ଫସଲ ବୀମା ଦାବିରେ ଏନ୍ଏଚ୍ ବ୍ଲକ, ରାତିସାରା ଚାଷୀଙ୍କ ଧାରଣା

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ଫସଲ ବୀମା ଦାବିରେ ଚାଷୀ ଆନ୍ଦୋଳନ। ଗତକାଲି ରାତିସାରା ଧାରଣା ଦେବା ସହ ଆଜି ମଧ୍ୟ ଆନ୍ଦୋଳନ ଜାରି ରହିଛି। ୨୦୧୮ ମସିହାର ଫସଲ ବୀମା ଦାବିରେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ୪ଟି ଅଫିସରେ ତାଲା ପକାଇବା ସହ ୫୩ ନମ୍ୱର୍ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଜମନକିରା ବ୍ଲକର ଲ୍ୟାମ୍ପସ, ସମବାୟ ବ୍ୟାଙ୍କ, ତହସିଲ କାର୍ଯ୍ୟାଳୟ ଓ ବ୍ଳକ କାର୍ଯାଳୟରେ ଉପଖଣ୍ଡର ଚାଷୀମାନେ ତାଲା ପକାଇ ଆନ୍ଦୋଳନ ଜାରି ରଖିଛନ୍ତି। ସମସ୍ୟାର ସମସ୍ୟାର ସମାଧାନ ନ ହେବା ଯାଏ ଆନ୍ଦୋଳନ ଜାରି ରଖିବା ପାଇଁ ଚେତାବନୀ ଦେଇଛନ୍ତି।

ଅଭିଯୋଗ ଅନୁସାରେ, ୨୦୧୮ରେ ଫସଲବୀମା କରିଥିବା ଚାଷୀ ଏଯାଏ କ୍ଷତିପୂରଣ ରାଶି ପାଇନାହାନ୍ତି। ଏପରିକି ଏନେଇ ବିଭିନ୍ନ ସମୟରେ ଆନ୍ଦୋଳନ କରିଆସୁଥିଲେ ବି ବୀମା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି ଚାଷୀ। ପ୍ରତିବାଦରେ ଚାଷୀ ସଂଗଠନ ପକ୍ଷରୁ ଗଣଧାରଣା, ମହାବନ୍ଦ, ରେଳରୋକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏହାସତ୍ତ୍ୱେ ମଧ୍ୟ ପ୍ରଶାସନ ସଂପୃକ୍ତ ବୀମା କମ୍ପାନୀ ଉପରେ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରି ନଥିବାରୁ ଚାଷୀ ତାତି ରାଜରାସ୍ତାକୁ ଓହ୍ଲାଇଛନ୍ତି।
ଏନେଇ ଗତକାଲିଠାରୁ ଚାଷୀ ଆଇନ ଅମାନ୍ୟ ଆନ୍ଦୋଳନ କରି ଜମନକିରା ବ୍ଲକର ଲ୍ୟାମ୍ପସ୍, ସମବାୟ ବ୍ୟାଙ୍କ, ତହସିଲ କାର୍ଯ୍ୟାଳୟ ଓ ବ୍ଳକ କାର୍ଯାଳୟରେ ତାଲା ମାରି ଆନ୍ଦୋଳନ ଚଳାଇଛନ୍ତି ଚାଷୀ। ଫସଲ ବୀମା ଟଙ୍କା ନ ପାଇବା ଯାଏ କାଯ୍ଯାଳୟ ବନ୍ଦ ରହିବା ସହ ଜାତୀୟ ରଜପଥ ବନ୍ଦ ରଖିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି। ହେଲେ ଗତ ରାତି ସାରା ଧାରଣା ଜାରି ରହିଥିଲେ ବି ଘଟଣାସ୍ଥଳକୁ କୌଣସି ପ୍ରଶାସନିକ ଅଧିକାରୀ ଯାଇନଥିଲେ। ଫଳରେ ରାସ୍ତାରେ ହଜାର ହଜାର ଟ୍ରକ ଛିଡା ହୋଇ ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।