ମହାଶିବରାତ୍ରୀ: ଏହି ଦିନ ଜଳାଭିଷେକ କଲେ ମିଳିଥାଏ ଭଗବାନଙ୍କ ଅଶେଷ କୃପା

ଓଡ଼ିଶାବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ମହାଶିବରାତ୍ରୀ ହିନ୍ଦୁ ଧର୍ମର ପ୍ରମୁଖ ପର୍ବ ମଧ୍ୟରେ ଅନ୍ୟତମ। ବର୍ଷ ସାରା ଭୋଲା ବାବାଙ୍କ ପୂଜା କରୁଥିବା ଭକ୍ତ ଏହି ବିଶେଷ ପୂଜାର୍ଚ୍ଚନା କରିବା ପାଇଁ ଅନାଇ ରହିଥାନ୍ତି। ଏହି ଦିନ ଶିବ ମନ୍ଦିରରେ ଶିବ ଲିଙ୍ଗ ଉପରେ ପାଣି, କ୍ଷୀର ଓ ବେଲ ପତ୍ର ଚଢାଇ ଭୋଳା ବାବାଙ୍କୁ ପ୍ରସନ୍ନ କରିବା ପାଇଁ ଉଦ୍ୟମ କରନ୍ତି। ଭକ୍ତଙ୍କ ବିଶ୍ୱାସ ରହିଛି, ମହାଶିବରାତ୍ରୀ ଦିନ ଯେକୌଣସି ଭକ୍ତ ନିର୍ମଳ ମନରେ ଶିବଲିଙ୍ଗକୁ ଅଭିଷେକ କିମ୍ବା ଜଳ ଲାଗି କରନ୍ତି ସେମାନଙ୍କୁ ମହାଦେବଙ୍କ ବିଶେଷ କୃପା ମିଳିଥାଏ। କାରଣ ଭଗବାନ ଶିବ ଶଙ୍କରଙ୍କୁ ଭୋଳେନାଥ କୁହାଯାଏ। ପ୍ରତି ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନରେ ପଡୁଥିବା ଶିବରାତ୍ରୀକୁ କେବଳ ଶିବରାତ୍ରୀ କୁହାଯାଏ। ହେଲେ ଫଗୁଣ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନରେ ପଡୁଥିବା ଶିବରାତ୍ରୀକୁ ମହାଶିବରାତ୍ରୀ କୁହାଯାଏ। ବର୍ଷରେ ପଡୁଥିବା ୧୨ ଶିବରାତ୍ରୀ ମଧ୍ୟରେ ମହାଶିବରାତ୍ରୀକୁ ମହତ୍ୱପୂର୍ଣ୍ଣ ବିବେଚନା କରାଯାଏ।

ଶିବରାତ୍ରି କାହିଁକି ପାଳନ କରାଯାଏ?

ଶିବରାତ୍ରୀ ପାଳନ ନେଇ ତିନୋଟି ମାନ୍ୟତା ପ୍ରଚଳିତ ହେଉଥିବା ଜଣାଯାଏ

ପ୍ରଥମେ ପୌରାଣିକ ମାନ୍ୟତା ଅନୁସାରେ ମହାଶିବରାତ୍ରୀ ଦିନ ହିଁ ଭଗବାନ ଶିବ ଆବିର୍ଭାବ ହୋଇଥିଲେ। ଶିବ ଅଗ୍ନୀ ଜ୍ୟୋତିର୍ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ, ଯାହାର ଆଦି ନା ଅନ୍ତ ଅଛି। କୁହାଯାଏ ଏହି ଶିବଲିଙ୍ଗ ସମ୍ପର୍କରେ ଜାଣିବା ପାଇଁ ସୃଷ୍ଟିର ରଚୟିତା ବ୍ରହ୍ମା ହଂସ ରୂପ ଧାରଣ କରିବା ସହ ତାଙ୍କର ଉପର ଭାଗ ଯାଏ ଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ସେହିପରି ସୃଷ୍ଟିର ପାଳନକର୍ତ୍ତା ବିଷ୍ଣୁ ମଧ୍ୟ ବରାହ ରୂପ ଧାରଣ କରି ସେହି ଶିବଲିଙ୍ଗର ଆଧାର ଖୋଜିବା ଆରମ୍ଭ କରିଥିଲେ ମଧ୍ୟ ଅସଫଳ ହୋଇଥିଲେ।

ଅନ୍ୟ ଏକ ପୌରାଣିକ ମାନ୍ୟତା ଅନୁସାରେ ମହାଶିବରାତ୍ରୀ ଦିନରେ ହିଁ ୬୪ ଜାଗାରେ ଶିବଲିଙ୍ଗ ଉତ୍ପନ୍ନ ହୋଇଥିଲେ। ହେଲେ ସେ ମଧ୍ୟରୁ କେବଳ ୧୨ ଜ୍ୟୋତିର୍ଲିଙ୍ଗ ସମ୍ପର୍କରେ ସୂଚନା ଉପଲବ୍ଧ ରହିଛି। ତେଣୁ ତାଙ୍କୁ ୧୨ ଜ୍ୟୋତିର୍ଲିଙ୍ଗ ନାମରେ ଲୋକେ ଜାଣନ୍ତି।

ତୃତୀୟ ମାନ୍ୟତା ଅନୁସାରେ ମହାଶିବରାତ୍ରୀ ରାତିରେ ହିଁ ଭଗବାନ ଶିବ ଶଙ୍କର ଓ ମାତା ଶକ୍ତିଙ୍କ ବିବାହ ସମ୍ପନ୍ନ ହୋଇଥିଲା।

ପୂଜା ସାମଗ୍ରୀ

ମହାଶିବରାତ୍ରୀ ବ୍ରତର ଗୋଟିଏ ଦିନ ପୂର୍ବରୁ ପୂଜା ସାମଗ୍ରୀ ଏକତ୍ରିତ କରାଯାଏ। ଫୁଲ, ବେଲ ପତ୍ର, ତୁଳସୀ, କ୍ଷୀର, ଆଖୁ ରସ, ଦହି, ଦେଶୀ ଘି, ଗଙ୍ଗା ଜଳ, ପାଣି, କର୍ପୁର, ଧୂପ ଦୀପ, ଚନ୍ଦନ, ଫଳ, ମିଠା, ଦକ୍ଷିଣା, ପୂଜା ପାଇଁ ପାତ୍ର ଇତ୍ୟାଦି।

Leave a Reply