ସବ୍ୟସାଚୀଙ୍କ ଆଦିମ ବିଚାର

ବ୍ୟକ୍ତି ଓ ବ୍ୟକ୍ତିତ୍ୱ

ସବ୍ୟସାଚୀ ମହାପାତ୍ର । ସୁପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ । ଡ୍ରାମା ନିର୍ଦ୍ଦେଶକରୁ ଚଳଚ୍ଚିତ୍ର ନିର୍ଦ୍ଦେଶକ । ସୁବର୍ଣ୍ଣପୁର ଜିଲ୍ଲାର ଛୋଟ ଏକ ଗାଁ ଲେହେଡିରୁ ସ୍ୱପ୍ନନଗରୀ ମୁମ୍ବାଇ ଯାତ୍ରା । ଦୀର୍ଘ ଦିନର କ୍ୟାରିଅର । ଅଭିଜ୍ଞତା, ଗଭୀର ନିଷ୍ଠା ଓ କଠିନ ପରିଶ୍ରମ ତାଙ୍କୁ ଆଜି ଜଣେ ସଫଳ ନିର୍ଦ୍ଦେଶକ ଭାବେ ପରିଚିତି ଦେଇଛି । ସବ୍ୟସାଚୀଙ୍କ ନିର୍ଦ୍ଦେଶନାରେ ରହିଛି ଯାଦୁକରୀ ସ୍ପର୍ଶ । ସାଧାରଣ କଥାକୁ ମଧ୍ୟ ସେ ଅସାଧାରଣ ଭାବେ ପ୍ରଦର୍ଶିତ କରିଥାଆନ୍ତି ନିଜ ଚଳଚ୍ଚିତ୍ରରେ । ତାଙ୍କ ନିର୍ଦ୍ଦେଶନାରେ ବୁଢ଼ା ବି ହୋଇଉଠେ ଯୁବକ । ୮୨ ବର୍ଷର କଳାକାର ମଧ୍ୟ ହୋଇପାରେ ସବ୍ୟସାଚୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରର ମୁଖ୍ୟ ନାୟକ । ଅଭିନେତା ଅଭିନେତ୍ରୀଙ୍କୁ ଚରିତ୍ର ଭିତରେ ନିମଜ୍ଜିତ କରିବା ପରେ ସେ ଆରମ୍ଭ କରନ୍ତି ସୁଟିଂ । କଳାକାର ଭିତରେ ସେ ଭରି ଦେଇପାରନ୍ତି ବିପୁଳ ଆବେଗ, ଶ୍ରଦ୍ଧା । ସେଇ ଶ୍ରଦ୍ଧା ଓ ବିନୀତ ଭାବରୁ ଅଭିନେତାଅଭିନେତ୍ରୀ ଚମକ୍ରାର ଅଭିନୟ କରନ୍ତି ସବ୍ୟସାଚୀଙ୍କ ନିର୍ଦ୍ଦେଶନାରେ । ନିଖୁଣ ନିର୍ଦ୍ଦେଶନା, ଚରିତ୍ରପୋଯୋଗୀ କଳାକାର ଚୟନ, କଠିନ ପରିଶ୍ରମ ତାଙ୍କ ଚଳଚ୍ଚିତ୍ରଗୁଡ଼ିକୁ ସଫଳତାର ଶିଖରକୁ ନେଇ ଯାଇଥାଏ । ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିକ ଓଡ଼ିଆ, ସମ୍ବଲପୁରୀ/କୋଶଲୀ ଭାଷାର ଚଳଚ୍ଚିତ୍ରଗୁଡ଼ିକ ଦର୍ଶକଙ୍କ ହୃଦୟସ୍ପର୍ଶୀ ହୋଇପାରିଛି । ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରଗୁଡ଼ିକ ବିିଭିନ୍ନ ବିଭାଗରେ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଅନେକ ପୁରସ୍କାର ଲାଭ କରିଛି । ଚଳଚ୍ଚିତ୍ର ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ସେ ବହୁ ଅନୁଷ୍ଠାନରୁ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି । ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ଜୀବନ ଓ ଚଳଚ୍ଚିତ୍ର କ୍ୟାରିଅର ସଂପର୍କରେ ଜାଣିବା ପାଇଁ ଭେଟିଥିଲୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ । ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ସହିତ ହୋଇଥିବା କିଛି ଅନ୍ତରଙ୍ଗ ବାର୍ତ୍ତାଳାପର କିୟଦଂଶ ପ୍ରକାଶ କରୁଛୁ ‘ନବନୀତା’ର ପାଠକପାଠିକାଙ୍କ ପାଇଁ ।

   “ନିଷ୍ଠା ଓ ଆନ୍ତରିକତା ସହ କାମ କଲେ ସଫଳତା ନିଶ୍ଚୟ ମିଳିବ”…ଡ.ସବ୍ୟସାଚୀ ମହାପାତ୍ର

୧. ସୋନପୁର ଲେହେଡିରୁ ସ୍ୱପ୍ନ ନଗରୀ ମୁମ୍ବାଇ ଯାତ୍ରା କିଭଳି ଥିଲା? ସେ ସଂପର୍କରେ କିଛି କହନ୍ତୁ?
ସବ୍ୟସାଚୀ ମହାପାତ୍ର: ମୋ ଗାଁ ସୁବର୍ଣ୍ଣପୁର ଜିଲ୍ଲାର ଲେହେଡ଼ି । ଜନ୍ମ କିନ୍ତୁ ମାମୁଁ ଘର ବଲାଙ୍ଗିରରେ । ବାପା ଶିକ୍ଷକ ଥିଲେ । ଭଇଁସା, ମଣ୍ଡଳ, ଦେଓଗାଁ ଭଳି ଛୋଟ ଛୋଟ ଗାଁ ସ୍କୁଲରେ ସେ ପାଠ ପଢ଼ାଉ ଥିଲେ । ତେଣୁ ମୋ ପାଠପଢ଼ା ମଧ୍ୟ ସେହିପରି ସ୍କୁଲରେ ଆରମ୍ଭ ହୋଇଛି । ଭଲ ଛାତ୍ର ଥିଲି, ସ୍କଲରସିପ୍ ପାଉଥିଲି । ତେବେ ଅଷ୍ଟମ କ୍ଲାସ ସମୟରେ ବଲାଙ୍ଗିରର ପୃଥ୍ୱୀରାଜ ହାଇସ୍କୁଲରେ ଯୋଗ ଦିଅନ୍ତି । ହେଲେ ଅଷ୍ଟମ କ୍ଲାସ୍ର ଶେଷ ଭାଗକୁ ସାଙ୍ଗମାନଙ୍କ ସହ ସିନେମା ଦେଖିବାକୁ ସୁଯୋଗ ମିଳିଲା । ତା ପୂର୍ବରୁ ମୋ ଜେଜେ ଗଙ୍ଗାଧର ମହାପାତ୍ର ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ବ୍ୟକ୍ତିଗତ କଂପାଉଣ୍ଡର ଥିଲେ । ଏବଂ ଆର୍ଏନ୍ ସିଂହଦେଓଙ୍କ ସହ ନାଟକ, ଡ୍ରାମା କରୁଥିଲେ । ତେଣୁ ମୋ ବାପାଙ୍କ ବି ଟିକେ ନାଟକ ପ୍ରତି ଦୁର୍ବଳତା ଥିଲା । ବିଶେଷ କରି ଗାଁ ଗହଳିର ଶିକ୍ଷକମାନେ ନାଟ୍ୟ ନିର୍ଦ୍ଦେଶକ, ଜ୍ୟୋତିଷ କାମ କରୁଥିଲେ । ତେବେ ପିଲାଦିନୁ ମୋର ନାଟକ, ଡ୍ରାମା, ସିନେମା ପ୍ରତି ପ୍ରବଳ ଆଗ୍ରହ ଥିଲା । ଏମିତିକି ସାଙ୍ଗମାନଙ୍କ ସହ ଫାଷ୍ଟ ଡେ ଫାଷ୍ଟ ସୋ ଦେଖିବାକୁ ଯାଉଥିଲୁ । ସମ୍ବଲପୁର ଅଲ୍ ଇଣ୍ଡିଆ ରେଡିଓ, ଉପଗ୍ରହ ଦୂରଦର୍ଶନର କଳାକାର ଥିଲି । ସିନେମା ପ୍ରତି ନିଶା ଥିଲା ପ୍ରବଳ ଭାବରେ । ଆକ୍ଟିଂ କରିବା ନିଶା ଥିଲା । ସାଧୁ ବାବୁ ଜାତୀୟ ପୁରସ୍କାର ପାଇଲେ, ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲୁ । ସେତେବେଳେ ଡ୍ରାମା ନିର୍ଦ୍ଦେଶନା ଦେବା ଆରମ୍ଭ କରି ଦେଇଥିଲି । ସାଧୁ ବାବୁ ହିରୋଇନଟିଏ ଖୋଜୁ ଥିଲେ । ମୁଁ ତାଙ୍କୁ ମୋ ଗ୍ରୁପର ଜଣେ ହିରୋଇନଙ୍କୁ ସଜେଷ୍ଟ୍ କଲି । ସେ ତାଙ୍କୁ ସିଲେକ୍ଟ କଲେ । ଏବଂ ସାଧୁ ବାବୁ କହିଲେ ଆସ ଡ୍ରାମା ଡିରେକସନ ଦିଅ  । ସେପରି ଭାବରେ ମୋର ଫିଲ୍ମ ଜୟଯାତ୍ରା ଆରମ୍ଭ ହେଲା ଅଭିମାନରୁ । ତା ପରେ ପାଖାପାଖି ୨୦ଟି ଫିଲ୍ମରେ ଏସୋସିଏଟ୍ ଡାଏରେକ୍ଟର ହେଲି । ସେ ସମୟରେ ସମ୍ବଲପୁରରେ ପ୍ରାକ୍ଟିସିଂ ଲୟର ଥିଲି, କୋର୍ଟ ଫୋର୍ଟ ସବୁ ପ୍ୟାକ୍ କରି ଏହି ଲାଇନରେ ସଂପୂର୍ଣ୍ଣ ଭାବେ ପ୍ରବେଶ କଲି । ହେଲେ ସେତେବେଳେ ଫିଲ୍ମରେ କ୍ୟାରିୟର କରିବାଟା କଷ୍ଟକର ବ୍ୟାପାର ଥିଲା । ୧୯୮୬ରେ ମୋର ସ୍ୱାଧୀନ ଭାବରେ ପ୍ରଥମ ଫିଲ୍ମ ସବୁ ମାୟାରେ ବାୟା ରିଲିଜ୍ ହେଲା । ତେବେ ଶ୍ରୀୟା ଚାଣ୍ଡାଲୁଣୀ ସୁଟିଂ ହୋଇ ପାରିଲା ନାହିଁ ।
୧୯୮୬ ମସିହାରେ ଜୟଜଗନ୍ନାଥ ଫିଲ୍ମକୁ ନେଇ ପ୍ରଥମେ ଆରମ୍ଭ ହୁଏ ମୁମ୍ବାଇ ଯାତ୍ରା । ସେବେଠୁ କଳ୍ପନା ଥିଲା ଏହି ଫିଲ୍ମକୁ ହିନ୍ଦୀ, ବେଙ୍ଗଲି ଏବଂ ଓଡ଼ିଆ ଭାଷାରେ କରିବା ପାଇଁ । ରବିନ୍ଦ୍ର ଜୈନଙ୍କୁ ନେଇ ଏକ ମ୍ୟୁଜିକ ରେକର୍ଡିଂ ବି ହେଲା । ସେ ସମୟରେ ରାମାନନ୍ଦ ସାଗରଙ୍କ ସହିତ ଚିହ୍ନା ପରିଚୟ ହୁଏ । ରାମାନନ୍ଦ ସାଗର ମୋ ନାଁରେ ତିନୋଟି ଫିଲ୍ମ ଘୋଷଣା କଲେ ଓଡ଼ିଆ, ବେଙ୍ଗାଲି ଏବଂ ଆସାମ ଭାଷାରେ । ସେ ଫିଲ୍ମରେ କାମ କରିବା ପାଇଁ ୧୯୮୭ ମସିହାରେ ପରିବାର ସହ ମୁମ୍ବାଇ ଯାଉ । ରାମାନନ୍ଦ ସାଗରଙ୍କ ସହିତ ସ୍କ୍ରିପ୍ଟ ଆରମ୍ଭ ହେଲା । ହେଲେ ପ୍ରୟୋଜକ ପ୍ରୟୋଜକ ମଧ୍ୟରେ ଝଗଡ଼ା ହୋଇ ଜୟଜଗନ୍ନାଥ ବନ୍ଦ ହୋଇଗଲା । ପୁରା ଦୁଇ ବର୍ଷର ରହଣୀ ବରବାଦ ହୋଇଗଲା ।
୨. ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରିବାକୁ କିଭଳି ଆକର୍ଷିତ ହେଲେ ଓ ଏହା ପଛରେ କାହାର ପ୍ରେରଣା ରହିଛି?
ସବ୍ୟସାଚୀ ମହାପାତ୍ର: ବାପା ଚାହୁଁ ନଥିଲେ ଫିଲ୍ମ ଲାଇନକୁ ପ୍ରଫେସନ୍ କରିବା ପାଇଁ । ମୁଁ ନିଜେ ନିଜେ ଫିଲ୍ମ ଲାଇନକୁ ପ୍ରବେଶ କଲି । ପେଶା ନୁହେଁ ନିଶାରେ ଏହି ଲାଇନକୁ ଆସିଲି । କାମରେ ଭାରି ସିନସିୟର, ପାଗଳପନ ଅଛି କାମ କରିବା ପାଇଁ । ବମ୍ବେର ଫ୍ରସଟେସନ ଆସିଲା, ତାପରେ ଭାଇମାନେ ବାହାରିଲେ ଫିଲ୍ମ କରିବା ପାଇଁ, ସେଠୁ ଭୂଖା ଆରମ୍ଭ ହେଲା ।
୩. ଆପଣ ‘ବାହୁଡ଼ିବେ ମୋ ଜଗା ବଳିଆ’, ‘ବୋଉ’, ସବୁ ମାୟାରେ ବାୟା’ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି । କିନ୍ତୁ ସମ୍ବଲପୁରୀ/କୋଶଲି ଭାଷାରେ ଚଳଚ୍ଚିତ୍ର ପରି ସେଗୁଡ଼ିକ ସେତେଟା ଚର୍ଚ୍ଚାକୁ ଆସି ପାରିନାହିଁ କାହିଁକି?
ସବ୍ୟସାଚୀ ମହାପାତ୍ର: ମୋର ମେନ୍ ଷ୍ଟ୍ରିମ୍ ଓଡ଼ିଆ ସିନେମା ସୁପରହିଟ୍ ହୋଇଛି । ସବୁ ଫିଲ୍ମରେ ଆୱାର୍ଡ ବି ମିଳିଛି । ବ୍ୟବସାୟିକ ଫିଲ୍ମ ଟାର୍ଗେଟରେ ଦର୍ଶକ । ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ମଧ୍ୟ ମୁଁ ଅନେକଟା ସଫଳତା ପାଇଛି । ତେବେ ମୋର ଇଚ୍ଛା ଥିଲା ସମ୍ବଲପୁରୀ/କୋଶଲୀ ଭାଷାରେ ଚଳଚ୍ଚିତ୍ର ତିଆରି କରିିବି । ଭୂଖା ସମ୍ବଲପୁରୀ ଭାଷାରେ ନିର୍ମିତ । ସେତେବେଳେ ସବ୍ଜେକ୍ଟ ଡିମାଣ୍ଟ କରୁଥିଲା । ମଙ୍ଗଳୁ ବିଶ୍ୱାଳଙ୍କ ନାଟକକୁ ନେଇ ଭୂଖା ନିର୍ମିତ । ଭୂଖାକୁ ବହୁତ ସଫଳତା ମିଳିଲା । ଝିଲି ଫିଲ୍ମର ପରିଶ୍ରମ ସବୁ ପାଣିରେ ପଡ଼ିଗଲା । ଆର୍ଟ ଫିଲ୍ମରେ ଖ୍ୟାତି, ସମ୍ମାନ ମିଳେ ହେଲେ ଅର୍ଥ ମିଳେନି । ତେଣୁ ଓଡ଼ିଆ ଅପେକ୍ଷା ସମ୍ବଲପୁରୀ/କୋଶଲି ଭାଷାରେ ନିର୍ମିତ ଚଳଚ୍ଚିତ୍ର ଅଧିକ ଲୋକପ୍ରିୟ ହୋଇପାରିଛି ।
୪. ଆପଣ ଚାହିଁଥିଲେ ଆହୁରି ଅନେକ ଓଡ଼ିଆ ଚଳଚ୍ଚିତ୍ର କରି ପାରିଥାଆନ୍ତେ । କିନ୍ତୁ ସମ୍ବଲପୁରୀ/କୋଶଲି ଭାଷାରେ ଚଳଚ୍ଚିତ୍ର କରିବାକୁ କାହିଁକି ଇଚ୍ଛା ପ୍ରକାଶ କଲେ?
ସବ୍ୟସାଚୀ ମହାପାତ୍ର: ଶଳାବୁଢ଼ା ପ୍ରକାଶିତ ହେବା ପରେ ଓଡ଼ିଶାର ଖ୍ୟାତନାମା ଲେଖକ ସାତକଡ଼ି ହୋତା, କବି ପ୍ରସାଦ ମିଶ୍ର, ବିଜୟ ମିଶ୍ର ପୀତବାସ ରାଉତରାୟ ବାପାଙ୍କର ଷ୍ଟୋରୀକୁ ନେଇ ସିନେମା କରିବାକୁ ଉତ୍ସାହିତ କଲେ । ତାପରେ ଏଥିରୁ ଆବିଷ୍କାର କରି ଶଳାବୁଢ଼ା ଉପରେ ସିନେମା ତିଆରି ମନସ୍ଥ କଲି । ଆରମ୍ଭ ହୁଏ ଶଲାବୁଢ଼ା । ସିନେମାକୁ ବୁଦ୍ଧିଜୀବୀ ଓ ସାଧାରଣ ଦର୍ଶକ ବହୁ ପସନ୍ଦ କଲେ । ପରବର୍ତ୍ତୀ ସମୟରେ ‘ଆଦିମ ବିଚାର’ ଚଳଚ୍ଚିତ୍ରକୁ ଦଶର୍କମାନେ ବେଶ୍ ପସନ୍ଦ କରନ୍ତି । ଆଉ ଏଥିପାଇଁ ବିଭିନ୍ନ ବର୍ଗରେ ଅନେକ ପୁରସ୍କାର ମିଳିଛି ।
୫. ସାଧାରଣତଃ ସିନେ ନିର୍ଦ୍ଦେଶକ ଓ ପ୍ରଯୋଜକମାନଙ୍କ ପ୍ରଥମ ପସନ୍ଦ ବ୍ୟବସାୟିକ ଚଳଚ୍ଚିତ୍ର । କିନ୍ତୁ ଆପଣ ଏ  କ୍ଷେତ୍ରରେ ବ୍ୟତିକ୍ରମ । ଆପଣ କଳାତ୍ମକ ଚଳଚ୍ଚିତ୍ର ନିର୍ମାଣ କରି ଓଡ଼ିଶାରେ ଏକ ନୂଆ ଧାରା ସୃଷ୍ଟି କରିଛନ୍ତି । ତେବେ କଳାତ୍ମକ ଚଳଚ୍ଚିତ୍ର କରିବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି?
ସବ୍ୟସାଚୀ ମହାପାତ୍ର:ବ୍ୟବସାୟିକ ଫିଲ୍ମ କ୍ଷଣସ୍ଥାୟୀ । କିନ୍ତୁ କଳାତ୍ମକ ଫିଲ୍ମ ଚିରସ୍ଥାୟୀ । ସବୁବେଳେ ବ୍ୟବସାୟକୁ ଆଖି ଆଗରେ ରଖି ମୁଁ ଚଳଚ୍ଚିତ୍ର ନିର୍ମାଣ କରିନାହିଁ । ଆମ ସଂସ୍କୃତି, ପରମ୍ପରା, ଚଳଣି, ପାରମ୍ପରିକ ନାଚଗୀତକୁ ନେଇ ଫିଲ୍ମ ତିଆରି କରିବା ପାଇଁ ଚାହିଁଛି । ଆଉ ସେଥିପାଇଁ କଳାତ୍ମକ ଚଳଚ୍ଚିତ୍ର ଉପରେ ମୁଁ ଅଧିକ ଗୁରୁତ୍ୱ ଦେଇଛି ।  ଗୋଟିଏ ଭଲ ଚଳଚ୍ଚିତ୍ର ନିର୍ମାଣ ପାଇଁ ଟଙ୍କା ଆବଶ୍ୟକତା ରହିଛି । ଏଥିପାଇଁ ମୁଁ ସବୁବେଳେ ପ୍ରସ୍ତୁତ ଅଛି । ଯଦି କଳାତ୍ମକ ଚଳଚ୍ଚିିତ୍ର ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ ହୋଇପାରିଛି ଟଙ୍କା ଖର୍ଚ୍ଚ ବାଧେ ନାହିଁ । ପନୋରମା ଓ ଡିଡି ନେସନାଲରେ ପ୍ରସାରିତ ହୋଇଗଲେ ଖର୍ଚ୍ଚ ଉଠିଯାଏ । ବର୍ତ୍ତମାନ ନିଷ୍ପତ୍ତି ନେଇଛୁଁ ଯେ, ଆଗାମୀ ଦିନଯେ ଯେଉଁ ଫିଲ୍ମ ତିଆରି କରିିବୁ ସେସବୁ ଏଭଳି କଳାତ୍ମକ ଚଳଚ୍ଚିତ୍ର ହେବ ।
୬. ବର୍ତ୍ତମାନ ନୂଆ ଟେକ୍ନୋଲୋଜି ସହିତ ରଂଗୀନ ଚଳଚ୍ଚିତ୍ର ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ସିନେ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ । କିନ୍ତୁ ଆପଣଙ୍କ ସମ୍ବଲପୁରୀ/କୋଶଲି ଚଳଚ୍ଚିତ୍ର ‘ଶଲାବୁଢ଼ା’ ଚଳଚ୍ଚିତ୍ର କଳାଧଳା । କଳାଧଳା ଚଳଚ୍ଚିତ୍ର ଉପରେ ଆପଣ କାହିଁକି ଗୁରୁତ୍ୱ ଦେଇଥିଲେ?
ସବ୍ୟସାଚୀ ମହାପାତ୍ର: ‘ଶଲାବୁଢ଼ା’ ଚଳଚ୍ଚିତ୍ର କଲରରେ ସୁଟିଂ ହୋଇଛି କିନ୍ତୁ କଳାଧଳାରେ ତିଆରି ହୋଇଛି । କାରଣ ସେହି ସମୟର ଚିତ୍ରକୁ ସଠିକ୍ ଭାବେ ଉପସ୍ଥାପିତ କରିବା ପାଇଁ କଳାଧଳା ଫିଲ୍ମ କରାଯାଇଛି । ସେତେବେଳେ ବହୁତ ଲୋକ ସମାଲୋଚନା ବି କଲେ । କଳାଧଳା ଫିଲ୍ମ ତିଆରିରେ ଅଧିକ ଖର୍ଚ୍ଚ ହୁଏ । କିନ୍ତୁ କଲର ଚଳଚ୍ଚିତ୍ର କଳାଧଳାଠାରୁ ଶସ୍ତା ।
୭. ଆପଣଙ୍କ ଚଳଚ୍ଚିତ୍ରଗୁଡ଼ିକରେ ପଶ୍ଚିମ ଓଡ଼ିଶାର ସଂସ୍କୃତି, ପରମ୍ପରାର ଚିତ୍ର ପ୍ରତିଫଳିତ ହୋଇଥାଏ । ଆପଣଙ୍କ ଜନ୍ମ ପଶ୍ଚିମ ଓଡ଼ିଶାରେ ହୋଇଥିବାରୁ ସେଥିପାଇଁ କ’ଣ ଆପଣ ନିଜ ଚଳଚ୍ଚିତ୍ରଗୁଡ଼ିକରେ ପଶ୍ଚିମ ଓଡ଼ିଶାରୁ ଅଧିକ ଫୋକସ୍ କରିଛନ୍ତି?
ସବ୍ୟସାଚୀ ମହାପାତ୍ର: ସଂସ୍କୃତି, ପରଂପରା ପ୍ରତି ମୋର ଘୋର ଦୁର୍ବଳତା । ନିଜ ଜନ୍ମ ମାଟି, ନିଜ ଅଞ୍ଚଳର ଲୁକାୟିତ୍ ଲୋକକଳା, ଲୋକ ସଂସ୍କୃତି, ପରମ୍ପରାକୁ ଉଜ୍ଜୀବିତ କରିବା ତଥା ତାର ପ୍ରଚାର ପ୍ରସାର କରିବା ହେଉଛି ମୋର ଉଦ୍ଦେଶ୍ୟ । ତେଣୁ ମୋର ଚଳଚ୍ଚିତ୍ରଗୁଡ଼ିକରେ ପଶ୍ଚିମ ଓଡ଼ିଶାର ସଂସ୍କୃତି, ପରମ୍ପରା, ଚାଲିଚଳଣି, ଲୋକନାଚ,ଗୀତକୁ ଅଧିକ ଗୁରୁତ୍ୱ ଦେଇଥାଏ । ଆଉ ଦର୍ଶକମାନେ ମଧ୍ୟ ଏହାକୁ ଖୁବ୍ ପସନ୍ଦ କରନ୍ତି । ମୋର ଆଗାମୀ ଫିଲ୍ମରେ ‘ଦଣ୍ଡ’ର ଏକ ଗୀତ ଦିଆଯିବା ସହ ‘ସଂପ୍ରଦା’ ଓ ‘ସଂଚାର’ କଳାର ଝଳକ ମଧ୍ୟ ଦେଖିବାକୁ ମିଳିବ ।
୮. ଆପଣଙ୍କ ପରିବାରର ଅନେକ ସଦସ୍ୟ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ । ଆପଣଙ୍କ ଅନ୍ୟ ଭାଇମାନେ କିଭଳି ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରିବାକୁ ଆଗ୍ରହୀ ହେଲେ? ଏହା ପଛରେ କାହାର ପ୍ରେରଣା ରହିଛି?
ସବ୍ୟସାଚୀ ମହାପାତ୍ର: ଆମ ପରିବାର ହେଉଛି ଏକ କଳାପ୍ରିୟ ପରିବାର । କଳା ପ୍ରତି ସମସ୍ତଙ୍କର ଦୁର୍ବଳତା ରହିଛି । ବଡ଼ ଭାଇର ପ୍ରଭାବ ସବୁବେଳେ ଛୋଟମାନଙ୍କ ଉପରେ ପଡ଼େ । ମୋର ପରେ ପରେ ଅନ୍ୟଭାଇମାନେ ମଧ୍ୟ ଧୀରେ ଧୀରେ ସମସ୍ତେ ଏ ଦିଗକୁ ପ୍ରବେଶ କଲେ । ମୁଁ ବମ୍ବେ ଗଲା ପରେ ଜଣେ ଜଣେ କରି ଫିଲ୍ମ ଲାଇନକୁ ଆସିଲେ । ତେଣୁ ସବୁ ଯାକ ବିଧି ନିର୍ଦ୍ଦେଶ, ମୁଁ ନିମିତ୍ତ ମାତ୍ର । ଭୂଖାର ଅପୂର୍ବ ସଫଳତା ପରେ ବାପା ମଧ୍ୟ ଏ ଦିଗ ପ୍ରତି ଆକର୍ଷିତ ହେଲେ । ପୂର୍ବରୁ ବାପା ମନା କରୁଥିଲେ ଚଳଚ୍ଚିତ୍ର କ୍ଷେତ୍ରକୁ ପ୍ରବେଶ କରିବା ପାଇଁ, କିନ୍ତୁ ଏବେ ସମସ୍ତଙ୍କୁ ଉତ୍ସାହିତ କରୁଛନ୍ତି ।
୯. ଓଡ଼ିଶାରେ ଅନେକ ଜନଜାତି ବସବାସ କରୁଛନ୍ତି? କିନ୍ତୁ କନ୍ଧ ଜନଜାତିକୁ ନେଇ ‘ଆଦିମ ବିଚାର’ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ କାହିଁକି ମନ ବଳାଇଥିଲେ?
ସବ୍ୟସାଚୀ ମହାପାତ୍ର: ପଶ୍ଚିମ ଓଡିଶାରେ କନ୍ଧମାନଙ୍କର ବଡ଼ ଭୂମିକା ରହିଛି । କନ୍ଧମାନଙ୍କର ମାନବିକ ମୂଲ୍ୟବୋଧ ରହିଛି । ସମସ୍ତେ ପରଂପରା ପ୍ରିୟ । ସଂସ୍କୃତି ଓ ପରଂପରାକୁ ପ୍ରାଣ ଦେଇ ଭଲ ପାଆନ୍ତି । ଆମମାନଙ୍କ ବିଚାରାଧାରାଠୁ ତାଙ୍କର ବିଚାରାଧାର ବହୁ ଅଧିକ । ତେଣୁ କନ୍ଧ ସଂସ୍କୃତି ଓ ପରଂପରାକୁ ନେଇ ‘ଆଦିମ ବିଚାର’  ଚଳଚ୍ଚିତ୍ର ନିର୍ମାଣ ପାଇଁ ମନସ୍ଥ କଲି ।
୧୦. ‘ଶଲାବୁଢ଼ା’ ହେଉକି ‘ଆଦିମ ବିଚାର’ର କାହାଣୀ, ନିର୍ଦ୍ଦେଶନା, ପ୍ରଯୋଜନା, ସଂପାଦନା ଆଦି କାର୍ଯ୍ୟରେ ଆପଣଙ୍କ ପରିବାରର ସଦସ୍ୟମାନେ ସଂପୃକ୍ତ । ତେବେ ଯେତେବେଳେ ଚଳଚ୍ଚିତ୍ର ନିର୍ମାଣ ପାଇଁ ପୁରା ପରିବାରର ସଦସ୍ୟମାନେ କାମରେ ଲାଗି ଥାଆନ୍ତି ପରସ୍ପର ଭିତରେ କିଭଳି ସମନ୍ୱୟ ରକ୍ଷା କରନ୍ତି? କାମ କଲା ବେଳେ ଆପଣଙ୍କ ଭିତରେ କିଛି ମତ ପାର୍ଥକ୍ୟ ଦେଖାଦିଏ କି?
ସବ୍ୟସାଚୀ ମହାପାତ୍ର:  ଆମ ପରିବାର ସଦସ୍ୟମାନେ ଯେତେବେଳେ ଚଳଚ୍ଚିତ୍ର ନିର୍ମାଣରେ ବ୍ୟସ୍ତ ରହୁ,  କିଛି ନା କିଛି ମତ ପାର୍ଥକ୍ୟ ହୁଏ, ଫିଲ୍ମକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା, ବିତର୍କ ହୁଏ । ପ୍ରଥମେ ମୁଁ ଭାଇ, ପୁତୁରା, ଝିଆରୀ ସମସ୍ତଙ୍କୁ ଫିଲ୍ମର ଷ୍ଟୋରୀ ଶୁଣାଏ । ସମସ୍ତେ ବ୍ୟକ୍ତିଗତ ମତ ମତ ଦିଅନ୍ତି । ମୁଁ ଯାହା ଶୁଣିବା କଥା ଶୁଣେ । ଯେଉଁ କଥା ଠିକ୍ ଲାଗେନା ମୁଁ ସେକଥା କରିବା ପାଇଁ ମନା କରିଦିଏ, ମୁଁ ମନା କରିଦେଲେ ସେ କଥାରେ ଆଉ କେହି ଯୁକ୍ତିତର୍କ ନ କରି ସମସ୍ତେ ଚୁପ ହୋଇ ଯାଆନ୍ତି । କିନ୍ତୁ ତର୍କବିତର୍କ ଯୋଗୁଁ  ବେଳେବେଳେ ଭଲ ସଜେସନ ବି ମିଳେ । ସମସ୍ତଙ୍କ ଦୁର୍ବଳତା ଭଲ ଫିଲ୍ମ ଉପରେ ରହିଛି ।
୧୧. ଆପଣଙ୍କ ‘ଶଲାବୁଢ଼ା’, ‘ଆଦିମ ବିଚାର’ ଆଦି ଚଳଚ୍ଚିତ୍ର ବିଭିନ୍ନ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଛି । ତେବେ ଓଡ଼ିଶା ବାହାର ସିନେପ୍ରେମୀଙ୍କୁ ଏହି ଚଳଚ୍ଚିତ୍ରଗୁଡିକ କେତେଦୂର ପ୍ରଭାବିତ କରି ପାରିଛି?
ସବ୍ୟସାଚୀ ମହାପାତ୍ର: ଓଡିଶାରେ ବହୁ ରେସପନସ୍ ରହିଛି । ବାହାରେ କିନ୍ତୁ ତାଠୁ ଆହୁରି ରେସପନସ୍ ଅଛି । ଦିଲ୍ଲୀ ଜାଗରଣ ଫେଷ୍ଟିଭାଲରେ ପ୍ୟାନେଲ ଆଲୋଚନା ହୋଇଥିଲା । ଭାରତର ଖ୍ୟାତନାମା ଫିଲ୍ମ ନିର୍ଦ୍ଦେଶକ ବସିଥାଆନ୍ତି । ପୁରା ହଲ ଫୁଲ । ସମସ୍ତେ ଜାଣିବାକୁ ଚାହିଁଥିଲେ ଫିଲ୍ମ ବାବଦରେ । ବାହାରେ ଆଉ ଅଧିକ ରେସପନସ୍ । ଆମର ସଂସ୍କୃତି, ପରମ୍ପରା, ଚାଲିଚଳଣି ସବୁ ବାହାର ଲୋକମାନଙ୍କୁ ବେଶ୍ ଆକୃଷ୍ଟ କରୁଛି । ତେଣୁ ସେମାନେ ‘ଶଲାବୁଢ଼ା’, ‘ଆଦିମ ବିଚାର’ ପରି ଚଳଚ୍ଚିତ୍ର ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି ।
୧୨. ପ୍ରତିଷ୍ଠିତ ନାୟକ, ନାୟିକା ବା କଳାକାରଙ୍କୁ ନେଇ ଫିଲ୍ମ ନିର୍ମାଣ କଲେ ଚଳଚ୍ଚିତ୍ରଟି ହିଟ୍ ହୁଏ ବୋଲି ଅନେକଙ୍କ ବିଶ୍ୱାସ । କିନ୍ତୁ ଲୋକଙ୍କ ଏଭଳି ଧାରଣାକୁ ଆପଣ ଭୁଲ ପ୍ରମାଣିତ କରିଛନ୍ତି । ଆପଣଙ୍କ ପ୍ରାୟ ଚଳଚ୍ଚିତ୍ରରେ ସ୍ଥାନୀୟ କଳାକାରଙ୍କୁ ଅଗ୍ରାଧିକାର ଦିଆଯାଇଛି । ଆଉ ଚଳଚ୍ଚିତ୍ର ଲୋକପ୍ରିୟ ମଧ୍ୟ ହୋଇ ପାରିଛି । ଏହାର ପଛର ରହସ୍ୟ କଣ?
ସବ୍ୟସାଚୀ ମହାପାତ୍ର: ନୂଆ ଆର୍ଟିଷ୍ଟଙ୍କୁ ନେଲେ ରିସ୍କ ଅଧିକ । କିନ୍ତୁ ପ୍ରତିଷ୍ଠିତ କଳାକାର ଅପେକ୍ଷା ଚରିତ୍ର ଉପଯୋଗୀ କଳାକାରଙ୍କୁ ଅଧିକ ଗୁରୁତ୍ୱ ଦିଏ । ତେଣୁ ନୂଆ ଅଭିନେତା, ଅଭିନେତ୍ରୀ ହେଲେ ମୁଁ  ସେମାନଙ୍କୁ ଚରିତ୍ର ଭିତରେ ହଜାଇ ଦିଏ । ସୁଟିଂ ପୂର୍ବରୁ ସେମାନଙ୍କ ସହିତ ଆଲୋଚନା କରେ, ଟ୍ରେନିଂ ଦିଏ । ପୁରା ଚରିତ୍ର ଭିତରେ ସେମାନେ ନିମଜ୍ଜିତ ହେଲା ପରେ ମୁଁ ସୁଟିଂ ଆରମ୍ଭ କରେ । ଏପରିକି ସୁଟିଂ ସରିଲେ ପ୍ରତିଦିନ କ୍ୟାମ୍ଫ ଫାୟାର ହୁଏ ।  ସେଠାରେ ଅଭିନେତା, ଅଭିନେତ୍ରୀଙ୍କ ସହ ଦିନଯାକର ସୁଟିଂ ସଂପର୍କରେ କଥାବାର୍ତ୍ତା ହୁଏ । ଯାହାର ଯଦି କୌଣସି ଭୁଲଭଟକା ହୋଇଥାଏ ସେଠାରେ ଆଲୋଚନା କରି ପରବର୍ତ୍ତୀ ସମୟରେ ସେହି ଭୁଲକୁ ସୁଧାରିବା ପାଇଁ ପରାମର୍ଶ ଦିଆଯାଏ । ଗ୍ଲାମର ବ୍ୟକ୍ତିତ୍ୱକୁ ନେଲେ ପାରଂପରିକ ଫିଲ୍ମ ଆକର୍ଷଣୀୟ ହୋଇ ପାରେନି । ତେଣୁ ମୁଁ ସବୁବେଳେ ସ୍ଥାନୀୟ କଳାକାରଙ୍କୁ ନେଇ କିଭଳି ଚଳଚ୍ଚିତ୍ରଟି ସୁନ୍ଦରଭାବେ କରାଯାଇପାରିବ ସେଦିଗ ପ୍ରତି ଦୃଷ୍ଟି ଦେଇଥାଏ ।
୧୩. ‘ଶ୍ରୀଜଗନ୍ନାଥ’ ଆପଣଙ୍କ ଏକ କ୍ଲାସିକ୍ ଚଳଚ୍ଚିତ୍ର । ଏହା ପନ୍ଦରଟି ଭାଷାରେ ରିଲିଜ୍ ହୋଇଛି । ତେବେ ‘ଶ୍ରୀଜଗନ୍ନାଥ’ର ସଫଳତା ପଛର କାହାଣୀ ସଂପର୍କରେ କିଛି କହିବେ?
ସବ୍ୟସାଚୀ ମହାପାତ୍ର: ପିଲାବେଳୁ ଜଗନ୍ନାଥଙ୍କ ପ୍ରତି ମୋର ଅସୀମ ଭକ୍ତି ଓ ସମ୍ମାନ ରହିଛି । ପୁରୀ ପ୍ରତି ସମସ୍ତଙ୍କ ମୋହ । ଜଗନ୍ନାଥ ସଂସ୍କୃତିକୁ ନେଇ ଓଡ଼ିଶାର ସଂସ୍କୃତି । ଜଗନ୍ନାଥ ସଂସ୍କୃତି ମୋର ପ୍ରବଳ ଦୁର୍ବଳତା । ମୋର ଏକ ସ୍ୱପ୍ନ ଥିଲା ଜଗନ୍ନାଥଙ୍କ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ କରିବା । ଏଥିପାଇଁ ବର୍ଷ ବର୍ଷ ଧରି ମୁଁ ଚିନ୍ତା କରିଛି, ଗବେଷଣା କରିଛି, ମୋ ଭାଇମାନଙ୍କ ସହିତ ଆଲୋଚନା କରିଛି କିଭଳି ଜଗନ୍ନାଥଙ୍କୁ ନେଇ ଏକ ସଫଳ ଚଳଚ୍ଚିତ୍ର ନିର୍ମାଣ କରିପାରିବି । ଆଉ ଶେଷରେ ଜଗତର ନାଥ ଜଗନ୍ନାଥଙ୍କ କୃପା ଓ ଆଶୀର୍ବାଦରୁ ‘ଶ୍ରୀଜଗନ୍ନାଥ‘ ଚଳଚ୍ଚିତ୍ର ନିର୍ମାଣରେ ସଫଳ ହେଲୁ ।
୧୪. ଅନେକ ଚଳଚ୍ଚିତ୍ରର ଲାଭାଂଶ ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ନିଜ ବ୍ୟକ୍ତିଗତ କାମରେ ଲଗାଉଛନ୍ତି । କିନ୍ତୁ ଆପଣ ‘ଶ୍ରୀଜଗନ୍ନାଥ’ର ଲାଭାଂଶରୁ କେତେ ପ୍ରତିଶତ ଶ୍ରୀଜଗନ୍ନାଥ ମନ୍ଦିର ପୁରୀକୁ ପ୍ରଦାନ କରିଛନ୍ତି ଓ କାହିଁକି?
ସବ୍ୟସାଚୀ ମହାପାତ୍ର: ‘ଶ୍ରୀଜଗନ୍ନାଥ’ ଚଳଚ୍ଚିତ୍ର ସଂପୂର୍ଣ୍ଣ କରିବା ପାଇଁ ୧୫ ବର୍ଷ ଲାଗିଲା । ଆର୍ଥିକ ଲାଭ ପାଇଁ ଏହି ଫିଲ୍ମ ତିଆରି କରି ନାହିଁ ।  ଏହା ଏକ ହାଇ ବଜେଟ୍ ଫିଲ୍ମ । ୧୫ଟି ଭାଷାରେ ନିର୍ମିତ ହୋଇଛି ‘ଶ୍ରୀଜଗନ୍ନାଥ’ । ତେବେ ଫିଲ୍ମର ସବୁ ଲାଭାଂଶକୁ ତ୍ୟାଗ କରାଗଲା । ଏଥିରୁ ଯାହା ଲାଭ ହେଲା ତାହା ଜଗନ୍ନାଥ ଓ ଜଗନ୍ନାଥ କାର୍ଯ୍ୟରେ ସମର୍ପଣ କରାଗଲା ।
୧୫. ଆପଣଙ୍କ ପରିବାର ଅନ୍ୟ ସଦସ୍ୟମାନେ ବଲିଉଡ୍ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ । ତେବେ ଆପଣ କେବେ ବଲିଉଡ୍ରେ ନିର୍ଦ୍ଦେଶନା ଦେବାକୁ ଚିନ୍ତା କରିଛନ୍ତି?
ସବ୍ୟସାଚୀ ମହାପାତ୍ର: ବଲିଉଡରେ କେବେ ନିର୍ଦ୍ଦେଶନା ଦେଇନି । ବଲିଉଡରେ ମୋର ଏଫିଲିଏସନ ହିଁ ନାହିଁ । ଏଥ୍ିପାଇଁ କେବେ ମଧ୍ୟ ଚିନ୍ତା କରିନାହିଁ । ହେଲେ ବଲିଉଡ୍ରେ ସିଷ୍ଟମ ହେଉଛି ଷ୍ଟାର ସିଷ୍ଟମ । ଷ୍ଟାରମାନଙ୍କ କାଟତି ରହେ । ଷ୍ଟାରମାନଙ୍କ ଅନୁଯାୟୀ ଡିରେକ୍ଟର କାମ କରେ । ୟାଶ ଚୋପ୍ରାଙ୍କୁ ଛାଡି ଦେଲେ ବାକି ସବୁ ଡାଇରେକ୍ଟର ଷ୍ଟାରମାନଙ୍କ ଅନୁସାରେ କାମ କରନ୍ତି ।
୧୬. ଆପଣଙ୍କ ଭୂଖା, ଶଲାବୁଢ଼ା, ଆଦିମ ବିଚାର, ପାହାଡ଼ର ଲୁହ ଚଳଚ୍ଚିତ୍ରଗୁଡ଼ିକ ଅନ୍ତର୍ଜାତୀୟ ସ୍ତରରେ ବହୁ ପୁରସ୍କାର ଲାଭ କରିଛି । ତେବେ ପୁରସ୍କାର କଣ ଗୋଟିଏ ଫିଲ୍ମର ସଫଳତାର ମାପକାଠି?
ସବ୍ୟସାଚୀ ମହାପାତ୍ର: ପୁରସ୍କାର ସଫଳତାର ମାପକାଠି ନୁହେଁ । ପୁରସ୍କାର ବେଳେବେଳେ ଉତ୍ସାହିତ କରେ । ଭଲ ଫିଲ୍ମ ଦିନେ ନା ଦିନେ ଦର୍ଶକ ପସନ୍ଦ କରିବେ । ତେବେ ଫିଲ୍ମ ପୁରସ୍କାର ପାଇବ କି ନାହିଁ କେହି ବି କହି ପାରିବେ ନାହିଁ । ଅବଶ୍ୟ ଭଲ ଚଳଚ୍ଚିତ୍ର ନିଶ୍ଚୟ ଦର୍ଶକଙ୍କ ପସନ୍ଦ ହେବ ଓ ପୁରସ୍କାର ମଧ୍ୟ ଲାଭ କରିବ ।
୧୭. ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା , ଜନଜାତିକୁ ନେଇ ଆପଣ ଆଉ କେଉଁ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଯୋଜନା କରିଛନ୍ତି କି?
ସବ୍ୟସାଚୀ ମହାପାତ୍ର: ଯୋଜନା ତ ଅଛି । ମୋର ଡ୍ରିମ୍ ପ୍ରୋଜେକ୍ଟ ହେଉଛି ନୀଳମାଧବ । ହିନ୍ଦୀ ଭାଷାରେ ହେବ ଏହି ଫିଲ୍ମଟି । ସିଗନାଲକୁ ଅପେକ୍ଷା କରିଛି, ଆସିଲେ କରିବି । ଗୀତ ରେକଡିଂ ସରିଛି, ୮ଟି ରହିଛି ।
୧୮. ଅଭିଯୋଗ ହୁଏ ପୁରସ୍କାରକୁ ଆଖି ଆଗରେ ରଖି ଆପଣ ଚଳଚ୍ଚିତ୍ର ନିର୍ମାଣ କରନ୍ତି? କେତେଦୂର ଏହାର ସତ୍ୟତା ରହିଛି?
ସବ୍ୟସାଚୀ ମହାପାତ୍ର:କୌଣସି ଡାଇରେକ୍ଟର ଗ୍ୟାରେଣ୍ଟି ଦେଇ ପାରିବେ ନାହିଁ ସିନେମାକୁ ପୁରସ୍କାର ମିଳିବ କି ନାହିଁ । ଶାହାରୁଖ ଖାନଙ୍କ  ସିନେମା ବି ଫ୍ଲପ୍ ହୋଇଛି । ଜଣେ ଜଣେ ପ୍ରୟୋଜକଙ୍କ ଲଗାତର  ଦୁଇଟି ଫିଲ୍ମ ଫ୍ଲପ୍ ହେଲା । ଘର ଦ୍ୱାର ବିକ୍ରି କରି ଦେଇ ସେ ହିମାଳୟ ଯାଇ ତପସ୍ୟା କଲେ, ମହାପ୍ରଭୁ ଆବିର୍ଭାବ ହେଲେ । ଭଲ ଷ୍ଟାର୍ଙ୍କୁ ନେଇ ବଡ଼ ବଜେଟ ଫିଲ୍ମ ସହ ଭଲ ଷ୍ଟାର ମିଳିବା ପାଇଁ ଆଶୀର୍ବାଦ ମାଗିଲେ । ଭଗବାନ ତଥାସ୍ତୁ କହିଲେ । ଶେଷରେ ଫିଲ୍ମକୁ ସୁପରହିଟ୍ କରିବା ପାଇଁ କହିବାରୁ ମହାପ୍ରଭୁ ଏହା ମୋ ହାତରେ ନାହିଁ ବୋଲି କହିଥିଲେ । ତେଣୁ କହି ହେବନାହିଁ କେଉଁ ଚଳଚ୍ଚିତ୍ର ପୁରସ୍କାର ପାଇବ, କେଉଁଟା ପାଇବ ନାହିଁ । କୌଣସି ନିର୍ଦ୍ଦେଶକ, ପ୍ରଯୋଜକ ପୁରସ୍କାରକୁ ଆଖି ଆଗରେ ରଖି ଚଳଚ୍ଚିତ୍ର ନିର୍ମାଣ କରନ୍ତି ନାହିଁ । ପ୍ରଥମେ ଭଲ ଚଳଚ୍ଚିତ୍ରଟିଏ ତିଆରି ପାଇଁ ସମସ୍ତେ ପ୍ରାଣପଣେ ଉଦ୍ୟମ କରନ୍ତି । ଆଉ ଯଦି ସେଇ ଚଳଚ୍ଚିତ୍ର ଦର୍ଶକଙ୍କ ଲୋକପ୍ରିୟ ହୁଏ ଓ ପୁରସ୍କାର କମିଟିର ଜୁରି ମେମ୍ବର ହୃଦୟକୁ ଛୁଇଁ ପାରେ ତେବେ ତାହା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୁଏ ।
୧୯. ଗୋଟିଏ ସଫଳ ଚଳଚ୍ଚିତ୍ର ନିର୍ମାଣ ପାଇଁ କେଉଁ ସବୁ ଦିଗଗୁଡିକ ପ୍ରତି ଅଧିକ ଧ୍ୟାନ ଦେବାକୁ ହୋଇଥାଏ?
ସବ୍ୟସାଚୀ ମହାପାତ୍ର:  ସଫଳ ଚଳଚ୍ଚିତ୍ର ନିର୍ମାଣ ପାଇଁ ସବୁ ଦିଗକୁ ଧ୍ୟାନ ଦେବାକୁ ପଡ଼ିବ । କାହାଣୀ, ଚରିତ୍ର, ପ୍ରଡକସନ୍, ସୁଟିଂଠୁ ଆରମ୍ଭ କରି ସିନେମା ତିଆରିରେ ଯେତେ ପାର୍ଟ ଅଛି ସେସବୁ ଉପରେ ଯତ୍ନବାନ ହେବା ଦରକାର । ତାହେଲେ ଯାଏ ଏକ ଭଲ ଚଳଚ୍ଚିତ୍ର ନିର୍ମାଣ ହୋଇ ପାରିବ ।
୨୦. ଯୁବ କଳାକାର, ନିର୍ଦ୍ଦେଶକଙ୍କୁ ଆପଣ କ’ଣ କହିବାକୁ ଚାହାନ୍ତି?
ସବ୍ୟସାଚୀ ମହାପାତ୍ର: ମୋର ଜୀବନର ଅଭିଜ୍ଞତାରୁ ଜାଣିଛି । ଫିଲ୍ମ ଡିପାଟମେଣ୍ଟର ସବୁ ପାର୍ଟ ସିରିଏସ୍ । ପ୍ରଡକସନ୍, ସ୍କ୍ରିପଟ୍, ଲୋକେସନ ହଣ୍ଟିଂ, ସୁଟିଂ ସବୁର ଗୁରୁତ୍ୱ ରହିଛି । ଫିଲ୍ମ ହେଉଛି ସିରିଏସ୍ ଜବ । ସବୁଥିରେ ଗୁସିରାଏସ ଭାବେ କାମ କରନ୍ତୁ । ନିଜର ଉପରେ ପ୍ରଚଣ୍ଡ ବିଶ୍ୱାସ ରଖନ୍ତୁ, ଈଶ୍ୱରଙ୍କ ଉପରେ ମଧ୍ୟ । ତାହେଲେ ସଫଳତା ଆପେ ଆପେ ଆସିବ । ବେଳେବେଳେ ଅସଫଳ ମଧ୍ୟ ହେବାକୁ ପଡ଼ିଥାଏ । ତେବେ ଅସଫଳକୁ ଖାତିର କର ନାହିଁ । ବିଫଳ ହେଲେ ମଧ୍ୟ ନିଜର ଉଦ୍ୟମ, କର୍ତ୍ତବ୍ୟରେ କେବେହେଲେ ଅବହେଳା କରିବା ଉଚିତ ନୁହେଁ । ନିଷ୍ଠା ଓ ଆନ୍ତରିକତା ସହ କାମ କଲେ ସଫଳତା ଦିିନେ ନା ଦିନେ ନିଶ୍ଚୟ ମିଳିବ ।

ସଂକ୍ଷେପରେ ସବ୍ୟସାଚୀ
ଜନ୍ମ: ୦୧ ଡିସେମ୍ବର ୧୯୫୧
ଗାଁ: ଲେହେଡ଼ି, ସୁବର୍ଣ୍ଣପୁର
ବାପା: କପିଳେଶ୍ୱର ପ୍ରସାଦ ମହାପାତ୍ର
ଶିକ୍ଷା:ବିଏ,ଆଇନରେ ସ୍ନାତକ
ବୃତ୍ତି: ଚଳଚ୍ଚିତ୍ର ନିର୍ଦ୍ଦେଶକ
ଠିକଣା:ଲେହେଡ଼ି, ସୁବର୍ଣ୍ଣପୁର
ମୋ: ୯୪୩୯୫୮୦୫୬୮
……………………………………..
ନିର୍ଦ୍ଦେଶିତ ସିନେମା: ସବୁ ମାୟାରେ ବାୟା(ଓଡ଼ିଆ) ଭୂଖା(ସମ୍ବଲପୁରୀ), ସୁକି(ହିନ୍ଦୀ ଟେଲିଫିଲ୍ମ), ଝିଲି (ଓଡିଆ ଫିଚରଫିଲ୍ମ), ପବ୍ଲି (ହିନ୍ଦୀ ଟେଲିଫିଲ୍ମ), ଇଣ୍ଡିଆ ଟ୍ୱିଟେଣ୍ଡି ଫୋର୍ ଆୱାରସ(ଇଂରାଜୀ ଡକୋମେଣ୍ଟାରି) ଭାରତ ଏକ୍ ଦିନ(ହିନ୍ଦୀ ଡକୋମେଣ୍ଟାରି), ମହାରାଜା ଆର୍.ଏନ୍ ସିଂହଦେଓ (ଇଂରାଜୀ ଡକୋମେଣ୍ଟାରି), ଘର(ଓଡ଼ିଆ ଟେଲି ସିରିଏଲ), ଜଂଗଲର ସାଥୀ(ଓଡ଼ିଆ ଟେଲି ସିରିଏଲ),ବାଙ୍କୁଳି ବାଡ଼ି (ଓଡ଼ିଆ), ବୋଉ (ଓଡ଼ିଆ ଫିଚରଫିଲ୍ମ), ବାହୁଡ଼ିମୋ ଜଗାବଳିଆ(ଓଡ଼ିଆ ଫିଚରଫିଲ୍ମ),ରାଣ୍ଡି ପୁଅ ଅନନ୍ତା, ଜୟ ଜଗନ୍ନାଥ (୧୫ଟି ଭାଷାରେ ରିଲିଜ), ଶଲାବୁଢ଼ା (ସମ୍ବଲପୁରୀ/କୋଶଲି), ଆଦିମ ବିଚାର (ସମ୍ବଲପୁରୀ/କୋଶଲି) ଏବଂ ପାହାଡ଼ର ଲୁହ ( ଓଡ଼ିଆ)
……………………………………..
ସମ୍ମାନ/ପୁରସ୍କାର: ସ୍ପେଶାଲ ଜୁରି ଆୱାର୍ଡ(ଭୂଖା), ନୀଳ ଶୈଳ ଆୱାର୍ଡ(ଭୂଖା), ଶ୍ରେଷ୍ଠ ସିନେମା ଓ ନିର୍ଦ୍ଦେଶନା (ବୋଉ),ଶ୍ରେଷ୍ଠ ସିନେମା-ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ରାଜ୍ୟ ଚଳଚ୍ଚିତ୍ର ଆୱାର୍ଡ (ବୋଉ), ଶ୍ରେଷ୍ଠ ସିନେମା ଓ ନିର୍ଦ୍ଦେଶକ(ବାହୁଡ଼ି ମୋ ଜଗାବଳିଆ), ରାଜୀବ ଗାନ୍ଧୀ ସଦଭାବନା ପୁରସ୍କାର, ଶଲାବୁଢ଼ା (୭ଟି ରାଜ୍ୟ ଓ ଦେଶ ବିଦେଶରେ ପୁରସ୍କୃତ), ଆଦିମ ବିଚାର (ଶ୍ରେଷ୍ଠ ଫିଲ୍ମ ପାଇଁ ଜାତୀୟ ସ୍ତରରେ ପୁରସ୍କୃତ), ଓଡ଼ିଶା ଚଳଚ୍ଚିତ୍ର ଆୱାର୍ଡ (ଶ୍ରେଷ୍ଠ ସିନେମା, ଆଦିମ ବିଚାର, ଶ୍ରେଷ୍ଠ ନିର୍ଦ୍ଦେଶକ-ସବ୍ୟସାଚୀ ମହାପାତ୍ର, ଶ୍ରେଷ୍ଠ ଅଭିନେତା-ଅଟଳ ବିହାରୀ ପଣ୍ଡା), ରାଜ୍ୟ ଚଳଚ୍ଚିତ୍ର ଆୱାର୍ଡ, ଶ୍ରେଷ୍ଠ ନିର୍ଦ୍ଦେଶକ (ପାହାଡ଼ର ଲୁହ) ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ, ଓଡିଆ ସିଟିଜେନ ଆୱାର୍ଡ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ମର୍ଯ୍ୟାଦାଜନକ ଡିଲଟ୍ ଉପାଧି ।

‘ଆଦିମ ବିଚାର’ର ପୃଷ୍ଠଭୂମି
ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ‘ଭୂଖା’, ‘ଶଲାବୁଢ଼ା’ ଆଦି ଚଳଚ୍ଚିତ୍ରର ସଫଳତାର ଧାରାରେ ଯୋଡ଼ି ହୋଇ ଯାଇଛି ଆଉ ଏକ ନାମ ‘ଆଦିମ ବିଚାର’ । %A