ଜିଏସ ଡୁଙ୍ଗୁରିପାଲି ପ୍ୟାକସ ଘୋଟାଲା, ସମ୍ପାଦକ ସୁରକ୍ଷାରେ ଏସିଆରସିଏସ୍

ଓଡ଼ିଶାବଡ଼ ଖବରସ୍ପେଶାଲ

ଏନ୍ଏନ୍ ବ୍ୟୁରୋ। ପ୍ୟାକ୍ସ ସମ୍ପାଦକ ସୁରକ୍ଷାରେ ଏସିଆରସିଏସ। ବାହାନା ଆଳରେ ତଦନ୍ତ ସମୟ ଗଡ଼ାଇ ଚାଲିଛନ୍ତି ସଂପୃକ୍ତ ଅଧିକାରୀ। ଏପରିକି ଅନିୟମିତତା ତଦନ୍ତ ଦାୟିତ୍ୱ ପାଇବା ପରେ ଏଯାଏ ପ୍ୟାକ୍ସକୁ ଯାଇ ନାହାନ୍ତି ସଂପୃକ୍ତ ଅଧିକାରୀ ଗୋବିନ୍ଦ ନାଗ। କାରଣ ଏବେବି ପ୍ୟାକ୍ସରେ ଅନେକ ଚାଷୀର ଧାନ ବିକ୍ରି ନହୋଇ ପଡ଼ି ରହିଛି। ଚାଷୀଙ୍କ ଆକ୍ରୋଶ ଭୟରେ ଯାଉ ନାହାନ୍ତି ଗୋବିନ୍ଦ। ତେବେ ପ୍ୟାକ୍ସକୁ ନଯାଇ ଧାନ ବିକ୍ରି ଘୋଟାଲାର ତଦନ୍ତ ରିପୋର୍ଟ ଦେବେ କେମିତି? ପ୍ୟାକ୍ସ ସମ୍ପାଦକ ଶୋଭାବନ ପଧାନ ସମିତିରେ ମନମାନି ଚଳାଇବା ସହ ଧାନ ବିକ୍ରି ଘୋଟାଲାରେ ଛନ୍ଦି ହୋଇଛନ୍ତି। ଦୁର୍ନୀତି ଢ଼ାଙ୍କିବା ପାଇଁ ସମ୍ପାଦକ ଶୋଭାବନ ଏସିଆରସିଏସ ଗୋବିନ୍ଦ ନାଗ ସହ ସଲାସୁତୁରା କରିଥିବା ସନ୍ଦେହଜାତ ହେଉଛି। କାରଣ ତଦନ୍ତ ଦାୟିତ୍ଵ ନେବାର ମାସାଧିକ ସମୟ ହୋଇ ଥିଲେ ମଧ୍ୟ ଗୋବିନ୍ଦ ନାଗ ଘଟଣାର ତଦନ୍ତ ଆରମ୍ଭ କରି ନାହାନ୍ତି।

ଜିଲ୍ଲାରେ ଧାନ ବିକ୍ରିରେ ପ୍ୟାକ୍ସ ସମ୍ପାଦକଙ୍କ ମନମାନି ଯୋଗୁଁ ଚାଷୀ ହଇରାଣ ହେଉଛି। ପ୍ୟାକ୍ସ, ମିଲର୍ସ ଓ ବିଭାଗୀୟ ଅଧିକାରୀଙ୍କ ମିଳିଭଗତ ଯୋଗୁଁ ପ୍ରକୃତ ଚାଷୀ ଧାନ ବିକ୍ରି ବ୍ୟବସ୍ଥାରୁ ବଞ୍ଚିତ ହେଉଛନ୍ତି। ଫଳରେ ଦଲାଲ୍ ଓ ମିଲର୍ ମାଲେମାଲ ହେଉଛନ୍ତି। ଶୀଘ୍ର ନ ହେଲେବି ବହୁ ଡେରିରେ ଚେତିଲା ଜିଲ୍ଲା ପ୍ରଶାସନ। ଧାନ କିଣାରେ ଅବ୍ୟସ୍ଥା ଅଭିଯୋଗ ଆସିଥିବା ଜିଲ୍ଲାର ବିଭିନ୍ନ ମଣ୍ଡିରେ ଚଢ଼ାଉ କରାଯାଇଥିଲା। ଅନେକ ସମବାୟ ସମ୍ପାଦକଙ୍କ ବିରୁଦ୍ଧରେ ତଦନ୍ତ କରିବାକୁ ନିର୍ଦ୍ଧେଶ ଦିଆଯାଇଥିଲା। ସେଥିରେ ଗଡ ଶଙ୍କର ଡୁଙ୍ଗୁରିପାଲି ସମବାୟ ସମିତିର ନା ମଧ୍ୟ ରହିଥିଲା। ଏହାର ତଦନ୍ତ ପାଇଁ ଡିଆରସିଏସ ପି କେ ମହାନ୍ତି ଲୋଇସିଂହା ଏସିଆରସିଏସ ଗୋବିନ୍ଦ ନାଗଙ୍କୁ ଦେଇଥିଲେ। କିନ୍ତୁ ଏଯାଏ ମାସେରୁ ଅଧିକ ସମୟ ହୋଇଥିଲେ ବି ତଦନ୍ତ ଆରମ୍ଭ ହୋଇ ନାହିଁ। ଏ କଥାକୁ ସ୍ବୀକାର କରିଛନ୍ତି ଖୋଦ ଏସିଆରସିଏସ ଗୋବିନ୍ଦ ନାଗ। ଧାନ କିଣା ଲାଗି ତଦନ୍ତ ଆରମ୍ଭ କରି ନଥିବା ସେ କହିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି କଣ ପାଇଁ ଗୋବିନ୍ଦ ନାଗଙ୍କୁ ତଦନ୍ତ ଦାୟିତ୍ୱ ଦେଇଛି ବିଭାଗ। ତଦନ୍ତ ନ କରି ଧାନ କିଣାରେ ମାତିବା ଘଟଣା ଗୋବିନ୍ଦଙ୍କ କାର୍ଯ୍ୟକାରିତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଯେହେତୁ ବିଭାଗ ତାଙ୍କୁ ତଦନ୍ତ ଦାୟିତ୍ୱ ଦେଇଛି, ତେଣୁକରି ଧାନ କିଣା ସହ ତଦନ୍ତ ବି କରିବା କଥା। ଏହା ନକରି ସେ କେବଳ ଧାନ କିଣାରେ ଲାଗିବା ତାଙ୍କ ପ୍ରତି ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ।

କାରଣ ପ୍ୟାକ୍ସରେ ଯେଉଁ ପ୍ରକାର ଘୋଟାଲା ହୋଇଛି ସମ୍ପାଦକ ଶୋଭାବନ ପାଧନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନିଶ୍ଚିତ। ହେଲେ ସମ୍ପାଦକ ଶୋଭାବନକୁ ସୁରକ୍ଷା ଦେବାକୁ ଲାଗିଛନ୍ତି ତଦନ୍ତ ଦାୟିତ୍ୱରେ ଥିବା ଅଧିକାରୀ ଗୋବିନ୍ଦ ନାଗ। ଏଥିପାଇଁ ପ୍ୟାକ୍ସ ସମ୍ପାଦକ ଓ ଏସିଆରସିଏସଙ୍କ ମଧ୍ୟରେ ଭିତିରି ସଲାସୁତୁରା ହୋଇଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ନହେଲେ ଘୋଟାଲାର ତଦନ୍ତ ନକରି କାହିଁକି ଧାନ କିଣାରେ ମାତି ଥାନ୍ତେ ଗୋବିନ୍ଦ। ଏନେଇ ଗୋବିନ୍ଦ ନାଗଙ୍କ ପ୍ରତିକ୍ରିୟା ନେବାରୁ ସେ ଘଟଣାକୁ ସ୍ବୀକାର କରିଥିଲେ। ଧାନ କିଣା ଲାଗି ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇନଥିବା ସେ କହିଥିଲେ।

ସେପଟେ ଡିଆରସିଏସ ପି କେ ମହାନ୍ତି କହିଛନ୍ତି ଘଟଣାର ତଦନ୍ତ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଠି ପ୍ରଶ୍ନ ଉଠୁଛି, କେବେ ତଦନ୍ତ ରିପୋର୍ଟ ଆସିବ ଓ ସମ୍ପାଦକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେଣୁ ତଦନ୍ତରେ ବିଳମ୍ବ ନେଇ ଗୋବିନ୍ଦ ନାଗଙ୍କ ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ହେଉଛି। ଧାନ କିଣା ବାହାନା କରି ତଦନ୍ତ କରୁନଥିବାରୁ ଗୋବିନ୍ଦ ନାଗ ସମ୍ପାଦକ ଶୋଭାବନ ପଧାନଙ୍କୁ ଘଣ୍ଟ ଘୋଡ଼ାଉଥିବା ପ୍ରଶ୍ନ ଉଠିବା ସ୍ବାଭାବିକ। ଏତେସତ୍ତ୍ୱେ ବିଭାଗୀୟ ଅଧିକାରୀ ଗୋବିନ୍ଦ ନାଗଙ୍କୁ ତାଗିଦ୍ ନ କରି ଚୁପ୍ ବସିଛନ୍ତି କେମିତି? ଘଟଣାକୁ ଚପାଇ ଦେବାକୁ ଡିଲ ହୋଇଯାଇ ନି ତ! ଦେଖାଯାଉ ବିଭାଗୀୟ ଅଧିକାରୀ ଏହି ଘଟଣାର ତଦନ୍ତ କେବେ ସାରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

One thought on “ଜିଏସ ଡୁଙ୍ଗୁରିପାଲି ପ୍ୟାକସ ଘୋଟାଲା, ସମ୍ପାଦକ ସୁରକ୍ଷାରେ ଏସିଆରସିଏସ୍

  • Anasuya panda

    Nice

    Reply

Leave a Reply