ସାମ୍ବିଧାନିକ ସଙ୍କଟରେ ସମବାୟ ସଂସ୍ଥା – ଯଜ୍ଞେଶ୍ୱର

ଓଡ଼ିଶାବଡ଼ ଖବରରାଜନୀତି

ଏନଏନ ବ୍ୟୁରୋ । ସମ୍ବିଧାନରେ ସମବାୟକୁ ଏକ ମୌଳିକ ଅଧିକାର ଦିଆଯାଇଛି । ସମବାୟ ଆଇନ ଅନୁସାରେ ରେଜିଷ୍ଟ୍ରାର ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କର ସମସ୍ତ ସୁବିଧା ସୁଯୋଗ ମଂଜୁର କରିପାରିବେ ଏବଂ ତାହା ରେଜିଷ୍ଟ୍ରାର ମଂଜୁର ମଧ୍ୟ କରିଛନ୍ତି । କୌଣସି ସମବାୟ ସମିତି ଯଦି ଲାଭରେ ଚାଲିଥିବ ତାହେଲେ କର୍ମଚାରୀମାନଙ୍କୁ ସଠିକ ଦରମା ଦିଆଯାଇ ପାରିବ । ମଣ୍ଡି ଯୋଗୁଁ ବର୍ତ୍ତମାନ କୌଣସି ସମବାୟ ସମିତି କ୍ଷତିରେ ଚାଲୁ ନାହିଁ, ଏଣୁ ଉକ୍ତ କର୍ମଚାରୀମାନଙ୍କୁ ମ୍ୟାନେଜମେଂଟ ଚାହିଁଲେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରି ପାରିବ । କିନ୍ତୁ ବର୍ତ୍ତମାନ ୬ ମାସରୁ ଉର୍ଦ୍ଧ୍ୱ ହେବ ମ୍ୟାନଜେମଂଟ ଆଉ ନାହିଁ, ସମ୍ବିଧାନର ୯୭ତମ ସଂଶୋଧନ ଅନୁଯାୟୀ ୬ ମାସରୁ ଉର୍ଦ୍ଧ୍ୱ କୌଣସି ପ୍ରଶାସକ ଦାୟିତ୍ୱରେ ରହି ପାରିବେ ନାହିଁ । ତେଣୁ ସାରା ରାଜ୍ୟରେ ଯେତିକି ସମବାୟ ଅନୁଷ୍ଠାନ ଅଛି ତାହା ଏକ ସାମ୍ବିଧାନିକ ସଂକଟରେ ଗତି କରୁଛି । ଏହା ତୁରନ୍ତ ସମାଧାନ ନହେଲେ ସମବାୟ ସମିତିର ପ୍ରଭୃତ କ୍ଷତି ହେବ । ଏ କଥା କହିଛନ୍ତି ସମବାୟ ସମ୍ରାଟ ଯଜ୍ଞେଶ୍ୱର । ବଲାଙ୍ଗିର ଜିଲ୍ଲା ସମବାୟ ସମିତି ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ବାର୍ଷିକ ଅଧିବେଶନ ପାଟଣାଗଡ ଉପଖଣ୍ଡର ବେଲପଡା ବ୍ଲକ କପାଣି ସେବା ସମବାୟ ସମିତି ପରିସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏ ବକ୍ତବ୍ୟ ଦେଇଛନ୍ତି ଯଜ୍ଞେଶ୍ୱର । ସମ୍ମାନୀତ ଅତିଥି ଭାବେ ପଶ୍ଚିମାଂଚଳ ମିଳିତ ଶ୍ରମିକ କର୍ମଚାରୀ ମଂଚର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ବିଶି ଯୋଗ ଦେଇଥିଲେ ।

ସମବାୟ ସମିତିର କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ପାଇଁ ଷଷ୍ଠ ବେତନ କମିଶନଙ୍କ ସୁପାରିସ ଅନୁସାରେ ବେତନ ନିର୍ଦ୍ଧାରଣ କରିବା ପାଇଁ ରେଜିଷ୍ଟ୍ରାର ସମବାୟ ସମିତି ଓଡିଶା ତାଙ୍କ ଆଦେଶ ସଂଖ୍ୟା ୨୨୧୬/୨୦୧୪ରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦରମା ନିର୍ଦ୍ଧାରଣ ସାରଣୀ ସହିତ ଡିଏ, ଗ୍ରେଡ ପେ, ବେସିକ ପେ, ଇନକ୍ରିମେଂଟର ପୂର୍ବ ଦରମା ହାର ଏବଂ ବର୍ଦ୍ଧିତ ଦରମାର ହିସାବ ଗାଇଡଲାଇନ ଜାନୁୟାରୀ ୨୦୧୪ରୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ କେତେକ ସମବାୟ ସମିତିର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନୂତନ ମଜୁରୀ / ବେତନ ନିର୍ଦ୍ଧାରଣ ହୋଇନଥିବାରୁ ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରିବା, ପେନସନ ଓ ଗ୍ରାଚ୍ୟୁଟି ଲାଗୁ କରିବା, ଦଶମ ପାସ କରିଥିବା ପିଅନ ଏବଂ ଜଗୁଆଳୀମାନଙ୍କ ପଦୋନ୍ନତି ପ୍ରଦାନ, ମୃତ କିମ୍ବା ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଉତ୍ତରାଧିକାରୀଙ୍କୁ ଚାକିରି ପ୍ରଦାନ କରୁନଥିବାରୁ ଶ୍ରୀଯୁକ୍ତ ବିଶି ଉଦବେଗ ପ୍ରକାଶ କରିଥିଲେ । କର୍ମଚାରୀମାନଙ୍କ ସମସ୍ୟା ଏକ ମାସ ମଧ୍ୟରେ ସମାଧାନ ନହେଲେ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବାକୁ ସଂଘ ଚେତାବନୀ ଦେଇଛି ।

ସଭା ପ୍ରାରମ୍ଭରୁ ଅତିଥିମାନେ ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସଂଘର ପୂର୍ବତନ ସଭାପତି ସ୍ୱର୍ଗତ ବିଷ୍ଣୁ ଚରଣ ମହାନ୍ତିଙ୍କ ଅକାଳ ବିୟୋଗରେ ଶୋକ ବ୍ୟକ୍ତ କରି ନୀରବ ପ୍ରାର୍ଥନା କରାଯାଇଥିଲା। ସଂଘର ସଭାପତି ଭାବେ ଯଜ୍ଞେଶ୍ୱର, ସଂପାଦକ ଭାବରେ ନିରଞ୍ଜନ ବିଶି, ସଦସ୍ୟ ଭାବରେ ଇନ୍ଦ୍ରମଣି ଧରୁଆ, ରାମକୃଷ୍ଣ ନାଏକ, ସାଧୁଚରଣ ତାଣ୍ଡି, ପ୍ରକାଶ ପୁଟେଲ, ଆନନ୍ଦ ସରାଫ, ସୂର୍ଯ୍ୟକାନ୍ତ ରଣା, ନିରଞ୍ଜନ ଷାଣ୍ଢ, କଚତୁର୍ଭୁଜ ବେହେରା, ଫକିର ବେହେରା, ବୈଚନ୍ଦ୍ର ପୁଟେଲ, ଦୈତାରୀ ପୋଢ, ଦିଲେଶ୍ୱର ବେହେରା, ରାଧେଶ୍ୟାମ ପୁଟେଲ, ବିଷ୍ଣୁ ବେହେରା, ଅମରେଶ ପୁଟେଲ, ଚୈତନ ପରାଭୋଇ, ଅଭି ଚନ୍ଦନ, ହୀରାଲାଲ ବନଛୋର ପ୍ରମୁଖ ମନୋନୀତ ହୋଇଥିଲେ । ସଂଘର ଆବାହକ ଇନ୍ଦ୍ରମଣି ଧରୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗିରିଧାରି ଭୋଇ ସଭା ପରିଚାଳନା କରିଥିବା ବେଳେ ସଞ୍ଜିବ ଶର୍ମା, ରାଜକିଶୋର ଛତ୍ରିଆ ବିଶେଷ ସହଯୋଗ କରିଥିଲେ ।

Leave a Reply