ଜିଏସ ଡୁଙ୍ଗୁରିପାଲି ପ୍ୟାକ୍ସ ଘୋଟାଲା: ସମ୍ପାଦକ – ମିଲର୍ସ ମାଲେମାଲ, ଚାଷୀ କାଙ୍ଗାଳ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍ ଜିଏସ ଡୁଙ୍ଗୁରିପାଲି ସମବାୟ ସମିତିରେ ମହାଘୋଟାଲା। ଦଲାଲ୍, ପ୍ୟାକସ କର୍ମଚାରୀ ଓ ଯୋଗାଣ ବିଭାଗ ଅଧିକାରୀ ମାଲେମାଲ। ବହୁ କଷ୍ଟରେ ପଡ଼ିଆ ଭୂଇଁରେ ସୁନାର ଧାନ ଫସଲ ଫଳାଇଥିବା ବିଚରା ଚାଷୀ କାଙ୍ଗାଳ। ସମିତିର ସମ୍ପାଦକ ଶୋଭାବନ ପଧାନଙ୍କ ମନମୁଖୀ କାମ ଲାଗି ପ୍ରକୃତ ଚାଷୀ ଧାନ କିଣା ପ୍ରକ୍ରିୟାରୁ ବାଦ୍ ପଡ଼ୁଛନ୍ତି। ଏବେବି ବହୁ ଚାଷୀର ଧାନ ମଣ୍ଡିରେ ପଡିଛି। ଅନ୍ୟପଟେ ଟଙ୍କା ଅଭାବ ଲାଗି କିଏ ଚିକିତ୍ସା କରାଇ ପାରୁନାହାନ୍ତି ତ ଆଉ କିଏ ପୁଅ ବାହାଘର ବନ୍ଦ ନିଷ୍ପତି ନେଇଛି। ଏଭଳି ଦୟନୀୟ ପରିସ୍ଥିତି ଦେଖିବାକୁ ମିଳିଛି ପଥରଖଣ୍ଡି ଗାଁର ଧୁବଲେ ପଟେଲଙ୍କ କ୍ଷେତ୍ରରେ। ମଣ୍ଡିରେ ମିଲର୍ସ ଓ ପ୍ୟାକ୍ସ ସମ୍ପାଦକ ଶୋଭାବନ ପଧାନଙ୍କ ମନମାନି ଯୋଗୁଁ ଚାଷୀ ନିରାଶ। ଏପରିକି ଧାନ କିଣାରେ ବ୍ୟାପକ ଅବ୍ୟସ୍ଥା ଯୋଗୁଁ ଚାଷୀର ଟୋକନ ଲେଫସ ହୋଇଗଲା। ଦୁଇ ଦୁଇଟି ଟୋକନ ଲେଫସ ହୋଇ ଯାଇଛି। ଯାହା ଫଳରେ ନିରୁପାୟ ହୋଇ ଚାଷୀ ଧୁବଳେ ପଟେଲ ଧାନ ମଣ୍ଡିରୁ ଘରକୁ ଫେରାଇ ଆଣି ଚିନ୍ତାରେ ଘାରି ହେଉଛି।

କେବଳ ଏତିକି ନୁହେଁ, ଧାନ ବିକ୍ରି କରି ନ ପାରିବାରୁ ପୁଅ ବାହାଘର ବନ୍ଦ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ପରିବାର ଲୋକେ। ଅଭିଯୋଗ ଅନୁସାରେ ମାଗୁରବେଢ଼ା ପଞ୍ଚାୟତ ପଥରଖଣ୍ଡି ଗାଁର ଚାଷୀ ଧୁବଳେ ପଟେଲ ପୁଅ ବାହାଘର ପାଇଁ ଝିଅ ଦେଖା ସହ ନିର୍ବନ୍ଧ କାର୍ଯ୍ୟ ମଧ୍ୟ ସାରିଥିଲେ। ପୁଅ ବାହାଘର ପାଇଁ ଜୋରସୋର୍ ପ୍ରସ୍ତୁତି ମଧ୍ୟ ଚାଲିଥିଲା। ହେଲେ ଅମଳ ଧାନ ବିକ୍ରି କରି ନ ପାରିବାରୁ ସବୁ ଫସର୍ ଫାଟିଗଲା। ହାତରେ ପଇସା ପତ୍ର ଅଭାବ ଯୋଗୁଁ ଚଳିତ ବର୍ଷ ବିବାହ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି।

ଧୁବଳେ ପଟେଲ ଚଳିତ ବର୍ଷ ୧୭ ଏକର ଜମିରେ ଧାନ ଚାଷ କରିଥିଲେ। ମୁଣ୍ଡର ଝାଳ ତୁଣ୍ଡରେ ମାରି ପ୍ରାୟ ୨୦୦ କୁଇଣ୍ଟାଲ ଧାନ ଅମଳ କରିଥିଲେ ସେ । ଭଲ ଅମଳ ଦେଖି ବଡା ଖୁସ୍ ଥିଲେ ଧୁବଳେ। ଏବଂ ତାଙ୍କର ଧାନ ବିକ୍ରି ପାଇଁ ଗତ ଜାନୁଆରୀ ୫ ତାରିଖରେ ୧୦୦ କୁଇଣ୍ଟାଲର ପ୍ରଥମ ଟୋକନ ଆସିଥିଲା। ଏହାପରେ ତା ଆରଦିନ ଅର୍ଥାତ୍ ଜାନୁଆରୀ ୬ ତାରିଖରେ ୬୭ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଦ୍ଵିତୀୟ ଟୋକନ ଆସିଥିଲା। ଏହାପରେ ଧାନ ବିକ୍ରି ପାଇଁ ସେ ଗଡ ଶଙ୍କର ଡୁଙ୍ଗୁରିପାଲି ସେବା ସମବାୟ ସମିତିକୁ ଧାନ ନେଇଥିଲେ। ଧାନ ନେଲେ ସତ କିନ୍ତୁ ଗୋଟିଏ କ୍ଵିଣ୍ଟାଲ ବି ଧାନ ବିକ୍ରି ହୋଇ ପାରିଲା ନାହିଁ। ମାସାଧିକ କାଳ ମଣ୍ଡିରେ ଧାନ ପଡ଼ି ରହିଲା। ଧାନ ବିକ୍ରି ହୋଇ ପାରିଲା ନାହିଁ। ହେଲେ ଦୁଇଟି ଯାକ ଟୋକନ୍ ଲେଫସ ହୋଇଗଲା। ମଣ୍ଡି ସମ୍ପାଦକ ଶୋଭାବନ ପଧାନଙ୍କ ମନମୁଖୀ କାମ ଯୋଗୁଁ ଧାନ ଉଠି ପାରିଲା ନାହିଁ। ବହୁ ନେହୁରା ପରେ ବି ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କ କଥାକୁ କର୍ଣ୍ଣପାତ ବି କଲେନି। ଶେଷରେ ବାଧ୍ୟ ହୋଇ ସବୁ ଧାନକୁ ମଣ୍ଡିରୁ ଘରକୁ ଫେରାଇ ଆଣି ଏବେ ଚିନ୍ତାରେ ଦିନ କାଟୁଛନ୍ତି ଏହି ପରିବାର।

ତେବେ ଟାର୍ଗେଟ ଶେଷ ହୋଇଥିବାରୁ ମଣ୍ଡିରେ ଆଉ ଧାନ କିଣା ହେଉନି। ସମବାୟ ସମିତିର ସମ୍ପାଦକ ଶୋଭାବନ ପଧାନ ବି ଗାଏବ। ମଣ୍ଡିରେ ତାଲା ଝୁଲୁଛି। କିନ୍ତୁ ମଣ୍ଡିରେ ଧାନ ପଡ଼ି ରହିଛି। ଚାଷୀର ସମସ୍ୟା ଜାଣିବା ପାଇଁ ସଂପାଦକଙ୍କୁ କଲ କଲେ ଧରୁ ନାହାନ୍ତି। ଅନ୍ୟପଟେ ଏହି ମଣ୍ଡି ଦାୟିତ୍ୱରେ ଥିବା ଏସିଆରସିଏସ ଗୋବିନ୍ଦ ନାଗ ବି ଉଭାନ। ଧାନ କିଣା ସରି ଯାଇଥିଲେ ବି ମଣ୍ଡିକୁ କେବେ ଆସି ନାହାନ୍ତି ଗୋବିନ୍ଦ। ନ ଆସିବାର କାରଣ ଅନେକ। ଲୋଇସିଂହା ଓ ଆଗଲପୁର ଉଭୟ ବ୍ଲକ୍ ଦାୟିତ୍ୱରେ ଅଛନ୍ତି ଗୋବିନ୍ଦ। ହେଲେ ସେ ପ୍ରତିଦିନ ବରଗଡ଼ ଜିଲ୍ଲାରୁ ଏଠାକୁ ଆସୁଥିବାରୁ ନିଜ ଦାୟିତ୍ୱ ଠିକରେ ତୁଲାଇ ପାରୁ ନାହାନ୍ତି। ତାଙ୍କ ହେଡ ଅଫିସ ବଲାଙ୍ଗିର ହୋଇଥିବା ବେଳେ କେବେ କେମିତି ଆସିଥାନ୍ତି। ଫିଲ୍ଡ ଡ୍ୟୁଟି ବାହାନା କରି ଅଫିସ ନ ଆସି ଲୋଇସିଂହା ଅଞ୍ଚଳରେ ବୁଲୁଥାନ୍ତି। ଏନେଇ ତାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରା ଯାଇଥିଲା। ହେଲେ ସେ ମଣ୍ଡି ସମସ୍ୟାକୁ ମାନିବା ସହ ଟୋକନ କଟି ଯାଇଥିବାରୁ କିଛି କରି ପାରିବେ ନାହିଁ ବୋଲି କହିଥିଲେ।

ସେପଟେ ଏନେଇ ଡିଆରସିଏସ ପିଜେ ମହାନ୍ତି କହିଛନ୍ତି ଯେ, ଟୋକନ୍ କଟି ଯାଇଥିବା ଚାଷୀଙ୍କ ବାବଦରେ କିଛି କରି ହେବନି। ସେହିପରି ସିଏସଓ ବିକ୍ରମ ମାଝୀଙ୍କ ମଧ୍ୟ ସେଇ ସମାନ ଉତ୍ତର। ଟୋକନ ସେଣ୍ଟ୍ରାଲାଇଜ ହେଉଥିବାରୁ ଆମ ହାତରେ କିଛି ନାହିଁ। ଯେଉଁ ଚାଷୀର ଟୋକନ କଟୁଛି, ତାର ସବୁ ବିବରଣୀ ଆପେ ଆପେ ସରକାର ନିକଟକୁ ଯାଉଥିବା କହିଛନ୍ତି ବିକ୍ରମ। ତେବେ ବିଭାଗ ଚାଷୀର ଧାନ କିଣିବ, ହେଲେ କାହାର ଟୋକନ କଟିଲେ ସମସ୍ତେ ଏହାଠାରୁ ଦୂରେଇ ରହୁଛନ୍ତି। ଏଠି ପ୍ରଶ୍ନ ଉଠୁଛି, ଚାଷୀର ଟୋକନ ଲେଫସ ପାଇଁ କିଏ ଦାୟୀ? ଠିକଣା ସମୟରେ ଚାଷୀ ମଣ୍ଡିକୁ ଧାନ ଆଣିଲା। କିନ୍ତୁ ପ୍ରକୃତ ଚାଷୀର ଧାନ ନ ଉଠି ଦଲାଲର ଧାନ ପ୍ରଥମେ ଉଠି ଯାଉଛି। ଫଳରେ ଚାଷୀର ଟୋକନ ଲେଫସ ହେଉ ଯାଉଛି। ମଣ୍ଡିରେ ଏଭଳି ଭୂଲ ବ୍ୟବସ୍ଥା ଲାଗି ଅସାଧୁ ପ୍ୟାକ୍ସ କର୍ମଚାରୀ, ମିଲର ଓ ଯୋଗାଣ ବିଭାଗ କର୍ମଚାରୀ ମାଳେମାଲ ହେଉଥିବା ବେଳେ ବିଚରା ଚାଷୀ କାଙ୍ଗାଲ ହେଉଛି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ବିରୋଧରେ କଠୋର ପଦକ୍ଷେପ ନେବା ନିହାତି ଜରୁରୀ।

Leave a Reply