ!

ଆଦୌ ଯଥେଷ୍ଟ ନୁହେଁ
ସଂପର୍କ ଆମର
ଜୀବନର ମହାଯଜ୍ଞ ପାଇଁ ।

ସ୍ୱପ୍ନଲତା ମିଶ୍ର(ରଥ)

ସାଧାରଣ ଭାବରେ ଦେଖିବାକୁ ଗଲେ ସ୍ରଷ୍ଟାର ସଂସାର ଶାଶ୍ୱତ,ସଂଗଠିତ,ନିୟମିତ ଓ ବ୍ୟତିକ୍ରମ ରହିତ । କିନ୍ତୁ ବିଶ୍ଲେଷଣ କରିବାକୁ ଚାହିଁଲେ ସ୍ରଷ୍ଟାର ସଂସାର କେବେ ସକାଳର ଆଲୁଅ ପରି ନରମ ଆଉ ଉଜ୍ଜ୍ୱଳ, କେବେ ପୁଣି ମୁହଁ ସଞ୍ଜର ଅନ୍ଧାର ପରି ରହସ୍ୟମୟ । ଜ୍ଞାତ ଓ ଅଜ୍ଞାତର, ଦୃଶ୍ୟ ଆଉ ଅଦୃଶ୍ୟର ସତ୍ୟ ଓ ଅସତ୍ୟର ରହସ୍ୟମୟ ପ୍ରଦର୍ଶନୀ ପଡିଆ ଏ ସଂସାର । ଜିଜ୍ଞାସୁ ମଣିଷଟିଏ ପାଇଁ ସେଇ ରହସ୍ୟର ଆକର୍ଷଣ ଚିରକାଳ ତୀବ୍ର, ଜାଣତରେ ହେଉ ବା ଅଜାଣତରେ ବିରୋଧାଭାସର ଘେରରେ କିଛି ରହସ୍ୟ ଉନ୍ମୋଚିତ କରିବାର ଆକାଂକ୍ଷା ଓ କୌତୁହଳ ମଣିଷକୁ ସଂସାରରେ ଆଗକୁ ବଢ଼ିବାକୁ ଉସୁକାଏ, କେବେ ଜଟିଳତା ପଥରୋଧ କରେ ତ କେବେ ସରଳତା ବାଟ କଢ଼ାଏ, କେବେ କେବେ ନିଜକୁ ହଜେଇ ଦେବାର ଉନ୍ମାଦନାତ କେବେ ନିଜକୁ ପାଇବାର ମଗ୍ନତା ଭିତରେ ପଥ ହୁଡେ, ସଂସାର ମାୟାରୁ ଦୂରେଇ ଯିବାର ପ୍ରୟାସ କରେ । କିନ୍ତୁ ସଂସାରର ନିୟମ ଭିତରୁ ତାକୁ ମୁକ୍ତି ମିଳେନା ଏତେ ସହଜରେ, କେବେ ପରାସ୍ତ ହୋଇ ମାନିନେବାକୁ ବାଧ୍ୟ ହୁଏ, ଆଉ ମାନି ନିଏ ‘ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି’, କେବେ ପୁଣି ସେ ସଂସାର ସହିତ ଲଢ଼ିବ ସେ, ଶରୀର ଅବଶ ନହେଲାଯାଏଁ ଯୁଦ୍ଧ ଜାରି ରଖେ, ହାରି ନଯିବା ପାଇଁ ସ୍ରଷ୍ଟାଙ୍କୁ ବିନତୀ କରେ… ଦିଅ ମୋତେ ଶୁଭ ବୁଦ୍ଧି, ଦିଅ ଦିବ୍ୟ ଜ୍ଞାନ, ପ୍ରଭୁ ପରମଂ ଶରଣ । ସଂସାର ସ୍ରଷ୍ଟାଙ୍କର ଏକ ସୁସଂଗଠିତ ଗବେଷଣାଗାର, ପରୀକ୍ଷା ନିରୀକ୍ଷା ଚାଲୁଥାଏ ଅହରହ, ଗବେଷଣାରେ ଉପଯୋଗୀ ହୋଇ ରହିବା ପାଇଁ ପ୍ରାଣୀ ପ୍ରାର୍ଥନା କରିବା ଶ୍ରେୟ ।
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କିଛିନା କିଛି ପାଇବାର ଇଚ୍ଛା ମଣିଷକୁ ଆସନ୍ତାକାଲିର ମୋହରେ ବାନ୍ଧିଦଏ । ସଂସାରୀ ଜୀବନ ଜଂଜାଳର ସର୍ତ୍ତ ଭିତରେ ସୁଖ ଓ ଶାନ୍ତି ପାଇବାର ଇଚ୍ଛା ଆଉ ଆକାଂକ୍ଷା ମଣିଷକୁ ସ୍ୱପ୍ନ ଯୋଗାଏ, ସ୍ୱପ୍ନକୁ ସାକାର କରିବାକୁ ଯାଇ ପାଇବା ଆଉ ହଜେଇବାର ଲୁଚକାଳି ଖେଳ ଭିତରେ ତା ଜୀବନ ନୀରବରେ ଆଗକୁ ବଢୁଥାଏ । କିଛି ପାଇବାକୁ ହେଲେ କିଛି ହଜେଇବାକୁ ହୁଏ, ଜାଣିବି ମଣିଷ ବାରମ୍ବାର ପ୍ରାପ୍ତିର କାମନା କରେ, ସଫଳ ହେବା ପାଇଁ ସବୁ ପ୍ରକାରର ପ୍ରୟାସ କରେ । ଏହାହିଁ ସଂସାରର ନିୟମ, ଜୀବନ ସଂଘର୍ଷର ଭିର୍ତ୍ତିଭୂମି । କେବେ ପ୍ରାପ୍ତିର ବିନିମୟରେ ତ୍ୟାଗ ଅଧିକ ହୁଏତ, କେବେ ପ୍ରାପ୍ତିର ଆନନ୍ଦ ପାଖରେ ତ୍ୟାଗ ମୂଲ୍ୟହୀନ ହୁଏ । ତ୍ୟାଗର ବିନିମୟରେ ପ୍ରାପ୍ତି ଆଣି ଦିଏ ସୁଖ ଓ ଶାନ୍ତି, କିନ୍ତୁ ପରାଜୟ ଆଣେ ବିଷାଦ ଓ ଅବଶାଦ । ତଥାପି ହାରି ଜାଏନା ସେ, ପ୍ରାପ୍ତିର ମୋହ ତାକୁ ପ୍ରୟାସ ଜାରି ରଖିବାକୁ ବାଧ୍ୟ କରେ । ଗୋଟିଏ ସଫଳ ପ୍ରାପ୍ତିରୁ ଆଉ ଗୋଟିଏ ନୂଆ ଇଚ୍ଛାର ସର୍ଜନା ପ୍ରକ୍ରିୟା ଓ ସଂଘର୍ଷ ଜାରି ରହେ ଜୀବନର ଶେଷ ପର୍ଯ୍ୟନ୍ତ । ଜୀବନ ଇ ସଂଘର୍ଷ, ସଂଘର୍ଷ ଶୂନ୍ୟ ଜୀବନ ରୋମାଞ୍ଚ ହୀନ । ବିଫଳତା ପାଖରେ ହାରି ନଯାଇ ସଂଘର୍ଷ ଜାରି ରଖିଲେ ପାରଦର୍ଶିତା ବଢ଼ିବ ଓ ପରମ ପ୍ରାପ୍ତିର ସୌଭାଗ୍ୟ ମିଳିବ ।
ପ୍ରବାସରେ ଥାଇ ଦୀର୍ଘ ଦିନର ବ୍ୟବଧାନ ପରେ ଓଡ଼ିଶାର ସାହିତ୍ୟ ସହିତ ଜଡ଼ିତ କିଛି ମାତ୍ରାରେ ପ୍ରତ୍ୟକ୍ଷ ଯୋଗାଯୋଗ କରି ପାରିବାର ସୌଭାଗ୍ୟ  ମିଳିଥିବାରୁ ମୁଁ ନିଜକୁ ଧନେ ମନେ କରୁଛି । ଏ ଯୁଗର ବୈଷୟିକ ଓଡ଼ିଆ ସାହିତ୍ୟ ଜଗତକୁ ସଂଗଠିତ ଓ ସୁଦୃଢ଼ କରୁ ପ୍ରଭୁ ଜଗନ୍ନାଥଙ୍କୁ ଏତିକି କାମନା ।

ନିରୁଦ୍ଧିଷ୍ଟର କଥା

ମୋତିଟିଏ ପାଇବାକୁ ଚାହିଁ
ଶାମୁକା ମେଳରେ ଦିନେ
ନିଜେ ହଜିଗଲା,
ନିଜ ଠିକଣା
ଖୋଜିବାକୁ ଯାଇ
ଆଉ କା ଠିକଣାରେ
ବାସିନ୍ଦା ସାଜିଲା,
କହି ହେଉନଥିବା କି
ସହି ହେଉ ନଥିବା
ବ୍ୟଥା ସହ
ସାଲିସ୍ କରୁ କରୁ
ଅଜାଣତେ
ନିରୁଦ୍ଧିଷ୍ଟର ଜୀବନକୁ
ଆପଣେଇ ନେଲା,
ହସିବା ଶିଖିଗଲା
ନିଜକୁ ଭୁଲିଗଲା ।

ମୌସୁମୀ ଦାସ

ପ୍ରତ୍ୟେକ ସର୍ଜନ-ମନସ୍କ ବ୍ୟକ୍ତି ଜଣେ ସ୍ରଷ୍ଟା, ଦ୍ୱିତୀୟ ଈଶ୍ୱର । ପରିଚଳମାନ ସଂସାର ଭିତରେ ସେ ଗଢ଼ିଦିଏ ଭିନ୍ନ ଏକ ସଂସାର; ତାର ନିଜସ୍ୱ ପୃଥିବୀ । ଯେଉଁଠି ସ୍ୱପ୍ନମାନେ ତାରାଫୁଲ ହୋଇ ଫୁଟନ୍ତି ସୃଜନୀର ବଗିଚାରେ । ଅନୁଭବର ସାନ୍ଦ୍ରତା ଝରଣା ହୋଇ ଝରିଯାଏ । ଶଦ୍ଦର ନୂପୁର ପିନ୍ଧି ନାଚୁଥାଏ ଭାବ । ନିତ୍ୟ ନୈମିତ୍ତକ ଜାଗତିକତା ଭିତରେ ସ୍ରଷ୍ଟା ଜୀବନ ସଂଗ୍ରାମର ଆର୍ତ୍ତନାଦରୁ ଟାଣି ଆଣେ ମହାଜାଗତିକତାର ନିର୍ମଳ ଆନନ୍ଦ ଆଉ ରୂପାୟନ କରେ ଏକ ନୂଆ ସୃଷ୍ଟିର । ସୃଜନଶୀଳ ମଣିଷ ବଂଚୁଥାଏ ଏକାଦିକ୍ରମେ ଦୁଇଟି ରୂପରେ । ଇନ୍ଦ୍ରିୟର ଭୂମିରେ ଜୈବିକ ଶରୀରରେ ଥାଇ ଘର, ପରିବାର, ସମାଜର ଦାୟିତ୍ୱ ତୁଲାଏ । ତା’ ସହିତ ସୃଜନର ଦାୟରେ ଇନ୍ଦ୍ରିୟାତୀତ ମହାଜାଗତିକତାର ପୃଥିବୀରେ ମାନସିକ ସହାବସ୍ଥାନ ତା’ର ସମାନ୍ତରାଳ ଭାବରେ ଚାଲୁଥାଏ । ସଂସାରର ଗଡ୍ଡାଳିକା ଭିତରୁ ସେ ବାଛି ନିଏ ନିଜ ପାଇଁ ଭିନ୍ନ ଏକ ପଥ । ସେଇ ପଥରେ କେବେ ଫୁଲର ସଜଡା ରାସ୍ତା ଓ କେବେ କଙ୍କଭଳି ବନ୍ଧୁରତା । ତାକୁ ଚାଲିବାକୁ ହୁଏ ଉଭୟ ପଥରେ । ଫୁଲର ମହକରେ ବିଭୋର ହେଉ ହେଉ କଂଟାର, ଆଘାତରେ ବ୍ୟଥିତ ହେବାକୁ ପଡ଼େ । ସମ୍ଭାବନାର ଦିଗନ୍ତଟେ ତିଆରିବାକୁ ହୁଏ । ସେଇ ଜୀବନ ସଂଘର୍ଷ ଭିତରୁ ସାଉଁଟି ନେବାକୁ ହୁଏ ଗଳ୍ପ, କବିତା ପାଇଁ ଭାବ, ଶଦ୍ଦର ବୀଜ ଓ ସୃଜିବାକୁ ହୁଏ ନୂତନ ସୃଷ୍ଟି ।
ସ୍ରଷ୍ଟାର ସଂସାର ଭିନ୍ନ ଏକ ସଂସାର ନୁହେଁ । ଏଇ ପୃଥିବୀର, ଇଏ ସମାଜର, ଏଇ ପରିବେଶର ନିତିଦିନିଆ ଜୀବନ ହିଁ ତାର ସଂସାର । ସାଧାରଣ ମଣିଷର ହସ, ଲୁହ, ଦୁଃଖ, ଶୋକ, ସୁଖ, ବିଳାସ, ମିଳନ, ବିଚ୍ଛେଦ, ପ୍ରେମ, ସ୍ନେହ, ଈର୍ଷା, ଅସୂୟା, ତ୍ୟାଗ, ଜୀବନ ଓ ଜୀବିକାର ଅହରହ ସଂଗ୍ରାମ..ଏଇସବୁ ଅନୁଭୂତିକୁ ପାଥେୟ କରି କଳ୍ପନାର ରଂଗଭରି ଶଦ୍ଦର ସଂସାର ତିଆରି କରେ ସ୍ରଷ୍ଟା । ସାଜେ ପ୍ରେମିକ, ସାଜେ ଶ୍ରମିକ । ପ୍ରେମକୁ ନେଇ କେବେ ଫୁଟାଏ କବିତାର ପାରିଜାତ । କେବେ ଶ୍ରମିକର ପରିଶ୍ରମକୁ ନେଇ ଗଢ଼ିଦିଏ ଗଳ୍ପର ଇମାରତ୍ । କେବେ କୃଷ୍ଣଙ୍କର ମାଟି ସହ ମାଟି ହେବାର ମଗ୍ନତାରେ ତିଆରି କରେ ସାହିତ୍ୟର ଧାନକ୍ଷେତ ।
ସଂସାରର ପ୍ରତିଟି ଘଟଣା, ଅଘଟଣ ମୋ ପାଇଁ ଅନୁଭୂତି । ସେଇ ଅନୁଭବ ମୋ’ ଭିତରେ ଭାବର ସୋପାନ ତିଆରି କରେ । ଚାରିପାଶ୍ୱର୍ରେ ନିତ୍ୟ ପ୍ରତିଦିନ ଘଟିଚାଲୁଥିବା ଘଟଣା ମୋତେ ଚହଲାଉଥାଏ, ଭିନ୍ନ ଭିନ୍ନ ଭାବାବେଗ ତିଆରି କରୁଥାଏ ଏବଂ ପ୍ରେରିତ କରୁଥାଏ ଶଦ୍ଦରେ ରୂପ ଦେବାକୁ । ସୁନ୍ଦର ସକାଳରେ ପ୍ରକୃତିର ସୌନ୍ଦର୍ଯ୍ୟ ଯେତିକି ବିମୋହିତ କରେ, ସମଭାବରେ ବ୍ୟଥିତକରେ ସକାଳର ସମ୍ବାଦରେ କେଉଁଠି ନାରୀଟିଏ, ନାବାଳିକାଟି, ନିର୍ଯାତିତା ହେବାର ଖବର । କେଉଁଠି ମାନବର ମହାକାଶ ଜୟଯାତ୍ରାରେ ଉତ୍ଫୁଲ୍ଲିତ ହୁଏ ତ କେଉଁଠି ମାନବତାର ହନନରେ ମର୍ମାହତ ।
ଏମିତି ଜୀବନ ଯନ୍ତ୍ରଣାରେ, ଜୀଜୀବିଷାର ଆହ୍ୱାନରେ ବଢ଼ିଚାଲୁଥାଏ ମୁଁ, ମୋ’ ଭିତରର ଲେଖକୀୟ ସତ୍ତା । ଅଳୀକ ସଂସାରରୁ ଖୋଜୁଥାଏ ନିର୍ବାଣର ପଥ । ପାର୍ଥିବ ଶରୀରର ଆବଶ୍ୟକତା ମେଂଟାଇବା ପାଇଁ ସରକାରୀ ଚାକିରୀର ବ୍ୟସ୍ତତା ଏବଂ ତା’ ଭିତରେ ପୂର୍ତ୍ତି କରୁଥାଏ ଲେଖକୀୟ ସତ୍ତାର ଅଭିଳାଷ । ସର୍ବଦା ସର୍ବତୋଭାବେ ସୁଖୀ ହୋଇପାରେନି । ଅପୂର୍ଣ୍ଣତା ହିଁ ଅତିଷ୍ଠ କରେ ଲେଖିବାକୁ । ଅଶାନ୍ତମନକୁ ଶାନ୍ତ କରିବାକୁ ଧରେ କଲମ । ଭୁଲିଯିବାକୁ ଚେଷ୍ଟାକରେ ଦୁଃଖକୁ, ଜୀବନ ସଂଗ୍ରାମର କଷ୍ଟକୁ । ଭିଡ ଭିତରେ ବି ଥାଏ ଏକଲା । ସେଇ ଦୁଃଖ, ସେଇ ନିଃସଂଗତା ମୋତେ ଟାଣିନିଏ ସୃଜନର ପୃଥିବୀକୁ ।
ମୋର ମନେହୁଏ, ଈଶ୍ୱର ହୁଏତ ଦୁଃଖ ଓ ନିଃସଂଗତାର କଷଟି ପଥରରେ ପରଖି ମୋ’ ଅନୁଭୂତିକୁ ଶାଣିତ କରୁଛନ୍ତି । ମୋ ନିଃସଂଗତା ଓ ନୀରବତା ଭିତରେ ଲେଖନୀକୁ ଯୋଗେଇ ଦେଉଛନ୍ତି ଶଦ୍ଦର ଶକ୍ତି । ଦୈନନ୍ଦିନତାର ଦୁନିଆରୁ ବାହାରି ଯାଇ ମୁଁ ଯେବେ ବହିର ଦୁନିଆରେ ପ୍ରବେଶକରେ, ଭୁଲିଯାଏ ଜୀବନ-ଯନ୍ତ୍ରଣା । ସେଠି ଚିନ୍ମୟ ଆନନ୍ଦର ଜଗତ । ସେଇ ଦୁନିଆରେ ମୋ’ର ଆତ୍ମାର ଭୋକକୁ ମେଂଟାଇପାରେ । ଜୀବନ-ସଂଘର୍ଷର ଅନେକ ଅନୁଭବକୁ କଲମରେ ଧରିରଖେ । କିଛି ଅନୁଭବ ଓ କିଛି କଳ୍ପନାକୁ ଫେଂଟି ରଚିଚାଲେ କବିତା ଓ ଗଳ୍ପ । ସୃଜନର ପୃଥିବୀରେ ସାଧାରଣ ମଣିଷଟିଏ ମାତ୍ର ନୁହେଁ, ଅଧିକନ୍ତୁ ସାଧାରଣ ମଣିଷର ଅହରହ ଜୀବନ ସଂଗ୍ରାମକୁ, ତା’ର ଅନେକ ଜ୍ୱାଳା ଯନ୍ତ୍ରଣାର କାହାଣୀକୁ ଶଦ୍ଦରେ ରୂପଦେଉଥିବା ରୂପକାର । ଜୀବନ-ସଂଗ୍ରାମକୁ ଚ୍ୟାଲେଂଜ କରି ବଢ଼ି ଚାଲିବା ହିଁ ସଫଳତା, ଏଇ ମନ୍ତ୍ରକୁ ପାଥେୟ କରି ଚାଲୁଥାଏ ମୁଁ । ସରକାରୀ ଚାକିରୀର କର୍ମବ୍ୟସ୍ତତା ଓ ଅନ୍ୟାନ୍ୟ ପାରିବାରିକ ଜଂଜାଳରେ ଆକ୍ତାମାକ୍ତା ହେଲାବେଳେ ସାହିତ୍ୟ ଯୋଗାଏ ମୋତେ ପ୍ରଶ୍ୱାସର ପ୍ରାଣବାୟୁ ।
ବହି ମୋର ପ୍ରିୟତମ ସାଥୀ । ବହି ଭିତରେ ମୁଁ ଭୁଲିଯାଏ ମୋର ଏକ୍ଲାପଣ । ପଢ଼ିବା ଭିତରେ କେଉଁଠୁ ଆସେ ପ୍ରେରଣା, ଲେଖିବା ପାଇଁ । କେବେ କବିତା ହୋଇ ଝରିଯାଏ ମନର ଭାବ ତ କେବେ କେଉଁ ବିଗତ ସ୍ମୃତିର ଖିଅକୁ ଆଶ୍ରାକରି ଲେଖି ହୋଇଯାଏ ଗଳ୍ପ । ମୋ’ ଭିତରେ ରୋମାଂଟିକ ପ୍ରବଣତା ମୋ’ କବିତାରେ ରୂପ ନିଏ ଅନେକାଂଶରେ । ମୋର ଚାରିପାଖରେ ଅନେକ ଘଟଣା ମୋତେ ଆଲୋଡ଼ିତ କରେ । ସେଇ ଆଲୋଡନରୁ ଲେଖେ ଗଳ୍ପ । କେବେ କେଉଁ ପାଗଳ ଭିକାରୀର କ୍ରିୟାକଳାପକୁ ନେଇ ଲେଖେ, ଏକ ବାୟାର କାହାଣୀ,’ କେବେ କେଉଁ କାମବାଲୀ ସ୍ତ୍ରୀଲୋକଟିର ଭୋକିଲା ପରିବାର, ମୁଠାଏ ଭାତ ପାଇଁ ତା’ ଜୀବନ ସଂଘର୍ଷକୁ ନେଇ ଲେଖେ ଭୋକ । ରିକ୍ସାବାଲା ବୁଢ଼ାର ରିକ୍ସା ଆଜିର ଧାବମାନ ଦୁନିଆରେ ଅକାମୀ ହୋଇ ପଡିବାପରେ ବଂଚିବା ପାଇଁ ତାର ସଂଘର୍ଷକୁ ଦେଖୁ ଦେଖୁ ଲେଖି ହୋଇଯାଏ ‘ରିକ୍ସାବାଲା’ ଓ ଦାଦନ ଖଟିବାକୁ ଯାଇ ଆଉ ନ ଫେରିଥିବା ପୁଅର କଥା ଥାଏ ଦାଦନ ଗଳ୍ପରେ । କେଉଁଠି ନାରୀଟିଏ ବିବାହ ପରେ ଖୋଜୁଥାଏ ନିଜସ୍ୱ ପରିଚୟ ତ କେଉଁଠି ନିଜ ଅସ୍ମିତାକୁ ବଜାୟ ରଖିବାକୁ ଲଢୁଥାଏ । କେଉଁ ଗଳ୍ପରେ ନିରୀହ ଝିଅଟିଏ ଅଚାନକ ହୋଇଯାଏ ଲୁଣ୍ଠିତା ଓ କେଉଁ ଗଳ୍ପରେ ପ୍ରେମିକା ପରିସ୍ଥିତି ଦାୟରେ ହୁଏ ପ୍ରତାରିତା । କେଉଁଠି ସଂପର୍କର ମୂଲ୍ୟବୋଧ ରୂପପାଏ, ସମ୍ବେଦନଶୀଳ ମନର ଭଲ ପାଇବାର କଥା କୁହେ ଓ କେଉଁ ଗଳ୍ପରେ ଜୀବନର ଅଳୀକତାର କାହାଣୀ ଲେଖୁଥାଏ ମୁଁ । ମୋ’ ଗପ କବିତାରେ ମୁଁ ଚେଷ୍ଟାକରେ ସଂପର୍କର ପୁନନିର୍ମାଣ କରିବାକୁ, ମାନବିକ ସମ୍ବେଦନା ପ୍ରତି ଦରଦୀହେବାକୁ ଓ ଅସହାୟ ମଣିଷର ବ୍ୟଥାକୁ ରୂପ ଦେବାକୁ । ଏମିତି ଅନେକ ଜୀବନ, ଅନେକ ଯନ୍ତ୍ରଣା, ଅନେକ ସଂଘର୍ଷକୁ ନେଇ ମୋ’ ଜିନ ଜୀବନ ଯନ୍ତ୍ରଣାର କାହାଣୀ ଲେଖୁଥାଏ ମୁଁ । କେବେ ମୋ’ ଗଳ୍ପ କବିତା ସଂପାଦକଙ୍କ ଶୁଭ ଦୃଷ୍ଟି ପାଇ ପ୍ରକାଶିତ ହୁଏ ତ କେବେ ଉପେକ୍ଷାର ଡଷ୍ଟବିନରେ ପଡି  ରହି ପ୍ରକାଶନ ପାଇଁ ଅପେକ୍ଷା କରେ । ଏଯାବତ୍ ମୋର ଧ୍ୱନିପ୍ରତିଧ୍ୱନି, ସାଗରିକା, କାହାଣୀ, ପାହାଚ, ନବନୀତା, ଯୁଗଶ୍ରୀଯୁଗନାରୀ, ସ୍ପର୍ଶ, ଅମୃତାୟନ, ଅର୍ପିତା, ଆଇନା, ପଂଚବଟୀ, ମହୁରୀ, ନିର୍ବାଣ, ପ୍ରତିବେଶୀ, ସମାଜ, ସମ୍ବାଦ ଓ ଧରିତ୍ରୀରେ କଦବା କ୍ୱଚିତ୍ ପ୍ରକାଶିତ ହୋଇ ମୋତେ ଲେଖକର ପରିଚିତି ପ୍ରଦାନ କରିଛି । ତେଣୁ ସେଇ ସବୁ ପତ୍ରପତ୍ରିକାଙ୍କୁ ଅଶେଷ ଧନ୍ୟବାଦ୍ ।
ସୃଜନ ମୋ ପାଇଁ କେବେ ସ୍ୱପ୍ନ ନଥିଲା କି ସୃଜନକୁ ନେଇ ମଁ କେବେ ମୋର ଭିନ୍ନ ଏକ ଅଯୋଧ୍ୟା ଗଢ଼ିବି, ଭାବିନଥିଲି । ମୁଁ ଭାବେ ସୃଜନର ଏଇ ସଂସାରରେ ମୋର ଉପଲବ୍ଧ ଖୁବ୍ ସୀମିତ । କେବଳ ଭଲପାଇ ଲେଖିବାକୁ, ପଢ଼ିବାକୁ । ଭାବେ ଈଶ୍ୱର ମୋତେ ଭେଟି ଦେଇଛନ୍ତି ଏଇ ସୃଜନର ସଜଡ଼ା ଫୁଲ ବଗିଚା ଯେଉଁଠି କେବେ ଗଳ୍ପ ତ କେବେ କବିତାକୁ ନେଇ ମୁଖରିତ ହୁଏ ମୋର ସୃଜନୀର ସଂସାର । ମନର ଅକୁହା କଥା, ଅବ୍ୟକ୍ତ ବ୍ୟଥାକୁ ନେଇ ମୋର ସର୍ଜନାକୁ ନେଇ ମୁଁ ଖୁସି ଅନୁଭବ କରେ । ପଥ ଅନେକ ଲମ୍ବା, ଶେଷଯାଏଁ ଚାଲିବାକୁ ଚାହେଁ ।

ଭୋର୍ବେଳା

କାହାର ଅଦୃଶ୍ୟ ନଟେଇରେ ବନ୍ଧା
ସୂତା ଖିଅକରେ,
ଉଡୁଛି ଆକାଶରେ ରଂଗୀନ ଗୁଡ଼ି ଭଳି,
ପବନର ଫୁଲେଇପଣରେ ଝୁଲି,
ନୀଳ-ନିର୍ଜନତାର ମଗ୍ନତାରେ ।
କାହା ହସରେ ଆଙ୍କିଛି ବଗିଚାରେ
ଚିତ୍ରିତ ଭୋର୍ବେଳା,
ଘରଚଟିଆ ଡେଣାରେ ଘର ତୋଳିବାର ନିଶା,
ଗଂଗଶିଉଳିର ଗୋଲାପୀ ଡେଂଫରେ
ସ୍ୱପ୍ନର ରୂପେଲି ଚମକ ।
କାହାର ଏ ପାଦ ଚିହ୍ନରେ
ସଜେଇଛି ଅଗଣା, ପାହାଚ,
ତୁଳସୀ ଚଉଁରା,
ଉଡ଼ିବାର ଉତାଳପଣକୁ ପଣତରେ ଗଣ୍ଠିକରି,
ଆଙ୍କୁଛି ସୂର୍ଯ୍ୟୋଦୟର ଚିତ୍ର ।

ପ୍ରଜ୍ଞାଶ୍ରୀ ରଥ

କୁହାଯାଏ, ଈଶ୍ୱର, ନାରୀ ଓ କବି ଏ ତିନିଜଣ ହେଲେ ସ୍ରଷ୍ଟା । ଈଶ୍ୱର ନିଜ ସୃଷ୍ଟି ସଂପର୍କରେ କିପରି ଚିନ୍ତାକରୁଥିବେ ତାହା ମୋତେ ଅଜ୍ଞାତ । ନାରୀ, ଜନନୀ ଭାବରେ ସ୍ରଷ୍ଟା । ତା’ର ସହିବାଗୁଣ ଅନନ୍ୟ । ଯିଏ ସ୍ରଷ୍ଟା ସେ ଅଧିକ ସହନଶୀଳ । ଉଦାରତା, କ୍ଷମା ଓ ନିରପେକ୍ଷ ବିଚାର ମଧ୍ୟ ସ୍ରଷ୍ଟାର ଗୁଣ । କବି ହେବା ଓ କବି ଭାବରେ ବଂଚିବା ମୋ ବିଚାରରେ ଟିକେ ଅଲଗା କଥା । ଯିଏ କବି ସେ କ’ଣ ସବୁବେଳେ ‘କବି’ ହୋଇ ବଂଚିପାରେ କି? ସେ ବୃତ୍ତିର ଦାସ ହୋଇପାରେ, ସେ ଧନାଢ଼୍ୟ ବା ରାଜନେତା ହୋଇପାରେ, ହୋଇପାରେ କେଉଁ ଅନାମଧେୟ ଅଂଚଳର ଶିକ୍ଷକ ଅଥବା ନିରୁତା ଗୃହିଣୀ… ‘କବି’ ଭାବରେ ବଂଚିବା ପାଇଁ ପରିଚୟ ‘ଦୀନତା’ ବା ‘ନିଃସ୍ୱତା’ । ଜଣେ ନିଃସ୍ୱ ନହେଲେ କବି ଭାବରେ ବଂଚିପାରିବ ନାହିଁ । ନିରନ୍ତର କେଉଁ ଭାବର ଅଭାବରେ ତା ସ୍ରଷ୍ଟାପଣ ଅପ୍ରୂ୍ଣ୍ଣ ରହୁଥିବ । ନିରନ୍ତର ସେ ଝରସରପଣ ଭିତରେ ଆକୁଳ ଅଥୟ ହେଉଥିବ, ନିଜର ବେଦନାକୁ ହସିହସି ସହୁଥିବ ନିଜ ଭିତରେ, ସୃଷ୍ଟିର ପୁଲକ ଅପେକ୍ଷା ସ୍ରଷ୍ଟାପଣର ନିଃସ୍ୱତା ତାକୁ ନିରନ୍ତର ଚିଆଁଇ ରଖୁଥିବ ଆଉ ଧାଡ଼ିଏ ଲେଖିବା ପାଇଁ । ସବୁ ଥାଇ ବି ନଥିବା ସ୍ଥିତିରେ ପହଂଚିଲେ ଜଣେ କବି ଭାବରେ ବଂଚିପାରେ । ମୁଁ ଏବେ ନିଜକୁ ପ୍ରଶ୍ନ କରୁଛି ଯେ ଏ ଯୋଗ୍ୟତା ମୋର ଅଛି ତ? କେଉଁ ଅଧିକାରରେ କହିବି ମୁଁ ସ୍ରଷ୍ଟା? ନିଜଠାରୁ ଦୂରେଇ ଯାଇ ପରିପୂର୍ଣ୍ଣ ହେବାର ଅଭିପ୍ସା ମତେ କବିତା ଆଡକୁ ଟାଣି ନେଇଛି… ଜାଣି ନାହିଁ କେତେ କହିଛି, କଣ କହିଛି ଓ କାହାକୁ ବା କାହାପାଇଁ କହିଛି… ଏତିକି ଜାଣିଛି, ମତେ ଆହୁରି କଣ କଣ ସବୁ କହିବାର ଅଛି…ମୋ ପାଖରେ ଜମା କିଛି ନାହିଁ କହିବାକୁ ଯେ ମୁଁ ସ୍ରଷ୍ଟା…ଭୀମଭୋଇ କେତେ ସହଜରେ କହିଗଲେ… ହାସ୍ୟ, ଭର୍ତ୍ସନା, ଗାଳି, ଗର୍ବ, ଠସାକୁ/ଗଳାରେ ପିନ୍ଧିଛି ମାଳ/ଟାକି ଟାକି ମୁହିଁ/ଆଗତକୁ ଚାହିଁ/ବହିଯାଉଅଛି କାଳ’… ।
ମୋ ସଂସାର, ଅର୍ଥାତ ଯେଉଁ ସଂସାରକୁ ମୋ ଅନ୍ତଃ-କ୍ଷେତ୍ର ତିଆରି କରିଛି, ସେଠି ମୁଁ ସଂପୂର୍ଣ୍ଣ ଏକାକୀ, ନିଜର ଖିଆଲ, ସ୍ୱପ୍ନ ଓ କଳ୍ପନାର ଏକମାତ୍ର ସ୍ରଷ୍ଟା ଓ ଉତ୍ତରାଧିକାରୀ । ମୋ ସୂର୍ଯ୍ୟ ଥଣ୍ଡା ହୋଇପାରନ୍ତି, ଜହ୍ନ ଜଳିପାରେ….,ହିମାଳୟ ଏକ ସମୁଦ୍ର ହୋଇପାରେ ଏବଂ ଆରାବଳୀ ପର୍ବତ ଉପରେ ପଦ୍ମ ଫୁଟିପାରେ… ତେବେ ଭାବନାର ସ୍ୱାଧୀନତା ସହ କହିବାର ଦାୟିତ୍ୱଶୀଳତାକୁ ବି ମୁଁ ଗ୍ରହଣ କରିଛି । ମୋ କଥା ବା କବିତା କେବେ କାହାର ଅନିଷ୍ଟ କରୁ, ଏକଥା ମୁଁ ଚାହେଁନା… ।
ଜୀବନସଂଘର୍ଷର କଥା ଆରମ୍ଭରୁ କହିଛି । ବଂଚିବା ଏକ ସଂଘର୍ଷ । ଯିଏ ଯୋଗ୍ୟତମ, ସେହିଁ ବଂଚେ ‘ସରଭାଇଭାଲ୍ ଅଫ୍ ଦି ଫିଟେଷ୍ଟ’ । ସୃଜନକ୍ଷେତ୍ରରେ ଏତିକି କହିବା ପାଇଁ ଗୋଟିଏ ଆୟୁଷ୍କାଳ ବି ଯଥେଷ୍ଟ ନୁହେଁ, ମୋ ପାଇଁ ସୁନ୍ଦର ସମୟଟିଏ ତିଆରି କରିବା ମୋ ଆୟତ୍ତରେ ନଥାଏ । ପ୍ରତି ମୁହୂର୍ତ୍ତରେ ମୋ ଭିତରେ କିଏ ନା କିଏ ମରୁଥାଏ… ନିଜର ସତ୍ତାକୁ ସାଲିସ୍ ବିହୀନ କରିବା ପାଇଁ ସଂଘର୍ଷ କରୁଥାଏ । ମାଡ଼ି ଆସୁଥିବା ବିଶାଳ ସମୁଦ୍ରଲହରୀ ପରି ମୋ ସମୟର ସର୍ବଗ୍ରାସୀ ନିଃସଂଗତା ମତେ ଆବୋରି ବସୁଥାଏ । ମୁଁ ଭୌଗୋଳିକ ସୀମା ଭିତରେ ରହିପାରେ ନାହିଁ । କାଳର ଆୟତ୍ତରେ ରହିପାରେ ନାହିଁ, ହୁଏତ ମୁଁ ମରିଯିବା ପରେ ବି ମୋ ଜୀବନ-ସଂଘର୍ଷ ଜାରି ରହିଥିବ ସୃଜନକ୍ଷେତ୍ରରେ…କବିତାର କାଦୁଅ ମାଖି ମୁଁ ନିରନ୍ତର ଚାଲୁଥିବି କୋଉ ଗାଁ-ଗହିରୀର ଅଣଓସାରିଆ ରାସ୍ତାରେ । ପାଦତଳେ କୁଢ଼େଇଥିବି ପାଣିଖିଆ ତଳିପାର ଅନନ୍ତ ସାମର୍ଥ୍ୟ…
ଜାଣି ନାହିଁ ଆଜିଯାଏ କେମିତି ହୁଏ ସର୍ଜନା? କାହିଁକି ଓ କେମିତି ଆସେ ଗୋଟେ ଉଚ୍ଚକିତ ମୁହୂର୍ତ୍ତ… ମୋ ଭିତରେ ଅଥୟ ହୁଏ ଅନେକ ଭାବ… କାତ ଧରି କିଏ ମେଲାଇ ଦିଏ ସମୁଦ୍ର ସେପାରି ଯିବା ପାଇଁ ଗୋଟିଏ ଭଂଗା ବୋଇତ । ମୁଁ ତାକୁ ବାହିପାରେ ନାହିଁ କି ଛାଡିପାରେ ନାହିଁ…ପିଲାଦିନେ ଗଢ଼ିଥିବା କାଗଜଡଙ୍ଗା ସବୁ ଗୋଟିକ ପରେ ଗୋଟିଏ ହଜିଗଲେ… ବାଇଚଢ଼େଇବସାସବୁ କିଏ ଭାଂଗି ନେଇଗଲା… ବାଲିଘର ଉଜୁଡିଗଲା… ଝଡ଼ିବର୍ଷା ବେଳେ ମନେପଡିଲା, ଅଗଣା ଉପରୁ ଲିଭିଯାଇଥିବ ଚଟାଖେଳର ଖଡ଼ିଗାର…ଶୁଖିପାରି ନଥିବା ମୋ ବୁଢ଼ୀମାର ଓଦାଲୁଗା…କାଗଜରେ ମୋର ପଡ଼ିନି ଗୋଟେ ଡେଣାଛିଣ୍ଡା ପକ୍ଷୀ ପଶିଆସିଚି ସ୍ମୃତିର ବଖରାକୁ… ମୁଁ ତିଆରି କରୁ ଅଂଭଗା ନୀଡ, ସେଇ ପକ୍ଷୀଟି ପାଇଁ ମୁଁ ଡହଳବିକଳ । ହାତ ଯୋଡ଼ିଛି ଅଜାଣତରେ ‘ରେ ପକ୍ଷୀ । ତତେ ହିଁ ତୁହି ରକ୍ଷାକର’ ଘୁଂଚିଯାଇଛି ଆକାଶ ଆଉ ମୁଁ ‘ପକ୍ଷୀଜନ୍ମ’ର ପୃଷ୍ଠାରେ ଢ଼ଳିଯାଇଚି ଝରିପାରି ନଥିବା ଲୁହଟୋପେ ହୋଇ… । କିଛି ଗୋଟେଇ ପାରିଲିନି । ନା ଖୁଦକଣା…ନା ମୋତିବିନ୍ଦୁ । କୁହୁଡି କାକର ଲାଗି ଗୋଟେ ଓଦାଓଦା ସକାଳ ଯାହା ଦିଶିଗଲା । ମୁଁ ଆଖି ମଳିମଳି ଦେଖିଲି ଓ ନିଜକୁ ନିଜେ ପଚାରିଲି । କୋଉଠି ଲୁଚିଗଲା ଶଦ୍ଦ? ଖୋଜିବାକୁ ବାହାରିଲି । ନିଜର ଭୟ, କୁଣ୍ଠା ଓ ଅବିଶ୍ୱାସକୁ ଏଡ଼ାଇବାକୁ ପିନ୍ଧିଲି, ‘ପାରଦର ପାଦ’ । ଆକାର ନାହିଁ କି ଚିହ୍ନ ନାହିଁ । ଖାଲି ଦୁର୍ବାର ଗତିରେ ଆଗେଇ ଯିବାର ଦୀକ୍ଷଣ ଅଭିଳାଷ ।

ମୁଁ ନଥିଲାବେଳେ

ଯୋଉଠି ମୁଁ ରହେ
ସେଠିକି କେହି ଯାଆନ୍ତି ନାହି…

କାଚ, କଂଟା, ଅରମା, ଖପରା
ସବୁକୁ ଆଡେଇ ଜାଣିଚି ବୋଲି ସିନା
ଆସିପାରିଚି ଏଠିକି…
ପୂରା କଠିନ ଅବସ୍ଥାରୁ
ତରଳି ତରଳି ବାଷ୍ପ ହୋଇ
ପୁଣି ଘନୀଭୂତ ହେଲାପରେ ସିନା
ପାଇଚି ଏ ଜାଗା…
ଏତିକି ନିରୋଳାପଣ ବାଂଟିହୁଏ ନାଇଁ
କାହା ପାଖରେ ଢ଼ଳିପାରେନି ମନ…
ମୁଁ ସେଇ ଇଚ୍ଛାମାନଙ୍କୁ
ପ୍ରାଣ ଭରି ଜୀଉଁଥାଏ ଏକୁଟିଆ
ଖଣ୍ଡେ ଇଟାରେ ତିଆରିକରେ ନିବୁଜ ଘର
ଖଣ୍ଡେ କାଗଜରେ ଉତାରିନିଏ
ଭୋଗର ତାଲିକା, ତ୍ୟାଗର ହିସାବ…
କାହାକୁ ଜଣେଇ ହେବନି ଯେ
ମୁଁ ବେଳେବେଳେ ନଥାଏ ନିଜ ପାଖରେ…
ସେମାନେ ମତେ ଖୋଜି ଖୋଜି ଫେରନ୍ତି…
ଯିଏ ଥାଏ ଠିକ ମୋରି ପରି ଦିଶେ
କିନ୍ତୁ ମୁଁ ତ ଜମା ନଥାଏ ସେଠି…
ପ୍ରତିମୂର୍ତ୍ତି ନୁହେଁ କି ପ୍ରତିବିମ୍ବ
ସେ ମୋ ପରି ଅନ୍ୟକେହି
ଅଲଗା ଧାତୁର
ଅଲଗା ଛାଂଚର
ମୁଁ ବଂଚୁଥାଏ ଇଚ୍ଛାରେ, ଖିଆଲରେ, ସ୍ୱପ୍ନରେ
କୁନିକୁନି ସ୍ୱପ୍ନଙ୍କର ଝାଲେରି ଭିତରେ
ନଥିବାନଥିବା ପରି ଭାବନା ଭିତରେ
ରୋଳଉଠାଇ ବୁଲୁଥିବା ଯାଯାବର ନିଜପଣରେ…

ମୁଁ ବଂଚୁଥାଏ ଓଦାମାଟିରୁ ଉଠୁଥିବା
ଅଳ୍ପ ଅଳ୍ପ ନିବିଡ଼ ବାସ୍ନାରେ
କଅଁଳି ଆସୁଥିବା ନୂଆ ପତ୍ରରେ
ପାଣି ଉପରେ ଛାପି ହେଇଯାଇଥିବା
ଗୋଟେ ପାଦଚିହ୍ନର…

ଛନ୍ଦା ମିଶ୍ର

ବିଜୟ ବାବୁ ଖୁବ୍ ଗୋଟେ ଅଖାଡୁଆ ପରିସ୍ଥିତିରେ ମତେ ପକାଇ ଦେଇଛନ୍ତି । ହାତଗଣତି କିଛି ଗଳ୍ପ, କବିତା ଓ ପ୍ରବନ୍ଧକୁ ନେଇ ମୁଁ ଯେ ନିଜକୁ ସ୍ରଷ୍ଟାଟିଏ ମଣିବି, ଏ ଦୁଃସାହସ ମୋର ନାହିଁ । ସୃଷ୍ଟି କଣ? ସ୍ରଷ୍ଟା କିଏ? ଏ ସବୁର ଗଭୀରତା ମଧ୍ୟକୁ ଏ ନିର୍ବୋଧର ମସ୍ତିଷ୍କ ପଶି ପାରି ନାହିଁ । ନୂତନ କିଛି ସୃଷ୍ଟି କରି ପାରିବ, ତା’ ଏ ଅଜ୍ଞାନର ସକ୍ଷମତାର ବାହାରେ । କେବଳ ଚତୁଃପାଶ୍ୱର୍ରେ ଘଟୁଥିବା କିଛି ଘଟଣାବଳୀକୁ କେତୋଟି ଶଦ୍ଦ ମଧ୍ୟରେ ବାନ୍ଧି ପକାଇବାର ପ୍ରଚେଷ୍ଟା ମାତ୍ର କରିଛି । ତେବେ କେତେଦୂର ସଫଳ ହୋଇଛି ତା’ ତ ସମୟ ହିଁ କହି ପାରିବ ।
ସଂସାର କହିଲେ, ପ୍ରଥମେ ମୋ ତେଲ ଲୁଣ ସଂସାରର ଚରିତ୍ର ମାନେହିଁ ମୋ ଆଖି ଆଗରେ ଚଳପ୍ରଚଳ କରିବାକୁ ଆରମ୍ଭ କରି ଦିଅନ୍ତି । ତେବେ କେବଳ ମୋ ପରିବାରଟିରେ ସୀମିତ ନୁହେଁ ମୋ ସଂସାର । ମୋ ସାଂଗସାଥୀ, ବନ୍ଧୁ ପରିଜନ ତଥା ମୋ ଚାରିପଟେ ମତେ ଘେରି ରହିଥିବା ପ୍ରତ୍ୟେକ ପ୍ରାଣୀକୁ ନେଇ ମୋ ସଂସାର । ସେମାନଙ୍କ ବେଶଭୂଷା, କଥାବାର୍ତ୍ତା, ଆଚାର ବ୍ୟବହାର ମୋ ଅଜାଣତରେ ମୋ ମନରେ ଯେଉଁ ରେଖାପାତ କରେ ସେଥିରୁ ସୃଷ୍ଟି ହୁଏ ଅର୍ନ୍ତଦ୍ୱନ୍ଦ । ମନକୁ ମନ ପଚାରି ହୁଏ ଏପରି ନହୋଇଥିଲେ କଣ ଚଳିନଥାନ୍ତା । ସେପରି ନହୋଇ ଆଉ କଣ ହୋଇ ପାରିଥାନ୍ତା?
ପୁଣି କୌଣସି କଥା ମନକୁ କଷ୍ଟ ଦେଉଥିଲାବେଳେ, ବଗିଚାରେ ଘେରାଏ ବୁଲି ଗଛମାନଙ୍କୁ ଛୁଇଁ ମନକୁ ମନ ସେମାନଙ୍କ ସହିତ କଥା ହୋଇଗଲେ ମନ ହାଲକା ହୋଇଯାଏ । ଲାଗେ, ଏଇ କଥା କହି ନପାରୁଥିବା ବୃକ୍ଷଲତାମାନେ ଯଦି କଥା କୁହନ୍ତେ ତେବେ ବୋଧହୁଏ ମତେ ଆଶ୍ୱାସନାର ବାଣୀ ହିଁ ଶୁଣାନ୍ତେ । ସେମାନଙ୍କ ସହିତ ବେଶ ଅନ୍ତରଂଗ ଲାଗେ । ଫୁଲଟିଏ ଦେଖିଲେ, ପ୍ରଜାପତିଟିଏ ଦେଖିଲେ, ଗୁଣ୍ଡିଚିମୁଷାଟିଏ ଦେଖିଲେ ମନ ଆନନ୍ଦରେ ପୁରି ଉଠେ । ସ୍ରଷ୍ଟାଙ୍କ ପାଖରେ କୃତଜ୍ଞତା ଜଣାଏ । ମନର ପରଦା ପଛରୁ ଭାବନାଟିଏ ଉଙ୍କିିମାରେ । ସେତେବେଳେ ଯଦି ସଂଗେ ସଂଗେ ତାକୁ ଧରି ନନେଉଛି ସେ କୁଆଡ଼େ ଉଭେଇ ଯାଏ । ଯେତେ ଚେଷ୍ଟା କଲେ ବି ଧରାଛୁଆଁ ଦିଏନି । ତା’ ପଛରେ ଦୌଡ଼ି ଦୌଡ଼ି କେବଳ ଖଣ୍ଡିଆ ଖାବରା ହେବା ହୁଏ ସାର । ସେତେବେଳେ ନିଜକୁ ଭାରି ଅସହାୟ ଲାଗେ । ଅନ୍ତର ଭିତରର ଆକୁହା ବେଦନାଟିଏ କହି ନପାରିବାର ଅଶ୍ୱସ୍ତିରେ ଛଟପଟ ହୋଇପଡେ ମୁଁ । ଆଉ ଯଦି ହାତପାହାନ୍ତାରେ ଭାବନାଟି ଧରାପଡିଯାଏ, ତେବେ ଧିରେ ଧିରେ ନିଜ ଡାଳପତ୍ର ମେଲେଇ ନିଜକୁ ମଜବୁତ କରି ଲଟେଇ ଚାଲେ । ସେହି କଳ୍ପନାଟିକୁ ଶଦ୍ଦରୂପ ଦେବା ପାଇଁ ମୋ ମନ ହୋଇଉଠେ ଅସ୍ଥିର ।
ସ୍କୁଲରେ ପଢ଼ିଲା ବେଳୁ ଛୋଟ ଛୋଟ କବିତା ଲେଖିବାକୁ ଆରମ୍ଭ କରିଥିଲି । କିନ୍ତୁ ଲାଜ ଖାଇ ଯାଉଥିଲା । କେହି ଦେଖିଲେ କାଳେ କଣ କହିବ । ହସିଦେବ ଯଦି! ଏସବୁ ଆଶଙ୍କା ମନ ଭିତରେ ଉଙ୍କି ମାରୁଥିଲା । ପ୍ରଥମ ଗଳ୍ପ ପ୍ରକାଶିତ ହେଲା ୨୦୦୨ ଦୈନିକ ସମ୍ବାଦପତ୍ର ସମୟର ସାପ୍ତାହିକିରେ ଲେଖାଲେଖି ସେଇଠି ବନ୍ଦ ହୋଇଗଲା । କେବେ କେମିତି କବିତାଟିଏ ପିଲାଙ୍କ ଖାତା ପଛରେ ଲେଖି ଦେଇଥାଏ, ୟାଙ୍କୁ ଶୁଣାଏ, ଖୁସି ହୁଅନ୍ତି; ‘ଏସବୁକୁ ଏକ ଡାଏରୀରେ ଟିପି ରଖ’ ବୋଲି କହନ୍ତି । ମାତ୍ର ନିଜ ହେଳା ପାଇଁ ଅନେକ କବିତା ହଜିଯାଇଛି । ତେବେ ୨୦୦୯ ମସିହାରୁୁ ବିଧିବଦ୍ଧ ଭାବେ ଲେଖିବା ଆରମ୍ଭ କଲି ଭୁବନେଶ୍ୱର ଆସିଲା ପରେ । ପିଲାମାନଙ୍କର ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ପାଇଁ ଲେଖି ଦେଇଥାଏ । ପିଲାମାନେ ପୁରସ୍କାର ପାଇଲେ ଲାଗେ, ଯେପରି ପୁରସ୍କାରଟି ମତେ ମିଳିଛି ।
ଦିନେ ପ୍ରବନ୍ଧଟିଏ ଲେଖି ପଠାଇ ଦେଲି ଦୈନିକ ଧରିତ୍ରୀର ଠିକଣାରେ । କାଳେ ନବାହାରିବ ଏହି ଆଶଙ୍କାରେ କାହାକୁ ଜଣାଇ ନଥିଲି । ହେଲେ କିଛିଦିନ ପରେ ଧରିତ୍ରୀରେ ବାହାରିଛି ଦେଖି ନିଜ ଆଖିକୁ ବିଶ୍ୱାସ କରିପାରିଲି ନାହିଁ । ଏହା ମତେ ବେଶ ପ୍ରେରଣା ଯୋଗାଇଲା । ବର୍ତ୍ତମାନ ଦୈନିକ ଧରିତ୍ରୀ, ସମ୍ବାଦ, ସମ୍ବାଦକଳିକା ଏବଂ କେତେକ ପତ୍ରପତ୍ରିକାରେ ଲେଖାଗୁଡିଏ ବାହାରିଲାଣି । ଲେଖାତଳେ କେବଳ ଠିକଣାଟି ଲେଖିଦିଏ, କେବେ ଫୋନ ନମ୍ବର ଦିଏ ନାହିଁ । ଭାବେ ଜଂଜାଳ କୋଉଁ କମ୍ ଅଛି ଯେ, ଆହୁରି ଫୋନ୍ ନମ୍ବର ଦେଇ କୀଳାଟିଏ ଡାକି ଆଣିବି । ଥରେ ଧରିତ୍ରୀରେ ପ୍ରକାଶିତ ପ୍ରବନ୍ଧ ତଳେ ପୋନ୍ ନଂ ଟି ବାହାରିଥିଲା । ଆଶ୍ଚର୍ଯ୍ୟ ହୋଇଥିଲି ୩୩ଟି କଲ ପାଇ । ଅନେକ ଅଭିଯୋଗ କରିଥିଲେ । ଆଗରୁ ନ କାହିଁକି ଦେଉନଥିଲି ବୋଲି । ମାତ୍ର ତାପରେ ଆଉ ନଂ ଦେଉନି, କିନ୍ତୁ ଅନେକ ସେ ନଂକୁ ସେଭ୍ କରି ଏବେବି ମେସେଜ୍ଟିଏ କିମ୍ବା କଲଟିଏ କରି ଲେଖା ବିଷୟରେ ନିଜର ମତାମତ ଦେଇଥାନ୍ତି । ଏହାଛଡା ଅନେକ ଚିଠି ମଧ୍ୟ ମିଳେ । ଏସବୁର ଖୁସି ଅବର୍ଣ୍ଣନୀୟ । ପରିବାର ଓ ବନ୍ଧୁବର୍ଗ ଅଯାଚିତ ଭାବେ ନିଜର ଗଠନମୂଳକ ମତାମତ ଦେଇ ମୋତେ ଋଣି କରିଛନ୍ତି । ମା ସରସ୍ୱତୀଙ୍କ ଆଶିର୍ବାଦ ବିନା ଏସବୁ ଅସମ୍ଭବ ମନେହୁଏ ।
ପ୍ରତ୍ୟେକ କାର୍ଯ୍ୟର ସଫଳତା ଓ ବିଫଳତା ଉଭୟ ପାଇଁ ଦାୟୀ କରିଥାଏ ଈଶ୍ୱରଙ୍କୁ । ତାଙ୍କ ଉପରେ ଦୋଷ ଲଦିଦେଇ ନିଜକୁ ହାଲକା କରିନିଏ । ତେବେ ଯତ୍ କିଂଚିତ ପାଠକୀୟ ଶ୍ରଦ୍ଧା ପାଇଛି, ତା କେବଳ ଆଉ କେବଳ ଈଶ୍ୱରଙ୍କ ଆଶିର୍ବାଦ ପାଇ । ମୁଁ ନିମିତ୍ତ ମାତ୍ର ।
କେବଳ ତମ ପାଇଁ
ମୁଁ ପାଣି ପିଇଲା ବେଳକୁ ଝିଅଟି ମତେ ବୋତଲ ମାଗିଲା । ବୋତଲଟି ବଢ଼ଉ ବଢ଼ଉ, ଅଜଣା ଝିଅଟିଏ ଏତେ ସହଜରେ ମତେ ମାଗି ପାରିଲା ଦେଖି ଆଶ୍ଚର୍ଯ୍ୟ ହେଲି । ବୋତଲରେ ଅଳ୍ପ ପାଣିଥିଲା । କଟକରୁ ସମ୍ବଲପୁର ରାତିବେଳ । ରାତିରେ ପାଣି ତ ନିଶ୍ଚୟ ଦରକାର ହେବ । ତେବେ ଅନୁଗୁଳରେ ମିଳିଯିବ ଭାବି ଆଶ୍ୱସ୍ତ ହେଲି । ଲମ୍ବାରାସ୍ତା କାଟିବା ସହଜ ନଥିଲା । ତେଣୁ ବ୍ୟାଗ ଭିତରୁ ବହିଟିଏ ବାହାର କଲି । ହେଲେ ବସର ସ୍ୱଳ୍ପ ଆଲୋକରେ ବହି ପଢ଼ିବା ସମ୍ଭବ ହେଲା ନାହିଁ । ଅଗତ୍ୟା ବହିଟିକୁ ବ୍ୟାଗରେ ରଖିଦେଇ ଚୁପ୍ ହୋଇ ବସି ରହିଲି । କାଳେ କେହି ଚିହ୍ନା ଜଣେ ମିଳିଯିବେ ଭାବି ବସ୍ ସାରା ଆଖି ପକାଇଲା ବେଳକୁ ଲକ୍ଷ୍ୟ କଲି ପାଖ ସିଟ୍ରେ ବସିଥିବା ଝିଅଟି ବାରମ୍ବାର ମତେ ଚାହୁଁଛି । ତା’ଅଜାଣତରେ ମୁଁ ବି କଣେଇ କଣେଇ କରି ତାକୁ ଦୁଇ ଚାରିଥର ଦେଖି ସାରିଥିଲି । ବେଶ ସାଧାରଣ ଚେହେରାର ସେ ଝିଅଟିର ମୁହଁରେ ଅପୁର୍ବ ଏକ ଲାବଣ୍ୟ ଭରି ରହିଥିଲା । ହଠାତ୍ ତା ଆଖି ସହ ମୋ ଆଖି ମିଶି ଯିବାରୁ, ମୁଁ ଆଖି ଚୋରାଇ ନେଲା ବେଳକୁ ସେ ମତେ କହିଲା- ଆପଣ ବିବେକ୍ ସାମନ୍ତରାୟ ନା?
– ହେଲେ… ଆପଣ ମୋ ନାଁ କେମିତି ଜାଣିଲେ?
– ଆରେ ଆପଣଙ୍କୁ କିଏ ନଜାଣେ? ମୁଁ ଆପଣଙ୍କର ଜଣେ ବହୁତ ବଡ ଫ୍ୟାନ ଏଇ ଦେଖନ୍ତୁ…
  କହି ମୋ ବହି ‘କେବଳ ତମ ପାଇଁ’ ତା ବ୍ୟାଗରୁ କାଢ଼ି ଦେଖେଇଲା । ବହିର ପଛପଟେ ମୋର ସଂକ୍ଷିପ୍ତ ପରିଚୟ ମୋ ଫଟୋ ସହିତ ଥିଲା ।
  ମୁଁ କହିଲି ଆପଣ ପଢ଼ି ସାରିଲେଣି
– ଏଇଟା ତିନି ନମ୍ବର ଥର । ଯେତେଥର ପଢୁଛି ସେତେ ଭଲ ଲାଗୁଛି । ମୋର ଗୁଟେ ରିକୁଏଷ୍ଟ ରଖିବେ ।
– କଣ କହୁ ନାହାନ୍ତି!
– ଏଇ ବହିଟି ଉପରେ ଆପଣଙ୍କ ଅଟୋଗ୍ରାଫ୍ ଟିଏ ଦିଅନ୍ତୁ( ପିଲାଙ୍କ ପରି ଅଳି କଲା ଭଳି କହିଲା)
– ନିଶ୍ଚୟ( ପେନ୍ କାଢ଼ି ଝିଅଟିର ନାଁ ପଚାରିଲି)
– ସୁଲଗ୍ନା ।
– ଆରେ ଏଇ ବହିର ହିରୋଇନ୍ ତ ‘ସୁଲଗ୍ନା’ କହି ସୁଲଗ୍ନାଙ୍କୁ ଶୁଭେଚ୍ଛା ସହ ଲେଖି ମୋ ଅଟୋଗ୍ରାଫ୍ଟି ଦେଲି । ସେ ଖୁସିରେ ଉତ୍ଫୁଲ୍ଲିତ ହୋଇ ଉଠିଲା । କହିଲା
– କାଲି କଲେଜରେ ସମସ୍ତଙ୍କୁ ଦେଖେଇବି । ଶ୍ରାବଣୀ ତ ଇର୍ଷାରେ ଜଳିଯିବ । ଆଚ୍ଛା! ଆପଣ ସମ୍ବଲପୁର ଯାଉଛନ୍ତି ନାଁ ସେଠୁ ଆଉ କୁଆଡେ ଯିବେ?
-ନାଇଁ, ସମ୍ବଲପୁର
– କାହା ଘରକୁ, ନାଁ କିଛି ବାହାଘର ଫାହାଘର ଅଛି?
– ନାଁ, ଏକ ଲେଖକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ଅଛି!
– ଆପଣ କେଉଁଠି ରହିବେ?
– ପାନ୍ଥନିବାସରେ
– ଫେରିବେ କେବେ?
– କାଲି ରାତିରେ
  ଓହୋ, ଏ ଝିଅଟା କେତେ ବକର ବକର ହେଉଛି । ଏତେ ଗୁଡିଏ କଥା ମତେ କହିବାକୁ ଇଚ୍ଛା ହେଉନଥିଲା । ତେଣୁ ଆଖି ବନ୍ଦ କରି ଶୋଇବାର ଛଳନା  କଲି । ସେ ବାଧ୍ୟ ହୋଇ ମୋବାଇଲ କାଢ଼ି ଗପିବାରେ ଲାଗିଲା । ଭୋର ୫ଟା ବେଳକୁ ବସ ଆସି ସମ୍ବଲପୁର ବସଷ୍ଟାଣ୍ଡରେ ପହଂଚିଲା । ଆଖି ମଳି ମଳି ନିଦରୁ ଉଠିଲା ବେଳକୁ ମୋ କୋଳରୁ କାଗଜ ଖଣ୍ଡିଏ ତଳକୁ ଖସି ପଡ଼ିଲା । ବୃଦ୍ଧା ଜଣେ ତଳୁ କାଗଜଟି ଉଠାଇ ମତେ ବଢ଼ାଇ ଦେଲେ । କାଗଜଟି ପକେଟରେ ଭରି ତଳକୁ ଓହ୍ଲାଇଗଲି । ଅଟୋରେ ବସି ପାନ୍ଥନିବାସରେ ପହଂଚି ଗାଧୋଇବା ଆଗରୁ ପଂଜାବି ଖୋଲିଲା ବେଳକୁ କାଗଜଟି ତଳେ ପଡ଼ିଗଲା । ଉଠାଇ ଆଣି ଦେଖିଲି ଖୁବ୍ ଛୋଟ ଛୋଟ ଅକ୍ଷରରେ ଲେଖା ହୋଇଛି ‘ବେକଳ ତମ ପାଇଁ’ ଆଶ୍ଚର୍ଯ୍ୟ ହୋଇ ଖୋଲିଦେଲା ବେଳକୁ ଭିତରେ ଲେଖା ହୋଇଛି ।
         ‘ତମକୁ ମୁଁ ଭଲପାଏ ଅନ୍ତର ଭିତରୁ
          କେବଳ ତମର ସୁଲଗ୍ନା’
ଚକିତ ହେଲି, ବ୍ୟାକୁଳ ହୋଇ ଭିତର ବାହାର ସବୁ ଦେଖିଲି ହେଲେ କେଉଁଠି ଫୋନ୍ ନମ୍ବର ବା ଠିକଣା କିଛି ହେଲେ ଲେଖାନଥିଲା ।
ପାରମିତା ଷଡ଼ଙ୍ଗୀ
ସ୍ରଷ୍ଟାର ଅନ୍ୟନାମ ରଚୟିତା, ଯେ ଏକ ନୂତନତ୍ୱର ରଚନା କରିଥାଏ । ଆଖିବନ୍ଦ କରି ସ୍ରଷ୍ଟା ଶଦ୍ଦଟି ଉଚ୍ଚାରଣ କଲେ ଅନୁଭବ କରିହୁଏ ଈଶ୍ୱରଙ୍କ ସତ୍ତା, ମାତାପିତାଙ୍କ କୋମଳ ସ୍ପର୍ଶ ଆଉ ଜଣେ କେହି ସାହିତ୍ୟିକାରଙ୍କ ମନଛୁଆଁ ଲେଖା । ସ୍ରଷ୍ଟାର ନିଜ ଏକ ସ୍ୱତନ୍ତ୍ର ଇଲାକା ଥାଏ, ଯେଉଁଠି ସୁରକ୍ଷିତ ଥାଏ ତାର ଭୋଗିଥିବା ପୀଡ଼ା ଆଉ ପୁଲକ । କେତେବେଳେ କଳ୍ପନାର ଇନ୍ଦ୍ରଧନୁର ରଂଗନେଇ ଓ କେତେବେଳେ ଅଂଗେ ନିଭେଇଥିବା ଅନୁଭବ ଗୁଡିକ, କିଛି ବ୍ୟକ୍ତ ଅବ୍ୟକ୍ତର ଚିତ୍ରଗୁଡିକ ଧିରେ ଧିରେ ଶଦ୍ଦର ରୂପ ନେଇଯାଇଥାଏ । ହୃଦୟର କୌଣସି ଗୋଟେ ଭାବର ତୀବ୍ର ଉଚ୍ଚଟନକୁ ଯେତେବେଳେ ଜଣେ ଲେଖକ ଏଡାଇ ନପାରି କେତେଗୁଡିଏ ଶଦ୍ଦ ପୁ୍ଞ୍ଜିକୁ ସଜାଇ ଦିଏ, ସେତେବେଳେ ତା ସୃଷ୍ଟି ଯେ କି ତା ସଂସାରରେ ତାକୁ ଈଶ୍ୱରର ସ୍ଥାନ ପ୍ରଦାନ କରିଦିଏ । ସେଥିପାଇଁ କିଛିଟା ନିଃସଂଗତା, କିଛିଟା ମିଳନ ଆଉ ବିଚ୍ଛେଦର ମିଶ୍ରିତ ଅଶ୍ରୁ, କେତେଗୁଡିଏ କଳ୍ପନାର ଇନ୍ଦ୍ରଧନୁ, ପ୍ରେମର ଆନମନା ସ୍ୱର ଏ ସବୁକୁ ନେଇ ସ୍ରଷ୍ଟା ତା ନିଜର ସଂସାର ଗଢ଼ିନିଏ । ନିଜର ସଂସାରକୁ ନେଇ କଳ୍ପନା କଲାବେଳେ ନିଜେ ନିଜର ଶଦ୍ଦଗୁଡିକର ପ୍ରେମରେ ପଡିଯାଏ । ମନ ଭିତରେ ନଦୀଭଳି ଛଳଛଳ ହୋଇ ବହୁଥିବା ଶଦ୍ଦଗୁଡିଏ ଚିତ୍ରର ରୂପ ନେଇ ସେ ଏକାନ୍ତ ମୁହୂର୍ତ୍ତଗୁଡିକୁ ଆପଣାଇ ନିଅନ୍ତି, ଧୀରେ ଧୀରେ କାଗଜର ପୃଷ୍ଠାରେ ଜନ୍ମ ନେଇଯାଏ କୌଣସି ଗଳ୍ପ କି କବିତା ।
ସତ କହିଲେ ଗଳ୍ପ ଆଉ କବିତାକୁ ନେଇ ମୋର ସଂସାର….ତେଲ ଲୁଣ ସଂସାରକୁ ଛାଡି ଯେମିିତି କେହି ଜଣେ ଗଢ଼ି ଦେଇଛି ମୋ ପାଇଁ ଅନ୍ୟ ଏକ ସଂସାର ଠିକ୍ ତିଶଙ୍କୁଙ୍କ ଅଲଗା ସ୍ୱର୍ଗ ପରି । ସ୍ତ୍ରୀକୁ ପ୍ରତାରିତ କରିଥିବା ସ୍ୱାମୀ, ଆତ୍ମହତ୍ୟା କରିଥିବା ମା’ର ଅନାଥ ସନ୍ତାନ, ପରିବାରର ପେଟ ପୋଷିବା ପାଇଁ ଗୋଟେ କ୍ଲୀବର ରୂପ ଧରିଥିବା ପୁରୁଷ ଏସବୁ ମୋର କାହାଣୀର ଗୋଟେ ଗୋଟେ ଚରିତ୍ର ନୁହଁନ୍ତି ବରଂ ସମାଜର ଅନ୍ୟ ଏକ ରୂପ । ମୋ କାହାଣୀରେ ଥିବା  ଏହି ଚରିତ୍ରଗୁଡିକ ଉଠି ଆସନ୍ତି ଆଖପାଖରେ ଥିବା ଜୀବନରୁ । ମୋ ଆଖପାଖରେ ଥିବା ଚରିତ୍ରମାନେ ମୋତେ ଆକର୍ଷଣ କରୁନ୍ତି… ମୁଁ ତାଙ୍କ ପ୍ରେମରେ ପଡ଼ିଯାଏ, ସେହି ଭଲପାଇବା ହିଁ ମୋ ଲେଖାରେ ଆଧାର ବନିଯାଏ । ପ୍ରାୟତଃ ସେମାନେ ଚାଲି ଆସନ୍ତି ମୋ କଳ୍ପନାକୁ, ଆକର୍ଷିତ କରନ୍ତି… ଚିହ୍ନିବାକୁ, ଜାଣିବାକୁ ଚେଷ୍ଟାକରେ । ସଂପୂର୍ଣ୍ଣ ରୂପେ ଜାଣିଲା ପରେ ସେ ଚରିତ୍ରମାନଙ୍କୁ ଚିତ୍ରଣ କରିବାକୁ ସମର୍ଥ ହୁଏ । ସେଥିପାଇଁ ସାହିତ୍ୟ ଶଦ୍ଦଟିକୁ ମୁଁ ‘ସହିତ’ ଶଦ୍ଦ  ସହିତ ଯୋଡିଥାଏ । ଚରିତ୍ର ଚିତ୍ରଣ କଲାବେଳେ ମୁଁ ନିଜେ ପହଂଚିଯାଏ ତାଙ୍କ ଦୁନିଆରେ… ତାଙ୍କ ସୁଖ ଦୁଃଖରେ । ଭୁଲିଯାଏ ମୋ ଆଖପାଖ ଦୁନିଆକୁ । ସେହି କିଛି କ୍ଷଣ ବିସ୍ତୃତ ଚେତନାରେ ଯେ କେତେ ଆନନ୍ଦ…ଫେରିବାକୁ ଇଚ୍ଛା ହୁଏନା । କିନ୍ତୁ ଫେରିବାକୁ ପଡେ । ଏହିଠି ଭୋଗିବାକୁ ପଡେ ଅଦମ୍ୟ ଯନ୍ତ୍ରଣା ।
ସଂଘର୍ଷ କରିବାକୁ ପଡେ ନିଜ ସହିତ ନିତିଦିନିଆ ତେଲଲୁଣର ସଂସାରରୁ କିଛି ସମୟ କାଢ଼ିବା ପାଇଁ । ସେ ସଂଘର୍ଷ ପୁଣି ତୀବ୍ର ରୂପ ନିଏ ଯେତେବେଳେ ଗୋଟେ ସମ୍ବେଦନଶୀଳ ମନ ଆଉ ଗୋଟେ ବିଦ୍ରୋହୀ ଅ।।ତ୍ମା ମୋ ଅସ୍ତିତ୍ୱକୁ ଜାବୁଡ଼ି ଧରନ୍ତି, ଆଉ ମୁଁ ଚେଷ୍ଟା କରେ କିଛି ଶଦ୍ଦକୁ ସଜାଇ ସେ କଳ୍ପନାକୁ ରୂପ ଦେବା ପାଇଁ । ଯେତେବେଳେ ସେ ଶଦ୍ଦଗୁଡିକ ଅମାନିଆ ହୁଅନ୍ତି, ସେତେବେଳେ ଗୋଟେ ନିସ୍ୱ ଆଉ ସର୍ବହରା ପଣ ଖୁବ୍ କଷ୍ଟ ଦିଏ, ଯେମିତି ପ୍ରସୂତି ବେଦନା । ମନ ଭିତରେ ଘାଂଟି ଚକଟି ହେଉଥାଏ ଗୋଟେ ଗରମ ଲାଭା, ମୁଁ କାଗଜ କଲମ ଧରିନିଏ….ବେଦନା ଉପସମ ହୁଏ ତ ସୃଷ୍ଟି ନେଇସାରିଥାଏ ମୋ କଳ୍ପନାର ଏକ ରୂପ । ଏକ ଦରଦୀମନର ସମର୍ପଣ ଭାବନା ଏବଂ ଶଦ୍ଦମାନଙ୍କର ଉଷ୍ମତାକୁ ନେଇ ସାହିତ୍ୟ ସାଧନା କରିବାକୁ ଚେଷ୍ଟା କରେ ।
କଳ୍ପନା ପ୍ରବଣ ହେଲେ ବି ଲେଖକମାନଙ୍କୁ ଆଖପାଖର ଚରିତ୍ରମାନେ ଖୁବ୍ ପ୍ରଭାବିତ କରନ୍ତି । ମୋର ଅନ୍ୟ ପ୍ରକାରର ସଂଘର୍ଷ ଆରମ୍ଭ ହୁଏ ଏହିଠୁ । ନିଜ ସହିତ ସଂଘର୍ଷରେ ଜିତିବାକୁ ଯେଉଁ ପରିବର୍ତ୍ତନର ଆବଶ୍ୟକତା ପଡିଥାଏ ସେସବୁ ସଂପୂର୍ଣ୍ଣ ମୋର, ତାକୁ ଗ୍ରହଣ କରିନିଏ । ହେଲେ ସମାଜର ସେ ଚରିତ୍ରମାନେ…କିଏ ଅର୍ଥ ତ କିଏ ତା ଶକ୍ତି ସାମର୍ଥ୍ୟକୁ ନେଇ ଗର୍ବ, ସମାଜର ଉନ୍ନତି,ସାହିତ୍ୟର ଉନ୍ନତି ମାନବିକତା ଯେମିତି ମୂଲ୍ୟହୀନ,ମନହୁଏ ଚିକ୍ରାର କରି କହିବି କି, ତୁମେ ମାନେ କେତେ ନିଃସ୍ୱ, କେବେ ଦର୍ପଣରେ ନିଜକୁ ଦେଖ…ମନ୍ଦିର, ଗୁମ୍ଫାର ସେ ମର୍କଟଟିକୁ ଦେଖି ପାରିବ ଯିଏ ଛଡାଇ ନିଏ ପର୍ଯ୍ୟଟକଙ୍କ ହାତରୁ, ଯାହା ବି ଥାଏ ତାଙ୍କ ହାତରେ ।” ପୁଣି ସେହି ବିଦ୍ରୋହ ଭରା ପ୍ରଶ୍ନ, ବ୍ୟାକୁଳିତ କରେ ମନକୁ । ଅସହାୟତା ଓ ଗଢ଼ିକରି ଚାଲିଛି କାହିଁ କେତେ ଯୁଗରୁ ।
ଆଜି ମୁଁ ଲେଖୁଛି, ବା ଲେଖିବା ପାଇଁ ଚେଷ୍ଟା କରୁଛି । ପ୍ରତୀକ୍ଷା କରୁଛି ମନ ଭିତରେ ଗୋଟେ କଳ୍ପନା ପାଇଁ, ସଂଘର୍ଷ କରୁଛି ଶଦ୍ଦମାନଙ୍କ ସହ, ଭୋଗୁଛି  ସେ ପ୍ରସୂତି ବେଦନା… ସେ କଳ୍ପନାକୁ ଗୋଟେ ରୂପ ଦେବା ପାଇଁ । କାହାରି ପ୍ରଶଂସା ଶୁଣିଲେ ଲେଖିବା ପାଇଁ ଉତ୍ସାହ ବଢ଼ିଯାଏ, କାହାରି ସୃଷ୍ଟିରେ ହଜିଗଲେ ଖୁସିରେ ଗଦ୍ଗଦ୍ ହୁଏ ମନ…ଧିକ୍କାର କରେ ଏମିତି ମୁଁ କାହିଁକି ଭାବି ପାରିଲେନି ।

ଅସହାୟତା

ବୟସର ଦୁଆରବନ୍ଧ
ସେପଟେ ଠିଆ ହୋଇଛ ତୁମେ
କାୟା ବିସ୍ତାର କରି
ଏପଟେ ଅସହାୟ
ମାଡି ମକଚି ହୋଇ ପଡିଛି ଜୀବନଟା
ଏକାକୀ ପଣର ବୋଝରେ ।

ନିଷ୍ଠୁର ଏ ମାୟା ନଗରୀ
ହାତ ବଢ଼ାଇ
ସାହାରା ଦେବାରେ ଅନିଛା
ଦୂର ଦିଗ୍ବଳୟ
ଠିଆ ହୋଇ ଚାହିଁଲେ
ଧକ୍କା ମାରି ପଶି ଆସେ
ସ୍ମୃତି ଗୁଡିକ,
ବେସୁରା ହୋଇଯାଏ
ଶିରା ପ୍ରଶିରା ମସ୍ତିଷ୍କର ।

ଭୁଲଠିକର ମାପଦଣ୍ଡ
କଳନା କରୁକରୁ
ଖସି ଗଲାଣି ମୁହୂର୍ତ୍ତଗୁଡିକ
ନିଜକୁ ପ୍ରମାଣ କରୁକରୁ
ହାରିଗଲା ଦୃଢ଼ତା
ରାସ୍ତା ହିଁ ନଥିଲା
ସେଥିପାଇଁ ତ ବୃଥା
ହୋଇଗଲା ଚାଲିବାଟା ।

ନର୍ମଦା ନିଳୋତ୍ପଳା

ନିରାସକ୍ତ ମୁଁ ହେଇପାରେନା । ଯେତେଥର ମୋହଶୂନ୍ୟ ହେବାକୁ ଚେଷ୍ଟା କଲେବି ପୁନର୍ବାର ମୋହଗ୍ରସ୍ତ ହୋଇପଡେ ମୁଁ । ମୋ ଦୃଷ୍ଟିରେ ସାରା ଜଗତ ହେଉଛି ସ୍ରଷ୍ଟାର ସଂସାର । ସ୍ରଷ୍ଟାର ହୃଦୟ ଯାଇ ବସିଥାଏ ଜଗତଯାକର ପ୍ରାଣୀଙ୍କ ପିଣ୍ଡାରେ । ସମସ୍ତଙ୍କୁ ସେ କୋଳକୁ ଆବୋରି ଆଣେ । ତାଙ୍କ ବିଶ୍ୱାସ ଭିତରେ ନିଜକୁ ପରଖେ । ନିଜକୁ ତାଙ୍କରି ଭିତରେ ସମାହିତ କରିଦିଏ । ପ୍ରତ୍ୟେକ ଜୀବର ଗୋଟେ ଗୋଟେ ସ୍ୱତନ୍ତ୍ରତା ରହିଛି । ନିଜସ୍ୱ ଶୈଳୀ ମଧ୍ୟ ରହିଛି ଜୀବନ ବଂଚିବା ପାଇଁ । ମନୁଷ୍ୟ, ପଶୁପକ୍ଷୀ, ଗଛଲତା, ସରୀସୃପ ଓ ନଦୀଝରଣା ଯିଏ ବି ହେଉ । ବେଳେବେଳେ ଇଚ୍ଛା ନଥିଲେ ବି କାହାର ନା କାହାର ଆଦେଶ, ଉପଦେଶ, ଭର୍ତ୍ସନା, ତାଡନା, ସହିବାକୁ ପଡ଼େ । ସମସ୍ତଙ୍କର ସଂସାର ପରି ସ୍ରଷ୍ଟାର ମଧ୍ୟ ଗୋଟେ ସଂସାର ଥାଏ । ସମସ୍ତଙ୍କର ବ୍ୟକ୍ତିଗତ ସଂସାର ଥାଏ ହେଲେ ସ୍ରଷ୍ଟାର ସଂସାର ସାର୍ବଜନୀନ ଥାଏ, ତାର ଅନ୍ତର୍ଭେଦୀ ଦୃଷ୍ଟିରେ ଯେତେବେଳେ ସିଏ ସଂପୂର୍ଣ୍ଣ ନିଜଠୁ ନିଜକୁ ଅଲଗା କରି ତାର ଚିନ୍ତନକୁ ବୃହତ୍ତର କରେ । ସେ ତାର ଅଜାଣତେ ପହଂଚିଥାଏ, ପିଲାଦିନରେ ଧାନବିଲରେ ନଈକୂଳରେ, ଗୁଡିଉଡ଼ାରେ ଇତ୍ୟାଦି…ଇତ୍ୟାଦି… । ତା’ ଜୀବନ ତା’ ସାଂଗରେ ଚାଲିଥାଏ । କେତେବେଳେ ବି ସେ ନିଜକୁ ଏକୁଟିଆ ଅନୁଭବ କରିପାରେନି । କେତେବେଳେ ସେ କୋଳାହଳ ଭିତରେ ଥାଏ । ଯେତେ ନିରବତା ଥିଲେ ବି ପାଖରେ । ବାରମ୍ବାର କ୍ଷତାକ୍ତ ହୁଏ । ପୁଣି ଫୁଲ ଫୁଟାଏ ନିଜ ଦେହରେ । ଝରଣା କରେ ମନକୁ ଗୁଣୁଗୁଣୁ ଗୀତ ଗାଏ । କେବେକେବେ ପାହାଡ ଫାଟିଯାଏ ତା ଦେହରେ । ଚୁନା ଚୁନା ହୋଇଯାଏ କୋମଳ ମନ । ସ୍ରଷ୍ଟାର ହୃଦୟ ସବୁ ଅନୁଭବ କରେ । ଆଲିଂଗନ କରେ । ବାରମ୍ବାର ସେ ଅନ୍ୟର ଦୁଃଖରେ ଜୁଡୁବୁଡୁ ହୁଏ । ସାଧାରଣ ମଣିଷଟିଏ ପରି ସ୍ରଷ୍ଟାର ଜୀବନ । କିନ୍ତୁ ବ୍ୟତିକ୍ରମ ଏହା ଯେ ସାଧାରଣ ମଣିଷଟିଏ ସେଇ ଦୈନନ୍ଦିନ ଜୀବନରେ ଘାଂଟି ହୋଇ ଅଣନିଃଶ୍ୱାସୀ ହେଉଥିବାବେଳେ ସ୍ରଷ୍ଟାଟିଏ ବହୁ ଉଦ୍ଧ୍ୱର୍କୁ ଉଡାଣ ଜାରିରଖେ । ସେ ଭୋଗେ ଜଣେ ସାଧାରଣ ମଣିଷ ପରି । କିନ୍ତୁ ତାର ଭାବନା, ଚିନ୍ତନ ଏତେ ବିସ୍ତୃତ ଯେ ସେଇ ଭୋଗିବା ଅଧିକ ସମୟ ବସାବାନ୍ଧି ନିଜ ଭିତରେ ରଖେ ନାହିଁ । ସବୁବେଳେ ନୂଆନୂଆ ପରିକଳ୍ପନା ଉଇଁଥାଏ ତାର ଦୃଶ୍ୟପଟରେ ।
ଦହିକୁ ମନ୍ଥନ କଲେ ଲହୁଣୀ ବାହାରେ । ସେଇ ହେଉଛି ଆନନ୍ଦ । ଯେତେବେଳେ ଅନେକଗୁଡିଏ ପୀଡା ଏକାଠି ହୋଇ ମନ୍ଥି ହୁଅନ୍ତି ସ୍ରଷ୍ଟାର ହୃଦୟରେ । ତା’ ଭିତରେ ସେ ଆବିଷ୍କାର କରେ କିଛି ଲହୁଣୀ । ତାକୁ ଅନ୍ୟ ଏକ ରୂପ ଦିଏ । ସେଇଠୁ ସେ ବଂଚିବାର ସ୍ୱାଦପାଏ । ଉତ୍ତମ ଲେଖାଟିଏ ଯଦି ଜନ୍ମିନେଲା ତା ହେଲେ ସେଇ ବିରଳ ଖୁସି କେବଳ ଜଣେ ସ୍ରଷ୍ଟା ହିଁ ଉପଲବ୍ଧି କରିପାରେ । ସେ ଖୁସିଟି କଣ ସେ କାହାକୁ କହିପାରେ ନି କି ଦେଖେଇ ପାରେନି? ଯେଉଁଟା କି ତାକୁ ଆଗକୁ ବଢ଼ିବାକୁ ତା’ଭିତରେ ଉତ୍ସାହ ଜନ୍ମାଏ ।
ପ୍ରତ୍ୟେକ ଜୀବର ସିଏ କ୍ଷୁଦ୍ର ହେଉକି ବୃହତ ତାର ଜୀବନ ସଂଘର୍ଷ ସାରା ନିଶ୍ୱାସ ପର୍ଯ୍ୟନ୍ତ ଚାଲିଥାଏ । କେବେ ସରେ ନାହିଁ ସଂଘର୍ଷ । ଆୟୁଷର ଶେଷ ସୂତାଖିଅ ଛିଣ୍ଡିବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରହେ । ତେଣୁ ଜଣେ ସ୍ରଷ୍ଟାର ଜୀବନ ଜଣେ ସାଧାରଣ ମଣିଷର ଜୀବନଠାରୁ ସ୍ୱତନ୍ତ୍ର ।
ବେଳେବେଳେ ଅବିଶ୍ୱାସ ଲାଗୁଥିବା ଅନେକ ଘଟଣାଗୁଡିକ ବିଶ୍ୱାସ କରିବାକୁ ପଡେ ।  ତା’ ଚତୁଃପାଶ୍ୱର୍ରେ ଥିବା ସାଧାରଣ ମଣିଷଟିଏ ଯାହା ଭୋଗେ ତାହା ସେ ଲେଖି ପାରେନି । ସେଇ ମଣିଷମାନଙ୍କର ଦୁଃଖସୁଖକୁ ସ୍ରଷ୍ଟାଟିଏ କବିତା, ଗପରେ ରୂପଦିଏ । ତାର କିଛି ନିଜସ୍ୱ ନଥାଏ କେବଳ ଅନ୍ୟମାନଙ୍କର ଦୁଃଖ ସୁଖକୁ ସେ ଭୋଗୁଥାଏ ସାରା ଜୀବନ ।
ତା’ପାଖରେ ସେ କେତେ ସୁଖ ଠୁଳ କରିଥାଏ, ତାହା କବିତା ଗପରେ ବାଂଟିଚାଲେ । ସୁଖର ଆସନରେ ସେ କେବେ ହେଲେ ନିଜକୁ ବସେଇ ପାରେନି । ଧୂଳିଧୂସରିତ ହେଉଥାଏ ତାର ଦେହ, ପ୍ରାଣ, ହୃଦୟ । ତା’ର ଜାଣତରେ ହେଉକି ଅଜାଣତରେ ହେଉ ଲୋତକର ପ୍ଲାବନ ବହୁଥାଏ । ପ୍ରାଣ ଆନ୍ଦୋଳିତ ହୁଏ । ସମାଜରେ ବସବାସ କରୁଥିବା ମଣିଷଟିଏ ହେଉକି ପଶୁଟିଏ ହେଉ । ସେ ପାତରଅନ୍ତର କରିପାରେନି । ସମସ୍ତଙ୍କ ପାଇଁ ଥାଏ ତାର ସମାନ ଦୃଷ୍ଟି । ଭଲ ପାଇବାର ଗୋଟେ ପ୍ରଗାଢ଼ପଣ । ତା’ ଆଖି ସାମ୍ନାରେ ନିନ୍ଦିତ, ଅବହେଳିତ ଅପନିନ୍ଦା ଭତ୍ସନା ପାଉଥିବା ଲୋକଙ୍କଠାରୁ ସେସବୁ ଗୋଟେଇ ଆଣିବାକୁ ଚାହେଁ ସେମାନଙ୍କର ମନସ୍ଥାପ । ଯେତେ ଶୀତତାପ ନିୟନ୍ତ୍ରିତ କୋଠରୀରେ ଥିବା ଡନ୍ଲପ୍ ଗଦିରେ ଶୋଇଥିଲେ ବି ତା’ ମନ ସବୁବେଳେ ଯାଇ ସେଇ ଦାରିଦ୍ର‌୍ୟ, ନିଷ୍ପେଷିତ ଅବହେଳିତ ଲୋକଙ୍କ ଗହଣରେ ବୁଲୁଥାଏ । ଯେଉଁ ସ୍ଥାନରେ ଥିଲେ ବି ନିଜକୁ ସଂପୂର୍ଣ୍ଣ ତାଙ୍କରି ମଧ୍ୟରେ ହଜେଇ ଦିଏ ।
ସମସ୍ତେ ଜଣେ ଜଣେ ସ୍ରଷ୍ଟା । ସ୍ରଷ୍ଟା କେହି ଜଣେ ନୁହେଁ । ପ୍ରତ୍ୟେକ ମଣିଷ ନିଜ ନିଜର କର୍ତ୍ତବ୍ୟ ସଂପାଦନ କରିବା ପାଇଁ ଜନ୍ମ ନିଅନ୍ତି । ନିଜ ଜୀବନ ଜୀଇଁ ଚାଲନ୍ତୁ । ଗୋଟେ ଗୋଟେ ନୂଆରାସ୍ତା ତିଆରିହୁଏ ବଂଚିବା ପାଇଁ ହେଲେ ସ୍ରଷ୍ଟା ନିଜ ଜୀବନ ଜୀଇଁବା ସହିତ ପ୍ରତ୍ୟେକ ଚରିତ୍ରରେ ନିଜକୁ ସଜେଇ ଅନ୍ୟ ପାଇଁ ବଂଚିଥାଏ ।
ସଂଘର୍ଷର ସମାପ୍ତି ନାହିଁ । ପକ୍ଷୀଟିଏ ଝଡ଼ ପ୍ରହାର ଖାଏ । ପୁଣି ଗୀତ ଗାଏ । ଦୁଃଖଦୋଳି ଶୀର୍ଷକରେ ମୋର କବିତା ବହି । ଏଇଥିପାଇଁ ବୋଧହୁଏ ନାମକରଣ ହେଇ ପାରିଛି । କାରଣ ସମସ୍ତ ଦୁଃଖକୁ ଦୋଳି କରି ଝୁଲିବା ହିଁ ଜୀବନର ପରମ ସାର୍ଥକତା । ନଈ ଭିତରେ ଡଂଗାରେ ପାରି ହେଲେ ଯେଉଁ ସୁଖ ମିଳେ ଆମକୁ, କି ଆମେ ନଈକୁ ପାରି ହେଉଛୁ । ସେଠି କୁମ୍ଭୀର ଅଛି ଉଚ୍ଛଳା ନଈ ଅଛି । ବୁଡ଼ି ଯିବାର ଭୟ ମଧ୍ୟ ଅଛି । ଭୟକୁ ଜିତିଯିବା ପରେ ଅଛି ଜୀବନ । କେଉଁ ମୁହୂର୍ତ୍ତରେ ଡଂଗା ବୁଡ଼ିଯାଇପାରେ । କୁମ୍ଭୀର ଖାଇଯାଇପାରେ । କିନ୍ତୁ ପହଁରା ଜାଣିନଥିବା ଲୋକଟି ମଧ୍ୟ ପାରିହୁଏ ନଈ । କାରଣ ସେ ଡଂଗାରେ ନଦୀ ପାର ହେଲାବେଳକୁ ଭାବିନଥାଏ ଯେ ଡଂଗାଟି ନଦୀରେ ବୁଡ଼ିଯିବ । ସେ ଏକ ବିରଳ ଆନନ୍ଦ ପାଇପାରେ । ପ୍ରତି ମୁହୂର୍ତ୍ତରେ ଆମେ ମୃତ୍ୟୁକୁ ଭେଟୁଥାଉ । ସତ୍ୟକୁ ଭେଟୁଥାଉ ।
ଥରେ ଦୁଃଖ ଦରିଆରେ ପହଁରିବା ଶିଖିଗଲେ ସବୁତକ ସୁଖ ମିଳିଯାଏ । ଦ୍ୱିତୀୟ ବହି ମୋର ଗଳ୍ପଗ୍ରନ୍ଥ ମୁଁ ନଥିବା ଯାଏଁ । ଏହାର ନାମକରଣ ବୋଧହୁଏ ଏମିତି ହୋଇ ପାରିଛି । ସମସ୍ତ ସ୍ରଷ୍ଟାଙ୍କର ଭାବନା ପରି ମଧ୍ୟ ଭାବେ ମୋର ସୃଷ୍ଟି ବଂଚିରହୁ କାଳକାଳ । ସାରୁପତ୍ରକୁ ନେଇଛି, ସାଧାରଣ ଜନଜୀବନକୁ ନେଇ ମୋର ଲେଖା ।
ସବୁ ଅପଯଶ, ଅପନିନ୍ଦାକୁ ଚନ୍ଦନପରି ନିଜ ଦେହରେ ବୋଳି ପକେଇଲେ ହିଁ ଶୀତଳତା ମିଳେ ବିଭୋର ପ୍ରଶାନ୍ତି ମିଳେ । ସାହିତ୍ୟ ହିଁ ସମଭାବାପନ୍ନ ଶିଖାଏ । ସାହିତ୍ୟକୁ ଭଲ ପାଇବା ଶିଖିଗଲେ ଥରେ ସମାଜରୁ ଆପେ ଆପେ ଦୁଷ୍କର୍ମ ଦୂର ହୋଇଯିବ । ସମସ୍ତ ବିଷାଦର ଉଦ୍ଧ୍ୱର୍ରେ ସୃଜନର ଆମୋଘ ଶକ୍ତି!!
…………………………………………..

ବିଶ୍ୱାସ
ମୋ ରକ୍ତ ବି
କାନ୍ଦି ପକାଏ
ଆଖିର ଲୁହ ହୋଇ ।
ଗୋଟେ ଜହ୍ନର ବିଶ୍ୱାସ ଓ
ଦେଇ ପାରିଲୁନି ମତେ!
ଆଉ ଗୋଟେ ଜନ୍ମ ଦେଲେ
ତୋ’ କୋଳ ଖୋଜିବି କେମିତି ।

ଯେଉଁମାନଙ୍କ ଆଖିରେ ମୁଁ ଅଗ୍ନି
ସେଇମାନଙ୍କ ସହିତ ମିଶି ଶିଖିନେଲୁ
ମତେ ଲିଭେଇ ଦେବାର
କଳାକୌଶଳ ।

ଅବୁଝା, ଅଥୟ ହୃଦୟ ମୋର
ପାଲଟିଗଲା
ହାଡ଼ର ନିରବ ବଇଁଶୀ ।
ପୂର୍ବପରି ନଥିଲା ତୋ ମୁହଁରେ
ଗୋଟେ ଭାବ ଛଳଛଳ ଗାଁର
ଆକୃଷ୍ଟ ଚାହାଣୀ ।

ତୋ ସହିତ ମିଶି
ଘନ ଅଂଧାରରେ ଷଡ଼ଯନ୍ତ୍ର ରଚୁଥିଲେ
ମୋର କିଛି ବିଶ୍ୱାସୀ ମଣିଷ ।
ହେଲେ ମୁଁ ବଦଳେଇ ଦେଇନି
ମୋର ରକ୍ତ
ଏବେବି ସେମିତି ବହୁଛି
ତୋ ନଈର ରକ୍ତ ହୋଇ!!

ବିନୋଦିନୀ ପାତ୍ର

ସୃଜନର ବଂଶୀସ୍ୱର କେବେ ମୋତେ ଯମୁନା-ମନସ୍କା ରାଧା ପରି ଉତ୍ତଳା କଲା, କେବେ ମୁଁ ମୋର ଏ ନିତ୍ୟବୈଶିଭିକ ଜୀବନ ଓ ପରିବେଶର ଉଦ୍ଧ୍ୱର୍ରେ ସେ ସାରସ୍ୱତ କୁଞ୍ଜରେ ପହଂଚିଗଲା ସେ କଥା ଏବେ ସ୍ପଷ୍ଟ ମୋର ମନେ ପଡୁଛି । ଖାଲି ମନେ ପଡ଼େ ସୁବର୍ଣ୍ଣରେଖାର ଚଳଚଂଚଳ କୁଆଆଖିର ଜଳ ଉପରେ ପବନର ଲୁଚକାଳି ଖେଳ, ମହଳଣ ଅସ୍ତରାଗରେ ସେ ଜଳ ଉପରେ ଚିକମିକ ଚିତ୍ରାୟିତ ମଣିମାଳ । ସୁବର୍ଣ୍ଣରେଖା କୂଳର ସେ ବୁଦୁବୁଦିଆ ବେତ ବଣ କି କାନକୋଳି କଂଟାବୁଦା । ସାହାଡ଼ା ଗଛର ଘଂଚ ପତ୍ର ସଂଧିରେ କୁନିଚଢ଼େଇର ବସାଘର । ଚଢ଼େଇବସା ଉପରକୁ ମା ଚଢ଼େଇ ପହଂଚୁ ନ ପହଂଚୁଣୁ ସଦ୍ୟ ଫୁଟିଥିବା ଚିଁ ଚିଁ ପକ୍ଷୀଶାବକଙ୍କ କ୍ରନ୍ଦନରୋଳ, ସାହାଡା ଗଛର ସବା ଉପର ଡାଳରେ ଛକି ବସିଥିବା ସଂଦିଗ୍ଧ ଶ୍ୱେନ କି ଗଛତଳେ ଚକ୍କର ମାରୁଥିବା ଧୂର୍ତ୍ତ ବିରାଡ଼ିଙ୍କର ଛକାପଞ୍ଛା ଖେଳ । ଏସବୁ ଦେଖି ସେ ନିରୀହ ପକ୍ଷୀଶାବକ ପ୍ରତି ମୋର ହୃଦୟ ହୋଇ ଉଠୁଥିଲା ଆଶଙ୍କାରେ ବିକଳ । କିମ୍ବା ଆମ ବାଡ଼ି ଆମ୍ବ ଗଛରେ ଯେବେ ହଳଦୀବସନ୍ତ ରାବେ, ସେତେବେଳକୁ ମୋର ଆତ୍ମା ହୋଇ ଉଠେ କେମିତି ଏକ ଚଂଚଳ । ଅନୁତା କବି ମନରେ ଏସବୁ ହୁଏତ ସର୍ଜନଶୀଳତାର ପ୍ରାକ୍ ପଦପାତ, ପ୍ରଥମ ସ୍ପନ୍ଦନ ।
ଆମ ଘରେ ପ୍ରତିବର୍ଷ କୁମାର ପୂର୍ଣ୍ଣିମାରେ ହେଉଥିବା ଅପେରାର ରାଣୀ…ତାଙ୍କ ମଥାରେ ଝଲମଲ ମୁକୁଟ ମୋତେ ମୁକୁଟଟିଏ ପିନ୍ଧିବାକୁ ସେତେବେଳେ ପାଗଳ କରେ । ବାପା କିମ୍ବା ଭାଇ ସହରକୁ ଗଲା ବେଳେ ତୋ ପାଇଁ କଣ ଆଣିବି ପଚାରିଲେ ମୁଁ ସାଗ୍ରହ କହେ ମୁକୁଟ ଟିଏ ଆଣିବ । ମୋ ଶିଶୁମନ ପରି ମୁକୁଟ ପିନ୍ଧିବାର ସେ ଆଗ୍ରହକୁ ସେମାନେ ଅନୁଶୀଳନ କରି ପାରନ୍ତି ନି । ମନ ନ ଭାଂଗିବାକୁ ନା’ ବୋଲି ବି କହନ୍ତି ନି । ବାସ୍ତବ ଜୀବନରେ କେହି କେବେ ଯାତ୍ରାର ରାଣୀ ପରି ମୁକୁଟ ପିନ୍ଧି ବୁଲିବାର ଦେଖି ନଥିବ, ମୁଁ ବି ଦେଖିନି । ତଥାପି ମୁକୁଟ ପାଇଁ ମୋର ସେ ଅକିଂଚିତ୍କର ଆଗ୍ରହ କଥା ଭାବିଲେ ଏବେ ମୋତେ ଲାଜ ଲାଗେ । ସେଇ ଅବାସ୍ତବ ଇଚ୍ଛାଟି ହୁଏତ ମୋର ସାରସ୍ୱତ ଅନ୍ୱେଷାର ପ୍ରଥମ ସ୍ପନ୍ଦନଥିଲା । ଘରର ଛୋଟପିଲାଙ୍କୁ ନେଇ ନାଟକ କରିବ, ଯାହିତାହି କାହାଣୀଟିରେ ଚରିତ୍ର ଓ ନୃତ୍ୟ ଖଂଜି ସେ ନାଟକର ନିର୍ଦ୍ଦେଶକ, ଅଭିନେତ୍ରୀ ଏବଂ ଗାୟିକା ହେବାରେ ମୋର ସେ ଶୈଶବର ଆନନ୍ଦ କଥା ଏବେବି ମନେ ଅଛି । ପାଉଡର ଜିନିଷଟି କଣ ଆମକୁ ସେତେବେଳେ ଜଣାନଥିଲା । ପିଠା ଚୁନାରେ ମୁହଁକୁ ଧଳାକରି ସିନ୍ଦୁର ଓ ଅଳତାକୁ ଗାଲରେ ଓ ଓଠରେ ଲଗେଇ ଅଭିନେତ୍ରୀ ସାଜିବା ଓ ସଜାଇବାରେ ସେ କି ଖୁସି ଏବଂ ସଫଳତାର ଆନନ୍ଦ । ସେତେବେଳେ ମୋର ଏବଂ ମୋ ଶୈଶବରେ ସାଂଗମାନଙ୍କର ସେ ରୂପ ଦେଖି କିଏ ହସିଥିବେ କି ନାହିଁ ମନେ ପଡୁନି ଏବେ କିନ୍ତୁ ସେକଥା ଭାବିଲେ ହସ ଲାଗେ । ମୋ ବାପାଙ୍କ ମାମୁଁ ଘରେ ଏକ ଅପେରା ପାଟିଥିଲା । ବାପା ମାତୁଳୀୟ ଗୁଣସୂତ୍ରରୁ ନାଟକ,ଗୀତ ଓ ସାହିତ୍ୟର ଆଶୁ ସ୍ରଷ୍ଟାଥିଲେ । ନିଜେ ହାରମୋନିଅମ ବଜାଇ ଗୀତ ଗାଉଥିଲେ । ମୁଁ ଓ ପରିବାରର ଉତ୍ସାହୀ ପିଲାମାନେ ତାଙ୍କ ସହ ମିଶି ଗୀତ ବୋଲୁଥିଲେ । ମୋ ବାପା ପଣ୍ଡିତ କୁବେରଚନ୍ଦ୍ର ପାତ୍ର ସୁବର୍ଣ୍ଣରେଖା ହାଇସ୍କୁଲର ତକ୍ରାଳୀନ ପ୍ରଧାନ ଶିକ୍ଷକ ଥିଲେ । ସେ ବୈଷ୍ଣବ ଧର୍ମରେ ଦୀକ୍ଷିତ ଥିବାରୁ ତାଙ୍କଠାରେ ସଂସ୍କାର, ସତ୍ୟ, ନିଷ୍ଠା ଏବଂ ନିସ୍ୱାର୍ଥପରତା ସହିତ ଏକ ଗୁଢ଼ ରକ୍ଷଣଶୀଳତା ମୋ ଭିତରୁକୁ ଗୁଣସୂତ୍ରରେ ସଂଚରି ଆସିଥିଲା ଜଣେ ଆଶୁକବି ଓ ଲେଖକ ଥିବାରୁ ହୁଏତ ତାଙ୍କଠୁ ସାରସ୍ୱତ ଭାବ ମୋ ରକ୍ତ ହିଁ ଥିଲା ।
ସେତେବେଳେ ଗଳ୍ପ ଓ ଉପନ୍ୟାସ ପଢ଼ିବା ଛୋଟ ପିଲାଙ୍କ ପାଇଁ ବାରଣ ଥିଲା । ପାଠବହିପଢ଼, ଖବରକାଗଜ, ପତ୍ରପତ୍ରିକା ପଢ଼, ଗୀତା, ଭାଗବତ, ଦାଢ଼୍ୟତାଭକ୍ତି କି ପୁରାଣ ଇତ୍ୟାଦି ପଢ଼ । ହେଲେ ଗଳ୍ପ ଉପନ୍ୟାସ ପଢ଼ିବା ମନା । ପିଲାଙ୍କର ତ ମନା ଜିନିଷଟିରେ ବେଶ ଆଗ୍ରହ । ଯେ କୌଣସି ବହି ପଢ଼ିବାକୁ ମୋର କିଶୋରୀ ଜୀବନରେ ବେଶ ଉତ୍ସୁକତା ଥିଲା । ପାଠପଢ଼ିବା ବାହାନାରେ ଡେରି ରାତିରେ ଲଣ୍ଠନ ଆଲୁଅରେ ପଢ଼ାବହି ଆଢୁଆଳରେ ଥାନ୍ତି କଣ୍ଡୁରୀଚରଣ ଜ୍ଞାନୀନ୍ଦ୍ର ବର୍ମା, କାହ୍ନୁ ମହାନ୍ତି, ବିଭୂତି ପଟ୍ଟନାୟକ । ସ୍କୁଲ ପାଠ ସାରିବା ପୂର୍ବରୁ ଏ ସମସ୍ତ ବହି ପଢ଼ା ସରିଥାଏ । ସେଥିରେ ଥିବା ଆବେଗିକ ବର୍ଣ୍ଣନାର ଅର୍ଥ ବୁଝି ନପାରୁଥିଲେ ବି ପଢ଼ା ବନ୍ଦ ହୁଏନା । ଗୋପୀନାଥ, ଚନ୍ଦ୍ରଶେଖର, ଶାନ୍ତନୁଙ୍କୁ ଟିକେ ପରେ ପଢ଼ିଲି । ମନୋଜ ଦାସଙ୍କଠାରେ କଥାହୁରି ପରେ ପ୍ରବେଶ ଘଟିଲା । ତେବେ ରମାକାନ୍ତ ରଥଙ୍କ କବିତା ‘ଲଣ୍ଠନ’ ମୋତେ ସୂଚନାତ୍ମକ କବିତା ଲେଖିବାକୁ ଉତ୍ସାହିତ କରିଥିଲା । ସଚ୍ଚିରାଉତରାୟ, ସୀତାକାନ୍ତ, ସୌଭାଗ୍ୟ କି ସୌରୀନ୍ଦ୍ରଙ୍କଠାରେ ମୋର ପ୍ରବେଶ ହେଲା ବିଏ ପରେ । କବିତା କି ଗଳ୍ପ କ୍ଷେତ୍ରରେ ଏସମସ୍ତ କବି ଓ ଔପନାସିକ ମୋର ଦ୍ରୋଣଗୁରୁ । ସେମାନେ ପଢ଼ିବା ବେଳେ ମୋ ଭିତରେ ଏକ କଂଚାମାଟିର ସାହିତ୍ୟିକା ରୂପବନ୍ତ ହେବାକୁ ଲାଗିଥିଲା ହୁଏତ ।
ମୋର ଅଷ୍ଟମ ଶ୍ରେଣୀ ବେଳେ ଆମ ସ୍କୁଲ ମ୍ୟାଗଜିନରେ ପ୍ରକାଶିତ ମୋର ଏକ କବିତା ‘ଋତୁରାଜ’ ପଢ଼ି ଆମ ଜଗନ୍ନାଥ ସାର ମୁଁ କବିତାଟି ଲେଖିନଥିବି ବୋଲି ସଂଦେହ ପ୍ରକାଶ କରିଥିଲେ । ତାଙ୍କ ମତଟି ମୋତେଟିକେ ଆଘାତ ଦେଇଥିଲେ ବି ଭିତରେ ଭିତରେ ଉତ୍ସାହିତ କରିଥିଲା । ମୋ ଭିତରେ କବିଟି ଅଛି ବୋଲି ସେଦିନ ମୋର ବିଶ୍ୱାସ ହୋଇଥିଲା । ଜଗନ୍ନାଥ ସାର ଜଣେ ଲେଖକ (ସେତେବେଳେ ନଥିଲେ)  ଭାବେ ପରେ ପରିଚିତ ହେଲେ । ସେ  ମୋର ଜଣେ ଖୁବ୍ ଶୁଭଚିନ୍ତକ ଥିଲେ ।
ସେତେବେଳେ ସେତେବେଶି ପତ୍ରପତ୍ରିକା ପ୍ରାୟ ପ୍ରକାଶ ପାଉନଥିଲା । ପ୍ରଜାତନ୍ତ୍ର ଗାଁ ଗହଳିରେ ଖୁବ୍ ପ୍ରିୟ ପରିଚିତ ଥିଲା । ସେଥିରେ ଥିବା ସାହିତ୍ୟପୃଷ୍ଠାଟି ବାପା ମୋତେ ପଢ଼ିବାକୁ ଦେଇ ଲେଖିକାମାନଙ୍କ ବିଷୟରେ ବହୁତ ପ୍ରଶଂସାପୂର୍ଣ୍ଣ କଥା ମାନ କହୁଥିଲେ । ତାଙ୍କ ମୁହଁରୁ ସେ ପ୍ରଶଂସାମାନ ଶୁଣି ମୋ ଭିତରେ ଲେଖିକାଟିଏ ହେବାର ଇଚ୍ଛା ଜନ୍ମ ନେଉଥିଲା । ଆଉ ଏ ବେଳେ ପ୍ରଜାତନ୍ତ୍ରକୁ ପ୍ରଥମେ ଲେଖାଟିଏ ପଠାଇ ଫେଲ ମାରିଲି । ଦ୍ୱିତୀୟ ଥର ଗୋପନରେ ଆଉ ଗୋଟାଏ କବିତା ପଠାଇ ସଫଳ ହେବା ପରେ ଆଉ ପଛକୁ ଫେରି ନାହିଁ । ପ୍ରଜାତନ୍ତ୍ର ମୂଲଲେଖା ପୁରସ୍କାର ବି ପାଇଲି । ଏମ୍ଏ ବେଳକୁ ରେଡ଼ିଓରେ ମୋର କବିତା ବାଜିଲା । ସଚ୍ଚିରାଉତଙ୍କ ଦିଗନ୍ତ ଆସରକୁ ଡକା ହେଲା ଏବଂ ତାଙ୍କ ଦିଗନ୍ତ ପତ୍ରିକା ମୋତେ ଲେଖିକା ବୋଲି ଆବୋରି ନେଲା । ସଚ୍ଚିରାଉତ ରାଏ ପ୍ରତି ସପ୍ତାହରେ କବିତାଟିଏ ଲେଖି ତାଙ୍କ ପାଖକୁ ପଠାଇବାକୁ କହି ପ୍ରୋତ୍ସାହିତ କରି ଥିଲେ ମୋର କବିତା ଲେଖାର ଅଭ୍ୟାସକୁ । ଏମ୍ଏ ବେଳେ ୧୯୭୨ରେ ମୋର ବାହାଘର ପରେ ଦୀର୍ଘ ୧୦ ବର୍ଷ ଧରି ମୁଁ ଅନ୍ଧାରରେ ରହିଗଲି । କିନ୍ତୁ ସାହିତ୍ୟ ସୃଷ୍ଟି ପାଇଁ କି ପ୍ରକାଶନ ପାଇଁ ମୁଁ ନିଜ ଲୋକଙ୍କଠାରୁ ସେମିତି ବିଶେଷ ପ୍ରୋତ୍ସାହନ ପାଇନାହିଁ । କେହି ମୋତେ ହାତଧରି ଟେକି ନେବାକୁ, ଟର୍ଚ୍ଚଧରି ପ୍ରକାଶନର ରାସ୍ତା ଦେଖାଇବାକୁ ସେତେବେଳେ ସେତେ ଆଗ୍ରହ ପ୍ରକାଶ କରିନଥିଲେ । ଅବଶ୍ୟ ପ୍ରକାଶିତ ଲେଖାଟିଏ ପଢ଼ି ମୋର ସମଧର୍ମ ଅଧ୍ୟାପକମାନେ ମୋତେ ବହୁତ ପ୍ରଶଂସା କରିଥିଲେ । ଛାତ୍ରବଂଧୁମାନେ ଥଟ୍ଟା କରି କଣ କଣ କହିଥିଲେ ବି ମୁଁ ନିରୁତ୍ସାହିତ ହୋଇନଥିଲି । ଶୀର୍ଷକୁ ଛୁଇଁବାକୁ ମୋର କେହି ସାରସ୍ୱତ ଗଡ୍ ଫାଦର ସାହାଯ୍ୟ ପାଇଁ ନଥିଲେ । ସମାଜକୁ ଡରି ବାପା ବି ମୋତେ ପ୍ରୋତ୍ସାହିତ କରିବା ଉଚିତ ମନେ କରି ନଥିଲେ ହୁଏତ । କିମ୍ବା ନିଜ ପିଲାଙ୍କ ପ୍ରତିଭାର ବିଜ୍ଞାପନ ହେବ ବୋଲି ମନେ କରି ସେ ସଂକୁଚିତ ରହିଥିଲେ । ମାତ୍ର ଲେଖକର ଅନ୍ତର୍ନିିହିତ ଅନୁପ୍ରେରଣା, ଦୃଢ଼ମନୋବଳ ଏବଂ ପ୍ରଭାବଶାଳୀ ଭାବ, ଧାରାରୁ ଉତ୍ସାରିତ ସାହିତ୍ୟକୁ ଆପେ ଆପେ ବାଟ ମିଳିଯାଏ । ଶୀର୍ଷର ମୁକୁଟ ମିଳୁବା ନ ମିଳୁ ଶ୍ରଦ୍ଧାପୂର୍ଣ୍ଣ ପାଠକୀୟ ସ୍ୱୀକୃତିର ସୁନାଝଲମଲ ମୁକୁଟ ତା ମସ୍ତକରେ ସଦାବେଳେ ଝିକ୍ମିକ୍ କରୁଥାଏ ।
ଲେଖିକାଟିରେ ସାରସ୍ୱତ ଚଳାପଥ ସବୁବେଳେ କଂଟକ ଆବୃତ୍ତ । ମୁଁ ଯେତେବେଳେ ଲେଖା ଆରମ୍ଭ କଲି । ନାରୀଟିଏ ଲେଖିବା ଥିଲା ଏକ ଅପରାଧ, ତାର ସୁସ୍ଥ ସାମାଜିକ ଜୀବନରେ ବାଧକ । ସେକାଳେ ପ୍ରେମ କରୁଚି । ସେ ଚରିତ୍ରହୀନା । ଏସବୁର ଅପବାଦ, ପ୍ରଶଂସାଠାରୁ ଥିଲା ଅଧିକ । ଅବଶ୍ୟ ପ୍ରେମ ପ୍ରତ୍ୟେକ ସାରସ୍ୱତ ସର୍ଜନାର ମୂଳମଂଜି । ସେ ପ୍ରେମ ଯେ କେବଳ ନାରୀଟିର ପୁରଷ ପ୍ରତି ହୋଇଥିବ ତାହା ଏକମାତ୍ର ସତ୍ୟ ନୁହେଁ । ମଣିଷଟିଏ ମଣିଷକୁ ଭଲପାଏ । ଭଲପାଏ ଏ ସୃଷ୍ଟିର ସକଳ ବସ୍ତୁକୁ ଯିଏ ତାର ମନ ଛୁଏଁ । ଗଛ-ବୃକ୍ଷ, ପ୍ରକୃତି, ପାହାଡ, ନଦୀ-ସମୁଦ୍ର, ପକ୍ଷୀ ଓ ପ୍ରାନ୍ତର ସବୁକିଛିକୁ ଦେଖି ଲେଖିକାଟିଏ ଭାବପ୍ରବଣ ହୋଇପାରେ । ଭଗବାନଙ୍କ ପାଇଁ ବି ସମର୍ପିତ ହୋଇପାରେ । ପୁରୁଷ କବିତା, ଗଳ୍ପ ଓ ଉପନ୍ୟାସ ଲେଖିଲେ ସେ ଚରିତ୍ରହୀନ ହୁଏନା । କିନ୍ତୁ ନାରୀଟିଏ ଲେଖିଲେ ହୋଇଯାଏ ନଷ୍ଟନାରୀ । ଏସବୁ ଅବାନ୍ତରିକତା ମଧ୍ୟଦେଇ, କ୍ଷତାକ୍ତ ରକ୍ତାକ୍ତ ହୋଇ ମୋତେ ବହୁବାର ଗତି କରିବାକୁ ହେଇଚି । ସେ ହେଉ କୁମାରୀ ଜୀବନ କିମ୍ବା ଦାଂପତ୍ୟର ବିଡ଼ମ୍ବିତ କ୍ଷଣ । ବହୁବାର କବିତାର କଲ୍ଲୋଲ ଥମି ଯାଇଛି । ଭାବର ଲହରୀ କୂଳ ନ ଛୁଇଁ ଫେରି ଯାଇଛି । ପ୍ରକାଶର ପବନ ଗୁମସୁମ ରହିଯାଇଛି ବେଶ ବର୍ଷ ବର୍ଷ ଧରି । ହେଲେ ଘାସ ସିକଡାଟିଏ ପରି ଲେଖକଟିଏ ବାରମ୍ବାର ପ୍ରତିରୋଧ ଓ ପ୍ରତିକୂଳତାର ପାକୁଳିର ଚର୍ବିତ ହେବା ପରେ ଜାହିର ମଧ୍ୟ ବିଂଚି ଉଠେ । ନିଜକୁ କରୁଥାଏ ମରିବା ପର୍ଯ୍ୟନ୍ତ । ଉଦାସୀନ ପରିବାର ପ୍ରିୟଜନ, ଅଯଥା ଉତ୍ସୁକ ପ୍ରତିବେଶୀ…ଅସହଣୀ ଈର୍ଷାଳୁ ସମଧର୍ମୀ ମାନଙ୍କର ଈର୍ଷାଦ୍ୱେଷ ଓ କୁଟୀଳତା ସବୁକିଛି ତୁଚ୍ଛ ହୋଇଯାଏ ପ୍ରକାଶେଚ୍ଛାର ପ୍ରଳୟ ସାମନାରେ । ସବୁକିିଛି ଅଡୁଆ ଭାସିଯାଏ ସୃଜନର ପ୍ଲାବନରେ କୁଟାଖିଅଟେ ପରି ।
ଧୈର୍ଯ୍ୟ, ନିଷ୍ଠାପର, ସାଧନା, ସହିଷ୍ଣୁତା ଏବଂ ନିନ୍ଦା ପ୍ରଶଂସାର ଉଦ୍ଧ୍ୱର୍ର ଅନୁଚିନ୍ତା ହିଁ ସାରସ୍ୱତ ସାଧିକାଟିରେ, ପରିବେଶକୁ ବଦଳାଇ ଦେଇପାରେ । ନିନ୍ଦୁକ ପାଲଟିଯାନ୍ତି ପ୍ରଶଂସକ, ଇର୍ଷାଳୁର ଅହଂକାରୀ ଦବିଯାଏ, ଅସହଯୋଗୀ କୁସୁମପରଶେ ପଟନିସ୍ତରେ ନ୍ୟାୟରେ ପାଖେଇ ଆସନ୍ତି । ସୃଜନର ସମାରୋହରେ ସମ୍ମୋହିତ ହୋଇ ଉଠନ୍ତି କବି, କବି ବନ୍ଧୁ, ପ୍ରିୟ ପରିଜନ ଏବଂ ସମାଜର ପ୍ରତ୍ୟେକ ବ୍ୟକ୍ତି ବିଶେଷ । ଇର୍ଷାଅସୂୟା ଦୂରେଇଯାଏ, ଲିଭିଯାଏ ଦୁଃଖ ଅବସାଦ । ସୃଜନର ପିୟୂଷ ବିଂଦୁ ବିଂଚିପଡ଼େ ବାହାରେ ଭିତରେ…ସବୁଆଡେ ଖେଳିଯାଏ ଖୁସି… ଆନନ୍ଦ ଓ ଆନନ୍ଦ । ମୋ ଜୀବନ ସୃଜନ ପଥ ଏମିତି ଉତ୍ଥାନ ପତନର ଭାଗ୍ୟ ଓ ଭବିଷ୍ୟତ ଧରି ଲମ୍ବି ଯାଇଚି ଦୀର୍ଘ ଚାରିଦଶନ୍ଧି ତଳୁ । ତଥାପି ଶୀର୍ଷ ଛୁଇଁବାକୁ ବାକି ଅଛି ପ୍ରତିକୂଳତା ବହୁବାର ମୋତେ ବାହୁଟି ଘେରିଛି । ତଥାପି ମୁଁ ଚାଲିଛି ପାଠକୀୟ ଶୁଭେଚ୍ଛାର ହାତଧରି, ପ୍ରକାଶର ଆଲୋକରେ ଭିଜିଭିଜି । ସୃଜନର ପଥ ମୋର ହଲ୍ଲୋଳମୟ ଆଉ ଯାହା ବାକି-ଭାଗ୍ୟ, ଭବିଷ୍ୟତ ତା’ତ ଭଗବାନ ଏବଂ ମୋର ସାଧନାର ନିଷ୍ଠା ହାତରେ ସମର୍ପିତ ।
ଶଦ୍ଦ ଯୋଗରେ କବି
କେହି ଜଣେ ଆସୁଚି
ଏଇଠି ପାଖରେ କେଉଁଠି
ତାର ପାଦଶଦ୍ଦ ଶୁଭୁଛି
କାଠହଣା ପକ୍ଷୀ ପରି
ପାହାଚ ପାହାଚ ଟପି
ସେ ହୁଏତ, ବଂଦ ଦରଜାସବୁ
ଖୋଲିବାର ପ୍ରଚେଷ୍ଟାରେ ଅଛି ।
ତା ଆସିବା ନେଇ
ଏଠି ସର୍ବେ ବେଶ୍ ଉତ୍ସାହିତ,
ଆମୋଦିତ ଏବଂ ଉକ୍ରଣ୍ଠିତ
ଭିତରେ ଭିତରେ କାହିଁ
ଭୟଭୀତ ମଧ୍ୟ ।
ଯେଣୁ ସିଏ
ପଳପଳ କିଛି,
ତା’ପାଦରେ ଦଳି ମନ୍ଥି
ପୋଛି ନେଇପାରେ
ଅବଶିଷ୍ଟ କିଛିଟା ଆୟୂଷ ।
ସେ ଆସିଲେ କାଳେ
ସାକାର କରିବ
ଅସୁମାରୀ ସ୍ୱପ୍ନ,
ପୋଛି ଦେବ ତ୍ରାସ ପରିତାପ,
ନିଭାଇବ ଯୁଗଯୁଗ
ଭୋଗୁଥିବା ଅପ୍ରକାଶ୍ୟ ଦୁଃଖ
ତା ଆସିବା ନେଇ
ସବୁଲାଗେ ସ୍ୱର୍ଣ୍ଣିମ, ପୂର୍ଣ୍ଣିମ
ସୁଖମୟ ହିଲ୍ଲୋଳରେ
ଆଶାସବୁ ସମ୍ଭାବନା ମୟ ।
କିଏ ସିଏ?
ନବ ଜନ୍ମ ଅବା
ଅନ୍ତିମ କ୍ଷଣ?
ଜୀବନର ସୁଖଦୁଃଖ
ଦ୍ୱିବିଧ ତରଂଗ ।
ଯା’ପାଇଁ ନିରତ
କବିଟିଏ ସାଧୁଥାଏ
ସ୍ୱତଃ ଶଦ୍ଦଯୋଗ
ସେ ଆସୁଚି
ଦୁଇ ହାତେ ତା’ର
ଜନ୍ମ ଓ ମରଣ,
ଉଦ୍ଧ୍ୱର୍ ଉଡାଣ ଲାଗି
କାଳର ଡେଣାରେ ବସି
ଉଦାସୀନ କବିଟିଏ
ସର୍ଜନାର ଯୋଗରେ ନିମଗ୍ନ ।

Leave a Reply