ରାଜା ଘର ଆଗରେ ଧାରଣା, ଶ୍ରମିକଙ୍କ ପଛରେ ଅଦୃଶ୍ୟ ହାତ !

ବଡ଼ ଖବରରାଜନୀତିସ୍ପେଶାଲ

ଏନ୍ଏନ୍ ବ୍ୟୁରୋ। ରାଜାଙ୍କ ଘର ସମ୍ମୁଖରେ ଶ୍ରମିକଙ୍କ ବିକ୍ଷୋଭ।ବଲାଙ୍ଗିର ପାଟଣା ମହାରାଜ ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ରାଜଖମାର ଆଗରେ ୭ ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ। ଭୁବନେଶ୍ୱର ନୟାପଲ୍ଲୀର ଜମ୍ବେଶ୍ଵର ବିଶ୍ଵାଳ ଓ କମଳ ରାଉତରାୟଙ୍କ ସହ ୭ ଜଣ ମହିଳା ପୁରୁଷ ଆନ୍ଦୋଳନରେ ବସିଛନ୍ତି। ତେବେ ଦାବି ସମସ୍ତଙ୍କୁ ଚକିତ କଲା ଭଳି। କୁଆଡେ ଏ ଶ୍ରମିକଙ୍କ ବକେୟା ମଜୁରୀ ଟଙ୍କା ଦେଇ ନାହାନ୍ତି କେଭି। ଶ୍ରମିକଙ୍କ ଅଭିଯୋଗ ଅନୁସାରେ ଗତ ୨୦୦୯ ମସିହାରେ କେଭିଙ୍କ ଭୁବନେଶ୍ୱର ଘରେ କାମ ବାବଦକୁ ୧୫ ଲକ୍ଷ ଟଙ୍କା ପାଉଣା ପାଇବାର ଥିଲା। ସେଥି ମଧ୍ୟରୁ ସାଢ଼େ ୩ ଲକ୍ଷ ଟଙ୍କା ମିଳିଥିବା ବେଳେ ବାକି ୧୧ ଲକ୍ଷ ଟଙ୍କା ମିଳିନଥିବା ଅଭିଯୋଗ କରିଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଟଙ୍କା ମିଳିନଥିବାରୁ ଆନ୍ଦୋଳନର ପନ୍ଥା ଆପଣେଇଛନ୍ତି ଶ୍ରମିକମାନେ। ଏବଂ ପାଉଣା ଦାବିରେ ଶନିବାର ପାଟଣାଗଡ ରାଜଖମାର ଆଗରେ ଧାରଣାରେ ବସିଥିଲେ। ହେଲେ ଏମାନେ ଭୁବନେଶ୍ୱର ଘର ଆଗରେ ଧାରଣା ନଦେଇ ପାଟଣାଗଡ଼ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ କାହିଁକି, ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ।

ତେବେ ଆଶ୍ଚର୍ଯ୍ୟର କଥା ୨୦୦୯ ମସିହାରେ କାମ କରିଥିବା ଶ୍ରମିକ ଦୀର୍ଘ ୧୧ ବର୍ଷ ପରେ ପାଉଣା କଥା ମନେ ପଡ଼ିଲା। କାମ କରି ପାଉଣା ପାଇବା ଶ୍ରମିକଙ୍କ ହକ୍। କିନ୍ତୁ ଏତେ ଦିନ ପରେ ପାଟଣାଗଡକୁ ଆସି ଟଙ୍କା ମାଗିବା ଉଦ୍ଧେଶ୍ୟ ସମ୍ପୂର୍ଣ୍ଣ ଅଲଗା ଏଥିରେ ଦ୍ଵିମତ ନାହିଁ। ପ୍ରଥମ କଥା ହେଲା ଶ୍ରମିକମାନଙ୍କୁ କେହି ଏକ ଇନୋଭା ଗାଡ଼ିରେ ଆଣି ରାଜଖମାର ଆଗରେ ଓହ୍ଲାଇ ଦେଇ ଚାଲିଗଲା। ଗାଡ଼ି ଡ୍ରାଇଭରକୁ ପଚାରିବାରୁ ସେ ଧରା ଛୁଆଁ ନଦେଇ ସେଠାରୁ କୁଆଡେ ଫେରାର ହୋଇ ଯାଇଥିଲା। ତେବେ ଗାଡ଼ିରେ ଶ୍ରମିକଙ୍କୁ ପଠାଇଥିବା ବ୍ୟକ୍ତି ଜଣକ କିଏ? ଏମାନଙ୍କ ପଛରେ କାହାର ଅଦୃଶ୍ୟ ହାତ ରହିଛି। କେଭିଙ୍କ ଚେହେରାକୁ ମଳିନ କରିବା ପାଇଁ ଉଦ୍ୟମ ହେଉନି ତ! କାରଣ ଆଗକୁ ୧୫ ନମ୍ବର ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବାକୁ ଯାଉଛି। ତାସହ କନକ ବର୍ଦ୍ଧନ ସିଂହଦେଓ ପିପିଲି ଉପନିର୍ବାଚନରେ ବିଜେପିର ନିର୍ବାଚନୀ ପ୍ରଚାର ମୁଖ୍ୟ ପୁରୋଧା ଅଛନ୍ତି। ତେଣୁ ତାଙ୍କୁ ବଦନାମ କରିବା ପାଇଁ ଏଭଳି ଚେଷ୍ଟା କରାଯାଉ ନି ତ!

ଆଗକୁ ବଲାଙ୍ଗିର ଜିଲ୍ଲାର ୧୫ ନମ୍ବର ଜିଲ୍ଲା ପରିଷଦ ଜୋନର ଉପନିର୍ବାଚନ। ପାଟଣାଗଡ଼ ବ୍ଲକର ୯ଟି ପଞ୍ଚାୟତକୁ ନେଇ ଏହି ଜୋନ ଗଠିତ। ସୂଚନା ଅନୁସାରେ, ଗତ ସାଧାରଣ ନିର୍ବାଚନରେ କନକ ବର୍ଦ୍ଧନ ସିଂହଦେଓ ପରାସ୍ତ ହୋଇଥିଲେ ମଧ୍ୟ ଏହି ଅଞ୍ଚଳରେ ଭୋଟର ତାଙ୍କୁ ଅଧିକ ମତଦାନ କରିଥିଲେ। ଅର୍ଥାତ୍ ଏହି ଅଞ୍ଚଳରେ କେଭିଙ୍କ ଲୋକପ୍ରିୟତା ଅଧିକ।ଅନ୍ୟପଟେ ନିର୍ବାଚନରେ ଜିତିବା ପରେ ସ୍ଥାନୀୟ ବିଧାୟକଙ୍କ ଦବଙ୍ଗଗିରି ଓ ଅହଙ୍କାର କେତେ ବଢ଼ିଛି ତାହା ସମସ୍ତଙ୍କୁ ଜଣା। ଏପରିକି ଜଣେ ସରକାରୀ କର୍ମଚାରୀଙ୍କୁ କାନ ଧରି ଉଠବସ କରାଇ ଜେଲ ଯିବା ପରେ ବିଧାୟକଙ୍କ ଛବି ମଳିନ ହୋଇଯାଇଛି। ତାସହ ଲୋକଙ୍କ ସମସ୍ୟା ଠିକସେ ବୁଝୁନଥିବାରୁ ଅଞ୍ଚଳରେ ଲୋକପ୍ରିୟତା କମି କମି ଯାଉଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ କେଭିଙ୍କ ପଲ୍ଲା ଭାରି ରହିଛି। ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେପି ବାଜି ମାରିବା ସମ୍ଭାବନା ରହିଛି। ଏଥିପାଇଁ କେଭିଙ୍କୁ ବଦନାମ କରିବା ପାଇଁ ଗୋଟିଏ ଗୋଷ୍ଠୀ ଲାଗି ପଡିଛି। କାରଣ ଜଳ ଜଳ ଦିଶୁଛି। କାମ କରିବାର ଏତେ ଦିନ ପରେ ଶ୍ରମିକମାନେ ଆସି ଘର ସମ୍ମୁଖରେ ପାଉଣା ପାଇଁ ଧାରଣା ଦେବା ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଶ୍ରମିକଙ୍କ ପାଉଣା ବାବଦ ନେଇ କେଭିଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ଏହି ଷଡ଼ଯନ୍ତ୍ର ପଛରେ ଏକ ଅଦୃଶ୍ୟ ହାତ କାମ କରୁଛି।

Leave a Reply