ସାହିତ୍ୟ ଚାଙ୍ଗୁଡ଼ି

ଫିଚର୍ସାହିତ୍ୟ ଓ ସଂସ୍କୃତି
ଗାଳ୍ପିକ ୰ ସାରଦା ପ୍ରସାଦ ମିଶ୍ର କବିତା ଲେଖୁଥିଲେ, ଲେଖୁଥିଲେ ମଧ୍ୟ ଓଜନଦାର ଫିଚର, ଇଂରାଜୀ ଓ ଓଡ଼ିଆ ସମ୍ବାଦପତ୍ରରେ ସ୍ତମ୍ଭ, ପୁଣି କେବେକେବେ ଲେଖୁଥିଲେ ପ୍ରବଂଧ । ଅନେକ ଇଂରାଜୀ ଗପର ବି କରିଥିଲେ ଓଡ଼ିଆ ଅନୁବାଦ । ତେବେ ତାଙ୍କ କଳ୍ପିତ ସାହିତ୍ୟ ଚାଙ୍ଗୁଡ଼ି ଥିଲା ଏକ ବିଚିତ୍ର ପରିକଳ୍ପନା ।
ମାଳି ଯେପରି ଫୁଲର ଚାଂଗୁଡି ପ୍ରସ୍ତୁତ କରେ, ଖୁବ ଯତ୍ନରେ; ସାରଦା ପ୍ରସାଦ ମଧ୍ୟ ଥିଲେ ସେମିତି ଢ଼େର ଯତ୍ନବାନ । ଫୁଲତୋଳି ଚାଂଗୁଡ଼ିରେ ରଖିବା ବେଳେ ମାଳି ଯେମିତି ସଚେତନ ଥାଏ କାହା ପାଖରେ କେଉଁ ଫୁଲ ରଖିବ, ସାରଦା ସେମିତି ଚାଂଗୁଡ଼ିରେ କାହାପରେ କୋଉ କଥା କହୁଥିଲେ, ତାର କିଛି ଠିକଣା ନଥିଲା! ଫୁଲ ତ ଫୁଲ, ଆଗ ପଛ କଣ? ବଗିଚାର ହେଉ କି ସାହିତ୍ୟର ହେଉ! ରାଜ୍ୟର, ଦେଶର, ବିଦେଶର, ଲେଖକର, ଚରିତ୍ରର, ପୁସ୍ତକର, ପୁରସ୍କାରର, ବିବାଦର କଥା ସବୁ ରହୁଥିଲା ଚାଂଗୁଡ଼ିରେ, ପୁଣି ରହୁଥିଲା ସାହିତ୍ୟ ବ୍ୟତିରେକ ଆହୁରି କିଛି କଥା । ମହକଭରା ଗଂଗଶିଉଳି ନିକଟରେ ଥାଇପାରେ ଟଗର କେତେଟା! ସ୍ୱାସ୍ଥ୍ୟବତୀ ଗେଣ୍ଡୁ ନିକଟରେ ଥାଇପାରେ ତନୁପାତଳୀ ଅପରାଜିତା!! ପୁଣି ଫୁଲ ତୋଳି ରଖୁରଖୁ ଚାଂଗୁଡ଼ି ଭିତରକୁ ପଡ଼ିଯାଇଥାଏ କେତେଟା ପତ୍ର । ସବୁସବୁ ମିଶି ଚାଂଗୁଡ଼ି ଦିଶେ ସୁନ୍ଦର!
ଏଣିକି ଆଉ ଚାଂଗୁଡ଼ି ବିଷୟରେ ଏଣୁତେଣୁ ଗପ ନକରି ଆମେ ଚାଂଗୁଡ଼ି ଖେଳେଇବା! ଦେଖିବା, ଭିତରେ କେତେ ଫୁଲ ଅଛି, କି କି ଫୁଲ ଅଛି!
    । ।ସଂପାଦକ । ।              
ସାହିତ୍ୟ ଚାଙ୍ଗୁଡ଼ି
ସ୍ୱର୍ଗତ ସାରଦା ପ୍ରସାଦ ମିଶ୍ର
ନେଲ୍ସନ୍ ମାଣ୍ଡେଲା ଖାଲି ଦକ୍ଷିଣ ଆଫ୍ରିକା ବା ଏହାର କଳାଲୋକ ବା ଏଇ ସୁନ୍ଦର ଗ୍ରହଟିରେ ସର୍ବତ୍ର ଅବସ୍ଥାନ କରୁଥିବା କଳାଲୋକ ଅଥବା ସ୍ୱାଧୀନତା ପାଇଁ ବ୍ୟାକୁଳ ଅସଂଖ୍ୟ ଲୋକଙ୍କ ପାଇଁ କଣ କରି ଯାଇଛନ୍ତି, ସେକଥା ଇତିହାସ କହିବ । କହିବ ମଧ୍ୟ ସମୟ । ଏହି ମହାନ୍ ମୁକ୍ତି ଯୋଦ୍ଧାଙ୍କ ସଂପର୍କରେ ଏତେକଥା ଏତେ ଲୋକଙ୍କ ଦ୍ୱାରା ଏତେ ସୁନ୍ଦର ଭାବରେ କୁହାସରିଛି ଯେ ବିଶେଷ କିଛି କହିବାର ଆଉ ଅବକାଶ ନାହିଁ! ନିଜେ ମାଣ୍ଡେଲା କହିଥିବା କେତେକ ସ୍ମରଣୀୟ କଥାକୁ ଆମେ ଏଠି ପାଠକମାନଙ୍କୁ ଉପହାର ଦେବୁ; ଭାବୁଚୁ ତାହା ହିଁ ହେବ ତାଙ୍କପ୍ରତି ଆମର ଶ୍ରଦ୍ଧାଞ୍ଜଳି!!
କ) “ମୋତେ ଗାନ୍ଧୀଙ୍କ ସହ ତୁଳନା କରାଯିବା ଆଦୌ ଠିକ୍ ନୁହେଁ । ଆମମାନଙ୍କ ମଧ୍ୟରୁ କେହି ଜଣେ ମଧ୍ୟ ତାଙ୍କର ନିଷ୍ଠା ବା ବିନମ୍ରତାର ସମକକ୍ଷ ହୋଇ ପାରିବା ନାହିଁ । ସେ ଆମକୁ ଏଇକଥାଟି ବା ମାର୍ଗଟି ଦେଖାଇ ଯାଇଛନ୍ତି ଯେ ଯଦି ମନ୍ଦ ଉପରେ ସତ୍ୟ ଏବଂ ନ୍ୟାୟର ବିଜୟ ଲାଭ ଆମର ଲକ୍ଷ୍ୟ, ତେବେ ଦମ୍ଭ ଓ ସାହସର ସହ ବନ୍ଦୀ ଜୀବନକୁ ହସି ହସି ବରଣ କରିବା ମଧ୍ୟ ଦରକାର ।”
ଖ) “ମୁଁ ଖାଲି ଏତିକି ଜାଣିବାକୁ ଚାହେଁ ଯେ ଯେଉଁଦିନ ମୋ ଜୀବନର ଅନ୍ତ ହେବ, ସେଦିନ ଯେଉଁମାନେ ପଛରେ ରହିଯିବେ ସେମାନେ କହିବେ: ଯେଉଁ ମଣିଷ ଜଣକ ଏଇ କବରତଳେ ଶୋଇଚି, ସିଏ ତା ଦେଶ ଏବଂ ଲୋକଙ୍କ ପାଇଁ ନିଜ କର୍ତ୍ତବ୍ୟ ସାରି ଦେବା ପରେ ଶୋଇଛି ।”
ଗ) “ଆମେ ଭଲଭାବେ ଚିନ୍ତାକରି ଅତି ସର୍ଜନଶୀଳଭାବେ ସମୟର ସଦ୍ ବ୍ୟବହାର କରିବା ଦରକାର ଏବଂ ଏହା ମଧ୍ୟ ହୃଦୟଙ୍ଗମ କରିବା ଦରକାର ଯେ ଭଲ କାମଟିଏ କରିବା ପାଇଁ ସମୟ ସର୍ବଦା ପରିପକ୍ୱ ହୋଇ ରହିଥାଏ ।”
ଘ) “ଅପରର ଶରୀରର ବର୍ଣ୍ଣ କି ଧର୍ମ ହେତୁ ଜଣେ କାହାକୁ ଘୃଣା କରିବାକୁ ଜନ୍ମରୁ ଶିଖିନଥାଏ । ଲୋକେ ଅନ୍ୟକୁ ଘୃଣା କରିବାଟା ଶିଖିଥାନ୍ତି; ଆଉ ଯଦି ସେମାନେ ଘୃଣା କରିବାଟା ଶିଖିପାରନ୍ତି, ତେବେ ଏହା ଅକାଟ୍ୟ ସତ୍ୟ ଯେ ସେମାନେ ଅନ୍ୟକୁ ଭଲ ପାଇବାଟା ମଧ୍ୟ ଶିଖି ପାରିବେ ।”
ଫୁଲ:ଦୁଇ  । ।କବିର ମୃତ୍ୟୁ,ମୃତ୍ୟୁର କବି । ।
ଗତ ଡିସେମ୍ବର ୨୩ ତାରିଖରେ ଜେନେରାଲ ମିହାଏଲ୍ ତିମୋଫେୟେଭିଚ୍ କାଲାସ୍ନିକୋଭଙ୍କ ମୃତ୍ୟୁ ଘଟିଛି । ଏଇ ମହାନୁଭବ ଜଣକ ଯେ ଜଣେ ରାଷ୍ଟ୍ରୀୟ, ତାହା ନାମରୁ ଆପାତତଃ ଜଣାପଡୁଚି । କାଶ୍ମୀର, ପାକ୍ ଅଧିକୃତ କାଶ୍ମୀର, ମୋଜାମ୍ବିକ୍, ଇରାନ୍, ଆଫ୍ଗାନିସ୍ଥାନ୍ଠାରୁ ଆରମ୍ଭ କରି ଲିବିୟା, ସିରିଆ, କାମ୍ବୋଡିଆ, ଉତ୍ତର କୋରିଆ, ଭିଏତ୍ନାମ, କଂଗୋ, ଉଗାଣ୍ଡା, କ୍ୟୁବା, କଲମ୍ବିଆ ଯେଉଠି ବିପ୍ଲବ, ଯୋଉଁଠି ହିଂସା, ଯୋଉଠି ସ୍ୱାଧୀନତା ସଂଗ୍ରାମ, ଯୋଉଠି ଗଣହତ୍ୟା, ଯୋଉଠି ଯୁଦ୍ଧ; ସେଇଠି କାଲାସନିକୋଭଙ୍କ ନାଁ ଥାଏ ସତ, ହେଲେ ସଂକ୍ଷିପ୍ତ ଯେ ହୁଏତ ବ୍ୟବହାର କରୁଥିବା ଲୋକ କି ବିପ୍ଲବୀ କି ସୈନିକ କି ସିପାହୀ ଜାଣିନଥାଇପାରେ!
କଥାହେଲା, ଏହି ରାଷ୍ଟ୍ରୀୟ ଜଣକ ୧୯୪୭ ମସିହାରେ ଯେଉଁ ଅଟୋମେଟିକ୍ ରାଇଫଲ୍ ଆବିଷ୍କାର କରିଥିଲେ, ତାହା ତାଙ୍କ ନାମାନୁଯାୟୀ ଏକେ-୪୭(ଫର୍ଟିସେଭେନ୍) ବା ଅଟୋମେଟିକ୍ କାଲାସନିକୋଭ୍-୪୭ ଭାବରେ ଜଗତ ବିଖ୍ୟାତ! (ଅବା କୁଖ୍ୟାତ) ଏହି ରାଇଫଲର ଗୁଣବତ୍ତା, ଦକ୍ଷତା କେତେ, ଜନପ୍ରିୟତାର କାରଣ କଣ, ପରବର୍ତ୍ତୀ ମଡେଲଗୁଡିକ ଯଥା: ଏକେ-୫୫, ଏକେ-୫୭, ଏକେ-୭୪ କାହିଁକି ସେଇ ପ୍ରଥମ ମଡେଲର ସ୍ତରକୁ ଉନ୍ନୀତ ହୋଇ ପାରିଲା ନାହିଁ, ସେକଥା ଯୁଦ୍ଧ ବିଶାରଦ, ବିଶେଷଜ୍ଞ, ସମାଜଶାସ୍ତ୍ରୀ ଓ ଐତିହାସିକମାନେ କହିବେ! ଅବଶ୍ୟ ଏକେ-୭୪ ହେଉଛି ରାଷ୍ଟ୍ର୍ରୀୟ ସେନାବାହିନୀର ମାନକ ଅସ୍ତ୍ର! ଆଉ କୋଉ ଦେଶ ହୋଇଥିଲେ ହୁଏତ ପାଟେଂଟ୍ ମାଧ୍ୟମରେ ଆବିଷ୍କାରକ କାଲାସ୍ନିକୋଭ କୋଟିକୋଟି ମହାକୋଟି ପତି ହୋଇଯାଇଥାନ୍ତେ । ହେଲେ ଋଷିଆରେ ତାହା ସମ୍ଭବ ନଥିଲା ।
କାଲାସ୍ନିକୋଭ୍ ସର୍ବଦା କହୁଥିଲେ, “ଯଦି ମୁଁ ଜଣେ ବଂଧୁକ ଡିଜାଇନର୍ରେ ପରିଣତ ହୋଇଥାଏ, ତେବେ ସବୁ ଦୋଷ ନାଜୀ ଜର୍ମାନ୍ମାନଙ୍କର!”
୧୯୪୧ରେ ବ୍ୟାଁସ୍କ ଯୁଦ୍ଧ ଚାଲିଥିବା ସମୟରେ କାଲାସ୍ନିକୋଭ ଗୁରୁତର ଆହାତାସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଲେ । ଖଟିଆରେ ପଡ଼ିପଡ଼ି ଅସହାୟତା ଭିତରେ ଗୋଟିଏ ଚିନ୍ତା ତାଙ୍କୁ ଘାରୁଥାଏ ଯେ ଯଦି ଋଷିଆ ନିକଟରେ ଜର୍ମାନ୍ମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବାପରି ଉନ୍ନତମାନର ଯୁଦ୍ଧ ରାଇଫଲ୍ ଥାନ୍ତା, ତେବେ ନାଜୀ ବାହିନୀକୁ ସହଜରେ ତଡ଼ି ଦିଆଯାଇ ପାରିଥାନ୍ତା । ଏଇଥିରୁ ଛ’ ବର୍ଷର ନିରନ୍ତର ପରିଶ୍ରମପରେ ୧୯୪୭ରେ ଜନ୍ମ ନେଇଥିଲା ଭୟଙ୍କର ଲକ୍ଷ୍ୟଭେଦୀ, ଅବ୍ୟର୍ଥ ଏକେ-୪୭! ବାକି ତ ଇତିହାସ!
ଏଇ କିମ୍ବଦନ୍ତୀ ରାଇଫଲ୍ ନାମରେ ଯଶ ଯେତିକି, ଅପଯଶ ସେତିକି! ତେବେ ସେସବୁରେ ଆମର ଯାଏ କେତେ ଆସେ କେତେ? ମୋଜାମ୍ବିକ୍ର ଜାତୀୟ ପତାକାରେ ଏକେ-୪୭ର ଚିତ୍ର ଅଛି, ଏକଥା ଆପଣ ଜାଣିଥିଲେ କି? ଜାଣିଥିଲେ କି ଭିଏତ୍ନାମ୍ ଯୁଦ୍ଧ ସମୟରେ ଆମେରିକୀୟ ସୈନ୍ୟମାନେ ମରିପଡ଼ିଥିବା ସ୍ଥାନୀୟ ସୈନିକ/ଗରିଲାମାନଙ୍କଠାରୁ ଏକେ-୪୭ ଚୋରାଇ ନେଉଥିଲେ ବୋଲି? ଏକଥା ବି କଣ ଜାଣିଥିଲେ କି ଜନପ୍ରିୟତାର ଲମ୍ବା ଦୌଡ଼ରେ ଏହା ଅମେରିକାର ଏମ-୧୮କୁ ପଛରେ ପକାଇ ଦେଇଥିଲା ବୋଲି? ପୁଣି ଆଫ୍ଗାନିସ୍ଥାନରୁ ଋଷିଆକୁ ତଡ଼ିବା ପାଇଁ ଆମେରିକା ବେଆଇନରେ ତାଲିବାନ୍କୁ ହଜାର ହଜାର ଏକେ-୪୭ ଯୋଗାଇ ଦେଇଥିଲା! ଏଇଆକୁ କହନ୍ତି ବିଧିର ବିଧାନ!
ହେଃ! ଇଏ ସାହିତ୍ୟ-ଫାହିତ୍ୟ ଭିତରେ ଏସବୁ କଥା କାହିଁକି? କାହିଁ କୋଉକାଳୁ କୁହା ହୋଇଆସିଛି ଯେ ଖଣ୍ଡା-ବଂଧୁକ-ଗ୍ରେନେଡ୍-ଟ୍ୟାଙ୍କ୍ଠାରୁ ଲେଖକର କଲମ ଅଧିକ-ଅଧିକ-କେତେ ଅଧିକ ଶକ୍ତିିଶାଳୀ!
କଥାର ଗୁମର ଏଇଆ ଯେ କଲାସ୍ନିକୋଭ୍ ଆଦ୍ୟ ତାରୁଣ୍ୟ ଓ ଯୌବନରେ କବିତା ଲେଖୁଥିଲେ! କିଏ ଜାଣେ, କବିତା ଦ୍ୱାରା ସେ ହୁଏତ ଅମର କବିଟିଏରେ ପରିଣତ ହୋଇଥାନ୍ତେ! ତାହା ହେଲା ନାହିଁ! ଏକେ-୪୭ ଆବିଷ୍କାର ହେବା ସହ କବିର ମୃତ୍ୟୁ ହେଲା! ତେଣିକି ସେ ପାଲଟିଗଲେ ମୃତ୍ୟୁର କବି!!
ଫୁଲ:ତିନି  । । ସହସ୍ର କଳାକୃତି: ନିଃସଙ୍ଗ ଜୀବନ । ।
କଳାଜଗତକୁ ଏକ ଖବର ସଂପ୍ରତି ସ୍ତବ୍ଧ କରିଦେଇଛି । କଳା ଗବେଷିକା ଭାନେସା ଭଏଗ୍ ନାଜୀ ଯୁଗର ଜଣେ କଳାକୃତି-ସଂଗ୍ରାହକଙ୍କ ସଂପର୍କରେ ଜାଣିବାକୁ ପାଇଲେ ଯେ ପ୍ରାୟ ସହସ୍ରାଧିକ କଳାକୃତି ତାଙ୍କ ନିକଟରେ ଥିଲା । ନାଜୀ ବାହିନୀ ଏହାକୁ ଜବତ କରି ନେବା ଭୟରେ ସେ ଏସବୁକୁ କେଉଁଠି ଲୁଚାଇଥିଲେ କି କାହାକୁ ଦେଇଥିଲେ କି ସତକୁ ସତ ନାଜୀମାନେ ଏସବୁକୁ ନେଇ ନଷ୍ଟ କରିଥିଲେ; ଜାଣିପାରିବା ଥିଲା ମୁସ୍କିଲ ବ୍ୟାପାର ।
ଯାହାହେଉ, ଗତ ନଭେମ୍ବରରେ ଏହି ବିଚିତ୍ର ବିରଳ ରହସ୍ୟର ପର୍ଦ୍ଦାଫାସ ହେଲା । ଜର୍ମାନୀର ମ୍ୟୁଜିକ୍ ସହରର ଏକ ଆପାର୍ଟମେଂଟରୁ ଜଣେ ବିଚିତ୍ର ମଣିଷ କର୍ଣ୍ଣେଲିଅସ ଚାର୍ଲିଟଙ୍କର ସଂଧାନ ମିଳିଲା । ଅଶୀତିପର ଏହି ବୃଦ୍ଧ ସେହି ନାଜୀ ଯୁଗର କଳାକୃତି ସଂଗ୍ରାହକଙ୍କ ପୁଅବୋଲି ଜଣାପଡ଼ିଲା । ତାଙ୍କ ଆପାର୍ଟମେଂଟରୁ ମିଳିଲା ୧୨୮୦ଟି କଳାକୃତି । ବିରଳ ପେଂଟିଙ୍ଗଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଭିନ୍ନ ପ୍ରକାରର କଳାକୃତି । ତେବେ ଚାର୍ଲିଟ୍ଙ୍କଠାରୁ ଯେତିକି କଥା ଜାଣିବାକୁ ମିଳିଲା ତାହାର ସାରାଂଶ ଯେତିକି ଲୋମହର୍ଷଣକାରୀ, ସେତିକି ରୋମାଂଚକର ।
କଳାକୃତି ଖଂଟ ଓ ସ୍ମଗଲରମାନଙ୍କଠାରୁ ସବୁ ମୂଲ୍ୟବାନ କଳାକୃତିଗୁଡ଼ିକୁ ଲୁଚାଇ ଲୁଚାଇ ୧୯୬୩ରେ ସେ ଏଇ ଆପାର୍ଟମେଂଟରେ ପହଂଚିଥିଲେ । ସେବେଠାରୁ ଏବେଯାଏଁ ଅର୍ଥାତ୍ ପ୍ରାୟ ପଚାଶବର୍ଷଧରି ସେ ଏକାକୀ ଏଗୁଡିକର ଯତ୍ନ ନେଇ ଆସିଛନ୍ତି । ସେଥିପାଇଁ ସେ ମଧ୍ୟ କରିଛନ୍ତି ଅପୂର୍ବ ତ୍ୟାଗ । କଳାକୃତିଗୁଡିକୁ କାହାରି ଲୋଲୁପ ଦୃଷ୍ଟିରୁ ଲୁଚାଇ ରଖିବା ପାଇଁ ସେ ବିବାହ କରି ନଥିଲେ କିମ୍ବା ତାଙ୍କର ନଥିଲେ କେହି ଗାର୍ଲଫ୍ରେଂଟ ବା କେହି ପୁରୁଷ ବନ୍ଧୁ । ଆପାର୍ଟମେଂଟରେ ଦିନେ ହେଲେ ଥରୁଟିଏ ପାଇଁ ସେ କାହାକୁ ଡାକି ନଥିଲେ ଘର ଭିତରକୁ । ୧୯୬୩ ପରଠାରୁ ସେ ଟିଭି ଦେଖିନଥିଲେ ଆଜିଯାଏଁ!! ଟିକେ ଭାବି ଦେଖନ୍ତୁ କଥାଟା, ଜର୍ମାନୀ ପରି ଅତ୍ୟାଧୁନିକ ଦେଶର ମ୍ୟୁଜିକ୍ ପରି ବିଶାଳ, ଚଂଚଳଂଚଳ ସହର ଭିତରେ ଥାଇ ମଧ୍ୟ ଏପରି ସଂସାର ତ୍ୟାଗୀ, ସନ୍ୟାସୀ ଜୀବନ ବିତାଇବା କଣ ସହଜକଥା ନା କଣ! ବାସ୍ତବରେ ସମାଜରେ ଘଟିଯାଇଥିବା ଅନେକ ସାଂପ୍ରତିକ ଘଟଣା, ଦୁର୍ଘଟଣା ବିଷୟରେ ତାଙ୍କର ଧାରଣା ଇ ନଥିଲା । ପଡ଼ିଶାମାନେ କହିଲେ ଯେ ଚାର୍ଲିଟଙ୍କ ଘରର ଝରକାଗୁଡିକର ପର୍ଦ୍ଦାସବୁ ସର୍ବଦା ବନ୍ଦଥାଏ । କେବେ କେମିତି ସେମାନେ ଚାର୍ଲିଟ୍ଙ୍କୁ ଦେଖୁଥିଲେ, ମାସେ ପନ୍ଦର ଦିନରେ ଥରେ, ଅତ୍ୟାବଶ୍ୟକ ସାମଗ୍ରୀ କିଣିସାରି ଏକାକୀ ଚାଲିଚାଲି ଘରକୁ ଫେରିବାର!
କଳା ଗବେଷିକା ଭାନେସାଙ୍କ ମତରେ ଚାର୍ଲିଟ୍ ରଖିଥିବା ୧୨୮୦ଟି କଳାକୃତିର ମୂଲ୍ୟ ବର୍ତ୍ତମାନର ବଜାର ଦରରେ ହେବ ଏକ ବିଲିୟନ ଡଲାର! ମାନେ କିଛି ବୁଝିପାରୁଛନ୍ତି ତ? ଏକ ବିଲିୟନର ଅର୍ଥ ଏକହଜାର ମିଲିୟନ, ଏକ ମିଲିୟନ ଆମ ଭାରତୀୟ ହିସାବରେ ଦଶଲକ୍ଷ ଡଲାର ଏବଂ ଏକ ଡଲାର ମନେକର ସର୍ବନିମ୍ନ ଷାଠିଏ ଟଙ୍କା! କିଛି ହିସାବ ମିଳିଲା କି?
ଶହ ଶହ ପ୍ରଶ୍ନରେ ଅତିଷ୍ଠ ହୋଇଥିବା (କଥା କହିବା, ଗାଲୁ ମାରିବା, ଟିଭି ସାମ୍ବାଦିକଙ୍କ ପ୍ରଶ୍ନ ଇତ୍ୟାଦି ବିଷୟରେ ସମ୍ୟକ ଧାରଣା ନଥିବା) ଚାର୍ଲିଟ୍ କେବଳ ଏତିକି କହିଥିଲେ, ‘ଏଇ କଳାକୃତିଗୁଡିକ ଭିନ୍ନ ଜୀବନରେ ମୁଁ ଆଉ କାହାକୁ ଭଲ ପାଇନାହିଁ!”
ଏଇ ପୃଷ୍ଠ ଭୂମିରେ ଆମ ଦେଶର ସଂଗ୍ରହାଳୟ, ଐତିହରାଜି, ପ୍ରସ୍ତର କୀର୍ତ୍ତୀ, କଳାପୀଠଗୁଡିକର ଭାଗ୍ୟ ଓ ଭବିଷ୍ୟତ କଥା ଭାବି ଦେଖନ୍ତୁ!!
ଏଇ ସ୍ତମ୍ଭ ମାଧ୍ୟମରେ ଆମେ କର୍ଣ୍ଣେଲିଅସ୍ ଚାର୍ଲିଟଙ୍କୁ ସାଲ୍ୟୁଟ୍ କରୁଛୁ!
                 । ।ଫୁଲ-ଚାରି । ।
ଏ ଭିତରେ ଗୋଟେ ଛୋଟକାଟର କ୍ଷୁଦ୍ରଗଳ୍ପ ସଂକଳନ ହାତରେ ପଡ଼ିଲା । ଦିନେ/ଦି’ଦିନ ଛୁଟି ବି ଥିଲା । ସଂକଳନଟିର ନାଁ ‘ଲକ୍ଷ୍ମୀପାଦ’ ପ୍ରକାଶକ ହେଉଛନ୍ତି ସୁଭାଷିନୀ ପ୍ରକାଶନୀ, ଭୁବନେଶ୍ୱର । ଗାଳ୍ପିକ ହେଉଛନ୍ତି ଜ୍ଞାନରଂଜନ ନାୟକ । ସଂକଳନଟିରେ ଅଛି ମୋଟ ୧୫ଟି ଗପ । ପୃଷ୍ଠା ସଂଖ୍ୟା ୧୨୮ ।
ଜ୍ଞାନରଂଜନ ଇଂଜିନିଅରିଂ ଛାତ୍ର । ଏବେ ବୃତ୍ତିରେ ଅଧ୍ୟାପକ । ତାଙ୍କ ସହ ମୋର ସଂପର୍କ ବେଶ କିଛି ଦିନର । ବସୟରେ ସେ ମୋଠାରୁ କାହିଁ କେତେ ସାନ । ତାଙ୍କ ସହ ମୋର ପରିଚୟ ଥିବାଟା ହିଁ ମୋତେ ତାଙ୍କ ସୃଜନ ସମ୍ଭାରର ଏକ ସଂକ୍ଷିପ୍ତ ଆକଳନ କରିବାକୁ ଅନୁପ୍ରେରିତ କଲା । ୧୫ଟି ଯାକ ଗପର ନାମ ସବୁ କ୍ରମାନ୍ୱୟେ ଏହିପରି: ବାଗଦେବୀ, ଠାକୁରାଣୀ, ଉଧାର, ଜୀବନ ଯମୁନାରେ, ତ୍ରିଶଙ୍କୁ, କଲମ୍ବସ, ଅଥଃ କାଉ କୋଇଲି ସମ୍ବାଦ, ଗଣତନ୍ତ୍ର, ଲକ୍ଷ୍ମୀପାଦ, ବୈକୁଣ୍ଠ, ଅହିଂସା, ଆଲୁଅର ଛାଇ, ଶହୀଦ, ହେମହରିଣୀ ଏବଂ ବିବର୍ତ୍ତନ!
ଓଡ଼ିଶାର ଭିନ୍ନ ଭିନ୍ନ ଅଂଚଳରେ ସମୟ ବିତେଇଥିବା ଅନୁଜ ଜ୍ଞାନ ରଂଜନ ସେଇ ସବୁ ଅଂଚଳ, ସେଠାକାର ଚଳଣି, ଲୋକଙ୍କ ହାବଭାବକୁ ନିରୀକ୍ଷଣ କରିଛନ୍ତି । ତାଛଡା, ସେ ନିଜେ ଜଣେ ବେଶ୍ ସ୍ନେହୀ ଓ ବନ୍ଧୁ ବତ୍ସଳ ମଣିଷ ହୋଇଥିବାରୁ ସେଇ ଭାବ ତାଙ୍କ ଚରିତ୍ରମାନଙ୍କ ମାଧ୍ୟମରେ କାଗଜର ପିଠିକୁ ଉତୁରି ଆସିଛି । ତେବେ ପୂରା କାହାଣୀର ଆତ୍ମା ଭିତରକୁ ଯିବା ଆଗରୁ କେତେଟା କଥାକୁ ଆମେ ଦେଖିବା ।
ପୃଷ୍ଠା-୮ରେ ବ୍ୟବହୃତ ହୋଇଥିବା ‘ସାଙ୍ଗିତିକତା’ ଭଲ ଲାଗୁନାହିଁ । ପୃଷ୍ଠା-୧୮ରେ ଭାଗବତରୁ କେତୋଟି ଧାଡ଼ି ଉଦ୍ଧାର କରାଯାଇଛି । ତମକ୍ରାର ପଦ ସବୁ । “ବନ୍ଧୁ ହେଲେ ହେଁ ଜାଣ ତୁହି । ତା ଗୃହେ ଯିବା ଉଚିତ୍ ନୁହଁଇ ।” ହୁଏତ କିଛି ବଡଧରଣର ଭୁଲ କୋଉଠି ରହିଯାଇଛି; ନହେଲେ ପଛ ଧାଡ଼ିରେ ଏଗାର ଅକ୍ଷର ହେଲା କେମିତି? ପୃଷ୍ଠା-୨୦ରେ ଚମକ୍ରାର ବିଲୁପ୍ତପ୍ରାୟ ଶଦ୍ଧ ଅଛି, ଯଥା: କୁଳମୂଳ, ଝିଟିପିଲା, ଉଷୁମୁଳିଆ ଇତ୍ୟାଦି । ପୃ-୨୩ରେ ଥିବା ‘ପହଣ୍ଡ’ ନିହାତି ଏକ ସ୍ଥାନୀୟ ଶଦ୍ଧ, ଏହା ଆଦୌ ପହଣ୍ଡି ନୁହେଁ । ପୃ-୨୫ରେ ‘ଖୁସିରୁ ଚଳାଏ ଛାଟିଲା’ ଏକ ଚମକ୍ରାର ବର୍ଣ୍ଣନା । ପୃ-୩୦ରେ ଥିବା ‘ମେଲାଘର’  କଥା ଆଜିକାଲିକାର ତରୁଣ ବର୍ଗ କିମ୍ବା କିଶୋର ବର୍ଗ ଜମା ବୁଝି ପାରିବେ ନାହିଁ; ସହରୀପିଲାଙ୍କ କଥା ଛାଡ଼, ଗାଁ ପିଲାଏ ତ ଜାଣିବେ ନାହିଁ! ପୃ-୩୭ରେ “ତାର ସଂସାର ସତେ ଯେମିତି ମିଲିର ସ୍ତନପରି ରସହୀନ ହୋଇ କୋଉଁଠି ଗୋଟେ ଝୁଲି ରହିଥିଲା ।” ଏହା ଏକ ବେଶ୍ ଆଧୁନିକ ଓ ଭଲ ଉପମା ପରି ଲାଗୁଥିଲେ ହେଁ ସେଇ ଗପର ପୃଷ୍ଠଭୂମିରେ ରୁଚିହୀନ ପରି ମନେହେଲା! ଛାଡ଼ ଏଇମିତି ଅସଂଖ୍ୟ ଖୁବ୍ ଚମକ୍ରାର ବ୍ୟବହାର ଓ ପ୍ରୟୋଗମାନଙ୍କ ସହ କାଁ ଭାଁ କେତୋଟି ଛୋଟମୋଟ ପ୍ରମାଦ ଅଛି । ତେବେ ଆମେ ପ୍ରମାଦ ଭିତରକୁ ଏଇଥିପାଇଁ ଯିବା ନାହିଁ ଯେ ମୋ ଜାଣିବାରେ(କ) ଜ୍ଞାନ ପ୍ରଚଣ୍ଡ ବ୍ୟସ୍ତତା ଭିତରେ ଗପ ଲେଖନ୍ତି (ଖ) ଥରେ ଆରମ୍ଭ ପରେ ଶେଷ କରିବା ଭିତରେ ସମୟ ବ୍ୟବଧାନ ହୁଏତ ବଢ଼ିଯାଉଛି ବା (ଗ) ଖୁବ୍ ତରତରରେ ସାରି ଦେବା ପାଇଁ ବାଧ୍ୟ ହୋଇଛନ୍ତି!
ଖୁବ୍ ସଂକ୍ଷେପରେ ଏଣିକି ଆମେ ଗପଗୁଡ଼ିକର ଆତ୍ମା ଭିତରକୁ ପ୍ରବେଶ କରିବା । ଏଣିକି ମୁଁ ଯାହା କହିବି, ତାହା ମୋର ଏକାନ୍ତ ଅନୁଭବ; କାହିଁକି ସେପରି କହିଲି ତାହା ବୁଝାଇ କହିବାର ଅବକାଶ ନାହିଁ ।
(କ) ପ୍ରାୟ ସବୁଯାକ ଗପ ଏକଏକ ବେଶ ସମ୍ବେଦନଶୀଳ/ଭାବପ୍ରବଣ/ବାସ୍ତବ କଥା/ଘଟଣା/ଅନୁଭବ ଉପରେ ଆଧାରିତ ।
(ଖ)  କାହାଣୀର ଆରମ୍ଭ ତ କ୍ରମ ବିକାଶ, ପରିବେଶ ଓ ପରିସ୍ଥିତି ନିର୍ମାଣ ଖୁବ୍ ଭଲ ।
(ଗ) ପ୍ରତି ଗପରେ ଚରିତ୍ର ସଂଖ୍ୟା ସୀମିତ, ଗୋଟିଏ, ଚିତ୍ର ଅତି ପ୍ରଭାବଶାଳୀ, ଅନ୍ୟମାନେ ପ୍ରାୟତଃ ନିଷ୍କ୍ରଭ ।
(ଘ) ଠାକୁରାଣୀ, ଲକ୍ଷ୍ମୀପାଦ, ଗଣତନ୍ତ୍ର ବେଶ ଚମକ୍ରାର ପର୍ଯ୍ୟାୟଭୁକ୍ତ ।
(ଙ) ଖୁବ୍ ସାଧାରଣପରି ମନେ ହେଉଥିଲେ ହେଁ ଏକ ସ୍ୱୟଂ ସଂପୂର୍ଣ୍ଣ ଓ ଶକ୍ତିଶାଳୀ ତଥା ଆରମ୍ଭରୁ ଶେଷଯାଏଁ ପ୍ରାସଙ୍ଗିକତା ରକ୍ଷା କରି ଝରଣାପରି ବହି ଯାଇଥିବା ଗପ ହେଉଛି ‘ବୈକୁଣ୍ଠ ।’
(ଚ) ‘ଶହୀଦ’ ଓ ‘ହେମହରିଣୀ’ ଗପରେ ଲୁଚି ରହିଛି ପ୍ରଚୁର ସମ୍ଭାବନା, ଅଥଚ ସାଧାରଣ ବର୍ଣ୍ଣନାଶୈଳୀ ଭିତରେ ଅସୀମ ସମ୍ଭାବନା ଲୁଚିଯାଇଛି!
(ଛ) କିଛି ସ୍ଥାନରେ ଦ୍ୱନ୍ଦ- ନୈତିକତା ଓ ବାସ୍ତବତା ଭିତରେ- ଅଥଚ ସାହସର(?) ଅଭାବରୁ କିଛି ନହୋଇ ଫୁସ୍କି ଯାଇଚି, ଯେମିତି କି ପ୍ରଥମ ଗପ ‘ବାଗଦେବୀ’ରେ ଅଥବା ଗପ ‘ଉଧାର’ରେ! ଏବଂ ସାହସର ଏଇ ଅଭାବକଥା ହୁଏତ ବଂଧୁ ସଦାନନ୍ଦ ତ୍ରିପାଠୀ କହିଛନ୍ତି ନିଜ ମନ୍ତବ୍ୟରେ, ଯାହାଅଛି ପଛପାଖରେ, ଯେ- ‘ଜ୍ଞାନରଂଜନଙ୍କ ଗଳ୍ପର ଉପସଂହାର ଦୃଢ଼ ହୋଇପାରିଲେ ତାହା ପୂର୍ଣ୍ଣାଙ୍ଗ ଗଳ୍ପର ମାନ୍ୟତା ପାଇପାରନ୍ତା! ଭାଇ ସଦାନନ୍ଦଙ୍କ ଆଖି ଓ ବିଚାର ଉପରେ ଆମର ରହିଛି ନିଃସର୍ତ୍ତ ଭରସା!
ବାସ୍- ଆଉ କିଛି କହିବାର ନାହିଁ! ଗପ ଗୁଡିକ ସୁଖପାଠ୍ୟ । ମୁଦ୍ରଣ ପ୍ରମାଦ ନାହିଁ କହିଲେ ଚଳେ । ସୁଦୃଶ୍ୟ ପରିପାଟୀ । ସାନଭାଇ ଜ୍ଞାନରଂଜନକୁ ଗୋଟିଏ କଥା କହିବା । ଯେଉଁ ସମୟ ବା କାଳଖଣ୍ଡରେ ଆମେ ସମସ୍ତେ ରହୁଛେ, ସେଥିରେ କୌଣସିଥିରେ ସାଲିସ କରିବା ଅପ୍ରାସଙ୍ଗିକ, ବିଶେଷତଃ କ୍ଷୁଦ୍ର ଗଳ୍ପରେ; ଚରିତ୍ର ଓ ପରିବେଶରେ! ହିନ୍ଦୀରେ ‘ପଗଲା କହିଁ କା’ ବୋଲି ଏକ ସିନେମାରେ ଗୀତଟେ ଅଛି: ‘ତୁମ ମୁଝେ ଭୁଲା ନା ପାଓଗେ, ଜବ୍ ସୁନୋଗୀ ଗୀତ ମେରେ ସଂଗ ସଂଗ ଭି ଗୁନ୍ଗୁନାଓଗେ…!’ ସେହି କାଳଖଣ୍ଡ ଚାଲିଯାଇଛି । ଏବେ… ପିଙ୍କି ହୈ ପୈସା ୱାଲୋଁ କୀ’ର କାଳଖଣ୍ଡ ଚାଲିଛି ।
ଭାବୁଛି, ଭାଇ ଜ୍ଞାନ ରଂଜନ ମୋ କଥା ବୁଝିଲେ ଅବା ବୁଝିବେ!
 । ।ଫୁଲ-ପାଂଚ । । ପୁଣି ସତୀତ୍ୱ ଓ ଅର୍ଥ କଥା
ପ୍ରଥମେ ବୁଝିବାକୁ ହେବ ଯେ ଓଡ଼ିଆରେ ସତୀତ୍ୱ କହିଲେ ଆମେ ଯାହା ବୁଝୁଛେ, ଇଂରାଜୀରେ ଭର୍ଜିନିଟି କହିଲେ ସେଇଆ ବୁଝାଯାଏ କି? ମୂଳତଃ କଥାଟି ଏମନ୍ତ ଯେ ଆମେ ଯଦି ଉଦାହରଣ ସହ ଇତିହାସ ଓ ପୁରାଣରୁ କଥାଟା ବୁଝାଇବାର ପ୍ରୟାସ କରିବୁ, ତେବେ ଲୋକେ ତ ଯାହା ଆମକୁ ଅଶ୍ଲୀଳ- ବଦମାସ ବୋଲି କହିବେ, ହେଲେ ଆମ ସମାଜରେ ଏ ବୟସରେ ଆମର ଆଉ ମୁଣ୍ଡ ଉଠାଇ ଚାଲିବାର ଜୁ’ ରହିବ ନାହିଁ!
ଅତଃ ଆମେ ସତୀତ୍ୱ କଥାକୁ ବାଦ୍ ଦେଉଛୁ । ଭର୍ଜିନିଟି କଥାଟିର ଅର୍ଥ ବୋଧେ ଏହିଯେ ପ୍ରଥମଥର ଦୈହିକ ସଂପର୍କ ବା ସହବାସ ରମଣ ବା ମିଳନର ପୂର୍ବ ଅବସ୍ଥାରେ ଜଣେ ନାରୀକୁ ଭର୍ଜିନ୍ ବୋଲି କୁହାଯିବ । ଛାଡ, ଏହି ଭର୍ଜିନିଟି ବିକ୍ରୟ ବା ନିଲାମ କରାଯିବା ଏକ ଫେସନରେ ପରିଣତ ହୋଇଛି, ଧନୀ ପୁରୁଷମାନେ ଏବେ ପାଶ୍ଚାତ୍ୟ ଦେଶମାନଙ୍କରେ ଭର୍ଜିନିଟି କ୍ରୟ କରିବା ପାଇଁ ବିଜ୍ଞାପନ ଦେଉଛନ୍ତି । ହଁ-୨୦୧୨ ଅକ୍ଟୋବରରେ ମିଗ୍ଲିଓରିନି ନାମକ ଜଣେ ବ୍ରାଜିଲିୟ କଲେଜ୍ ଛାତ୍ରୀ ନିଜ ଭର୍ଜିନିଟି ବିକିବେ ବା ନିଲାମ କରିବେ ବୋଲି ଅନଲାଇନ୍୍ ବିଜ୍ଞାପନ ଦେଇଥିଲେ । ଉତ୍ତରରେ ଜାପାନର ଜଣେ କୋଟିପତି ଏଥିପାଇଁ ୭,୮୦,୦୦୦ ଡଲାରରେ ନିଲାମ ଧରିଥିଲେ । କେଜାଣି କାହିଁକି କଥାଟାର ମୁଣ୍ଡି ମରିପାରିନଥିଲା । ଏବେ ସେଇ ତରୁଣୀ କାଟାଲିନା ମିଗ୍ଲିଓରିନି ପୁନଶ୍ଚ ବିଜ୍ଞାପନ ଦେଇଥିଲେ । ସର୍ବନିମ୍ନ ଏକ ଲକ୍ଷ ଡଲାରରୁ ନିଲାମ ଆରମ୍ଭ ହୋଇଥିଲା । ତରୁଣୀଙ୍କ କହିବା କଥା ପନ୍ଦର ଲକ୍ଷ ଡଲାର ହୋଇଥିଲେ ସେ ଏଥର ନିଶ୍ଚେ ଭର୍ଜିନିଟି ବିକିଥାନ୍ତେ ।
ଯା’ହେଉ,ହୋ-ହଲ୍ଲା ଭିତରେ ତାଙ୍କର ଲାଭ ଏଇଆ ହେଲା ଯେ ସେ ବ୍ରାଜିଲର ‘ପ୍ଲେ-ବୟ’ ପତ୍ରିକାର କଭର ଗାର୍ଲ ହୋଇ ଚହଳ ପକାଇ ଦେଲେ ।
          । ।କେତୋଟି ପାଖୁଡା । ।
କହିବା ବାହୁଲ୍ୟ, ପ୍ରତ୍ୟେକ ଫୁଲ ଚାଙ୍ଗୁଡିରେ କେତେଟା ପାଖୁଡା, ଛିଣ୍ଡାପତ୍ର ପଡ଼ିଥାଏ, ସାହିତ୍ୟ ଚାଙ୍ଗୁଡ଼ିରେ ଏହାର ବ୍ୟତିକ୍ରମ କାହିଁକି ବା ହୁଅନ୍ତା! ଅତଏବ:-
ପାଖୁଡ଼ା-୧
ଆମ ସମୟର ବେଶ୍ ଜଣାଶୁଣା ସାହିତ୍ୟିକ ରାଧୁ ମିଶ୍ରଙ୍କୁ ଆମ୍ଭେ ଭାଇନା ବୋଲି କେବେଠାରୁ ସମ୍ବୋଧନ କରି ଆସିଚୁ । ଢ଼େରଦିନ ତଳେ ଆମର ଭେଟ ହୋଇଥିଲା ମାତ୍ର କେତେ ମିନିଟ୍ ପାଇଁ, ବୋଧେ ସେବେକାର ସୂଚନା ଓ ଏବେକାର ଜୟଦେବ ଭବନରେ । ତାହା ହିଁ ପ୍ରଥମ ଓ ଶେଷ ଭେଟାଭେଟି । ତେବେ ଯଦି ପୁଣି ଭେଟ ହୁଏ, ତେବେ ଶେଷର ସଂଜ୍ଞା ପୁନଃ ନିରୂପଣ କରିବାକୁ ହେବ । କିନ୍ତୁ ଫୋନ୍ ମାଧ୍ୟମରେ ଆମର ପରସ୍ପର ପ୍ରତି ସ୍ନେହ-ଶ୍ରଦ୍ଧା ଅତୁଟ ଓ ଅମ୍ଲାନ ରହିଛି । ରାଧୁ ଭାଇନାଙ୍କୁ ଅନେକ ନିର୍ଦ୍ଧିଷ୍ଟଭାବେ ବ୍ୟଙ୍ଗକାର/ବ୍ୟଙ୍ଗ ସାହିତ୍ୟିକ ଇତ୍ୟାଦିରେ ବର୍ଗୀକୃତ କରିଛନ୍ତି । ବାସ୍ତବରେ ଟିକେ ଢ଼ଳେଇ ଦେଖିଲେ ଜଣାଯିବ ଯେ ସେ ଜଣେ ଚମକ୍ରାର ସାହିତ୍ୟିକ, ଯାହାଙ୍କର ତୀବ୍ର ବୁଦ୍ଧି ଓ ବିଚକ୍ଷଣ ପ୍ରତ୍ୟୁପନ୍ନମତିତା ରହିଛି । ଏହାକୁ ବ୍ୟଙ୍ଗ କୁହାଗଲେ କଣ ବା କରାଯିବ?
ହଁ-ଭାଇନା ଏବେ କେତେଟା ପ୍ରମୁଖ ଖବରକାଗଜରେ ନିୟମିତ ସ୍ତମ୍ଭ ଲେଖୁଛନ୍ତି । ଖାଲି ଆମେ ନୁହେଁ; ରାଜ୍ୟର ଅନେକ ପାଠକ ତାଙ୍କ ସ୍ତମ୍ଭରେ ଆମୋଦିତ ହେଉଛନ୍ତି! ତେବେ ତାଙ୍କର ସଦ୍ୟତମ ପ୍ରସ୍ତାବ ଓ ଆଲୋଚନା ଏତେ ଉଚ୍ଚକୋଟୀର ଯେ ଏମିତି ପାଖୁଡାରେ ବର୍ଣ୍ଣିବା ଅସମ୍ଭବ!
ଠାଏ ସେ ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟର ମତାମତ(ରାୟ) ଉପରେ ଆଲୋଚନା କରିଛନ୍ତି । କୋଉ ବିଷୟ? ସେକଥା ପୁଣି ଖୋଲିବାକୁ ପଡ଼ିବ? ଆରେ ବାବା- ସମଲିଙ୍ଗୀ ସଂପର୍କରେ ଦିଲ୍ଲୀ ହାଇକୋର୍ଟର ଜନପ୍ରିୟ, ପ୍ରଗତିଶୀଳ ମତ ଓ ପରେ ପରେ ସୁପ୍ରିମକୋର୍ଟଙ୍କର ହତାଶାଭରା ପଶ୍ଚାତ୍ଗତି ସୂଚକ ଭୟଙ୍କର ମତ! ଛାଡ- ଏସବୁ ବାଦ/ ଦର୍ଶନରୁ ଆମକୁ କଣ ମିଳିବ? ଆମେ ଦୁଇ ମିନିଟରେ ରାଧୁ ଭାଇନାଙ୍କ ଅନୁଭବ କଥା କହିବା ।
ସେ ସମଲିଙ୍ଗୀ ବିବାହ/ସଂପର୍କ/ସହବାସ/ସଂଗମ ସଂପର୍କରେ ନିଜର ଅତି ମୂଲ୍ୟବାନ ସୁଚିନ୍ତିତ ମତାମତ ପ୍ରଦାନ ପୂର୍ବକ ଲେଖିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ମତାମତ ପରେ ଯେପରି ତୁମ୍ବିତୋଫାନ ହେଲା, ତାହା ଅତ୍ୟନ୍ତ ଉତ୍ସାହଜନକ । ତେବେ ପେଂଟ ତିଆରି ପାଇଁ ଦର୍ଜୀ ଦୋକାନକୁ ଯିବାବେଳେ ଟେଲର ମାଷ୍ଟର ପ୍ରସ୍ତାବ ଦେଲା ଯେ ଚେନ୍ ବା ଜିପଟା ସେ ଆଗପଟେ ନା ପଛପଟେ ରଖିବ! ମାଷ୍ଟର ରାଧୁଭାଇନାକୁ ବୁଝାଇଲା ଯେ କେଉଁ କାଳର କୋଉ ଆବଶ୍ୟକତାକୁ ଆଖି ଆଗରେ ରଖି ପୁରୁଷମାନଙ୍କ ପେଂଟ(ପ୍ୟାଂଟ କୁହ ହେ!)ର ଆଗପଟ ଚେନଥିଲା । ଏବେକାର ଜରୁରୀ ଆବଶ୍ୟକତା ହେଉଛି ଚେନ୍ଟି ପଛଭାଗରେ ରଖିବା । ଏପରି ବିରଳ ଆଇଡ଼ିଆ ତଥା ବିସ୍ମୟକର ତତ୍ତ୍ୱାବତାରଣା ପାଇଁ ଭାଇନାଙ୍କୁ ଧନ୍ୟବାଦ୍ । ସେ ଟେଲର ମାଷ୍ଟରକୁ ଭୁବନେଶ୍ୱର ଡକାଇ ଏଠାକାର କିଛି ନିଶ ଉଠିନଥିବା ଛୁଆ ଟେଲର ନବିଶଙ୍କୁ ଭଲ ତାଲିମ ପ୍ରଦାନ କରାଯିବାର ପ୍ରସ୍ତାବ ମନ୍ଦ କି? ଭାଇନାଙ୍କୁ ଏପରି ଚମକ୍ରାର ଆଇଡ଼ିଆ ପାଇଁ ତଥା ତାହାକୁ ତତୋଧିକ ଚମକ୍ରାର ଢ଼ଙ୍ଗ ଓ ରୁଚିପୂର୍ଣ୍ଣ ଶୈଳୀରେ ଉପସ୍ଥାପନ କରିଥିବାରୁ ଅଜସ୍ର ଧନ୍ୟବାଦ । ଈଶ୍ୱର ତାଙ୍କ କଲମକୁ ବଜ୍ର କରିଥାନ୍ତୁ ଓ ତାଙ୍କ ଶଦ୍ଦମାନଙ୍କୁ ସଦା ସୁଖ ଓ ହସମୟ କରି ରଖିଥାନ୍ତୁ ।
                । ।ପାଖୁଡା-୨ । ।
ମୋ ସହ ଯେଉଁମାନଙ୍କର ସଂପର୍କକୁ ଆପତତଃ ଘନିଷ୍ଠ ବୋଲି କୁହାଯିବ ଅଥବା ଯେଉଁମାନେ ମୋତେ ଢ଼େର ଦିନରୁ ଜାଣିଛନ୍ତି, ସେମାନଙ୍କୁ ଆପଣ ଅବଶ୍ୟ ମୋ କଥାର ସତ୍ୟାସତ୍ୟ ପଚାରି ପାରନ୍ତି । ଜନ୍ମଦିନ, ବିବାହ, ବ୍ରତଘର ପରି ପାରିବାରିକ ଉତ୍ସବରେ ଯେଉଁ ନିମନ୍ତ୍ରଣ କାର୍ଡ ଦିଆଯିବ, ସେଥିରେ ଲେଖାଯିବ ଯେ (କ) ସମସ୍ତେ ନିଜ ନିଜ ଘରେ ଖାଇପିଇ ଆସିବେ ଓ (ଖ) ଲଫାପା ଭିତରେ ଟଙ୍କା ବଦଳରେ ପଦେ କବିତା କି ଧାଡ଼ିକିଆ ଶୁଭେଚ୍ଛା-ସଂଦେଶଟେ ରହିବ! ଆହା- ମୋର ଅଭିନବ ଆଇଡ଼ିଆଟା ସାହିତ୍ୟ ଅଥବା ସାମାଜିକ ମାର୍କେଟରେ ପ୍ରବେଶ କରିବା ଆଗରୁ ଆମେରିକାର ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ମିସେଲ୍ ଓବାମା ଅଇଡ଼ିଆଟାର ପଚାଶଭାଗ ଅପହରଣ କରିନେଇ କାର୍ଯ୍ୟକାରୀ କରିବେ ବୋଲି ଘୋଷଣା କରିସାରିଲେଣି ।
ଏ ପ୍ରବନ୍ଧ ଲେଖା ଚାଲିଛି(ଜାନୁୟାରୀ ୧୦) ଏବଂ ମିସେଲଙ୍କ ଜନ୍ମଦିନ ଜାନୁୟାରୀ ୧୭ । ସେ ଆଗୁଆ ଘୋଷଣା କରିସାରିଛନ୍ତି ଯେ ଜାନୁୟାରୀ ୧୮ରେ ହ୍ୱାଇଟ୍ ହାଉସରେ ‘ସ୍ନାକ୍ସ ଆଣ୍ଡ ସିପ୍ସ ଆଣ୍ଡ ଡାନ୍ସିଙ୍ଗ ଆଣ୍ଡ ଡେଜର୍ଟସ’ର ଆୟୋଜନ କରାଯିବ । ତେବେ ଅତିଥିମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ନିମନ୍ତ୍ରଣ ପତ୍ରରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଅତିଥିମାନେ ରାତ୍ରିଭୋଜନ ସମାପ୍ତ କରିସାରି ଆସିବେ । ପାର୍ଟିରେ କେବଳ ନାଚ,ଗୀତ ଓ ମୃଦୁ ପାନୀୟ ତଥା କିଛି ସ୍ନାକ୍ସ ଚାଲିବ । ନିମନ୍ତ୍ରଣ ପତ୍ରରେ ଅନ୍ୟ ଏକ କଥା ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଅଛି । ତାହା ହେଲା, ଭଲ ଯୋତା ପିନ୍ଧିବା ପାଇଁ । ଏସବୁ ଯାହା ସବୁ ନିର୍ଦ୍ଦେଶ, ବାପରେ ବାପ୍; ପାର୍ଟି ଆୟୋଜକ ଓ ଅତିଥିମାନଙ୍କ ଦିମାଗ୍ ପୁରା ଗୋଲ୍!
କୁହାଯାଉଛି ଯେ ନିକଟରେ ଏକ ଶିଶୁ-ଡାକ୍ତରଖାନାକୁ ଯାଇଥିବାବେଳେ ଜଣେ ଶିଶୁ-ରୋଗୀର କଥାରୁ ଏପରି ଜନ୍ମଦିନ ପାର୍ଟିର ଆୟୋଜନ ପାଇଁ ମିସେଲ୍ ମନବଳାଇଥିଲେ ।
                      । ।ପାଖୁଡ଼ା-୩ । ।
ଏବେ ଯାହା ମୁଁ କହିବାକୁ ଯାଉଛି, ତାହା ପୂରାପୂରି ସତକଥା । ଏହିପରି ବିଚିତ୍ର ସତକଥାମାନଙ୍କୁ ଟିକେ ଅଦଳ ବଦଳ କରି, କିଛି କଳ୍ପନା ମିଶାଇ ଚମକ୍ରାର କାହାଣୀମାନ ଗଢ଼ାଯାଇ ପାରିବ । ନିଷ୍ଠାପରଭାବେ ପୂର୍ବାପର ସଂହତି ରକ୍ଷାକରି କାହାଣୀ କରାଯାଇପାରିବ । ନୂଆନୂଆ ଗପଲେଖାରେ ହାତ ଦେଇଥିବା ଗାଳ୍ପିକ/କା ମାନେ ବିଚିତ୍ର ପ୍ଲଟକୁ ନେଇ ନୂଆ ଢ଼ାଂଚାର ଗପ ଲେଖିବା ଜରୁରୀ!
ଏବେ ଘଟଣାଟା କହେ । ହଲିଉଡର ଜଣେ ଜଣାଶୁଣା ନାୟକ ଅଛନ୍ତି, ଏହାଙ୍କ ନାମ ଜର୍ଜ କ୍ଲୁନି! ଇଂଲଣ୍ଡର କେଂଟ କାଉଂଟିର ଆସ୍ଫୋର୍ଡରେ ଗ୍ୟାରି ଟେଟ୍ ବୋଲି ଜଣେ ଭଦ୍ରବ୍ୟକ୍ତି ଅଛନ୍ତି, ଯିଏକି ଦେଖିବାକୁ ଏକ୍ବାରେ କ୍ଲୁନିଙ୍କ ପରି । କ୍ଲୁନିଙ୍କ କା’ପରି ଦିଶୁଥିବାରୁ ବିଭିନ୍ନ ଷ୍ଟେଜ୍ ସୋ ଓ ଛୋଟ ମୋଟ ଅଭିନୟ କରି ତାଙ୍କର ରୋଜଗାର ମଧ୍ୟ ମନ୍ଦ ନୁହେଁ । ତେବେ କଥା ଏଇଠି ସରିଲା ନାହିଁ । କ୍ଲୁନିଙ୍କର ଜଣେ ଅଂଧ ପ୍ରଶଂସକ ଆଜିକୁ ଛ’ବର୍ଷ ତଳେ- ଅର୍ଥାତ୍ ଟେଟ୍୍ଙ୍କୁ ୪୮ ବର୍ଷ ହୋଇଥିବାବେଳେ- ଏକ ପ୍ରସ୍ତାବ ଦେଇଥିଲେ ଯେ ଟେଟ୍ ତାଙ୍କ ପତ୍ନୀଙ୍କ ସହ ସହବାସ କରିବେ ଏବଂ ଏଥିପାଇଁ ଟେଟ୍ଙ୍କୁ ଆଠ ହଜାର ପାରିଶ୍ରମିକ ବି ମିଳିବ! ଭଦ୍ରବ୍ୟକ୍ତି ଜଣକ ବଢ଼ି ବଢ଼ି ନ’ ହଜାର ଯାଏଁ ଯାଇଥିଲେ । ଟେଟ୍ଙ୍କ କହିବା କଥା ଏହି ଯେ କେଜାଣି କାହିଁକି ତାଙ୍କର ବିବେକ ତାଙ୍କୁ ବାଧା ଦେଲା । ପୁଣି ଛ’ବର୍ଷ ତଳେ ଟେଟ୍ ବିବାହ ମଧ୍ୟ କରିନଥିଲେ । ଟେଟ୍ ସେଇ ପ୍ରଶଂସକଙ୍କଠାରୁ କାରଣ ଜାଣିବାକୁ ଇଚ୍ଛା କରିବାରୁ ଲୋକ ଜଣକ କହିଥିଲେ, ‘ମୋ ସ୍ତ୍ରୀ ଜର୍ଜ କ୍ଲୁନିଙ୍କର ଏମିତି ଅଂଧ ପ୍ରଶଂସକ ଯେ ତାଙ୍କ ସହ ସହବାସ କରିବାକୁ ଖୁବ୍ ଆଗ୍ରହୀ, ଅନ୍ତତଃ ଥରେ! କ୍ଲୁନିଙ୍କୁ ତ ଏ କାମ ପାଇଁ ଅନୁରୋଧ କରିହେବ ନାହିଁ କି ଏତେ ଅର୍ଥ ମଧ୍ୟ ନାହିଁ! ତେଣୁ ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ଥରେ ହେଲେ ବି ହେଉ, ମୋ ସ୍ତ୍ରୀ ସହ ସହବାସ କରନ୍ତୁ!” ୟା’କୁ ନେଇ ଏମିତି ଗପ ଲେଖୁଥାଅ ।

Leave a Reply