ସୃଜନର କାଠ ଗଡାରେ ତିନି ସ୍ରଷ୍ଟା! (୨)

ବ୍ୟକ୍ତି ଓ ବ୍ୟକ୍ତିତ୍ୱସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ଗାଳ୍ପିକ ଗିରି ଦଣ୍ଡସେନା । ଓଡ଼ିଆ କଥା ସାହିତ୍ୟରେ ଏକ ଶ୍ରଦ୍ଧାଶୀଳ ଉଚ୍ଚାରଣ । ଜୀବନ ଓ ଜଗତକୁ ଭଲ ପାଉଥିବା ଜଣେ ଦରଦୀ ସ୍ରଷ୍ଟା ସେ । ତାଙ୍କ ଗଳ୍ପର ଚରିତ୍ର ଗୁଡ଼ିକ ଅତି ସାଧାରଣରୁ ସାଧାରଣ । ସମାଜର ବିଭିନ୍ନ ବର୍ଗର ଚରିତ୍ର ଚିତ୍ରିତ ହୋଇଥାଆନ୍ତି ତାଙ୍କ ଗଳ୍ପଗୁଡ଼ିକରେ । ଚମତ୍କାର କାହାଣୀ, ମାର୍ମିକ ଉପସ୍ଥାପନା ଶୈଳୀ, ଚରିତ୍ର ଚିତ୍ରଣରେ ଅପୂର୍ବ ଦକ୍ଷତା ତାଙ୍କ ଗଳ୍ପଗୁଡ଼ିକ ପାଠକକୁ ଆକର୍ଷିତ କରିଥାଏ । ଆତ୍ମିକ ଓ ଆଙ୍ଗିକ ଉଭୟ ଦୃଷ୍ଟିରୁ ଗାଳ୍ପିକ ଗିରି ଦଣ୍ଡସେନାଙ୍କ ଗଳ୍ପଗୁଡ଼ିକ ସଫଳ । ତାଙ୍କ ରଚିତ ‘କାଳସୂତ୍ର’, ‘ଭୂମିଗର୍ଭା’, ‘ଓଡ଼ିଶୀ ଓଡ଼ିସୀ’, ‘ପ୍ରବାଦ ପୁରୁଷ’, ‘ରାସ୍ତା କଡ଼େ ଜୀବନ’, ‘ଅନାର୍ଯ୍ୟ ଦାସ’ ପ୍ରଭୃତି ଗଳ୍ପ ପୁସ୍ତକ ବହୁ ପାଠକୀୟ ଆଦୃତି ଲାଭ କରିଛି । ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସହିତ ମଧ୍ୟ ସେ ଜଡ଼ିତ । ଓଡ଼ିଆ କଥା ସାହିତ୍ୟକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ସମ୍ମାନିତ । ସଂପ୍ରତି ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପ ସଭାପତି ପଦରେ ଅଧିଷ୍ଠିତ । ଆତ୍ମ ପ୍ରଚାର ଓ ପ୍ରସାରଠାରୁ ବହୁ ଊର୍ଦ୍ଧ୍ୱରେ ଏହି ନିରବ ସାହିତ୍ୟ ସ୍ରଷ୍ଟା । କଥାକାର ଗିରି ଦଣ୍ଡସେନାଙ୍କ ସୃଜନଶୀଳ କୃତି ଓ ସାରସ୍ୱତ ଜୀବନକୁ ନେଇ ନବନୀତା ପକ୍ଷରୁ ଉପସ୍ଥାପନ କରୁଛୁ ସ୍ଵତନ୍ତ୍ର ସାକ୍ଷାତାକାର । – ସମ୍ପାଦକ

ଉପସ୍ଥାପନା: ଡକ୍ଟର ସୁଶୀଳ କୁମାର ବାଗ୍‌

୧: ଆପଣ ଗଳ୍ପ ଲେଖିବା ପାଇଁ କେଉଁଠୁ ଓ କିପରି ପ୍ରେରଣା ପାଇଲେ? ଆପଣଙ୍କ ସୃଜନାରମ୍ଭ ସଂପର୍କରେ କିଛି କୁହନ୍ତୁ ।

ଗିରି ଦଣ୍ଡସେନା: ସ୍କୁଲରେ ପଢ଼ିବା ସମୟ ଓ ବୟସଟି ସମସ୍ତଙ୍କ ପାଇଁ ବେଶ କୌତୁହଳପ୍ରଦ ହୋଇଥାଏ । କିନ୍ତୁ ମୋ’ପାଇଁ କୌତୁହଳ ସଙ୍ଗେ ଥିଲା ଭାରି କୌତୁକପ୍ରଦ । କେଜାଣି କାହିଁକି,ଛୋଟ ବେଳୁ ମୁଁ ଥିଲି ଭାରି କୌତୁକିଆ । ସ୍ୱତନ୍ତ୍ରଭାବେ ନିଜକୁ ବାରି ହେବାକୁ, ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କଲା ଭଳି କିଛି ଅସ୍ୱାଭାବିକ କଥାଭାଷା ଓ ଅଙ୍ଗଭଙ୍ଗୀ ଦେଖାଇ- ଶୁଣାଇ ହସାଇବା ପ୍ରୟାସରେ ଏକ ମନୋରଂଜନ ପ୍ରହସନ କରିବାକୁ ଚେଷ୍ଟା କରୁଥିଲି । ବସ୍ତୁତଃ, ସ୍ୱାଭାବିକ ବକ୍ତବ୍ୟ ଭାଷାକୁ ଏବଂ ଶରୀରର ବିଭିନ୍ନ ଅଙ୍ଗାବୟାବକୁ ହାସ୍ୟୋଦ୍ଦୀପକ ଭାବରେ ବିକୃତ ଓ ଅସ୍ୱାଭାବିକ ରୂପେ ପ୍ରଦର୍ଶନ କରୁଥିଲି । ଏଭଳି କହିବା ଥିଲା ମୋର ଏକ ବିଚିତ୍ର ସଉକ । ଅନ୍ୟର ମନୋରଞ୍ଜନ କରିପାରିଲେ ମୋ ଭିତରେ ଅପାର ଆନନ୍ଦ, ସନ୍ତୋଷ ଅନୁଭବ କରୁଥିଲି । ଅତଏବ ବିଭିନ୍ନସୂତ୍ରରୁ କୌତୁକ କରିବାର କଳା ବା ଉପାଦାନ ସଂଗ୍ରହ କରିବାକୁ ଚେଷ୍ଟା କରୁଥିଲି । ଏବେ ବି କରେ! ଏପରିକି ପାଠ୍ୟ ପୁସ୍ତକରୁ ଏଭଳି ଆମୋଦୟ ବିଚିତ୍ରତା ବା ଅସ୍ୱାଭାବିକତା ଖୋଜୁଥିଲି! ସେତେବେଳେ, ଆଜିକାଲି ଭଳି, ସହଜଲବ୍ଧ ମନୋରଂଜନ ବା ମଜା ଉଠାଇବାର ଉପାଦାନ ବା ସାମଗ୍ରୀ ମିଳୁନଥିଲା । ମୁଁ ସଂଭବତଃ ନବମ ପଢୁଥିଲି । ଆମର ନୂଆ ସାହିତ୍ୟ ବହିରେ ଥିଲା ଗୋଟେ ଗଳ୍ପ: “ପେଟେଣ୍ଟ ମେଡିସିନ୍‌” । ପଢ଼ିଲି!! ଗଳ୍ପର କାହାଣୀ ଓ ଭାଷାଶୈଳୀ ଏତେ ହାସ୍ୟରସାତ୍ମକ ଲାଗିଲା ଯେ, କୁହନ୍ତୁ ନାହିଁ; ଅସମ୍ଭାଳ! ହସିହସି ବେଦମ୍‌- ଗଡ଼ିଗଲି । ନିଜର ଉପ୍‌ସିତ ଖୋରାକଟିଏ ପାଇ ବାରମ୍ବାର ପଢ଼ି ଆତ୍ମହରା ହେଲି । ସେତେବେଳକୁ ଓଡ଼ିଆ ସାହିତ୍ୟ ସଂପର୍କରେ ମୋର ପ୍ରାୟ କିଛି ଧାରଣା ନଥିଲା, (ଆଉ ଫକୀରମୋହନ ସେନାପତିଙ୍କ ବିଷୟରେ ଏତେ ମୁଁ ଜାଣନ୍ତି କିପରି?) ଯଦିଓ ବହୁ ପୂର୍ବରୁ ଅର୍ଥାତ୍ ତିନିବର୍ଷ ପୂର୍ବରୁ ମୋ ଧର୍ମପ୍ରାଣା ମାଆର ପୁରାଣବାକ୍ସରୁ ମହାଭାରତ, ଲକ୍ଷ୍ମୀପୁରାଣ ଇତ୍ୟାଦି ପଢ଼ିବା ଆରମ୍ଭ କରି ଦେଇଥିଲି । ବିଷୟବସ୍ତୁ ବା ଗପ ଦୃଷ୍ଟିରୁ ଭାରି ବଢ଼ିଆ ଲାଗୁଥିଲା । ବିଶେଷ କରି ସାରଳା ମହାଭାରତର ଭାଷାଟି ମୋତେ ନିଜାଞ୍ଚଳର ଭାଷା ଭଳି ଅତି ଆତ୍ମୀୟ ଲାଗୁଥିଲା । ୟା’ ସାଙ୍ଗରେ ପ୍ରଥମ କରି ସେନାପତିଙ୍କ ଗଳ୍ପ ଉପନ୍ୟାସର ଆଧୁନିକ ପ୍ରୟୋଗାତ୍ମକ ଭାଷାଶୈଳୀ ମୋତେ ମନ୍ତମୁଗ୍ଧ କରିଥିଲା । ହେଏ…ରହ! ଭାଷାର ସ୍ନିଗ୍ଧ କୋମଳ ବେପଥୁରେ ଆମେ ବେପଥ ହୋଇ କୁଆଡ଼େ ଲମି ଯାଉଛୁଁ! ଭାଷା ଭାଷୀ ବେଶି ଭାସି ଯାଉଛୁଁ । ରହ!! ଏଥର ଦ୍ୱିତୀୟ ପ୍ରସଙ୍ଗକୁ…ଅର୍ଥାତ୍ ମୋର ସୃଜନାରମ୍ଭକୁ ଯିବା ।
ସେଇଟା ବି ମୋର ଜୀବନର ଆଉ ଏକ ବିଚିତ୍ର ଘଟଣା । ଆମ ସହରର ବସଷ୍ଟାଣ୍ଡ ପାଖରେ ଥିଲା ପ୍ରାଚୀରବେଷ୍ଟିତ, ପ୍ରକାଣ୍ଡ ଖେଳପଡିଆ ଭଳି ନିର୍ଜନମୟ ସବୁଜ, ସମତଳ ଦୃଶପ୍ରାନ୍ତର ମଧ୍ୟରେ, ବୀରମିତ୍ର କ୍ଲବ ନାମକ ଏକ ରାଜକୀୟ କୋଠାଘର । ତା’ ଭିତରେ ଥିଲା ଗୋଟେ ସରକାରୀ ଲାଇବ୍ରେରୀ ତଥା ରିଡିଂ ରୁମ୍‌! କିନ୍ତୁ ଆମ ପାଇଁ ସମଗ୍ର ପରିବେଶଟି ବେଶ୍ ଅବସର ବିନୋଦନ କେନ୍ଦ୍ର! ଲାଇବ୍ରେରୀକୁ ଆସୁଥିଲା ବିଭିନ୍ନ ଦୈନିକ ଖବର କାଗଜ ଗୁଡାଏ ସାହିତ୍ୟ, ସିନେମା, କ୍ରୀଡା ତଥା ସାମାଜିକ ପତ୍ରପତ୍ରିକା । ସେଠିକୁ ପ୍ରାୟ ଅଫିସର, ଶିକ୍ଷିତ, ଜ୍ଞାନୀ ଓ ବୁଦ୍ଧିଜୀବୀମାନେ ହିଁ ଆସୁଥିଲେ । ଏବଂ ସେଭଳି ଲୋକ ସେବେ କ୍ୱଚିତ ଥିଲେ । ସୁନ୍ଦରଗଡ ଜିଲ୍ଲା ଏକ ଶାନ୍ତ-ସୁନ୍ଦର-ପ୍ରାକୃତିକ, ଗଡ଼ଜାତି ରାଜକୀୟ ସହର । ଏବେ ସିନା ସହରଟି ଆବର୍ଜନରଞ୍ଜିତ ଲକ୍ଷାଧିକ ଜନବସତିରେ ସଂକୀର୍ଣ୍ଣ; ପଚାଶ ବର୍ଷ ତଳେ ଏହା ଥିଲା ମାତ୍ର ଚଉଦ କି ପନ୍ଦର ହଜର ଜନସଂଖ୍ୟାର ବିସ୍ତୀର୍ଣ୍ଣ ସଫା ସହର!! ଛାଡ଼! ଆମେ କିଛିଟା ଖେଚଡ୍ ସ୍କୁଲଟୋକା ଅପରାହ୍ନରେ ସେଠିକୁ, ଖେଳିବାକୁ ଯାଉଥିଲୁ ଏବଂ ବେଳେବେଳେ ଖବରକାଗଜ ପଢ଼ିବା ବାହାନାରେ ରିଡିଂ ରୁମରେ ପଶୁଁ; ବିଶେଷ କରି ରଙ୍ଗୀନ ସିନେ-ମେଗେଜିନ୍ ‘ଫିଲ୍ମଫେୟାର’ରୁ ପସନ୍ଦିତା ହିରୋ-ହିରୋଇନମାନଙ୍କର ଫଟୋଚିତ୍ର ଚିରିଚୋରାଇ ଆଣୁଥିଲୁ ପାଠ ବହି ଓ ନୋଟ ଖାତାମାନଙ୍କରେ ମଲାଟ୍ ମଡ଼ାଇବା ଉଦ୍ଦେଶ୍ୟରେ । ଆମ ପାଇଁ ଏଥିଲା ଗୁପ୍ତ ଅଭିଯାନ ପ୍ରାୟେ । ଗୋଟେ ହିରୋଇକ୍ କାମ ଫତେ କଲା ପରି ବାହାଦୁରିଆ କର୍ମ!! ବସ୍ତୁତଃ ଏ ଧୂର୍ତ୍ତ-ଚୋରିର ସୁଯୋଗ ଉଣ୍ଡିବା ଭିତରେ, ଉପସ୍ଥିତ ଲାଇବ୍ରେରୀଆନ, ପିଅନ ଓ ଭଦ୍ର ପାଠକଙ୍କ ଦୃଷ୍ଟିରେ ଶାନ୍ତଶିଷ୍ଟ ଛାତ୍ର ଭଳି ଗୋଟେ ମିଛ ପଠନାଗ୍ରହ ପ୍ରଦର୍ଶନ ପୂର୍ବକ ବିଭିନ୍ନ ଖବରକାଗଜ, ପତ୍ରପତ୍ରିକା ଓଲଟପାଲଟ କରୁଥାଉଁ ଏବଂ ସୁଯୋଗ ଦେଖି ସତର୍କତାର ସହ ଚରକିନା ଇପ୍ସିତ ଫଟୋ ଚିରି ସନ୍ତର୍ପଣରେ ସାର୍ଟ ଭିତରେ ଗଳାଇ ଦେଇ, ଚୁଟକିନା ଲାଇବ୍ରେରୀରୁ ପାର୍‌! ଏଭଳି ପଠନାଭିନୟ ପ୍ରକ୍ରିୟା ଭିତରେ ଦିନେ ବାଇଚାନସ୍ ମୋ ହାତରେ ପଡ଼ିଲା: ଗଳ୍ପସ୍ୱଳ୍ପ!! ଆଉ କ’ଣ ଫକୀରମୋହନଙ୍କ ପ୍ରେମରେ ପଡିଗଲି । ଖୋଜି ଖୋଜି ପଢ଼ିଲି ଛ’ମାଣ ଆଠଗୁଣ୍ଠ, ମାମୁଁ, ଲଛମା, ପ୍ରାୟଶ୍ଚିତ! ତା’ପରେ ଆଉ ଜଣଙ୍କୁ ପାଇଲି: କାନ୍ତକବି ଲକ୍ଷ୍ମୀକାନ୍ତ । ସେ ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା…ଭଳି ଯଶସ୍ୱୀ କବି ସିନା, ମୁଁ କିନ୍ତୁ ତାଙ୍କ ‘କଣା ମାମୁଁ’ ଉପନ୍ୟାସ ପାଇଁ ପ୍ରେମରେ ପଡ଼ିଗଲି । ଏମିତି ଆହୁରି ବହୁତ ଅଛନ୍ତି । ଗୋଟି ଗୋଟି କରି କହିଲେ ଉପନ୍ୟାସ ହୋଇଯିବ । ତେବେ ବିଶେଷ କରି ଫକୀରମୋହନଙ୍କୁ ପଢ଼ିଲା ପରେ ସେତେବେଳେ ମୋ ଭିତରେ ଗୋଟେ ହାସ୍ୟପଦ ଆସ୍ପର୍ଦ୍ଧା ଉଠିଥିଲା- ଗଭୀର ସାମାଜିକ ଜୀବନର ବିଷୟ ନେଇ ମୁଁ ଏମିତି ବ୍ୟଙ୍ଗାତ୍ମକ ମଜାଦାର କଥା ଲେଖି ପାରିବି ନାହିଁ କି? ସେତେବେଳେ ‘କଲିଆ ବିଟ୍‌ବିଟ୍ ମହାଭାରତ’ ନାମରେ ଲେଖିବାକୁ ଚେଷ୍ଟା କରିଥିଲି; ସାହସ ହେଲା ନାହିଁ । ଇଚ୍ଛାଟି ମନର ଅବଚେତନରେ ରହିଗଲା । ସମୟ ଗଡ଼ି ଚାଲିଲା ।
ତା’ପରେ ମୋର ସେତେବେଳେ ସ୍ନାତକ(କଳା)ର ଦ୍ୱିତୀୟ ବର୍ଷ । ଲେଖିଲି ମୋ ଜୀବନର ପ୍ରଥମ ଗଳ୍ପ ‘ଯେ ଫୁଲ ଝରିଯାଏ’ । ପ୍ରକାଶ ପାଇଲା କଲେଜର ବାର୍ଷିକ ମୁଖପତ୍ରରେ । ଅନେକ ପ୍ରଶଂସା ଓ ଶୁଭେଚ୍ଛା ମିଳିଲା । ତା’ଠାରୁ ବେଶି ଲେଖିବାର ପ୍ରେରଣା ଓ ଉତ୍ସାହ । ତା’ପରେ ଆଉ ନୋ ଲୁକ୍ ବେକ୍ । ତତ୍କାଳୀନ କଟକରୁ ପ୍ରକାଶ ପାଉଥିବା ପ୍ରଜାତନ୍ତ୍ର ସାପ୍ତାହିକ ସାହିତ୍ୟ ପୃଷ୍ଠା, ସୁନାମଧନ୍ୟ ଝଙ୍କାର, ସୌରଭ କଲିକତାରୁ ପ୍ରକାଶ ପାଉଥିବା ଆସନ୍ତାକାଲି, ନବରବି ଏବଂ ଭୁବନେଶ୍ୱରରୁ ବାହାରୁଥିବା କଥା, ସମ୍ବାଦ ସ୍ୱନକ୍ଷତ୍ର ସଂଖ୍ୟା, ସୁଚରିତା, ସମାବେଶ, ପଶ୍ଚିମା, ପକ୍ଷୀଘର, କାହାଣୀ ତଥା ଅନ୍ୟାନ୍ୟ ଅଞ୍ଚଳରୁ ବାହାରୁଥିବା ପତ୍ର ପତ୍ରିକାରେ ଅଗଣିତ ଗଳ୍ପ ପ୍ରକାଶ ପାଇଛି ଓ ପାଉଛି ।
୨. ସାହିତ୍ୟର ଅନେକ ବିଭାଗ ରହିଛି । ତେବେ ଗଳ୍ପ ଲେଖିବା ପାଇଁ ଆପଣ କାହିଁକି ଆକୃଷ୍ଟ ହେଲେ?
ଗିରି ଦଣ୍ଡସେନା: ଗଳ୍ପ ଭଳି ଅନ୍ୟ କୌଣସି ସୃଜନାତ୍ମକ ସାହିତ୍ୟ ବିଭାଗରେ ନିଜ କଥା ଦ୍ୱାରା ପାଠକଙ୍କ ମନ ମସ୍ତିଷ୍କକୁ ଏତେ ସହଜ,ସରଳ ଓ ନିବିଡ଼ ସ୍ପର୍ଶ କରି ହୁଏ ନାହିଁ ବୋଲି ଧାରଣା । ତେଣୁ ଗଳ୍ପ ଲେଖାକୁ ହିଁ ବାଛି ନେଇଛି ।
୩. ଗଳ୍ପରେ ଆପଣ କ’ଣ କହିବା ପାଇଁ ଚାହାନ୍ତି?
ଗିରି ଦଣ୍ଡସେନା: ଜୀବନର ରହସ୍ୟ ଓ ଆପେକ୍ଷିକତା ଭିତରେ ଥିବା ଅନୁସନ୍ଧାନ କରି ନିଜସ୍ୱ ଶୈଳୀରେ ମଣିଷକୁ ସଚେତନ କରିବାକୁ ଚାହେଁ ।
୪. ଆପଣଙ୍କ ଅନେକ ଗଳ୍ପ ସାମାଜିକ ବାସ୍ତବତା ଉପରେ ଆଧାରିତ । ତେବେ ମଣିଷ ଜୀବନର କେଉଁ ମହତ୍ତର ଦିଗକୁ ନିଜ ଗଳ୍ପରେ ଲିପିବଦ୍ଧ କରିବାକୁ ପ୍ରୟାସ କରନ୍ତି?
ଗିରି ଦଣ୍ଡସେନା: ମଣିଷ ଜୀବନର ସବୁ କଥା ସାମାଜିକ ବାସ୍ତବତା ଉପରେ ଆଧାରିତ । ପ୍ରାକୃତିକ ଭାବରେ ମଣିଷ ଏକ ସାମାଜିକ ପ୍ରାଣୀ । ପ୍ରବୃତ୍ତିତଃ ସେ ସାମାଜିକ ହେବା ପାଇଁ ବାଧ୍ୟ । ଏବଂ କଥାକଥିତ ସାମାଜିକ ନୀତିନିୟମ ମଣିଷ ଦ୍ୱାରା ସୃଷ୍ଟ । ଥରେ ଥରେ ସଭାରେ ଆଲୋଚନା ହୁଏ ଯେ ମଣିଷ(ଲେଖକ)ର ସାମାଜିକ ପ୍ରତିବଦ୍ଧତା ରହିବା ଉଚିତ କି ନୁହେଁ? ଏଭଳି ଆଲୋଚ୍ୟ ପ୍ରଶ୍ନଟି ମୂଳରୁ ନିରର୍ଥକ । କଥା ହେଲା, ମଣିଷର ଚେତନାଟି ଜନ୍ମରୁ ମୁକ୍ତ । ଉତ୍ତରଣ ଓ ଅଭିବ୍ୟକ୍ତ ହେବା ତା’ର ପ୍ରାକୃତିକ ଧର୍ମ । ଏକ ଅବାରିତ ପ୍ରତିସ୍ପର୍ଦ୍ଧା । ଲେଖକ ପାଇଁ ସାମାଜିକ ପ୍ରତିବଦ୍ଧତା ନୁହେଁ, ପ୍ରତିସ୍ପର୍ଦ୍ଦା ହେଉଛି ଜୀବନୋତ୍ତରଣର ମହତ୍ତର ଦିଗ । ଏ ଦିଗରେ ମଣିଷକୁ ସଚେତନ କରିବା ମୋର ପ୍ରୟାସ ବୋଲି ମନେକରେ ।
୫. ଗଳ୍ପ ଲେଖିଲା ବେଳେ ଆପଣ ଆତ୍ମିକ ନା ଆଙ୍ଗିକ କେଉଁ ଦିଗ ପ୍ରତି ଅଧିକ ଗୁରୁତ୍ୱ ଦିଅନ୍ତି ଓ କାହିଁକି?
ଗିରି ଦଣ୍ଡସେନା: ଆତ୍ମିକ ସ୍ତରରେ ଯାହା କହାଯିବାର କଥା, ସେସବୁ ପୃଥିବୀର ସବୁ କାବ୍ୟ, ମହାକାବ୍ୟ ଧର୍ମଗ୍ରନ୍ଥ ବେଦ ପୁରାଣ ଉପନିଷଦ ଇତ୍ୟାଦିରେ ବହୁ ପୂର୍ବରୁ କୁହାଯାଇ ସରିଛି । ଆଉ ନୂଆ କିଛି କହିବାର ବାକି ନାହିଁ । ଏବେ ଆମେ ଯାହା ବି କହୁଛୁ, ସବୁଗୁଡା ଦ୍ୱିରୁକ୍ତି ମାତ୍ର । କିନ୍ତୁ ହଁ,କଥାକୁ ନୂଆ କରି କୁହାଯାଇପାରେ । ଅର୍ଥାତ୍ କହିବାର ବାଗଟି ସଂପୂର୍ଣ୍ଣ ନୂଆ ହୋଇପାରେ । ଏହାକୁ ଆମେ ଆଙ୍ଗିକ ରୂପରେ ନୂଆ ଷ୍ଟାଇଲ୍ ବା ଶୈଳୀ କହି ପାରିବା । ମୁଁ ବି ଗଳ୍ପରେ ସେଭଳି ନିଜର ନୂଆ ଷ୍ଟାଇଲରେ କହିବାକୁ ଚେଷ୍ଟା କରିଥାଏ ।
୬. ଏକ ଭଲ ଗଳ୍ପର ସଂଜ୍ଞା ଓ ସ୍ୱରୂପ କଣ?
ଗିରି ଦଣ୍ଡସେନା: ଭଲ ଗଳ୍ପର ସଂଜ୍ଞା? ଭଲ ଶଦ୍ଦଟା ହିଁ ଆପେକ୍ଷିକ । କାରଣ ଏହା ସମୟ ଓ ପରିସ୍ଥିତି ନିର୍ଭର ତଥା ବହ୍ୱାୟତନ ବିଶିଷ୍ଟ । ଏହାର ଚିରନ୍ତନତା ସନ୍ଦିଗ୍ଧ । ତେବେ କଥାକଥିତ ଭଲ ଗଳ୍ପର ଆତ୍ମିକ ଆଭିମୁଖ୍ୟରେ ସର୍ବଦା ସତ୍ୟାନ୍ୱେଷୀ ଆବେଦନ ଏବଂ ଭାଷା ଶୈଳୀରେ ପାଠକର ଚିନ୍ତାଚେତନାକୁ ଧରି ରଖିବାର ଦୀର୍ଘସ୍ଥାୟୀ ଆକର୍ଷକ ପ୍ରତିବେଦନ ଥିବା ଆବଶ୍ୟକ ।
୭. ସାଂପ୍ରତିକ ଓଡ଼ିଆ ଗଳ୍ପ ସଂପର୍କରେ ଆପଣଙ୍କ ମତ କ’ଣ?
ଗିରି ଦଣ୍ଡସେନା: ଅଗଣିତ ସାଂପ୍ରତିକ ଓଡ଼ିଆ ଗଳ୍ପ ସୃଜନ ମଧ୍ୟରୁ କିଛିଟା ବେଶ୍ ସକାରାତ୍ମକ ଓ ସମ୍ଭାବନାମୟ । କିଛିଟା ଅନ୍ୟ ଯେ କୌଣସି ଭାରତୀୟ ଭାଷା-ଶ୍ରେଷ୍ଠ ସାହିତ୍ୟକୃତି ସହ ସମକକ୍ଷ । ଏପରିକି ଆନ୍ତର୍ଜାତିକ ଭାଷା ସାହିତ୍ୟ ସମକକ୍ଷ ।
୮. ପଶ୍ଚିମ ଓଡିଶାରେ ବସବାସ କରୁଥିବା ଅନେକ ପ୍ରତିଭା ସଂପନ୍ନ ସାହିତ୍ୟିକ ଲୋକଲୋଚନକୁ ଆସି ପାରୁ ନାହାନ୍ତି । ଏପରିକି ସେମାନଙ୍କ କୃତିକୁ ସରକାରୀ ବା ବେସରକାରୀସ୍ତରରେ ସ୍ୱୀକୃତି ମିଳୁ ନାହିଁ । ସେମାନେ ଅବହେଳିତ ହୋଇ ରହିଯାଉଥିବା ବୋଲି ଅଭିଯୋଗ ହୁଏ । ଏ ସଂପର୍କରେ ଆପଣ କଣ କହିବେ?
ଗିରି ଦଣ୍ଡସେନା: ମୋର ଧାରଣା, ଏ ଅଞ୍ଚଳରେ ଉପଯୁକ୍ତ ପ୍ରକାଶନ ସଂସ୍ଥା ନଥିବାରୁ ବିଶେଷ କରି ସାହିତ୍ୟ ପତ୍ରପତ୍ରିକା ପ୍ରକାଶନର ବ୍ୟାପକ ସୁବିଧା ସୁଯୋଗ ନଥିବାରୁ, ବହୁତ ଉଜ୍ଜ୍ୱଳ ସାରସ୍ୱତ ପ୍ରତିଭା ବିଦ୍ୟମାନ ଥିବା ସତ୍ତ୍ୱେ ଏ ଅଞ୍ଚଳର ଲେଖକଙ୍କ ଲେଖା ପ୍ରକାଶ ପାଇ ପାରୁନାହିଁ । ଏବଂ ପ୍ରଚାର ପ୍ରସାର ଅଭାବରୁ ସେମାନେ ଲୋକଲୋଚନକୁ ଆସି ପାରୁ ନାହାନ୍ତି । ମୁଁ ଆଉ ଏକ କଥା ଲକ୍ଷ୍ୟ କରିଛି, ନୂଆ ଯୁବ ଲେଖକ ଭଲ ଗଳ୍ପ-କବିତା ଲେଖୁଛନ୍ତି ଏବଂ ବିଭିନ୍ନ ପତ୍ରପତ୍ରିକାକୁ ଦୁଇତିନି ଥର ପଠାଉଛନ୍ତି । ଲେଖା ଯଦି ଅମନୋନୀତ ହୋଇ ପ୍ରକାଶ ନ ପାଇଲା ତେବେ ଅକାରଣ ହତୋତ୍ସାହ ଓ ବୀତସ୍ଫୃହ ହୋଇ ପଡୁଛନ୍ତି । ଅଧିକନ୍ତୁ ଅସହ୍ୟ-ଉତ୍ୟକ୍ତ ହୋଇ, ପରିପନ୍ଥୀ ଉଚ୍ଚାରଣ-ଆଚରଣ ସହ ପ୍ରତିକ୍ରିୟାଶୀଳ ହୋଇ ଉଠୁଛନ୍ତି । ଏହା ସାହିତ୍ୟ ପରିବେଶ ପାଇଁ ଶୁଭ ଲକ୍ଷଣ ନୁହେଁ । ମୋର ପରାମର୍ଶ, ସଂପାଦକମାନେ ନିରପେକ୍ଷ ସତଚିତ୍ତରେ ପ୍ରାପ୍ତ ଲେଖକମାନଙ୍କୁ ବିଚାର କରନ୍ତୁ ଏବଂ ନୂଆ ଲେଖକମାନେ ଧୈର୍ଯ୍ୟ ସହକାରେ ସୃଜନ କ୍ରିୟା ଜାରି ରଖନ୍ତୁ; କିିଛି ବିଳମ୍ବରେ ହେଲେ ସୁଦ୍ଧା ସଫଳତା ନିଶ୍ଚୟ ମିଳିବ ।
୯. ଆପଣ ଓଡ଼ିଶା ସାହିତ୍ୟ ଏକାଡେମୀର ଉପ-ସଭାପତି ରହି ଥିଲେ । ଅନେକ ସମୟରେ ପୁରସ୍କାର ଚୟନକୁ ନେଇ ଓଡ଼ିଶା ସାହିତ୍ୟ ଏକାଡ଼େମୀ ବିବାଦ ଘେରକୁ ଟାଣି ହୋଇ ଆସୁଛି । ଏହାର କାରଣ ଓ ନିରାକରଣ ସଂପର୍କରେ କଣ କହିବେ।

ଗିରି ଦଣ୍ଡସେନା: ସବୁଠି ସଂସ୍ଥାର ବ୍ୟବସ୍ଥାପକାୟ ବିବାଦ(ଦୋଷ) ଅବଶ୍ୟ ରହିବ । କାରଣ, ବ୍ୟବସ୍ଥାପକଟି ନ୍ୟାୟପାଳିକା ନୁହେଁ । କିନ୍ତୁ ହଁ ଯଥାଶକ୍ତି ଗୋଟେ ବ୍ୟବସ୍ଥାପକ ସଂସ୍ଥା ଭ୍ରଷ୍ଟାଚାର ଓ ନିରପେକ୍ଷ ରହିବାକୁ ନିର୍ଦ୍ଦିଷ୍ଟ ପ୍ରଚଳିତ ନୀତି-ନିୟମାନୁବଦ୍ଧ ଦାୟିତ୍ୱ ଅନୁଯାୟୀ ସ୍ୱଚ୍ଛ ପାରଦର୍ଶି ରହି କର୍ତ୍ତବ୍ୟ ସଂପାଦନ କରିବାକୁ ଚେଷ୍ଟା କରିଥାଏ । ବସ୍ତୁତଃ ଏକାଡେମୀ କ୍ଷେତ୍ରରେ, ଆଶାୟୀ ଅନେକ, ମାତ୍ର ମନୋନୀତ ପ୍ରାପକ ଜଣେ । ତେଣୁ ଉଭୟ ମନୋନୟନ ପ୍ରକ୍ରିୟା ଓ ଆବେଦକଙ୍କ ମତ, ମଧ୍ୟରେ ନ୍ୟାୟଟି ବିତର୍କିତ ହୋଇପଡ଼େ । ମୋର ଧାରଣା, ପୁରାତନ ବିବାଦ କାରକ, ନୀତିନିୟମମାନ, ସମୟ ଓ ପରିସ୍ଥିତି ଅନୁସାରେ, ପାରଦର୍ଶିତା ରଖି ଆବଶ୍ୟକୀୟ ସଂଶୋଧନ ଓ ସଂସ୍କରଣ କରାଯିବା ଉଚିତ୍ ।

୧୦. ବର୍ତ୍ତମାନ ବିଭିନ୍ନ ସାହିତ୍ୟ ଅନୁଷ୍ଠାନର ପଦପଦବି ଓ ପୁରସ୍କାର ମନୋନୟନକୁ ନେଇ ଜୋରଦାର ଲବି କରାଯାଉଛି । ଏହା ଏକ ଖରାପ ପରଂପରା ସୃଷ୍ଟି କରୁଛି କି? ଏ ସଂପର୍କରେ ଆପଣଙ୍କ ମତ କଣ?

ଗିରି ଦଣ୍ଡସେନା: ପ୍ରଶ୍ନ ୯ର ଉତ୍ତରକୁ ମିଶାଇ ବିଚାର କରନ୍ତୁ । ପୁଣି ଏ ଲବିର ଅନ୍ୟ ନାମ ଭ୍ରଷ୍ଟାଚାର ଓ ଅନ୍ୟାୟ । ଏହି ଭ୍ରଷ୍ଟାଚାର ଏକ ବୌଦ୍ଧିକ ବା ମାନସିକ ଉପସର୍ଗ । ବ୍ୟକ୍ତ ଭିତିରି ଅଦୃଶ୍ୟ ଉପଚାର ଅନୁସାରେ ବାହ୍ୟ କର୍ମ ସାକାର ରୂପ ପାଏ । ଗଣତାନ୍ତ୍ରିକ ସଂସ୍ଥା ବ୍ୟବସ୍ଥା ଓ ବ୍ୟକ୍ତି ଅଧିକାର ଭିତରେ ଉଭୟ ପକ୍ଷଙ୍କ ଗୁରୁ ଦାୟିତ୍ୱ ରହିଛି । ବ୍ୟକ୍ତି ଯଦି ଦାୟିତ୍ୱହୀନ ଭାବରେ କେବଳ ନିଜ ଅଧିକାର ସାବ୍ୟସ୍ତ କରି ବସେ ତେବେ ଗଣତାନ୍ତ୍ରିକ ବ୍ୟବସ୍ଥାଟି ଭୁଶୁୁଡି ପଡ଼ିବ । ଏଥିପ୍ରତି ସମସ୍ତେ ସକରାତ୍ମକ ଭାବରେ ସଚେତନ ରହିବା ଆବଶ୍ୟକ । ତେବେ ସରକାରୀ/ବେସରକାରୀ କୌଣସି ସଂସ୍ଥା ବା ଅନୁଷ୍ଠାନର ପଦପଦବି ଓ ପୁରସ୍କାର ଇତ୍ୟାଦି ତୁଳନାରେ ପାଠକୀୟ ସ୍ୱୀକୃତି ହେଉଛି, ଲେଖକଟି ପାଇଁ ସର୍ବଶ୍ରେଷ୍ଠ ପୁରସ୍କାର ଓ ଉପହାର । ଏବଂ ପୁରସ୍କାର/ସମ୍ମାନ/ସମ୍ବର୍ଦ୍ଧନା ଆଶା କରିବା ପୂର୍ବରୁ ଲେଖକଟିଏ ପ୍ରଥମେ ଭଲ ପାଠକଟିଏ ହେବା ନିହାତି ଜରୁରୀ । କାରଣ ଭଲ ପାଠକଟିଏ ନହେଲେ ଅନ୍ୟ ଲେଖକକୁ ଭଲ ଭାବରେ ବୁଝିସୁଝି ହୁଏ ନାହିଁ । ଏଠି ପଦେ କହିଦିଏଁ ଯେ, ମୁଁ ବହୁ ଓଡ଼ିଆ, ଗାଳ୍ପିକ/ଗାଳ୍ପିକାଙ୍କ ଗଳ୍ପ ପଢ଼ି ତାଙ୍କ ପ୍ରେମରେ ପଡିଛି; ପ୍ରଭାବିତ ହୋଇଛି ବୋଲି ବି ସ୍ୱୀକାର କରିବାକୁ ସଂକୋଚ ନାହିଁ । ଫକୀର ମୋହନଙ୍କଠାରୁ ଆରମ୍ଭ କରି ଲକ୍ଷ୍ମୀକାନ୍ତ, କାହ୍ନୁ, ଶାନ୍ତନୁ, ସୁରେନ୍ଦ୍ର, ମନୋଜ, ଚନ୍ଦ୍ରଶେଖର, ନୀଳମଣି, ବିଭୂତି, ରବି, ପ୍ରଫୁଲ୍ଲ, ପ୍ରତିଭା, ଯଶୋଧାରା, ଜଗଦୀଶ, ସତ୍ୟ, ଅଶୋକ, କହ୍ନେଇ, ଗୌରହରି, ଇନ୍ଦିରା, ସରୋଜିନୀ, ବିନୋଦିନୀ, ସଦାନନ୍ଦ, ପରେଶ, ବିଷ୍ଣୁ, ଦୀପ୍ତିରଂଜନ, ପାରମିତା, ମଳୟ, ମାନସୀ, ଆଶିଷ, ଆଦିତ୍ୟ, ସରୋଜ, ପ୍ରକାଶ, ଅରବିନ୍ଦ, ସୃଷ୍ଟି, ନରେନ୍ଦ୍ର, କ୍ଷୀରୋଦ, ଚକ୍ରଙ୍କ ସହ ଆହୁରି ଏଠି ନାମ ଧରି ପାରିନଥିବା ଖ୍ୟାତଅଖ୍ୟାତ, ଅଚର୍ଚ୍ଚିତ କଥାକାରଙ୍କ ଗଳ୍ପ, ପ୍ରେମରେ ପଡିଛି ଓ ପ୍ରଭାବିତ ହୋଇଛି ।
୧୧. ଓଡ଼ିଆ ସାହିତ୍ୟର କେଉଁ ଯୁବ ଗାଳ୍ପିକଙ୍କ ଗଳ୍ପ ଆପଣଙ୍କୁ ଭଲ ଲାଗେ ଓ କାହିଁକି?
ଗିରି ଦଣ୍ଡସେନା: ବହୁତ ଯୁବ ଲେଖକ ଗଳ୍ପ ଲେଖୁଛନ୍ତି । ଏ ଏକ ଭଲ ଲକ୍ଷଣ । ଏଠି ମୋ ମନ୍ତବ୍ୟ ଅବଶ୍ୟ ବିଶେଷ ଗୁରୁତ୍ୱ ରଖେନାହିଁ । ତଥାପି ଏଇ ବହୁତଙ୍କ ମଧ୍ୟରୁ ଭଲଙ୍କ ସଂଖ୍ୟା ସନ୍ତୋଷଜନକ ନୁହେଁ । ହେଲେ ବି ସେମାନଙ୍କ ପ୍ରଚେଷ୍ଟା ଓ ଅଧ୍ୟବସାୟ ଜାରି ରହୁ । ମୁଁ ଦେଖିଛି ସାଧାରଣ ଗପ ଲେଖକଟିଏ ଲେଖି ଲେଖି ଭଲ କଥାକାର ବା ଗାଳ୍ପିକ ପାଲଟି ଯାଇଛନ୍ତି । ଏବଂ ବହୁ ପୁରସ୍କାର, ସମ୍ମାନ ଓ ପ୍ରତିଷ୍ଠା ପାଇଛନ୍ତି ।
୧୨. ଯୁବ ଗାଳ୍ପିକଙ୍କ ପ୍ରତି ଆପଣଙ୍କ ବାର୍ତ୍ତା?
ଗିରି ଦଣ୍ଡସେନା: ଯୁବ ଗାଳ୍ପିକମାନେ ପ୍ରଥମ ପର୍ଯ୍ୟାୟରୁ ହତାଶ ହୁଅନ୍ତୁ ନାହିଁ । ତରତର କି ହରବର ହୁଅନ୍ତୁ ନାହିଁ । ଅନ୍ୟମାନଙ୍କର କୃତି ପଢ଼ନ୍ତୁ । ବ୍ୟକ୍ତିଗତ ଅଧିକାର ଓ ଦାୟିତ୍ୱ ପ୍ରତି ସଚେତନ ରହନ୍ତୁ । ଭବିଷ୍ୟତ ଆପଣଙ୍କ ଆଗରେ ଛିଡା ହୋଇଛି । ଅନ୍ୟଠୁ ଆପଣ ଯେଉଁ ଭଳି ଯାହା ଆଶା କରନ୍ତି, ନିଜେ ସେଭଳି ବ୍ୟବହାର କରନ୍ତୁ; ସେଇଭଳି ହେବାକୁ ଓ ଦେବାକୁ ଚେଷ୍ଟା କରନ୍ତୁ!!
ସଂକ୍ଷେପରେ ଗିରି ଦଣ୍ଡସେନା
ଜନ୍ମ: ୨୯ ଡିସେମ୍ବର ୧୯୪୯
ବାପା: ୰ ହରିହର ଦଣ୍ଡସେନା
ମାଆ: ୰ ବୈଦେହୀ ଦେବୀ
ପତ୍ନୀ: ଶ୍ରୀମତି ସୁଲୋଚନା
ଶିକ୍ଷା:ସ୍ନାତକ
ବୃତ୍ତି: ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ସୁନ୍ଦରଗଡ ଜିଲ୍ଲା ଟ୍ରେଜେରୀ, ପୂର୍ବତନ ଓଡିଶା ସାହିତ୍ୟ ଏକାଡେମୀର ଉପସଭାପତି ।
ଠିକଣା:ଗାଂଗପୁର ପ୍ରେସ ରୋଡ, ସୁନ୍ଦରଗଡ-୧

ଫୋନ୍‌: ୯୪୩୭୧୨୯୭୭୦

……………………….

ରୁଚି:ଗଳ୍ପ ଲେଖିିବା, ଲଘୁକଥା, ସ୍ତମ୍ଭ ଲିିଖନ, ଲଳିତ ନିବନ୍ଧ ଏବଂ କବିତା ଲିଖନ । ମଜାଗପ,ହାସ୍ୟରସାତ୍ମକ ସିନେମା ଓ ସିରିଏଲ ଦେଖିବା ଏବଂ ଅର୍ଦ୍ଧଶାସ୍ତ୍ରୀୟ ସଂଗୀତ, ଗଜଲ, ଭଜନ ଶୁଣିବା । ଚିତ୍ର ଆଙ୍କିବା ଓ ପେଂଟିଂ କରିବା ।
……………………….
ପ୍ରକାଶିତ ବହି: କାଳସୂତ୍ର, ଓ’ ଇଣ୍ଡିଆ, ଭୂମିଗର୍ଭା, ପ୍ରବାଦ ପୁରୁଷ, ରାସ୍ତାକଡ଼େ ଜୀବନ, ଅନାର୍ଯ୍ୟ ଦାସ, ସୁନ୍ଦରଗଡ ଇତିହାସ ।
………………………..
ପୁରସ୍କାର/ସମ୍ମାନ: ଶ୍ରେଷ୍ଠ ଯୁବ ଗାଳ୍ପିକ: ପ୍ରଜାତନ୍ତ୍ର ମିଳନ କଟକ । ଛନ୍ଦା ଆଚାର୍ଯ୍ୟ ସାହିତ୍ୟ ସମ୍ମାନ, ଭୁବନେଶ୍ୱର । ଅଶୋକ ଚନ୍ଦନ ସ୍ମୃତି ସମ୍ମାନ, ପାଟଣାଗଡ । ପକ୍ଷୀଘର ଗଳ୍ପ ସମ୍ମାନ, ଭୁବନେଶ୍ୱର । ଦୈନିକ ଭାସ୍କର ସମ୍ମାନ, ଭୁବନେଶ୍ୱର । ଟାଇମ୍ ପାସ(ସଂପାଦକ) ସମ୍ମାନ, ଭୁବନେଶ୍ୱର । ଭୁବନେଶ୍ୱର ପୁସ୍ତକ ମେଳା ସମ୍ମାନ, ଝଙ୍କାର ଗଳ୍ପ ପୁରସ୍କାର, କଟକ ।

Leave a Reply